Unknown

 

 

 

 

 

 

 

 

 

 

 

ଏଇ ମୋର ଦେଶ

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ଆଗେ ଆମ ଦେଶ କିପରି ଥିଲା ?

୨.

ଆମ ଦେଶ କଣ ହୋଇଚି

 

(କ)

ଆମ ଦେଶର ଆର୍ଥିକ ଦଶା

 

(ଖ)

ଆମ ଦେଶର ସାମାଜିକ ଦଶା

 

(ଗ)

ଆମ ଦେଶର ମାନସିକ ଦଶା

 

(ଘ)

ଆମ ଦେଶର ସାମରିକ ଦଶା

 

(ଙ)

ଆମ ଦେଶର ରାଜନୈତିକ ଦଶା

୩.

ଆମେ କାହିଁକି ପଛରେ ପଡ଼ିଛୁ ?

୪.

ଆଉ ସବୁ ଦେଶ କଣ କରୁଚନ୍ତି ?

 

(କ)

ଋଷିଆ ମର୍ତ୍ତ୍ୟର ସ୍ୱର୍ଗ

 

(ଖ)

ଚୀନ ଦେଶ–ଏସିଆର ଆଲୋକ

 

(ଗ)

ଛୋଟିଆ ଦେଶ ଡେନମାର୍କ

୫.

ଆମେ ଆମ ପାଇଁ କଅଣ କରିବା ?

Image

 

ଭୂମିକା

 

ପୁସ୍ତିକାଟି ପ୍ରଥମେ ଲେଖା ହେଇଥିଲା କଟକ ଜେଲରେ, ଗାଁ ଗହଳିରୁ ଯେଉଁ ଭାଇମାନେ ଦେଶଲାଗି ଜେଲ ଖଟୁଥିଲେ, ଦେଶ ବିଷୟରେ ସେଇମାନଙ୍କୁ ଟିକିଏ ମୌଳିକ ଧାରଣା ଦେବା ଲାଗି ।

 

ଏହାମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ପୁସ୍ତିକାଟିର ଅଧେ ପ୍ରାୟ ଦୁଇବର୍ଷ ଆଗରୁ ଛାପା ହୋଇ ପଡ଼ିଥିଲା । ତାକୁ ପୁଣି ପୂରଣ କରିବାକୁ ଯେଉଁ ମନୋଧ୍ୟାନ ଲୋଡ଼ା ତାହା ହୁଏତ ମୁଁ ସମ୍ପୂର୍ଣ୍ଣ ଦେଇପାରି ନାହିଁ । ତେଣୁ ହୁଏତ ଅନେକ ଯାଗାରେ ଅନେକ ଅସଂଗତି ରହିଯାଇଛି । ତଥାପି ଆଜିର ଅବସ୍ଥାକୁ ଦୃଷ୍ଟିରେ ରଖି ଅଧ୍ୟାୟଗୁଡ଼ିକୁ ଯଥାସମ୍ଭବ ମାଠି ଦିଆଯାଇଛି । ଡେନମାର୍କ ସମ୍ୱନ୍ଧୀୟ ଅଂଶଟି ପଛରେ ଯୋଡ଼ି ଦିଆହୋଇଛି ।

 

‘ଏଇ ମୋର ଦେଶ’ ବୋଲି କହିବା ଲାଗି ଯେଉଁମାନଙ୍କର ସବୁଠୁଁ ବେଶୀ ଅଧିକାର ଅଛି, ସେହିମାନଙ୍କ ବୁଝିବା ଶକ୍ତିକୁ ଦୃଷ୍ଟି ରଖି ଏହା ଲେଖା ଯାଇଛି । ବସ୍ତୁତଃ ବହିଟି ସେହିମାନଙ୍କ ପାଇଁ । ତେଣୁ ବିଷୟବସ୍ତୁର ଦାରିଦ୍ର୍ୟ ଥିବା ଯୋଗୁଁ ବହିଟି ଯେପରି କାହାରି ଦାକ୍ଷିଣ୍ୟ ଊଣା ନ ହୁଏ, ଏହାହିଁ ମୁଁ ଆଶା କରୁଛି ।ଇତି।

 

ଚିତ୍ତରଞ୍ଜନ

Image

 

ଆଗେ ଆମଦେଶ କିପରି ଥିଲା

 

ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ଏଡ଼େ ବଡ଼ ଦେଶ–କେତେ ନଦୀ, କେତେ ପର୍ବତ, କେତେ ହ୍ରଦ ଏ ଦେଶରେ ପୂରି ରହିଚି । ଏ ଦେଶଟି କେଡ଼େ ସୁନ୍ଦର ? ବରଫର ମୁକୁଟ ପିନ୍ଧି ଧାଡ଼ି ଧାଡ଼ି ହୋଇ ପର୍ବତମାନ, ଦେଶର ଉତ୍ତର ସୀମାରେ ଜଗୁଆଳ ପରି ରହିଚନ୍ତି । ମାଇଲ ମାଇଲ ଧରି ସମତଳ ଭୂଇଁ ଉପରେ କେତେ କେତେ ନଈ ବହି ଯାଉଚନ୍ତି, ଯୁଗ ଧରି ପର୍ବତ ଅଞ୍ଚଳରୁ ଗୋଡ଼ି ମାଟି ଆଣି ଦୁଇ କୂଳରେ ବିଛାଇ ଦେଇ କୂଳକୁ ଉର୍ବର କରୁଚନ୍ତି । ଏ ଦେଶର ବଣ ଜଙ୍ଗଲ, ପଶୁ ପକ୍ଷୀ, କେଡ଼େ ସୁନ୍ଦର । ସମସ୍ତେ ମିଶି ଯେପରି ଏ ଦେଶରେ ରୂପର ବଜାର ମେଲି ବସିଚନ୍ତି-। କେଉଁଠି ପାଚିଲା ଧାନ କିଆରୀରେ ସୁଲୁ ସୁଲୁ ପବନ ଢେଉଁ ଖେଳେଇ ଦେଇ ଚାଲିଚି, କେଉଁଠି ଚିଲିକା କୂଳରେ ବସି କବି ଢେଉ ଗଣୁଚି ଆଉ କବିତା ଲେଖୁଚି, ତାର ଢେଉ ଗଣିବା ସରୁ ନାହିଁ କି କବିତା ଲେଖିବା ସରୁ ନାହିଁ । କେଉଁଠି ଜଙ୍ଗଲ ଉହାଡ଼ରେ କେତେ ରଙ୍ଗର ପକ୍ଷୀ ଗୀତ ଗାଉଚନ୍ତି, କେଉଁଠି ନିଛାଟିଆ ବଣ ଭିତରର ଘାସ ପଡ଼ିଆରେ ହରିଣ ମା’ ତାର ଛୁଆକୁ ଧରି ଘାସ ଚରୁଚି । କେତେ କବି ଜନ୍ମହୋଇ ମରିଗଲେଣି, କେତେ ରାଜା ରାଜୁତି କରି ମରି ଗଲେଣି, କେତେ ରାଇଜ ଗଢ଼ାହୋଇ ଭାଙ୍ଗିଗଲାଣି ମାତ୍ର ଆଗପରି ଆଜି ମଧ୍ୟ ଝରଣା ବହୁଚି, ଚଢ଼େଇ ଗୀତ ଗାଉଚି, ହରିଣ ଛୁଆ ଖେଳୁଚି, ସକାଳେ ବଙ୍ଗୋପସାଗରର ଦୂର ଦୂରାନ୍ତର ପାଣି ଭିତରୁ କଅଁଳ ସୂର୍ଯ୍ୟ ଉଠି ଆରବସାଗରର ପାଣି ଭିତରେ ଲୁଚି ଯାଉଚି । ଏଇ ଦେଶର ଦୃଶ୍ୟ ଦେଖି କାଳିଦାସ ଅମର ହୋଇଚନ୍ତି । ଏଇ ଦେଶର ଗୁଣ ବର୍ଣ୍ଣନା କରି ବାଣ ଭଟ୍ଟଙ୍କର ନାଁ ଆଜିଯାଏ ପ୍ରଶଂସା ପାଉଚି । ଏଇପରି ଗୋଟାଏ ଦେଶରେ ଆମର ଜନ୍ମ । ଏଇ ପର୍ବତ, ନଈ, ସମୁଦ୍ର, ବଣ, ଜଙ୍ଗଲର ଶୋଭା ଦେଖି ଆମେ ବଢ଼ି ଆସିଚୁ, ଏଇ ଆମର ମାତୃଭୂମି । ଆମେ ଏଇ ଦେଶରେ ଜନ୍ମ ହୋଇଚୁ, ଏଇ ଦେଶର ପାଣି ପବନରେ ଆମେ ଜୀଇଚୁ ଆଉ ଏଇ ଦେଶରେ ଆମେ ମରିବା । ସେଇଥିପାଇଁ ଏ ଦେଶଟି ଆମ ଆଖିକୁ ଏଡ଼େ ସୁନ୍ଦର ଦିଶୁଚି ।

 

ଆମେ ଯେମିତି ଆଜି ଏ ଦେଶରେ ବଢ଼ୁଚୁ, ଆମର ବାପ ଅଜା ଚଉଦ ପୁରୁଷ ସେଇପରି ଏ ଦେଶରେ ବଢ଼ି ଆସିଚନ୍ତି । ଆମେ ଯେମିତି ଆଜି, ଦେଶଟିକୁ ନିଜର ଜନମ ଦେଶ ବୋଲି ଏତେ ଭଲ ପାଉଚୁ ଆମର ବାପଅଜାମାନେ ମଧ୍ୟ ଏ ଦେଶକୁ ସେମିତି ଭଲ ପାଉଥିଲେ । ଆମେ ଯେମିତି ଆଜି ଏ ଦେଶର ସୁଖ ଶାନ୍ତି ଫେରାଇ ଆଣିବାକୁ ଅଣ୍ଟା ଭିଡ଼ି ଲଢ଼େଇକୁ ବାହାରି ପଡ଼ୁଚୁ ଆଗ କାଳରେ ଆମର ପୂର୍ବପୁରୁଷମାନେ ମଧ୍ୟ ଦେଶର ମହତ ରଖିବାପାଇଁ ଯୁଦ୍ଧକ୍ଷେତ୍ରକୁ ବାହାରି ପଡ଼ୁଥିଲେ । ସେତେବେଳେ ପୁଅ ଯେତେବେଳେ ଲଢ଼େଇକୁ ବାହାରୁ ଥିଲା, ସ୍ତ୍ରୀ ସେତେବେଳେ ତାକୁ ବୀର ବେଶରେ ସଜାଇ ଦେଉଥିଲା, ମା’ ତାର କପାଳରେ ଗୋରଚନା ଚିତା ଲଗାଇ ଦେଉଥିଲା । ଦାଣ୍ଡରେ ମଙ୍ଗଳ ଶଙ୍ଖ ବାଜି ଉଠୁଥିଲା । ଆମ ଦେଶର ଲଢ଼େଇରେ ଏ ଯୁଗରେ ଯେମିତି ଲାଲ ଲଜପତ ରାୟ, ଯତୀନ୍ଦ୍ର ସେନଗୁପ୍ତ, ବୀର ଭଗତ ସିଂଙ୍କ ପରି ଯୋଦ୍ଧାମାନେ ଜୀବନ ଦେଇ ଦେଶର ସ୍ୱାଧୀନତା ପାଇଁ ଲଢ଼ୁଛନ୍ତି, ସେ ଯୁଗରେ ମଧ୍ୟ ସେମିତି ଲୋକମାନେ ହଜାର ହଜାର ସଂଖ୍ୟାରେ ଦେଶପାଇଁ ଡାକରା ଆସିଲେ ଯୁଦ୍ଧ ପଡ଼ିଆରେ ପ୍ରାଣ ଦେଇ କସରା ମାଟିକୁ ନାଲି କରି ଦେଉଥିଲେ ।

 

ବାର ବରଷର ବାଜି ରାଉତ ଯେମିତି ଆଜି ରାଜା, ସରକାର, ଫଉଜ, ସିପାହୀ କିଛି ନ ମାନି ଦେଶପାଇଁ ଗୁଳିଚୋଟରେ ଜୀବନ ଦେଲା, ଢେଙ୍କାନାଳର ଅନ୍ଧାର ଫଟାଇ ଯେମିତି ତାର ହାତର ମଶାଲ ସାରା ଦେଶକୁ ଆଲୁଅ କରିଦେଲା, ପାଟଣା ସେକ୍ରେଟେରିଏଟ୍‌ ଉପରେ ଆମ ଜାତିର ପତାକା ଉଡ଼ାଇବାକୁ ଯାଇ ଯେମିତି ସାତ ବରଷର ସୁକୁମାରୀ ଝିଅଟିଏ ସଙ୍ଗିନ୍‌ ମୁନ ଆଗରେ ପ୍ରାଣ ଦେବାକୁ ଟିକିଏ ହେଲେ ଡରିଲା ନାହିଁ, ସେମିତି ଆଗେ କେତେ କେତେ ଛୋଟ ଛୋଟ ପୁଅ ଝିଅ ହସି ହସି ଦେଶପାଇଁ ଜାତିପାଇଁ ଲଢ଼େଇ କରିବାକୁ ବାହାରି ଯାଉଥିଲେ । ସେମିତି ହସି ହସି ସେଠି ଦରକାର ପଡ଼ିଲେ ଜୀବନ ମଧ୍ୟ ଦେଉଥିଲେ । ସେ ଯୁଗର ବାର ବର୍ଷର ଅଭିମନ୍ୟୁ କଥା କିଏ ନ ଜାଣେ ? ସେତେବେଳକାର ଯୁବକ ଆମୋଦପ୍ରମୋଦରେ ସମୟ କଟାଉ ନ ଥିଲା । ତାସ ପଶା ନ ଖେଳି ସେ ପିଲାଟି ଦିନରୁ ଖଣ୍ଡା ତରଓ୍ୱାଲ ଖେଳ ଶିଖୁଥିଲା, ଯୁଦ୍ଧ କରି ଶିଖୁଥିଲା । ସେ ସମୟର ଛୋଟ ପିଲା ଧୂଳିଘର କରି ଧୂଳିରେ ଭାତ, ଡାଲି, ତରକାରୀ କରି ମାଈଚିଆ ଖେଳ ଖେଳିବାକୁ ଭଲ ପାଉ ନ ଥିଲା । ମାତ୍ର ପିଲାଟି ଦିନରୁ ସେ ଧନୁଶର, ବର୍ଚ୍ଛା ଧରି ଶିକାର କରି ଶିଖୁଥିଲା । ନିଜ ସାଙ୍ଗ ସାଥୀମାନଙ୍କୁ ନେଇ ଛୋଟିଆ କଚେରୀ ବସେଇ ସେ ନ୍ୟାୟ ବିଚାର କରୁଥିଲା । ସେ କାଳର ସ୍ତ୍ରୀ କେବଳ ଦାସୀ ହୋଇ ଚୁଲୀମୁଣ୍ଡରେ ଓଢ଼ଣୀ ତଳେ ମୁହଁ ଲୁଚାଇବାକୁ ଭଲ ପାଉ ନ ଥିଲା । ସେ ସ୍ୱାମୀର ସେବା କରି ଯେମିତି ଜାଣିଥିଲା, ସ୍ୱାମୀର କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ମଧ୍ୟ ସେମିତି ଶିଖିଥିଲା । ରାଜସଭାରେ ପୁରୁଷର ସମାନ ଆସନରେ ବସି ସେ ଜ୍ଞାନଚର୍ଚ୍ଚା କରୁଥିଲା, ପୁରୁଷପରି ସିଂହାସନରେ ବସି ସେ ପ୍ରଜାମାନଙ୍କର ଦୁଃଖ ଦୂର କରୁଥିଲା । ଅନେକ ସମୟରେ ମଧ୍ୟ ପୁରୁଷପରି ହାତୀ ବା ଘୋଡ଼ା ଉପରେ ଚଢ଼ି ଖଣ୍ଡା ବର୍ଚ୍ଛା ଧରି ଅଭୁତ ବୀରତ୍ୱର ସହିତ ଲଢ଼େଇକରି ଜାଣିଥିଲା; ଆଉ ମଧ୍ୟ ସ୍ୱାମୀକୁ ବୀର ସାଜରେ ସଜାଇ ଦେଇ ଲଢ଼ାଇକୁ ପଠାଇବାକୁ ସେ ଡରୁ ନ ଥିଲା । ଯୁଦ୍ଧ, ବୀରତ୍ୱ, ନିର୍ଭୀକତା ଯେମିତି ସେ ଯୁଗରେ ବେଶୀ ମୂଲ୍ୟବାନ୍‌ ଥିଲା, ଡରୁଆକୁ ବି ସମସ୍ତେ ସେହିପରି ଘୃଣା କରୁଥିଲେ । ଏ ଦେଶକୁ ଯେତେବେଳେ ବାହାରର ଶତ୍ରୁ ପଶୁଥିଲା, ଏଇ ଦେଶର ପୁଅଝିଅମାନେ ଗୀତ ଗାଇ ବାଜା ବଜାଇ, ଅସ୍ତ୍ର ଶସ୍ତ୍ର ଧରି ଶତ୍ରୁ ସାଙ୍ଗରେ ଲଢ଼ି ତାକୁ ଦେଶର ସୀମା ବାହାରକୁ ତଡ଼ି ଦେଉଥିଲେ ।

 

ଆମ ଦେଶ ଆଗେ ସବୁ କଥାରେ ପୂରି ରହିଥିଲା । ଦେଶ ବିଦେଶର ଯେଉଁ ବଡ଼ ବଡ଼ ପଣ୍ଡିତମାନେ ଏ ଦେଶକୁ ବୁଲିବାକୁ ଆସିଥିଲେ, ସେମାନେ ଏ ଦେଶର ଭୁରି ଭୁରି ପ୍ରଶଂସା କରି ବହିସବୁ ଲେଖି ଯାଇଚନ୍ତି । ଆମ ଦେଶର ଏମିତି ମୋହିନୀ ଶକ୍ତି ଅଛି, ଆମ ମାଟିର ଏମିତି ଏକ ଟାଣ ଅଛି ଯେ, ଯେ ଏ ଦେଶର ଦୃଶ୍ୟ ଥରେ ଦେଖିଛି, ସେ ଏ ଦେଶର ପ୍ରଶଂସା ଗାଇଚି । ପ୍ରାୟ ଦୁଇ ହଜାର ବର୍ଷ ଆଗେ ଏ ଦେଶକୁ ଗ୍ରୀସ୍‌ ଦେଶର ମେଘାସ୍ଥିନିସ୍‌ ବୋଲି ଜଣେ ଦୂତ ଆସିଥିଲେ । ତାର ପ୍ରାୟ ପାଞ୍ଚଶହ ବର୍ଷ ପରେ ବିକ୍ରମାଦିତ୍ୟଙ୍କ ସମୟରେ ଚୀନ ଦେଶରୁ ଫା-ଇ-ଏନ୍‌ ବୋଲି ଜଣେ ବଡ଼ ପଣ୍ଡିତ ଆମ ଦେଶକୁ ଆସିଥିଲେ, ପୁଣି ତାର ତିନିଶହ ବର୍ଷ ପରେ ଏ ଦେଶକୁ ହୁଏନସାଂ ବୋଲି ଜଣେ ବିଖ୍ୟାତ ଜ୍ଞାନୀ ଲୋକ ବୁଲି ଆସିଥିଲେ । ସେ ତିନିଜଣ ଯାକ ଆମ ଦେଶରେ କିଛି କିଛି ଦିନ ରହିଥିଲେ । ଏ ଦେଶର ଅନେକ ଜାଗା ବୁଲିଥିଲେ, ଗଲାବେଳକୁ ସେମାନେ ଏ ଦେଶରେ ଯାହା ଯାହା ଦେଖିଲେ, ଯାହା ଯାହା ଶିଖିଲେ, ଲୋକଙ୍କର ଆଚାର ବ୍ୟବହାର, ରୀତି ନୀତି ବିଷୟରେ ବଡ଼ ବଡ଼ ବହିସବୁ ଲେଖି ଯାଇଚନ୍ତି । ସେଇ ସବୁ ବହିରେ ଆମ ଦେଶର ଅଶେଷ ପ୍ରଶଂସା କରାଯାଇଚି । ସେକାଳରେ ପିଲାଏ ପାଠ ପଢ଼ିବାକୁ ସବୁଆଡ଼େ ସ୍କୁଲ ଥିଲା, ଯାହାର ଯେଉଁ ବିଦ୍ୟାକୁ ମନ ଢଳୁଥିଲା, ସେ ବଡ଼ ହୋଇ ସେ ବିଦ୍ୟା ପଢ଼ୁଥିଲା । ସେ ସମୟରେ ପାଠପଢ଼ାର ବଡ଼ ବଡ଼ ପୀଠ ଥିଲା, ଯେଉଁଠି କି ଅନ୍ୟାନ୍ୟ ଅନେକ ଦେଶରୁ ଛାତ୍ରମାନେ ଆସି ପାଠ ପଢ଼ୁଥିଲେ । ଏ ଦେଶର ପାଠ ପଢ଼ା, ଏଠାକାର ଆଦର୍ଶ; ସଭ୍ୟତା ଶିଖି ନିଜ ନିଜ ଦେଶରେ ତାର ପ୍ରଚାର କରୁଥିଲେ । ସେଇ କାଳର ନାଳନ୍ଦା ବିଦ୍ୟାପୀଠର ଭଙ୍ଗାରୁଜା ଚିହ୍ନ ଆଜି ମଧ୍ୟ ତା’ର ସାକ୍ଷୀ ହୋଇ ରହିଚି । ସେତେବେଳେ କାହାର ପେଟ ଅପୂରା ରହୁ ନ ଥିଲା । ସମସ୍ତେ ଖାଇ ପିଇ ଆନନ୍ଦରେ ଥିଲେ । ଆଜିକାଲି ପରି କାହା ମନକୁ ଖାଇବା ଚିନ୍ତା ଏତେ ଘାରୁ ନ ଥିଲା । ଲୋକେ ଭଲ ଖାଉଥିଲେ, ଭଲ ପିନ୍ଧୁଥିଲେ, ଭଲ ଘର କରି ରହୁଥିଲେ । ଖାଇବା ଚିନ୍ତା ଯେତେବେଳେ ନ ଥିଲା, ସେତେବେଳେ ସେମାନେ ଶାସ୍ତ୍ରଚର୍ଚ୍ଚା, ସାହିତ୍ୟଚର୍ଚ୍ଚା ପ୍ରଭୃତି ବିଷୟରେ ସମୟ କଟାଇ ଦେଉଥିଲେ । ପାଠ ପଢ଼ିବା, ଗୁଣ ଅର୍ଜିବା, ଯଶ କମେଇବା ପାଇଁ ଲେକମାନଙ୍କୁ ଯଥେଷ୍ଟ ସମୟ ମିଳୁଥିଲା । ଦେଶର ଚାରିଆଡ଼େ ବଡ଼ ବଡ଼ ରାସ୍ତା ଥିଲା–ବଡ଼ ସହରମାନଙ୍କରେ ଅନେକ ସମୟରେ ବଡ଼ ବଡ଼ ମେଳା ବସୁଥିଲା–ସେ ମେଳାରେ ଦେଶବିଦେଶରୁ ଅନେକ ଆଡ଼ୁ ଅନେକ ଲୋକ ଆସୁଥିଲେ–ସେଠି ସବୁ ଧର୍ମ, ସବୁ ଶାସ୍ତ୍ରର ଚର୍ଚ୍ଚା ହେଉଥିଲା–ଏହା ଫଳରେ ସମସ୍ତେ ନିଜକୁ ଗୋଟିଏ ଜାତି ବୋଲି ଭାବୁଥିଲେ–ସମସ୍ତଙ୍କର ଗୋଟିଏ ପ୍ରାଣ ବୋଲି ସମସ୍ତଙ୍କର ଧାରଣା ହେଉଥିଲା । ସେତେବେଳେ ଆମ ଦେଶରେ ବିଭିନ୍ନ ଧର୍ମର ଲୋକ ଥିଲେ ମଧ୍ୟ ସେମାନେ ମିଳିମିଶି ଗୋଟିଏ ମାଆର ପୁଅଝିଅ ପରି ସୁଖଶାନ୍ତିରେ ବସବାସ କରୁଥିଲେ । ଆଜିକାଲିକା ଭଳି ଜାତି ଜାତି ଭିତରେ ମାରପିଟ, ଦଙ୍ଗାହଙ୍ଗାମା କରିବା ସେ କାଳର ଲୋକେ ଜାଣି ନ ଥିଲେ । କାହାରି ମନରେ ଟିକିଏ ହେଲେ ଭୟ ନ ଥିଲା, ସମସ୍ତେ ସାରାଦେଶକୁ ଘର ବୋଲି ଭାବୁଥିଲେ । ଚୋରୀ, ଠକାମି, ଦଗାବାଜି, ଡକେଇତି ସେ ଯୁଗରେ ଜଣା ନ ଥିଲା–ଅଧରାତିରେ ମଧ୍ୟ ଲୋକେ ନିର୍ଭୟରେ ଘର ମେଲା ରଖୁଥିଲେ । ଯେତେବେଳେ ଜାତିକୁ ବିପଦ ପଡ଼ୁଥିଲା, ସେତେବେଳେ ଜାତିର ପ୍ରତ୍ୟେକ ପାରୁଆଲୋକ ଅଣ୍ଟାଭିଡ଼ି ଲଢ଼େଇକୁ ବାହାରି ପଡ଼ୁଥିଲା, ନିଜ ସ୍ୱାର୍ଥଠାରୁ ଦେଶ ଓ ଜାତିର ସ୍ୱାର୍ଥକୁ ପ୍ରତ୍ୟେକ ଲୋକ ବଡ଼ ବୋଲି ଦେଖୁଥିଲା–ସେଇଥିପାଇଁ ଧର୍ମ ଗୋଟିଏ ନ ଥିଲେ ମଧ୍ୟ ସମସ୍ତଙ୍କର ମନ ଗୋଟିଏ ଥିଲା । ଦେଶର ଚାରିଆଡ଼େ ଲୋକେ ସରଗସୁଖ ଭୋଗ କରୁଥିଲେ ।

 

ଆଗକାଳର ପଣ୍ଡିତମାନେ କହିଚନ୍ତି, ଆଗେ ଆମ ଦେଶରେ ସୁନା ଫଳୁଥିଲା–ଆମେ ମଧ୍ୟ ଆଈମା’ ର କଥାରୁ ଶୁଣିଚୁ ଆଗେ ଆମ ଭାରତବର୍ଷର ଲୋକମାନେ ସୁନାରେ ରୂପାରେ ବାଟ ଚାଲୁଥିଲେ । ଅବଶ୍ୟ ସେ ଯୁଗରେ ଆଜିକାଲି ପରି ବଡ଼ ବଡ଼ ସହର ନ ଥିଲା କି ବଡ଼ ବଡ଼ କଳକାରଖାନା ନ ଥିଲା । ଆଜି ଯେମିତି କଳକାରଖାନା ପାଖଆଖର ତାଟିଘରମାନଙ୍କରୁ କୁଲିସବୁ ଦଳ ଦଳ ହୋଇ ସକାଳେ କାମ କରିବାକୁ କାରଖାନାକୁ ଆସୁଚନ୍ତି ସେତେବେଳେ ସେ ସବୁ କିଛି ନ ଥିଲା । ଆଜି ଆମେ ଯେଉଁ ରେଲ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ ପ୍ରଭୃତି କିସମ କିସମର ଜିନିଷ ସବୁ ଦେଖୁଚୁ, ସେତେବେଳେ ଏ ସବୁ କଥା ନ ଥିଲା । ଗୋଟାଏ ଯାଗାରୁ ଆଉ ଗୋଟାଏ ଯାଗାକୁ ଯିବାକୁ ହେଲେ ଲୋକେ ଚାଲିକରି ଯାଉଥିଲେ ବା ଡଙ୍ଗା, ବଳଦଗାଡ଼ି ବା ଘୋଡ଼ାରେ ଯାଉଥିଲେ । ଆଜିକାଲିକା ଭଳି ଘଣ୍ଟା, ସିନେମା, ଫାଉଣ୍ଟେନ୍‌ କଲମ, ଥିଏଟର, କଳଗାଉଣା ସେ ଯୁଗରେ ନ ଥିଲା ସତ, ମାତ୍ର ଦେଶର ଚାରିଆଡ଼େ ଶାନ୍ତି ରହିଥିଲା । ସମସ୍ତେ ପରିଶ୍ରମ କରିବାକୁ ଯାଉଥିଲେ ଓ ସମସ୍ତେ ମୁଠାଏ ଖାଇବାକୁ ଓ ପିନ୍ଧିବାକୁ ପାଉଥିଲେ । ଆଗ କାଳର କାରବାର ଆଜି କାଲିକାର କାରବାର ପରି ନ ଥିଲା । ସେତେବେଳେ ସହର ସହିତ ଗାଁର ବେଶୀ ସମ୍ପର୍କ ନ ଥିଲା । ଏପରି କି ଗୋଟିଏ ଗାଁ ସହିତ ମଧ୍ୟ ଆଉ ଗୋଟାଏ ଗାଁର ବେଶୀ ସମ୍ବନ୍ଧ ନ ଥିଲା । ପ୍ରତ୍ୟେକ ଗାଁରେ ଛତିଶ ପାଟକର ଲୋକ ବସବାସ କରୁଥିଲେ–ବ୍ରାହ୍ମଣ ଗାଁର ପୂଜାଧର୍ମ କରୁଥିଲା, କ୍ଷତ୍ରିୟ ଗାଁକୁ ବିପଦରୁ ରକ୍ଷା କରୁଥିଲା, ବୈଶ୍ୟ ଚାଷବାସ କରୁଥିଲା ଓ ଦରକାର ପଡ଼ିଲେ ଗାଁର ବଳକା ଜିନିଷ ଗାଁ ବାହାରେ ବିକୁଥିଲା, ବଢ଼େଇ କାଠର ଜିନିଷ ତିଆରି କରୁଥିଲା, କୁମ୍ଭାର ହାଣ୍ଡି ଗଢ଼ୁଥିଲା, କମାର ଦା’, କୋଡ଼ି ଲଙ୍ଗଳଲୁହା ପ୍ରଭୃତି ଦରକାରୀ ଲୁହା ହତିଆରମାନ ତିଆରି କରୁଥିଲା, ତନ୍ତୀ ଲୁଗା ବୁଣି ସମାଜକୁ ଯୋଗାଉଥିଲା, ଧୋବା, ଭଣ୍ଡାରୀ ପ୍ରଭୃତି ଗୋଷ୍ଠୀମାନେ ସମାଜର କାମ କରୁଥିଲେ । ଗୋଟିଏ ଗାଁରେ ବିଭିନ୍ନ ପାଟକର ଲୋକ ଏକାଠି ଥିବାରୁ ଆପଣା ଆପଣା ଭିତରେ ନିଜ ନିଜର ଜିନିଷ ଅଦଳବଦଳ କରି ସମସ୍ତେ ସୁଖରେ ଚଳୁଥିଲେ । ପ୍ରଥମେ ହିନ୍ଦୁମାନେ ଏ ଦେଶରେ ରାଜୁତି କରୁଥିଲେ, ତା’ ପରେ ମୁସଲମାନମାନେ ରାଜା ହେଲେ–ଦେଶରେ ଅନେକ ସମୟରେ ବଡ଼ ବଡ଼ ଲଢ଼େଇ ହେଉଥିଲା, ମାତ୍ର ଗାଁର ଲୋକମାନଙ୍କୁ ଏ ସବୁର ଦାଉ ବାଧୁ ନ ଥିଲା । ସେମାନେ ତ ସବୁ ଦରକାରୀ ଜିନିଷ ଗାଁରେ ତିଆରି କରି ଆପଣା ଆପଣା ଭିତରେ ତାକୁ ବାଣ୍ଟିକୁଣ୍ଟି ସୁଖରେ ଚଳୁଥିଲେ, ସେମାନଙ୍କୁ ବାହାର ଦାଉ ବାଧିବ କାହିଁକ ? ଦେଶରେ ବେକାର ବୋଲି କେହି ନ ଥିଲେ । ତନ୍ତୀ ପୁଅ ବଡ଼ ହୋଇ ତନ୍ତୀକାମ କରୁଥିଲା, ବଢ଼େଇ ପୁଅ ପିଲାଟିଦିନୁ ନିହାଣ ବାରିଶିର ବ୍ୟବହାର ଶିଖୁଥିଲା । ଚଷା ପୁଅ ହେତୁ ପାଇଲା ବେଳକୁ ବୁଢ଼ାବାପ ସାଙ୍ଗରେ ଧାନ ବିଲରେ ଆଣ୍ଠୁମାଡ଼ି ବସି ଧାନ ରୋଇବାରେ ଲାଗି ଯାଉଥିଲା । ସମସ୍ତେ ଯେଝା ଯେଝା ଧନ୍ଦାରେ ବ୍ୟସ୍ତ ଥିଲେ । ନିଜର ଝାଳବୁହା ପରିଶ୍ରମର ଫଳ ସମସ୍ତେ ଭୋଗ କରୁଥିଲେ । ଗାଁର କାରବାର, ବେପାର ବିକା କିଣା ଅଦଳବଦଳ ଏମିତି ଭାବରେ ଗଢ଼ା ହୋଇଥିଲା ଯେ ବିନା ପରିଶ୍ରମରେ ଅନ୍ୟର ଝାଳବୁହା କାମର ଅର୍ଜନକୁ କେହି ଭୋଗ କରି ପାରୁ ନ ଥିଲେ । ସେତେବେଳେ ଅବଶ୍ୟ ରାଜା ଥିଲେ, ନବାବ ଥିଲେ, ସେମାନଙ୍କ ପାଖରେ ଅବଶ୍ୟ ଅସରନ୍ତି ଧନସମ୍ପତ୍ତି, ଅଜସ୍ର ମଣି ମୁକ୍ତା ଜମାହୋଇ ରହୁଥିଲା ମାତ୍ର ସାଧାରଣ ଲୋକ ସେ କଥାକୁ ମୋଟେ ବଡ଼ ଆଖିରେ ଦେଖୁ ନ ଥିଲେ । ସେମାନଙ୍କ ପେଟଟି ତ କେବେ ଅପୁରା ରହୁ ନ ଥିଲା, ପିଚାକୁ ଖଣ୍ଡେ କନା ତ ସେମାନଙ୍କୁ ସାଇପଡ଼ିଶା ତନ୍ତୀଠାରୁ ପିନ୍ଧିବାକୁ ମିଳୁଥିଲା, ସେମାନଙ୍କର ଆଉ ଚିନ୍ତା କ’ଣ ଥିଲା ? ସେଥିପାଇଁ ରାଜା, ନବାବ, ରାଜ୍ୟ ଏ ସବୁ ସେମାନଙ୍କୁ କୌଣସି ଆଘାତ ଦେଇପାରୁ ନ ଥିଲେ । ସେତେବେଳେ ଦେଶର ବେପାର ବାଣିଜ୍ୟ ମଧ୍ୟ ଖୁବ୍‌ ଜୋରସୋରରେ ଚାଲିଥିଲା । ଆମ ଦେଶର ଲୋକେ ଜାହାଜରେ ପାଲ ଟେକି ଅନେକ ଦୂର ଦୂର ଦେଶକୁ ଯାଇ କିଣା ବିକା କରୁଥିଲେ । ଜାଭା, ବାଲି, ବୋର୍ଣ୍ଣିଓ, ସୁମାତ୍ରା ପ୍ରଭୃତି ଦ୍ୱୀପରେ ଆମର ପୂର୍ବପୁରୁଷମାନେ ବାଣିଜ୍ୟ କରୁଥିଲେ ବୋଲି ଇତିହାସରୁ ପ୍ରମାଣ ମିଳେ ।

 

ଅତି ପୁରାକାଳରେ ଆମ ଦେଶରେ ସ୍ତ୍ରୀ ଆଉ ପୁରୁଷ ଭିତରେ ମୋଟେ ତଫାତ୍‌ ନ ଥିଲା । ପୁରୁଷ ଯାହା କରୁଥିଲା, ସ୍ତ୍ରୀ ମଧ୍ୟ ତାହା କରି ପାରୁଥିଲା । ସମାଜରେ କୌଣସି ସ୍ଥାନ ସ୍ତ୍ରୀ ପାଇଁ ମନା ନ ଥିଲା । ସ୍ତ୍ରୀ ପୁରୁଷ ସହିତ ଜ୍ଞାନଚର୍ଚ୍ଚା କରୁଥିଲା, ବାଣିଜ୍ୟ ବେପାର କରି ପାରୁଥିଲା, ରାଜ୍ୟ ଚଳାଇ ପାରୁଥିଲା, ଏପରି କି ଯୁଦ୍ଧ ଚଳାଇ ପାରୁଥିଲା । ମାତ୍ର ସେ ଯୁଗ ଆଉ ବେଶୀଦିନ ରହିଲା ନାହିଁ । ସମୟର ଗତି ସଙ୍ଗେ ସଙ୍ଗେ ସମାଜର ଛାଞ୍ଚ ବଦଳିଗଲା ଓ ତା ସହିତ ସ୍ତ୍ରୀର ସ୍ଥାନ ଧୀରେ ଧୀରେ ତଳକୁ ଖସିବାକୁ ଆରମ୍ଭ କଲା । ଏପରି ଦିନ ଆସିଲା ଯେତେବେଳେ ପୁରୁଷ ଭାବିଲା ଯେ ସେଇ କେବଳ ପରିବାରକୁ ପୋଷିବାକୁ ପଇସା କମଉଚି, ପରିବାରର ଭରଣପୋଷଣ ପାଇଁ କେବଳ ପରିଶ୍ରମ କରୁଚି, ତେଣୁ ପରିବାରର ସମସ୍ତ ଜିନିଷ ତାର ସମ୍ପତ୍ତି, ସେ ନିଜର ଇଚ୍ଛାନୁସାରେ ସେ ସବୁକୁ ଭୋଗ କରିପାରିବ । ସ୍ତ୍ରୀ ମଧ୍ୟ ଭାବିଲା ପୁରୁଷ ଝାଳବୁହା ପରିଶ୍ରମ କରି ରୋଜଗାର କରି ଧନ ଘରକୁ ଆଣୁଚି, ତାକୁ ପରିବାରର ସମସ୍ତେ ଖାଉଚନ୍ତି, ପୁରୁଷ ଛଡ଼ା କୁଟୁମ୍ବର ସମ୍ପତ୍ତିରେ ଅନ୍ୟ କାହାର ଅଧିକାର ନାହିଁ, ସେଇଦିନଠାରୁ ରୋଷେଇକରି ପୁରୁଷକୁ ଖାଇବାକୁ ଦେବା ଓ ପୁରୁଷର ଇନ୍ଦ୍ରିୟ ତୃପ୍ତି କରିବା ସ୍ତ୍ରୀର କେବଳ କାର୍ଯ୍ୟ ହୋଇ ରହିଲା । ଯେଉଁ ସ୍ତ୍ରୀ ଦିନେ ଶାସ୍ତ୍ରଚର୍ଚ୍ଚା କରୁଥିଲା, ଧନୁଶର ଧରି ଲଢ଼ୁଥିଲା, ସେ ବର୍ତ୍ତମାନ ଘରକୋଣରେ ଆବଦ୍ଧ ହୋଇ ରହିଲା । ବତ୍ତର୍ମାନ ସ୍ତ୍ରୀର ସ୍ଥାନ ଆହୁରି ତଳକୁ ଖସି ପଡ଼ିଚି ଓ ସମାଜରେ ତାର କୌଣସି ସ୍ୱାଧୀନତା ନାହିଁ ।

 

ହିନ୍ଦୁ ରାଜତ୍ୱରେ ପ୍ରତ୍ୟେକ ଲୋକ ନିଜକୁ ଗୋଟିଏ ଜାତିର ବୋଲି ଗର୍ବ କରୁଥିଲେ–ନିଜର ଜାତି ପାଇଁ ପ୍ରାଣ ଦେବାକୁ ସେମାନେ ପଛାଉ ନ ଥିଲେ । ମୁସଲମାନ ରାଜତ୍ୱରେ ମଧ୍ୟ ସେଇ କଥା ରହିଲା–ବିଦେଶୀ ଜାତି ହାତରେ ଶାସନ କ୍ଷମତା ରହିଲେ ମଧ୍ୟ ପୂର୍ବର ସାମାଜିକ ବ୍ୟବସ୍ଥା କାଏମ୍‌ ରହିଲା । ହିନ୍ଦୁ ମୁସଲମାନ ନିଜ ନିଜର ପଡ଼ୋଶୀ ହୋଇ ବାସ କରିବାକୁ ଲାଗିଲେ । ପ୍ରତ୍ୟେକ ଗାଁ ସ୍ୱାବଲମ୍ବୀ ଥିବାରୁ ଲୋକେ ପରସ୍ପର ପରସ୍ପର ଉପରେ ନିର୍ଭର କରି ରହୁଥିଲେ ଏବଂ ସେଥିପାଇଁ କେହି କାହାରିଠାରୁ ଅଲଗା ହୋଇ ଯାଇ ପାରୁ ନ ଥିଲେ । ସମାଜ ସବୁଦିନ ଦୃଢ଼ ରହିଥିଲା ଏବଂ ପ୍ରତ୍ୟେକ ଲୋକ ନିଜକୁ ସମାଜର ସେବକ ବୋଲି ଜ୍ଞାନ କରୁଥିଲା । ତା’ ଛଡ଼ା ଭାରତରେ ଅନେକ ରାଜା ଓ ବାଦଶାହା ମଧ୍ୟ ରାଜୁତି କଲେ, ଯେଉଁମାନେ କି ସବୁ ଧର୍ମକୁ ସମାଜ ଆଖିରେ ଦେଖୁଥିଲେ ଓ ରାଜ୍ୟ ଶାସନରେ ଜାତି ଧର୍ମର ଭେଦ ବିଚାର ରଖୁ ନ ଥିଲେ । ଅଶୋକ, ଆକବର ଓ ଆହୁରି ଅନେକ ରାଜା ସବୁ ଧର୍ମର ଲୋକଙ୍କୁ ସମାନ ଭାବରେ ଭଲ ପାଉଥିଲେ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ବିଭିନ୍ନ ଜାତି ଓ ସମ୍ପ୍ରଦାୟର ଲୋକେ ଏକାଠି କାର୍ଯ୍ୟ କରୁଥିଲେ । ଶିବାଜୀଙ୍କର ମଧ୍ୟ ଦଳେ ପଠାଣ ସୈନ୍ୟ ଥିଲେ । ଏଇସବୁ କଥାରୁ ଦେଖାଯିବ ମୁସଲମାନମାନେ ଆସିଲା ପରେ ମଧ୍ୟ ଭାରତର ବିଭିନ୍ନ ଗୋଷ୍ଠୀ ଗୋଟିଏ ଦେଶର ଲୋକ ଭଳି ସୁଖଶାନ୍ତିରେ ରହିଥିଲେ ।

 

ଆମ ଦେଶର ଇତିହାସ କୀର୍ତ୍ତିରେ ପୂରିଚି । ଆଗ କାଳରେ ଆମର ଭାରତରେ ଯେଉଁ ସବୁ କଥା ହୋଇଚି, ସେ ସବୁ ଆଜି ସୁଦ୍ଧା ପୃଥିବୀରେ ଆଶ୍ଚର୍ଯ୍ୟ ବସ୍ତୁ ହୋଇ ରହିଚି, ସବୁ ବିଷୟରେ ଆମ ଭାରତବର୍ଷର ଲୋକେ ପାରଙ୍ଗମ ଥିଲେ । ଏ ଦେଶର ମାଟିରେ ରାଣା ପ୍ରତାପ ସିଂହ, ଶିବାଜୀ ପ୍ରଭୃତି ଧୁରନ୍ଧର ଯୋଦ୍ଧାମାନେ ମଧ୍ୟ ଜନ୍ମଲାଭ କରି ପାରିଥିଲେ । ଏ ଦେଶର କାଳିଦାସ ଯେଉଁ ସାହିତ୍ୟ ଲେଖି ଯାଇଚନ୍ତି ଆଜି ପର୍ଯ୍ୟନ୍ତ ସାରା ପୃଥିବୀରେ ସେପରି ସାହିତ୍ୟ କେହି ଲେଖି ନାହାନ୍ତି । କାଳିଦାସଙ୍କ ଛଡ଼ା ବାଣଭଟ୍ଟ, ଫାୟାଜୀ, ଆବୁଲଫାକଲ, ତୁଳସୀ ଦାସ ପ୍ରଭୃତି ଅନେକ କବି ଏ ଦେଶର ଟେକ ରଖି ପାରିଚନ୍ତି । ସଙ୍ଗୀତ ବିଦ୍ୟାରେ ଏ ଦେଶ କଣ ନ କରିଚି ? ଆମ ଦେଶର ଲୋକଙ୍କର ଗୀତରେ ଏପରି ରସ ଥିଲା ଯେ, ଏ ଗୀତ ଶୁଣି ବଣରେ ମୟୂର ନାଚୁଥିଲା, ବାଘ, ସାପ, ହରିଣ ଏକା ପଡ଼ିଆରେ ସେ ଗୀତକୁ କାନଡ଼େରି ଶୁଣୁଥିଲେ, ମେଘ ନଇଁ ଆସି ବର୍ଷା ମଧ୍ୟ ହେଉଥିଲା । ବାଦଶାହ ଆକବରଙ୍କର ସଭାରେ ତାନସେନ ବୋଲି ଯେଉଁ ପ୍ରଧାନ ଗାୟକ ଥିଲେ, ସେ ନିଜର ସିତାର ବଜାଇ ବସନ୍ତ ଆଣି ପାରୁଥିଲେ, ପଶୁପକ୍ଷୀଙ୍କୁ ନଚାଇ ପାରୁଥିଲେ । ଆମେ ସ୍କୁଲ କଲେଜର ଗଣିତ, ଜ୍ୟୋତିଷ ପ୍ରଭୃତି ଯେଉଁ ସବୁ ବଡ଼ ବଡ଼ ଶାସ୍ତ୍ର ପଢ଼ୁଚୁ, ହଜାର ବର୍ଷ ତଳେ ଆମରି ବାପଅଜାମାନେ ସାରା ପୃଥିବୀକୁ ସେଇ ପାଠ ଶିଖେଇଥିଲେ । ଲୀଳାବତୀଙ୍କ ସୂତ୍ର ଭାରତର ଘରେ ଘରେ ଜଣା ଅଛି । ଖନା ଓ ବରାହମିହିରଙ୍କର ଜ୍ୟୋତିଷଶାସ୍ତ୍ର ବିଷୟରେ ଅଦ୍ଭୁତ ଜ୍ଞାନ ଥିଲା । ଆହୁରି ଅନେକ ପଣ୍ଡିତ ମଧ୍ୟ ଆମ ଦେଶରେ ଜନ୍ମ ହୋଇ ଦୁନିଆକୁ ବାଟ ଦେଖାଇଦେଇ ଯାଇଚନ୍ତି ।

 

ଆମ ଦେଶର କୋଣାର୍କ, ଭୁବନେଶ୍ୱର ଆଜିପର୍ଯ୍ୟନ୍ତ ମଧ୍ୟ ପୃଥିବୀ ଆଗରେ ଆଶ୍ଚର୍ଯ୍ୟର ବିଷୟ ହୋଇ ରହିଚି । ସରୁ ଛୁଞ୍ଚି ମୁନରେ ପଥର ଦେହରେ ଜୀଅନ୍ତା ପଶୁପକ୍ଷୀ, ବୃକ୍ଷଲତା, ମଣିଷ, ଖୋଳିପାରିବାର ଶକ୍ତି ଥିଲା କେବଳ ଆମର ବାପଅଜାମାନଙ୍କର । ସେ ଯୁଗ ଗଲାଣି, ସେ ଲୋକ ମରି ମାଟିରେ ମିଶିଲେଣି, ସେ ନିହାଣ ମଧ୍ୟ କଳଙ୍କି ଲାଗି ନଷ୍ଟ ହୋଇ ଗଲାଣି, ତଥାପି ସେ କୋଣାର୍କ, ସେ ଭୁବନେଶ୍ୱର ଆଜିଯାଏ ରହିଚି, ଆଉ ବାର ବର୍ଷର ଓଡ଼ିଆ ପୁଅ ଧରମା ନାଁ ମଧ୍ୟ ଓଡ଼ିଶାର ଆକାଶରେ ତାରାପରି ଜକ୍‌ ଜକ୍‌ ହୋଇ ଜଳୁଛି । ଆଗ୍ରାର ତାଜମହଲ, ଦିଲ୍ଲୀ ଓ ଅନ୍ୟାନ୍ୟ ସହରମାନଙ୍କରେ ଥିବା ବଡ଼ ବଡ଼ କୋଠା, ବିଭିନ୍ନ ସ୍ଥାନର ଶକ୍ତ ଦୁର୍ଗମାନ ମଧ୍ୟ ଆମର ପୂର୍ବପୁରୁଷମାନେ ଗଢ଼ିପାରିଥିଲେ । ସେମାନେ ଯେଉଁ ଦେଶକୁ ବେପାର ବାଣିଜ୍ୟ କରିବାକୁ ଯାଉଥିଲେ, ସେଦେଶରେ ମଧ୍ୟ ବଡ଼ ବଡ଼ ଦେଉଳ ତୋଳି ଦେଇଥିଲେ । ଜାଭା, ବାଲି, ସୁମାତ୍ରା ଓ ଫିଲଫାଇନ୍‌ରେ ମଧ୍ୟ ଆମ ବାପଅଜାଙ୍କ ଗଢ଼ା ଦେଉଳ ଆଜିଯାଏ ରହିଚି । ଆଗକାଳରେ ଆମ ଦେଶର ଲୋକେ ସୁନ୍ଦର ଛବି ଆଙ୍କି ଜାଣିଥିଲେ-ଆଶ୍ଚର୍ଯ୍ୟ ରକମର ବ୍ୟବହାର ଜାଣିଥିଲେ । ଦକ୍ଷିଣ ଭାରତରେ ଏଲୋରା ଓ ଅଜନ୍ତା ବୋଲି ଦୁଇଟି ଗୁମ୍ଫା ଅଛି, ସେ ଗୁମ୍ଫା ଭିତରେ ଅନେକ ଆଶ୍ଚର୍ଯ୍ୟ ଧରଣର ଚିତ୍ରମାନ ଅଛି, ଯାହାକୁ ଦେଖିଲେ ଅସମ୍ଭବ ବୋଲି ମନେ ହେଉଚି । ସିନ୍ଧୁପ୍ରଦେଶର ମହେଞ୍ଜଦାରୁ ଓ ହରପ୍‌ପାରେ ମାଟିତଳୁ ଖୋଳାହୋଇ କୋଠାବାଡ଼ି, ରାସ୍ତାଘାଟମାନ ବାହାରୁଚି । ଏଥିରୁ ପ୍ରମାଣ ହୋଇ ପାରିଚି ଯେ ଛଅ ହଜାର ବର୍ଷ ପୂର୍ବେ ମଧ୍ୟ ଏ ଦେଶର ଲୋକମାନେ ଏକ ଉଚ୍ଚସ୍ତରର ସଭ୍ୟତା ଗଢ଼ି ପାରିଥିଲେ । ତଥାପି ସେଇ ଅସମ୍ଭବକୁ ମଧ୍ୟ ଆମର ବାପଅଜାମାନେ ସମ୍ଭବ କରି ପାରିଥିଲେ । ଆମ ଦେଶର ଲୋକେ କିପରି ଛବି ଆଙ୍କି ଜାଣିଥିଲେ, ସେ ବିଷୟରେ ଇତିହାସରେ ଅନେକ ଗପ ଅଛି । ଇଂରେଜମାନେ ଯେତେବେଳେ ପ୍ରଥମେ ଆମ ଦେଶକୁ ଆସିଲେ, ସେତେବେଳେ କଳେ ବଳେ କୌଶଳେ ଗୋଟିକ ପରେ ଗୋଟିଏ ଯାଗା ଦଖଲ କରିବା ସେମାନଙ୍କର ରୀତି ଥିଲା । ଅନେକ ସମୟରେ ସେମାନେ ମୋଗଲ ବାଦଶାହମାନଙ୍କର ଦରବାରରେ ଖୋସାମଦ୍‌ କରି ଜାଗିର ବା ଦେଓ୍ୱାନୀ ମାଗୁଥିଲେ । ଏଇପରି ଜଣେ ସାହେବ ଜାହାଙ୍ଗିର ବାଦଶାହଙ୍କ ଦରବାର କଥା ଲେଖିଚନ୍ତି । ସେ ତାଙ୍କ ବହିରେ ଗୋଟିଏ କଥା ଲେଖିଚନ୍ତି,-ଦିନେ ସେ ବାଦଶାହଙ୍କୁ ତାଙ୍କ ବିଲାତର ଗୋଟିଏ ସୁନ୍ଦର ଚିତ୍ର ଉପହାର ଦେଇଥିଲେ । ତାର ତିନି ଦିନ ପରେ ଜାହାଙ୍ଗିରଙ୍କ ରାଜସଭାର ଜଣେ କଳାବିଦ୍‌ ସେଇ ଛବିର ଗୋଟିଏ ନକଲ ଛବି ଆଣି ଉପହାର ଦେଲେ । ଆଶ୍ଚର୍ଯ୍ୟର କଥା, ସାହେବ ଦୁଇଟି ଚିତ୍ରରୁ ତାଙ୍କ ଚିତ୍ର କେଉଁଟି, ତାହା ବାଛି ଠିକ୍‌ କରି ପାରିଲେ ନାହିଁ । ଦୁଇଟି ଚିତ୍ର ପୂରାପୂରି ସମାନ ହୋଇଥିଲା ।

 

ପ୍ରତ୍ୟେକ ବିଷୟରେ ଆମ ଦେଶ ଉନ୍ନତି କରିଥିଲା । ଲୋକେ ସୁଖଶାନ୍ତିରେ ଖାଇପିଇ ରହିଥିଲେ । ଶାସ୍ତ୍ର ଚର୍ଚ୍ଚା, ବେପାର ବାଣିଜ୍ୟ ଖୁବ୍‌ ଜୋରସୋରରେ ଚାଲିଥିଲା । ଆମ ଦେଶ ପୃଥିବୀକୁ ଅନେକ କଥା ଶିଖାଉଥିଲା । ବିଦେଶରୁ ଅନେକ ପଣ୍ଡିତ ଏଠାକାର ବିଦ୍ୟା ଶିଖିବାକୁ ଆସୁଥିଲେ ଓ ଏ ଦେଶର ବିଶ୍ୱବିଦ୍ୟାଳୟମାନଙ୍କରେ ରହି ପାଠ ପଢ଼ୁଥିଲେ । ସେ ଦିନର ଭାରତ ଓ ଆଜିକାର ଭାରତ ଭିତରେ ସ୍ୱର୍ଗ ନରକ ଫରକ ରହିଚି । ପ୍ରକୃତରେ ଆମ ଦେଶ ଆଜିକାର ତୁଳନାରେ ସରଗ ଭୂଇଁ ଥିଲା ।

Image

 

Unknown

ଆମ ଦେଶ କଣ ହୋଇଚି

 

ଯେଉଁ ଲୋକ ଖଣ୍ଡେ ଭଲ ଲୁଗା ପିନ୍ଧେ, ସମସ୍ତଙ୍କର ଆଖି ତା’ରି ଉପରେ ପଡ଼େ । ବଗିଚା ଭିତରେ ଏତେ ଫୁଲ ଭିତରେ ସବୁଠାରୁ ସୁନ୍ଦର ଫୁଲ ଆଡ଼କୁ ଆଖି ବଳେ ବଳେ ଚାଲିଯାଏ-। ରାତିରେ ଆକାଶରେ ଲକ୍ଷ ଲକ୍ଷ ତରା ବିଛାଇ ହୋଇ ପଡ଼ନ୍ତି, ମାତ୍ର ଆଖିଟା ହଠାତ୍‌ ପଡ଼ିଯାଏ ସେଇ ଜହ୍ନ ଉପରେ । ଏ ହେଲା ଦୁନିଆର ନିୟମ । ଯିଏ ସବୁଠାରୁ ବେଶୀ ସୁନ୍ଦର, ତାରି ଉପରେ ସମସ୍ତଙ୍କର ଲୋଭ ଆଖି ପଡ଼େ ।

 

ଆମ ଭାରତବର୍ଷ କଥା ମଧ୍ୟ ଠିକ୍‌ ସେମିତି । ଏ ଦେଶଟି ସବୁ ଦେଶର ରାଣୀ–ସେଇଥିପାଇଁ ଦୁନିଆ ଲୋକଙ୍କର ଆଖିରେ ଏ ଦେଶଟି ସବୁବେଳେ ନାଚେ । ଏ ଦେଶଟି ଶସ୍ୟରେ ଭରା–ତେଣୁ ଯେଉଁ ଦେଶରେ ଲୋକେ ବେଶୀ ଶସ୍ୟ ଅମଳ କରି ପାରନ୍ତି ନାହିଁ, ସେମାନେ ଭାବନ୍ତି ଆମେ ଭାରତବର୍ଷରେ ଜନ୍ମ ହୋଇଥାନ୍ତୁ କି ? ଆମ ଦେଶଟି ଧନ ସମ୍ପଦରେ ଭରିଚି, ସେଥିପାଇଁ ବିଦେଶର ଚୋର, ତସ୍କର ଦଳଙ୍କର ପ୍ରଥମେ ଆଖି ପଡ଼େ ଏଇ ଦେଶଟି ଉପରେ । ଆମ ବାପଅଜାଙ୍କ ଅମଳରୁ ଶହ ଶହ ଜାତି ଏ ଦେଶକୁ ଆସିଚନ୍ତି, ଶେଷରେ ଏ ବୃହତ୍‌ ଜାତି ଭିତରେ ମିଶିଯାଇଚନ୍ତି, ନିଜକୁ ଭାରତୀୟ ବୋଲି କହି ଧନ୍ୟ ହୋଇଚନ୍ତି । ଯେଉଁ ଦିନଠାରୁ ବିଦେଶୀ ଦସ୍ୟୁର ଆଖି ଏଠି ପଡ଼ିଚି, ସେଇ ଦିନଠାରୁ ଆମ ସୁନ୍ଦର ଦେଶଟିର ଶିରୀ ତୁଟି ତୁଟି ଆସିଚି ଓ ଆଜି ଆମେ କାଙ୍ଗାଳ ହୋଇ ପଡ଼ିଚୁ । ଆଗେ ଆମ ଦେଶ ଯେମିତି ଥିଲା, ବର୍ତ୍ତମାନ ସେମିତି ନାହିଁ । ଆମ ଦେଶ ବର୍ତ୍ତମାନ କେଉଁଠି ଆସି ପହଞ୍ଚିଚି ସେ କଥା ବର୍ତ୍ତମାନ ଆମେ ବିଚାର କରିବା-ସେଥିପାଇଁ ଏ ବିଷୟଟିକୁ ପ୍ରଥମେ କେତାଟି ଭାଗ କରିଦେବା ଓ ତାକୁ ଗୋଟି ଗୋଟି କରି ବିଚାର କରିବା । ଗୋଟି ଗୋଟି କରି କଥାକୁ ବିଚାର କଲେ ଆମେ ସବୁ କଥାରେ ପରିଷ୍କାର ହୋଇପାରିବା ଏବଂ ଆମର ପ୍ରକୃତ ସ୍ଥାନ କେଉଁଠି, ତଳକୁ ଖସି ଖସି ଆମେ କୋଉଠି ପହଞ୍ଚିଲୁଣି, ସେ ସବୁ କଥା ମଧ୍ୟ ଆମ ଆଗରେ ପରିଷ୍କାର ହୋଇଯିବ ।

 

(କ) ଆମ ଦେଶର ଆର୍ଥିକ ଦଶା

 

ପ୍ରଥମେ ଆର୍ଥିକ ଦୃଷ୍ଟିରୁ ବିଚାର କରିବା କଥା–ଆର୍ଥିକ ଦୃଷ୍ଟି ବୋଇଲେ ଖାଇବା, ପିନ୍ଧିବା ଓ ରହିବା ଏହି ତିନୋଟି କଥା ଆମ ଆଗରେ ଆସି ପହଞ୍ଚୁଛି । ମଣିଷ ଜୀବନରେ ଖାଇବାକୁ ମୁଠାଏ ଭାତ, ପିନ୍ଧିବାକୁ ଖଣ୍ଡେ ଲୁଗା ଆଉ ରହିବାକୁ ଖଣ୍ଡେ ଘର, ଏ ତିନୋଟି ଜିନିଷ ସବୁଠାରୁ ବେଶୀ ଦରକାର । ପ୍ରଥମେ ପେଟ ଶାନ୍ତି ହେଲେ ତା’ ପରେ ମନ ଶାନ୍ତି ହୁଏ । ପେଟଶାନ୍ତି ନ ହୋଇ କେହି କେବେ ମନଶାନ୍ତି କରିପାରେ ନାହିଁ । ଯାହା ପେଟ ଭିତରେ ଦିନରାତି ଭୋକ ନିଆଁ ହୁ ହୁ ହୋଇ ଜଳୁଥାଏ, ତା’ର ଜୀବନରେ ସୁଖ ଆସିବ କୁଆଡ଼ୁ । ଯେତେ ବାଜା ବଜେଇଲେ ମଧ୍ୟ ଭୋକିଲା ଭାଲୁ କେବେ ନାଚି ପାରିବ ? ମହାତ୍ମାଗାନ୍ଧୀ ସେଇଥିପାଇଁ କହିଚନ୍ତି ‘ଲୋକଙ୍କ ପାଇଁ ଖାଇବା ଆଉ ପିନ୍ଧିବା ଯୋଗାଡ଼ କରି ଶିଖନ୍ତୁ, ଭାରତକୁ ସ୍ୱାଧୀନତା ବଳେ ବଳେ ଆସିବ ।’ ଯେଉଁ ଦେଶର ଚାଷୀ ଆଖିରୁ ସବୁବେଳେ ଜୁଳୁଜୁଳିଆ ପୋକ ବାହାରି ଯାଉଥାଏ, ସେ ଦେଶର ଆର୍ଥିକ ସମସ୍ୟାଠାରୁ ଆଉ ବଡ଼ ସମସ୍ୟା କଣ ହୋଇପାରେ ? ତେଣୁ ସେଇ ଦିଗଟା ଆମେ ପ୍ରଥମେ ବିଚାର କରିବା ।

 

ପ୍ରତ୍ୟେକ ଗାଁକୁ ଚାଲିଯିବା, ଦେଖିବା ଶହେଟି କୁଡ଼ିଆ ଭିତରେ ଗୋଟାଏ ବଡ଼ କୋଠାଘର ବା କାଠଘର । ସବୁଘରେ କଳା କନା ବନ୍ଧା ହୋଇଥାଏ–ସମସ୍ତଙ୍କ ମଝିରେ ଗୋଟାଏ ଘରେ ଦିନରାତି ମୂଲିଆ ଲାଗିଥାନ୍ତି, ଧାନ, ରବି ମପାମପି ଦିଆନିଆ ଚାଲିଥାଏ, ରାତି ଅଧ ପର୍ଯ୍ୟନ୍ତ ଗୋଦାମ ଘର କମ୍ପୁଥାଏ । ଗୋଦାମ ଘର ଭିତରୁ କରଣ ଗୁମାସ୍ତାର କର୍କଶ ପାଟି, ଗାଳିଫଜିତରେ ଦାଣ୍ଡବାଟ କମ୍ପୁଥାଏ–କେତେ ଆଡ଼ୁ କେତେ ଲୋକ ଟୋକେଇ ମୁଣ୍ଡେଇ ଆସିଥାନ୍ତି, ଗୌଣୀଏ, ଦି’ ଗୌଣୀ ଧାନ ନେଇ ଫେରୁଥାନ୍ତି । ଦାଣ୍ଡପଟରେ ଉଚ୍ଚ ପିଣ୍ଡାରେ ଆରାମ କୁରସି ଉପରେ ବଡ଼ ବାବୁ ବସି ସକାଳୁ ସଂଜଯାଏ ଜୁହାର ଖାଉଥାନ୍ତି । ଦି’ତିନି ଜଣ ଲୋକ ତାଙ୍କ ଆଗରେ ଅଧିଆ ପଡ଼ିଥାନ୍ତି, ଅନୁସରଣିଆ ଦୁଇ ତିନି ଜଣ ବାବୁଙ୍କର ସେବାରେ ଲାଗିଥାନ୍ତି । ସବୁ ଗାଁରେ ପ୍ରାୟ ଏମିତି ଥାଏ: ଗୋଟାଏ ବଡ଼ ବାବୁ ବା ଜମିଦାରଙ୍କର ଘର–ଆଉ ଅନେକ ମଳି ମୁଣ୍ଡିଆ ଖଟି ଖାଇଲା ଲୋକଙ୍କ ଘର । ଜମିଦାରଙ୍କ ଘରେ ଖାଇବା ପିଇବାର ଧୁମ୍‌ ଚାଲିଥାଏ, ମାତ୍ର ଆଉ ସବୁ ଘରେ ଲୋକଙ୍କୁ ତିନି ଦିନର ପଖାଳ ଭାତ ମୁଠାଏ ମଧ୍ୟ ସବୁଦିନେ ଜୁଟିପାରେ ନାହିଁ । ଜଣେ ପରିଶ୍ରମ ନକରି, ଦାଣ୍ଡପିଣ୍ଡାରେ ଜାମାଯୋଡ଼ ହୋଇ ବସି ଗୋଟାକୁ ଗୋଟା ଅମାର ଧାନରେ ଭରି ଦେଇଯାଏ, ଅଥଚ ଆଉ ସବୁ ଘରେ ଲୋକମାନେ ସକାଳୁ ସଞ୍ଜଯାଏ ବିଲରେ ପଡ଼ି ପଡ଼ି ସେମାନଙ୍କର ପେଟ ପୁରେ ନାହିଁ । ଆମ ଗାଁର ଚାଷୀ ମୂଲିଆ ଦିନଯାକ କଣ କରେ । ରାତି ନ ପାହୁଣୁ ନିତ୍ୟକର୍ମ ସାରି ମୁଢ଼ି ଦି’ଟା ପାଟିରେ ପକାଇ ସେ ଲଙ୍ଗଳ ଧରି ବିଲକୁ ବାହାରି ପଡ଼େ, କାକର, ଖରା, ବର୍ଷା ଖାଇ ବିଲ ପାଣିରେ ଆଣ୍ଠୁମାଡ଼ି ବସି ବେଉଷଣ କରେ, ପୁଣି ସଞ୍ଜ ହେଲେ ଘରକୁ ଫେରିଆସେ ଓ ମୁଠାଏ ବଗଡ଼ା ଭାତ ଖାଇ ଛିଣ୍ଡା ହେଁସରେ ଶୋଇପଡ଼େ । ହାଣ୍ଡିରେ ଭାତ ଥିଲେ ଉଦୁଉଦିଆ ଦି’ ପହରେ ଚାଷୀର ସ୍ତ୍ରୀ ବୋଲାଏ ପଖାଳ ନେଇ ସ୍ୱାମୀକୁ ବିଲରେ ଦେଇଆସେ । ଘର ବୋଲି ତାର ଛୋଟ ପଲା ଖଣ୍ଡେ ଖଟ ପଲଙ୍କ, ଶେଯ ଚାଦର କିଛି ନାହିଁ । ଘରକୁ ପଶିଗଲା ବେଳକୁ ଚାଳରେ ମୁଣ୍ଡ ବାଜେ । ସେଇ ଘରେ ଚୁଲି, ସେଇ ଘରେ ଜିନିଷପତ୍ର ସାଇତି ରଖିବାର ବାଉଁଶ ଭାଡ଼ି, ସେଇ ଘରେ ଗୋଟାଏ ହେଁସରେ ସ୍ତ୍ରୀ ପିଲାଙ୍କୁ ନେଇ ସେ ରାତିରେ ଶୋଇପଡ଼େ । ଖାଇବା ପାଇଁ ମୁଠାଏ ଭାତ ଯୋଗାଡ଼ କରିବାରେ ତାର ତାର ଦିନଟି ଯାକ ଗଡ଼ିଯାଏ–ତଥାପି ସବୁଦିନେ ପିଲାଙ୍କୁ ସେ ପେଟପୂରାଇ ଖାଇବାକୁ ଦେଇପାରେ ନାହିଁ । ଭଲ ଜିନିଷ, ସରୁ ଚାଉଳର ଭାତ, ଡାଲି, ଭଲ ତରକାରୀ, ମିଠେଇ ପିଠାପଣା ଚାଷୀଘରେ ସପନ ପରି-ଶାଗ ଭାତ ନ ହେଲେ ପଖାଳ ଲୁଣ କରି ମୁଠାଏ ଖାଇ ସେ ଗୁଜରାଣ ମେଣ୍ଟାଇଦିଏ–ଭଲ ଜିନିଷ ଖାଇବାର ଆଶା ମଧ୍ୟ ସେ କରେ ନାହିଁ । କେତେ ପର୍ବପର୍ବାଣି ଆସେ, ମାତ୍ର ଗରିବ ଘରେ ଖାଇବା ପାଇଁ ସବୁବେଳେ ଚିନ୍ତା ପଶିଥାଏ । ବଡ଼ ବଡ଼ ପର୍ବରେ ଖଣ୍ଡେ ଭଲ ଲୁଗା ପିନ୍ଧିବା, ଭଲ ପିଠାପଣା କରି ଖାଇବା ତା’ ଭାଗ୍ୟରେ ଜୁଟେ ନାହିଁ । ଦିଆଲୀ ଉଆଁସ ଆସେ-ଜମିଦାର ଦାଣ୍ଡରେ କେତେ ବାଣ ମରେ, ଗରିବର ଘର ସବୁଦିନ ପରି ସେଦିନ ମଧ୍ୟ ଅନ୍ଧାର ଥାଏ । ମଟର ଚଢ଼ିବା, ସହର ବୁଲିବା, କଳଗାଉଣା, କଳ ମଣିଷର ଛାଇ ଦେଖିବା–ଏ ସବୁର ସୁଯୋଗ ଗରିବ ପାଇପାରେ ନାହିଁ । ଗରିବ ମୂଲିଆର ପୁଅ ପିଲାଟି ଦିନରୁ ମୂଲଲାଗି ଶିଖେ, ବିଲବାଛି ଶିଖେ, ଧାନଉଡ଼ାଇ ଶିଖେ, ଲଙ୍ଗଳ ଧରି ଶିଖେ, ଆଉ ଯେ ତା’ର ଅନ୍ୟ ଉପାୟ ନାହିଁ । ସହରରେ ଦପ୍ତରରେ ବସି କଲମ ଚଳାଇବା, ଇସ୍କୁଲରେ ଯାଇ ପାଠ ପଢ଼ିବା, ଏସବୁ ଗରିବ କରିବ କୁଆଡ଼ୁ-? ଖାଇବାକୁ ତ ପଇସା ଜୁଟେ ନାହିଁ, ଲୁଗାର ତାଳି ଫାଟିଗଲେ ତାକୁ ଯୋଡ଼ିବାକୁ ଗରିବର ଶକ୍ତି ନ ଥାଏ–ପଢ଼ିବାକୁ, ପୁଅଝିଅଙ୍କୁ ପଢ଼ାଇବାକୁ ସେ ସାହସ କରିବ କୁଆଡ଼ୁ ? ସେଥିପାଇଁ ଯେତେବେଳେ କେହି ଗରିବ ପିଲାକୁ ନେଇ ଇସ୍କୁଲରେ ଦୟାକରି ବସାଇ ଆସେ, ସେତେବେଳେ ଗରିବ ପ୍ରମାଦ ଗଣେ ଓ ଗାଈ ଜଗିବା ବାହାନା ଦେଖାଇ ପୁଅକୁ ସ୍କୁଲରୁ ଉଠାଇ ଆଣେ । ଅନ୍ଧାରରେ ଘରକଣରେ ଗରିବ ପୁଅ ଜନ୍ମ ହୁଏ, ଆଣ୍ଠୁଏ ପାଣି ଭିତରେ ଜମିରେ ଜୀବନଟା ଯାକ କାମ କରି ଫଳ ଫଳାଏ, ମାତ୍ର ଫଳ ସେ ଭୋଗ କରିପାରେ ନାହିଁ, ଗାଁ ବା ଜିଲ୍ଲା ବାହାରକୁ ଯିବାକୁ ତାର ବଳ ନଥାଏ, ଶେଷରେ ଅନ୍ଧାରରେ ରୋଗରେ ସଢ଼ିସଢ଼ି ସେ ମରିଯାଏ–ତାର ପଚାମାଂସକୁ ଶାଗୁଣା ଆନନ୍ଦରେ ଖାଇଯାଏ । ଡାକ୍ତର କଣ, ଓଷଦ କଣ ଗରିବ ଜାଣେ ନାହିଁ–ପଥି ପାଇଁ ବାଲି ଗଣ୍ଡାଏ ବା ସରୁ ଚାଉଳ ପାହିଲିଏ ତା ପାଇଁ ମିଳେ ନାହିଁ; ଚେରମୂଳ ବାଟି ପିଇ ଶେଷରେ ସେ ନିଜର ଯାହା ଦେଖେ–ମଲାବେଳେ ‘ନାରାୟଣ’ ବୋଲି କହି ତା’ ପ୍ରାଣ ଛାଡ଼ିଯାଏ । ଜୀବନଯାକ ଯେଉଁ ନରକ ଇଷ୍ଟ ସେ ଭୋଗ କରୁଥିଲା, ମରଣ ପରେ ସେ ଯନ୍ତ୍ରଣାରୁ ନିସ୍ତାର ପାଇବାକୁ ସେ ବିକଳରେ ଭଗବାନଙ୍କ ଡାକି ପକାଏ ପରା !

 

ଗାଁ’ର ଶହେ କୁଡ଼ିଆ ଉପରେ ଯେଉଁ କୋଠାଘର ମୁଣ୍ଡ ଟେକିଥାଏ, ଯେଉଁ ବଡ଼ ପିଣ୍ଡା ଗାଁ ଦାଣ୍ଡ ଭିତରକୁ ମାଡ଼ି ଆସିଥାଏ, ଗାଁର ନୀରବତା ଭାଙ୍ଗି ଘରଟିରେ ସବୁବେଳେ ପାଟି, ଦେ’ଣ ନେ’ଣ କାରବାର ଚାଲିଥାଏ, ସେଇ କୋଠାଘର, ସେଇ ଉଚ୍ଚ ପିଣ୍ଡା, ସେଇ କାରବାର ଭିତରେ ମଣିଷମାନଙ୍କର ସ୍ଥାନ ବର୍ତ୍ତମାନ ଆଲୋଚନା କରିବା । ସକାଳ ହେଲେ ଜମିଦାର ବାବୁ ନିଦରୁ ଉଠନ୍ତି, ନିଦ ମଳମଳ ଆଖିରେ ସେ ‘ରାଧାକୃଷ୍ଣ’, ‘ରାଧାକୃଷ୍ଣ’ କହି ଦାଣ୍ଡପିଣ୍ଡାକୁ ବାହାରି ଆସନ୍ତି-ଆଗରୁ ଅନୁସରଣିଆ ସେଠି ଦାନ୍ତକାଠି ପାଣି ରଖି ଦେଇଥାଏ–ପାଚିଲା ଗାମୁଛା କାନ୍ଧରେ ପକାଇ ବାବୁ ମୁହଁ ଧୋଇ ପକାଇ ଦାନ୍ତକାଠି ଧରି ନଈଆଡ଼କୁ ବାହାରି ପଡ଼ନ୍ତି । ତାଙ୍କ ପଛେ ପଛେ ବାରିକ ବେହେରା ଦୁଇ ତିନି ଜଣ ଚାଲିଥାନ୍ତି । ବାବୁ ନଈରେ ଗାଧୁଆ ସାରି, ସେଇଠୁ ଜାମାଯୋଡ଼ ହୋଇ, ଧରମ ଦେବତାଙ୍କୁ ପାଣି ଦେଇ ଘରକୁ ଫେରନ୍ତି–ଘରକୁ ଆସିଲାବେଳକୁ ନିର୍ମାଲ୍ୟ ସେବା କରିବାପାଇଁ ଆସ୍ଥାନ ପଡ଼ିଥାଏ,-ଘଣ୍ଟାଏକାଳ ବାବୁ ଘରେ ବସି ଗୁଣୁଗୁଣୁ ହୋଇ ପୂଜା କରନ୍ତି, ତିଳକ ଗୁଡ଼ାଏ ଘୋରି ମୁଣ୍ଡରେ ବାହାରେ, ପେଟରେ, ଛାତିରେ ‘ରାଧାକୃଷ୍ଣ’ ‘ନିତାଇ ଗୌର’ ବଙ୍ଗଳା ଛାପା ସବୁ ମାରି ଝୁଲାମୁଣି ଧରି ବାବୁ ବାହାର ଘରକୁ ବାହାରି ପଡ଼ନ୍ତି । ଜଳଖିଆ କରି ଗୋଦାମ ଘର ଆଗରେ ଆରାମଚଉକୀରେ ବାବୁଙ୍କର ଆସ୍ଥାନ ପଡ଼େ । ବାବୁ ସେଠୁ ବସି ମାଳା ଜପନ୍ତି । ଅମାରରୁ ଧାନ କଢ଼ା ହେଉଥାଏ, ଧାନ ପଡ଼ୁଥାଏ-ଭରଣକୁ ଭରଣ ଧାନ କୋଠିଆମାନେ ମାପି ଚାଲିଥାନ୍ତି । ଗୁମାସ୍ତାଙ୍କର କଡ଼ାଆଖି, ଚାଷୀ ମୂଲିଆଙ୍କର ବିକଳ କଥା–ଏସବୁ ସେ ଘରେ ନିତି ଦେଖିବାକୁ ମିଳେ–ପାଞ୍ଚଗୌଣୀ ଜାଗାରେ ଚାରିଗୌଣୀ ଦି’ପା ହୋଇଗଲା ବୋଲି କୋଉଠି କାହାକୁ ବେଜତ୍ କରାହେଉଥାଏ, ସାତଟଙ୍କାକୁ ସତର ଟଙ୍କା କରିଥିବାରୁ କେତେବେଳେ କିଏ କାନ୍ଦି ଜମିଦାରଙ୍କ ସାମନାରେ ଅଧିଆ ପଡ଼ିଥାଏ–ଦି’ଦିନ ଉପାସରେ କଷ୍ଟପାଇ କିଏ କରଜପାଇଁ ଆସିଥାଏ-ଗୁମାସ୍ତା ବେଶୀ କଳନ୍ତର ଭିଡ଼ୁଥାଏ ବୋଲି ଚାଷୀ ବିଚରାଟି କେତେ ନେହୁରା ହେଉଥାଏ । ନିଜର ଜମିରୁ ଦଶଗୁଣ୍ଠ କିଏ ଜମିଦାରକୁ କବଲା କରି ଦେଉଥାଏ–ଝିଅ ବାହାଘର ହେବ ବୋଲି କିଏ ଟଙ୍କା କରଜ ନେବାକୁ ଆସିଥାଏ । ଏଇ ସବୁ ଘଟଣା–ଏଇ ସବୁ ସୋର ଗୋଳରେ ଜମିଦାର କଚେରୀ ପୂରି ଉଠୁଥାଏ । କେତେ ଆଡ଼ୁ କେତେ ଚାଷୀ ଭାର ଭାର କରି ପହିଲି ଫଳ ନେଇ କଚେରୀଘରକୁ ଆସନ୍ତି । ତା’ପରେ ବେଳ ଗଡ଼ି ଆସିବାକୁ ହୁଏ, ଖରା ମୁଣ୍ଡ ଉପରକୁ ଉଠିଯିବାକୁ ବସେ, ମଣୋହି କରିବାକୁ ଘରୁ ଡାକାରା ଆସେ, କଠୋଉ ଠକ୍‌ ଠକ୍ କରି ଜମିଦାର ମଣୋହୀ କରିବାକୁ ଯା’ନ୍ତି–ସାତ ତରକାରୀ, ନଅଭଜା, ସରୁଚିନା ଚାଉଳର ଭାତ, ଗଡ଼ଜାତି ମୁଗଡ଼ାଲି ଓ ପିତଳଗିନାର ଗୁଆଘିଅ, ଜମିଦାରଙ୍କ ପାଖରେ ଭୋଗ ଦିଆହୁଏ । ଖିଆପିଆ ସରେ–ଚାକର ବାକର, କୁକୁର, ବିଲେଇ ସମସ୍ତଙ୍କର ପେଟପୂରେ, ଶେଷକୁ ଯାହା ବଳେ, ସେ ସବୁ ଅଇଁଠା କୁଣ୍ଡରେ ପକାହୁଏ–ତା’ପରେ ଗଦିରେ ଛପର ହୋଇଥିବା ଖଟ ଉପରେ ଜମିଦାର ବାବୁ ଶୁଅନ୍ତି–ଛାଇ ଲେଉଟି ଆସିଲେ ତାସ, ପଶା ପ୍ରଭୃତି ଖେଳ ହୁଏ । ଏମିତି ଜମିଦାର ଘରେ ନିତି ମଜା ମଉଛବ ଲାଗିଥାଏ । ବର୍ଷରେ ଯେତେ ପର୍ବପର୍ବାଣୀ ଆସେ, ସବୁଥିରେ ଜମିଦାରଘର ପିଠାପଣାରେ ଭାସିଯାଏ–ଜମିଦାରଘରର ପିଲାମାନେ ଆନନ୍ଦରେ ଖାଇପିଇ ବୁଲନ୍ତି, ସମସ୍ତେ ନୂଆ ଲୁଗା, ନୂଆ କୁରୁତା ପିନ୍ଧନ୍ତି । ଦିଆଲୀ ଉଆଁସ ଆସେ ତ ଜମିଦାରଘର ଦାଣ୍ଡ ଆଲୁଅରେ ଫାଟିପଡ଼େ, ବାଣ ରୋଷନୀରେ ପୂରିଉଠେ । ଅନେକ ଦିନ ଜମିଦାର ଦାଣ୍ଡରେ ନାଟ, ତାମସା ହୁଏ, ଅନେକ ସମୟରେ ଜମିଦାରଘରେ ବାହାପୁଆଣି ହେଲେ ଭାଇବେଗାରୀ ଖା’ନ୍ତି–ଖାଇସାରି ସମସ୍ତେ କହନ୍ତି–‘ଜମିଦାର ବାବୁଙ୍କର ବଡ଼ତି ହେଉ’ । ସକାଳୁ ସଞ୍ଜଯାଏ ଖାଇବା, ପିଇବା, ଖେଳ, ଖୁସିଗପ କରିବା ଆଉ ଶୋଇବାରେ ଜମିଦାରଙ୍କର ସମୟ କଟେ । ସେ ବିଲରେ ଯାଇ କେବେ ଆଣ୍ଠୁମାଡ଼ି ବସନ୍ତି ନାହିଁ, ଅଥଚ ତାଙ୍କ ଘରେ ଆସି ଭରଣ ଭରଣ ଧାନ ଜମାହୁଏ–ସେ ସୂତା ଖିଏ କାଟନ୍ତି ନାହିଁ, ଅଥଚ ତାଙ୍କ ପାଇଁ ମଖମଲ ଲୁଗା ଟ୍ରଙ୍କରେ ଗଦା ହୋଇ ରହିଥାଏ,-ବସି ବସି ତାଙ୍କର ସମୟ କଟିଯାଏ, ଅଥଚ ତାଙ୍କ ପୁଝାରୀ ଠିକ୍ ସମୟରେ ତାଙ୍କ ପାଇଁ ନିତି ସାତ ତିଅଣ ନଅ ଭଜା ଖଞ୍ଜିଦିଏ–ଏଇ ହେଲା ଜମିଦାରଙ୍କର ଜୀବନ । ସେ କୁଟାଖଣ୍ଡଟି ଦି’ଖଣ୍ଡ କରନ୍ତି ନାହିଁ, ଏଣେ ବିନା ପରିଶ୍ରମରେ ଅମାରରେ ଧାନ ମଧ୍ୟ ସେଇପରି ତାଙ୍କର ବଢ଼ିବାରେ ଲାଗେ । ଜମିଦାର ପୁଅ କଟକରେ ଇଂଲିଶ ପାଠ ପଢ଼େ, ମାସକୁ ଯେତେ ଖର୍ଚ୍ଚ ଦରକାର ତା ପାଖକୁ ତା’ର ତିନି ଗୁଣ ଟଙ୍କା ପଠାହୁଏ–କାଳେ ବିଦେଶରେ ସେ ହଇରାଣ ହେବ ! ତା ପାଇଁ ହଳକୁ ହଳ ଟିଉସନ ମାଷ୍ଟର ଲାଗୁଆ ହୋଇ ରହନ୍ତି–ବଡ଼ ବଡ଼ ବହି ତା ପାଇଁ କଲିକତାରୁ ଆସେ–କଲେଜକୁ ଯିବାପାଇଁ ତାକୁ ‘ରାଲେ’ ସାଇକେଲ ମିଳେ–ବର୍ଷାଦିନିଆ, ଖରାଦିନିଆ ଆଉ ଶୀତଦିନିଆ ପୋଷାକ ସାର ସାର ହୋଇ ତା ପାଇଁ ସଜଡ଼ା ହୋଇ ରହିଥାଏ–ବାଇସ୍କୋପ୍ ଦେଖିବାକୁ ମଧ୍ୟ ତାକୁ ପଇସା ମିଳେ । ଜମିଦାରଙ୍କର ସାନପୁଅ ଗାଁରେ ଘରୋଇଭାବରେ ପଢ଼େ, ତା ପାଇଁ ମାଷ୍ଟର ଖଞ୍ଜାହୋଇ ରହିଥାଏ–ସବୁଦିନେ ଚାକର କାଖେଇକରି ମାଷ୍ଟର ପାଖରେ ତାକୁ ଛାଡ଼ିଦେଇ ଆସେ-ତଥାପି ସେ ମାଷ୍ଟର ପାଖରେ ଥୟ ଧରି ବସିପାରେ ନାହିଁ, ମା ପାଖକୁ ଲୁଚି ପଳାଇ ଆସେ । ମାଷ୍ଟର ମାସକୁ ମାସ ଦରମା ନିଏ ଆଉ ପିଲା ଗୋଟାଏ ଅକ୍ଷର ମଧ୍ୟ ଶିଖିପାରେ ନାହିଁ । ଧନୀଘରର ପାଠପଢ଼ା ଏମିତି । ଗରିବ ପୁଅର ପାଠ ପଢ଼ିବାକୁ ଇଚ୍ଛା ଥିଲେ ସୁଦ୍ଧା ପଇସା ଅଭାବରୁ ବାପ ପୁଅକୁ ଚାହାଳୀରେ ଛାଡ଼ିବାକୁ ସାହସ କରେ ନାହିଁ, ମାତ୍ର ଧନୀପୁଅର ପାଠ ନ ହେଲେ ମଧ୍ୟ ଭଲ ପୋଷାକ, ସାଇକେଲ, ଜୋତା, ମୋଜା ଖଞ୍ଜା ହୋଇ, ତା ପଛରେ ଅଜସ୍ର ଟଙ୍କା ପାଣିରେ ପଡ଼ି ତାଙ୍କୁ ପାଠ ପିଆଇ ଦେବାର ଚେଷ୍ଟା କରାହୁଏ । ଧନୀର ବହିପତ୍ର, ଟଙ୍କା ପଇସା ସବୁ ଥାଏ, ତଥାପି ତାକୁ ପାଠ ପଢ଼ିବାକୁ ଭଲ ଲାଗେ ନା, ଭଲ ନ ଲାଗିଲେ ମଧ୍ୟ ତା ପଛରେ ଟଙ୍କା ଖରଚ ହୁଏ, ମାତ୍ର ଇଚ୍ଛା ଥିଲେ ସୁଦ୍ଧା ଗରିବ ପୁଅକୁ ଟଙ୍କା ଦେଇ ପାଠ ପଢ଼ିବାକୁ କୌଣସି ମଉକା ଜୁଟେ ନାହିଁ ।

 

ଏଇ ଗଲା ଗାଁ ଗହଳ ମଫସଲ କଥା । ଏଥର ସହର ଆଡ଼କୁ ଆଖି ପକାଇବା । ସହରରେ ବଡ଼ ବଡ଼ କଳକାରଖାନା ଥାଏ–ସେ ସବୁ କଳକାରଖାନାର ଜଣେ ଜଣେ ମାଲିକ ଥାଆନ୍ତି, ତାଙ୍କରି ତଳେ ହଜାର ହଜାର କୁଲି କାମ କରନ୍ତି । ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ କାରଖାନାର ମୋଟା ଧୂଆଁନଳୀ ଭିତର ଦେଇ ମେଘଭଳି ଧୂଆଁ ବାହାରକୁ ବାହାରି ଯାଉଥାଏ । କଳକାରଖାନା ପାଖରେ କୁଲିମାନେ ରହନ୍ତି ନାହିଁ । ସେହି ସହରର ତଳି ଅଞ୍ଚଳରେ ସେମାନେ ପଲା କରି ରହିଥାନ୍ତି । ବଡ଼ ବଡ଼ ସହରରେ ସୁଦୂର ମଫସଲମାନଙ୍କରେ କୁଲିମାନେ ରହିଥାନ୍ତି । ସକାଳୁ ରେଲଗାଡ଼ି ଆସି ସେମାନଙ୍କୁ ବୋଝାଇ କରି କାରଖାନାକୁ ନେଇଯାଏ । ଅନେକ ଜାଗାରେ ଖପର ଛାଉଣୀ ହୋଇଥିବା ଛୋଟ ଛୋଟ ଘରେ ସେମାନେ ରହନ୍ତି–ଗାଁ ଗହଳରେ ଥିବା ଚାଷୀର ଘରଠାରୁ ସେସବୁ ଘରର ଅବସ୍ଥା ଆହୁରି ଖରାପ । ସକାଳ ହେବା ମାତ୍ରକେ ସେମାନେ ଖାରିଆ ଚା’ ପାଣି ଟୋପାଏ ପିଇଦେଇ କାରଖାନାକୁ ଯାଆନ୍ତି । ସେମାନଙ୍କର ପୋଷାକପତ୍ର ଦେଖିଲେ ବଡ଼ ବିକଳ ଲାଗେ–ଜଣେ ଜଣେ କଳାରଙ୍ଗର ଅଧାପେଣ୍ଟ ପିନ୍ଧିଥାନ୍ତି ଯେ, ତାର ପଛପଟେ ଦୁଇ ତିନି ଜାଗାରେ ବାଇଗେଣୀ କନାର ତାଳି ପଡ଼ିଥାଏ, ଉପରେ ପିନ୍ଧିଥିବା ଗେଞ୍ଜି ଅନେକ ଜାଗାରେ ଫାଟି ଯାଇଥାଏ । ମାଘମାସରେ କାକରମଡ଼ା ହୋଇ ରାସ୍ତାରେ ସେମାନେ ଧାଡ଼ିଧାଡ଼ି ହୋଇ ଚାଲିଥାନ୍ତି । ତାଙ୍କ ଭିତରେ ଅନେକ ବୁଢ଼ା ଥାଆନ୍ତି, ଛଅ ସାତବର୍ଷର ଛୋଟପିଲା ବି ଥା’ନ୍ତି । ମାଇକିନିଆ ଥା’ନ୍ତି, ମରଦ ଥା’ନ୍ତି । ମାଇପିମାନଙ୍କୁ ଦେଖିଲେ ଆଖିରୁ ଲୁହ ବୋହିପଡ଼େ–ଲଜ୍ଜା ଲୁଚାଇବା ପାଇଁ ଯେଉଁ ଲୁଗା ଖଣ୍ଡକ ସେମାନଙ୍କ ଦେହ ଉପରେ ଗୁଡ଼ିଆ ହୋଇଥାଏ, ସେଥିରେ ଲଜ୍ଜା ଲୁଚିପାରେ ନାହିଁ–ଅଣଓସାରିଆ କବଟା ଖଣ୍ଡେ ପିନ୍ଧି ଯେତେ ଚେଷ୍ଟା କରି ମଧ୍ୟ କଳଘର ରେଜା ଲାଜ ଲୁଚେଇ ପାରେ ନାହିଁ । ଶୀତ ଛଡ଼େଇବାକୁ ଖଣ୍ଡେ ଧୂଆଁପତ୍ର ପିକା ଟାଣି ଟାଣି ସମସ୍ତେ କାରଖାନାକୁ ଯା’ନ୍ତି । କାରଖାନାରେ ପ୍ରଥମେ ହାଜରି ଦିଆହୁଏ–ତା ପରେ କୁଲିମାନଙ୍କର ସର୍ଦ୍ଦାର ଆସି ସମସ୍ତଙ୍କୁ ଯେଝା କାମରେ ଲଗାଇଦିଏ । କଳକାରଖାନାରେ ସମସ୍ତେ ଏକାଭଳି, ସେଠି ସ୍ତ୍ରୀ ପୁରୁଷ, ପିଲା ବୁଢ଼ାର ବିଚାର ନ ଥାଏ । ସେଠି ଛଅ ସାତବର୍ଷର ପିଲା ଧୂଆଁନଳୀର ଅନ୍ଧାର ଭିତେ ପଶି ଅଳନ୍ଧୁ ସଫା କରେ–ସ୍ତ୍ରୀ ଲୋକ ବଡ଼ ବଡ଼ ବୋଝ ପିଠିରେ ପକାଇ ନେବା ଆଣିବା କରେ, ପଚାଶ ଷାଠିଏ ବର୍ଷର ବୁଢ଼ା କଳଧୂଆଁ ପିଇ ଅନ୍ଧାର ଭିତରେ କାମ କରେ–ତଥାପି ସେମାନଙ୍କ ପ୍ରତି କାହାର ଦୟା ନ ଥାଏ । ଅନ୍ଧାର ଭିତରେ, ଧୂଆଁ ଭିତରେ ଏତେଗୁଡ଼ାଏ ଅଧଲଙ୍ଗଳା ଅଧ ଉପାସିଆ ଜନ୍ତୁ ଆଇଷ କ୍ଷୟ କରନ୍ତି, ସେକଥା କେହି ବୁଝନ୍ତି ନାହିଁ–ପାଞ୍ଚ ବର୍ଷର ପିଲା ଧୂଆଁନଳୀର ଅଳନ୍ଧୁ ସଫାକରି ଦଶବର୍ଷ ହେଲାବେଳକୁ କାଶି କାଶି ରକ୍ତ ବାନ୍ତି କରି ମରିଯାଏ; ଗର୍ଭବତୀ ମା’ କଳଭିତରେ କାମ କରି, ମୋଟା ବୋଝ ବୋହି ପେଟ ଭିତରର ଛୁଆଟିକୁ ନଷ୍ଟ କରିଦିଏ, ପଚାଶ ବର୍ଷର ବୁଢ଼ା ଅନ୍ଧାରରେ କାମ କରୁ କରୁ ଗୋଡ଼ ଖସିଯାଇ ମେସିନ୍‌ ଭିତରେ ପେଷି ହୋଇଯାଏ, ତାର ହିସାବ କେହି ରଖେ ନାହିଁ । ଏତେ ପିଲା, ଏତେ ସ୍ତ୍ରୀ, ଏତେ ବୁଢ଼ା ପ୍ରତିଦିନ କାରଖାନା ଭିତରେ ମରନ୍ତି, ତଥାପି କାରଖାନାକୁ ପ୍ରତିଦିନ ନୂଆ ନୂଆ କାମ କରିବାପାଇଁ ଅନେକ ସ୍ତ୍ରୀ, ପିଲା, ବୁଢ଼ା ଦଉଡ଼ିଥାନ୍ତି । କଳଫାଟକ ପାଖରେ ସବୁବେଳେ ଲୋକ ଗହଳି । ତଥାପି କୁଲି ଓ ରେଜାଙ୍କ ଉପରେ ଯେଉଁ ସର୍ଦ୍ଦାରମାନେ ଥା’ନ୍ତି, ସେମାନେ ଅନେକ ସମୟରେ ସୁକୁମାର ପିଲା, ଗର୍ଭବତୀ ସ୍ତ୍ରୀ ଓ ପଚାଶ ଷାଠିଏ ବର୍ଷର ବୁଢ଼ାଙ୍କ ପିଠିରେ ଚାବୁକ ବସାଇବାକୁ ଶଙ୍କିଯା’ନ୍ତି ନାହିଁ । କି ଦୋଷ ଏ ଦରିଦ୍ର ପିଲାଙ୍କର–ବୁଢ଼ା ବାପ ମା’ ଙ୍କ ପାଇଁ ସିନା ସେମାନେ ଏ ସୁକୁମାର ବୟସରେ ଏପରି କଷ୍ଟକାମ କରୁଛନ୍ତି–କି ଦୋଷ କରିଚନ୍ତି ଏ ସ୍ତ୍ରୀମାନେ ? କାରଖାନାରେ ମୂଲ ଲାଗି ଦି’ ପଇସା ନ ପାଇଲେ ତେଣେ ଯେ ଜୀବନ ଚାଲିଯିବ- ଯେଉଁ ଘରେ ସେ ସ୍ୱାମୀ ସଙ୍ଗେ ଆଶ୍ରୟ ପାଇ ରହିଚି, ଭଡ଼ା ନ ପାଇଲେ ମାଲିକ ଯେ ରାସ୍ତାକୁ ନିକାଲି ଦେବ ! ଏଇଥିପାଇଁ ସିନା ଏତେ କଷ୍ଟ ସହିବା–ପେଟକୁ ମୁଠାଏ ଦାନା ଜୁଟାଇବା ପାଇଁ ସିନା ଏ ବେତମାଡ଼, ପରଘରେ ଚୁଲୀଚାଳ ଜମାଇ ରହିବାର ଅନୁମତି ପାଇବାପାଇଁ ସିନା ଏ ନରକ ଯାତନା ! ଯେଉଁ ମଣିଷ ଖାଇବା ପାଇଁ, ଦୁନିଆରେ କଣ ଖଣ୍ଡେ ଠିକ୍‌ କରିବାପାଇଁ ଜୀବନର ଏତେ ସମୟ ଖର୍ଚ୍ଚ କରେ, ତଥାପି ଖାଇବା ପାଇଁ ଭଲ ଜିନିଷ ଆଉ ରହିବାପାଇଁ ସ୍ଥାୟୀ ଘର ତା’ ପାଇଁ ମିଳେ ନାହିଁ, ସେ ଜୀବନରେ ଆଉ କଣ କରିବ ? କାନ୍ଦିବା ଛଡ଼ା ତା ଜୀବନରେ ଆଉ କଣ ଗତି ଅଛି ? କୁଲି ପରିବାରର ପଚାଶ ବର୍ଷର ବୃଦ୍ଧ ପିତା, ସ୍ୱାମୀ, ସ୍ତ୍ରୀ ଓ ନଅବର୍ଷର ଛୋଟ ପୁଅ ସମସ୍ତେ କଳମାଲିକ ପାଖରେ ମୁଣ୍ଡ ବିକିଦେଇ ଥାନ୍ତି । ଯେଉଁ ଦିନ ନଅବର୍ଷର ସେଇ ଛୋଟ ପିଲାଟି କାଶି କାଶି ଯଷ୍ମାରେ ମରିଯାଏ, ବାପ ଅଜା, ମା ସମସ୍ତଙ୍କର ଆଶାରେ ଧୂଳିଦେଇ ନିଜର ସଉଦା ଶେଷକରି ଚାଲିଯାଏ, ସେତେବେଳେ କୁଲି ଓ ତାର ପରିବାର କାନ୍ଦିଉଠେ, ଉପରର ଖପରଘର କାନ୍ଦି ଉଠେ, ନିଜେ କାନ୍ଦି ସେମାନଙ୍କର ଛୋଟ ଦୁନିଆକୁ କନ୍ଦାଇବା ଛଡ଼ା ଆଉ ଚାରା କଣ ? ମାତ୍ର ସେମାନଙ୍କର କାନ୍ଦ ଶୁଣେ କିଏ ? ସମସ୍ତେ ଯେ ନିଜ ନିଜର ଧନ୍ଦାରେ ବ୍ୟସ୍ତ–ଦୁନିଆରେ କିଏ କାହିଁକି କାହା କଥା ଶୁଣିବ ? ସମସ୍ତେ ଯେ ଏଠି ପେଟପାଇଁ ପାଗଳ ! ତା’ ପରେ ଦୁନିଆରେ ପରକୁ ସାହାଯ୍ୟ କରିବାପାଇଁ ଶକ୍ତି ଯାହାର ଅଛି, ସେ କଣ ଗରିବର କଥା ଶୁଣେ ? ଧନୀ ତାର ରଙ୍ଗଭବନ ସଜାଇବାରେ ବ୍ୟସ୍ତ, ଜମିଦାର ତାର ସିରସ୍ତା ସଜାଡ଼ିବାରେ ବ୍ୟସ୍ତ–ଗରିବ ଘରର କାନ୍ଦଣା ଶୁଣିବାକୁ କାହାର ତର ଅଛି ? ମାଘମାସର ରାତିରେ କାକର ଜଡ଼ସଡ଼ ହେଁସ ଉପରେ କଣା ଖପର ଘରତଳେ ଗୋଟାଏ ମଣିଷ ପରିବାର ଯେ କି ଦୁଃଖଯାତନାରେ ରାତି କଟାନ୍ତି, ସେତେବେଳେ ସେ ଦୃଶ୍ୟ ଦେଖିଲେ କେଉଁ ମଣିଷ ଥୟ ଧରି ରହିବ ? ତଥାପି ଏ ପୃଥିବୀରେ ଏମିତି ଦଳେ ଲୋକ ଅଛନ୍ତି ଯେଉଁମାନେ ଗରିବର ଦୁଃଖ ଦେଖିଲେ ବେଶୀ ବେଶୀ ହସନ୍ତି । ଜଣେ ଲୋକକୁ ଦୁଃଖରେ ପଡ଼ିଥିବାର ଦେଖିଲେ ଆଉ ଜଣେ ଦେବତାପରି ସାହାଯ୍ୟ କରିବାକୁ ନଇଁପଡ଼େ ସିନା ! ମାତ୍ର ଏ ଦୁନିଆରେ ଏମିତି ଦଳେ ଲୋକ ଅଛନ୍ତି, ଯେଉଁମାନେ ଗରିବର ମଡ଼ା ଉପରେ ରୁଦ୍ରମୂର୍ତ୍ତି ଧରି ନାଚିବାକୁ ଭଲ ପା’ ନ୍ତି–ଗରିବର ଘରେ ନିଆଁ ଲଗାଇବାରେ ସେମାନେ ଆନନ୍ଦ ପା’ନ୍ତି, ଗରିବ ସ୍ତ୍ରୀକୁ ଲାଜ ଲୁଚାଇ ନ ପାରିବାର ଦେଖିଲେ ସେମାନେ ଅସୁର ପରି ହସି ଉଠନ୍ତି, ଗରିବ ପିଲାକୁ ଭୋକ ଉପାସରେ, ଓଷଦପାଣି ନ ପାଇ ମୁର୍ଦ୍ଦାର ହେବାର ଦେଖିଲେ ସେମାନେ ତାକୁ ଦେଖି ସନ୍ତୁଷ୍ଟ ହୁଅନ୍ତି । ଗରିବର ତଣ୍ଟି ଚିପି, ତାର ରକ୍ତରୁ ସାର ନେଇ ସୁଖର ସଂସାର ଗଢ଼ିବା ଯେମିତି ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ଥାଏ । ଯେତେଦିନ ପର୍ଯ୍ୟନ୍ତ ଭୋକୀ ଗରିବର ତଣ୍ଟି ଚିପିବାରେ ଧନୀ ଆନନ୍ଦ ପାଉଥିବ, ସେତେଦିନ ପର୍ଯ୍ୟନ୍ତ ଗରିବର ଦଶା ଆହୁରି ଖରାପ ହେଉଥିବ, ସେତେଦିନ ପର୍ଯ୍ୟନ୍ତ ଅଗଣିତ ପିଲା, ବୁଢ଼ା, ମାଇପେ କଳକାରଖାନାରେ କୁଲି ଭାବରେ ମୁଣ୍ଡ ବିକିବାକୁ ଦଉଡ଼ୁଥିବେ ।

 

ଜଣେ କୁଲି କଳରେ କାମକରେ–ଘରେ ତାର ଗର୍ଭବତୀ ସ୍ତ୍ରୀ, ପିଲା ପାଞ୍ଚଟି–କମେଇଲା ଲୋକ ଘରକୁ ସେ ଏକୁଟିଆ । ସକାଳୁ ଉଠି ସେ କାରଖାନାକୁ ଯାଏ, ସଞ୍ଜରେ ଫେରେ । ବର୍ଷା ହେଉ, କାଶ ହେଉ, ଯଷ୍ମା ହେଉ ସେ କାରଖାନାରେ କାମ କରିବାକୁ ବାଧ୍ୟ-ନ ହେଲେ ସର୍ଦ୍ଦାର ତା’ ଜାଗାରେ ଆଉ ଜଣେ ନୂଆ କୁଲି ଭର୍ତ୍ତି କରିଦେବ–ତା’ରି ଆଖି ଆଗରେ ଭୋକ ଉପାସରେ ପାଞ୍ଚ ପାଞ୍ଚଟା ପିଲା ଆଉ ତାର ଗର୍ଭିଣୀ ସ୍ତ୍ରୀ ଶୁଖିଲା ଠକ୍‌ ଠକ୍‌ ମରିଯିବେ–ଏତେ ଗୁଡ଼ାଏ ଲୋକହତ୍ୟାର ପାତକ କେବଳ ତାକୁ ବାଧିବ ସିନା ! ଏତକ ସେ ଭଲକରି ଜାଣେ–ହପ୍ତାଏ ଯଦି ସେ ବିଛଣାମାଡ଼ି ପଡ଼ି ରହେ, ତେବେ ପିଲାମାନେ ତାର ଭୋକରେ ଆଉଳେଇ ବାଉଳେଇ ହେବେ, ସ୍ତ୍ରୀ ସ୍ୱାମୀ ପାଇଁ ପଥି ସଜାଡ଼ି ନ ପାରି ହତାଶରେ ମୁଣ୍ଡ କଚାଡ଼ିବ ଆଉ ଶେଷକୁ ଘରମାଲିକ ଆସି ଘରଭଡ଼ା ପାଇଁ ମାଇପ ହାତରୁ ପିତଳ ଚୁଡ଼ି କାଢ଼ି ନେଇଯିବ–କାମ ଯେ କରିବାକୁ ବାଧ୍ୟ ! କାମ ତାକୁ କରିବାକୁ ହେବ–ନ ହେଲେ ରୋଜନା ତାକୁ ଆଉ ତାର ପିଲାମାଇପକୁ ଖାଇବାକୁ ଦେବ କିଏ ? ରହିବାକୁ ଘର ଦେବ କିଏ ?

 

ଆମ ଦେଶର କଳକାରଖାନାରେ ବୁଢ଼ାମାନେ କାହିଁକି କାମ କରନ୍ତି ? କାମକରିବା ଛଡ଼ା ଯେ ଅନ୍ୟ ଉପାୟ ନାହିଁ–ବୁଢ଼ା ଦିନରେ ରୋଜ ରୋଜ ଅଫିମ ଅଣାକର ତାଙ୍କପାଇଁ ଖଞ୍ଜିବ କିଏ ? ତାର ଅବଶ୍ୟ ଭେଣ୍ଡା ପୁଅମାନେ ଅଛନ୍ତି–ସତକଥା, ମାତ୍ର ବୁଢ଼ା ତ ଦେଖୁଚି, ସାତବର୍ଷ ଦିନରୁ ପୁଅମାନେ ତାର କୁଲିଗିରି କଲେଣି, ତଥାପି ସେଇ ତିମିରରେ ପଡ଼ି ରହିଚନ୍ତି, ଯେଉଁଦିନ କାମକୁ ଯାଇ ପାରୁନାହାନ୍ତି, ସେଇଦିନ ତାର ନାତି ନାତୁଣୀ କଞ୍ଚାପାଣି ପିଉଚନ୍ତି । ସେ କଣ ଏ ସବୁ ଜାଣୁନାହିଁ ? ତେବେ ଜାଣୁ ଜାଣୁ ପୁଅକୁ ତା’ ପାଇଁ ଅଫିମ ଖଞ୍ଜି ଦେବାକୁ ସେ କହିବ କେମିତି-। ଯଦି ବୁଢ଼ା, ଅପାରୁଆ ହାତ ବା ଗୋଡ଼ଖଣ୍ଡିଆମାନଙ୍କ ପାଇଁ କିଛି କିଛି ଭତ୍ତା ମିଳୁଥାନ୍ତା; ତାହାହେଲେ ଏତେ ଦୁଃଖ କାହିଁକି ପଡ଼ନ୍ତା ? ମାତ୍ର ତା’ ଯେତେବେଳେ ନାହିଁ, ସେତେବେଳେ ଖାଲି ଭାଗ୍ୟକୁ ଆଦରି ଖଟିବା କଥା ସିନା ! ନ ଖଟିଲେ ସଞ୍ଚା ପୁଞ୍ଜିକ କିଏ ଖଞ୍ଜି ଦେବ ?

 

ଏ କାରଖାନାରେ ଗର୍ଭବତୀ ସ୍ତ୍ରୀ ମଧ୍ୟ କାମକରେ । ଧନୀଘରର ସ୍ତ୍ରୀ ପିଲା ଜନମ କଲାବେଳ ତା ପାଇଁ କେତେ ଧାଈ, କେତେ ଓଷଦ ଖଞ୍ଜା ହୁଏ । ମାତ୍ର ଆଉ କେତେ ସ୍ତ୍ରୀ ଗରିବ ବୋଲି, ଆଠ ନ’ ମାସ ଗର୍ଭ ପରେ ମଧ୍ୟ ସେମାନଙ୍କୁ କାରଖାନାରୁ ଛୁଟି ମିଳେନାହିଁ । କାରଖାନା ଧୂଆଁ ପିଇ ପିଇ ଶେଷକୁ ମା’ ପେଟର ଶିଶୁ ମରିଯାଏ–ଯେତେବେଳେ ଜନ୍ମ କରିବାର ସମୟ ଆସେ, ଯେତେବେଳେ ସମସ୍ତେ ଆନନ୍ଦରେ ଗୋଟିଏ ପିଲାପାଇଁ ଅପେକ୍ଷା କରିଥା’ନ୍ତି, ସେତିକିବେଳେ ମା’ ଗୋଟାଏ ମଲା ପିଲା ପ୍ରସବ କରେ–ଆନନ୍ଦ ଓ ଆଶା ଭିତରେ ନିରାଶା ଓ ବ୍ୟାକୁଳତା ଭରିଉଠେ । ଯଦି ଆମ ଦେଶର ମା’ ମାନଙ୍କ ପାଇଁ ପ୍ରସୂତି ବ୍ୟବସ୍ଥା ଥା’ନ୍ତା, ଯଦି ଗର୍ଭ ସମୟରେ ସେମାନଙ୍କୁ କାମରୁ ଛୁଟି ମିଳୁଥାନ୍ତା, ତେବେ ଏ ସବୁ କଷ୍ଟ ଆଖିରେ ଦେଖିବାକୁ ମିଳନ୍ତା କି ?

 

ଗରିବର ଦୁଃଖ କାହାଣୀ କଣ କେତେବେଳେ ସରେ ? କାରଖାନାର ଗରୀବ ଜନ୍ତୁମାନଙ୍କର ଦୁଃଖକଥା ସରିବ କେମିତି ? ପିଲାଟି ଦିନରୁ କାମକରି କିଏ ରକ୍ତବାନ୍ତି କରେ, କିଏ ଅନ୍ଧାରକଣା ହୋଇଯାଏ–ଗରୀବ ଆଗରେ ଯୌବନ, ରୂପର କିଛି ମୂଲ୍ୟ ନାହିଁ । ରୂପକୁ କୁରୂପ କରି ଗରିବର ସ୍ତ୍ରୀକୁ କାମ କରିବାକୁ ପଡ଼ିବ । ପ୍ରେମ କରିବା ଆଗରୁ ତ ପେଟପାଇଁ ଗଣ୍ଡାଏ ଦାନା ଦରକାର, ପିଚାକୁ ଖଣ୍ଡେ କନା ଦରକାର । ରୂପକୁ ଯଦି ଚାହିଁ ବସିବ, ତେବେ ଦାନାକନା କଣ ସରଗରୁ ଖସିବ ?

 

ଯୁଦ୍ଧ ଲାଗିଥିଲା–ସରକାର ଗୋଟାକୁ ଗୋଟା ଦେଶ ଦଖଲ କରି ଚାଲିଥିଲେ–ମୁକ୍ତିଯୁଦ୍ଧ ପାଇଁ ଦସ୍ତଖତ୍‌ ସଂଗ୍ରହରେ ଗୋଟାକୁ ଗୋଟା ନଥି ପୂରିଯାଉଥିଲା–କଲିକତା ସହରରେ ରାସ୍ତା କଡ଼ରେ ଗୋଟାକୁ ଗୋଟା ମଣିଷ ମରିବାରେ ଲାଗିଥିଲେ । କେଉଁଦିନ ‘ଟିଉନିସିଆ ଦିନ’ ପାଳନ କରାହେଉଥିଲା, କେଉଁ ଦିନ ‘ଇତାଲୀ ଦିନ’ ଉତ୍ସବରେ ସରକାରୀ ଘରେ ଭୋଜି ମଉଛବ ଚାଲିଥିଲା, କେଉଁ ଦିନ ‘ଲାଲଫୌଜ ଦିନ’ ପାଇଁ ବାଜା, ଗୀତ, ନାଚରେ ସହର ରାସ୍ତା, ଛକ କମ୍ପି ଉଠୁଥିଲା । ଏତେ ଦିନ ତ ପାଳନ କରା ହେଉଚି, କଲିକତାରେ ଯେଉଁ ମଣିଷ ସବୁ ଶୁଖି ଶୁଖି ମଢ଼ ହୋଇ ଯାଉଚନ୍ତି, ତାଙ୍କ ପାଇଁ କେଉଁ ଦିନ ପାଳନ କରା ହେଉଚି ? କିପରି ବା ପାଳନ କରା ହୁଅନ୍ତା ? ଏ’ତ ଜଣେ ନୁହେଁ, ପ୍ରତିଦିନ ଯେ ଶହ ଶହ ରାସ୍ତା କଡ଼ରେ ଗଛମୂଳେ ଝାଉଁଳି ପଡ଼ୁଚନ୍ତି-? ତାର ହିସାବ ରଖିବାକୁ ତ ସରକାରଙ୍କ ଘରେ ଅଫିସର ଅଭାବ–ତାଙ୍କପାଇଁ ଦିନ କିଏ ପାଳିବ-? ଏତେ ଏତେ ଯଦି ଲୋକ ଏକାଦିନକେ ମରିବେ, ତେବେ କିଏ କଣ କରିବ ?

 

ପେଟକୁ ଖାଇବାକୁ ନ ପାଇ କେତେ ମଫସଲର ଯେତେ ଆଡ଼ୁ ଗୋଟା ଗୋଟା ପରିବାର ଘର ଉଜାଡ଼ି ଦେଇ ସହରକୁ ଚାଲି ଆସୁଚନ୍ତି–ସେମାନଙ୍କର ଆଶା–ସହରର କଚରା ଟିଣ (Dust Bin) ଭିତରେ ଧନୀଘରର ଅଇଁଠା ଭାତ ସେମାନଙ୍କୁ ମିଳିବ ପରା ? ମଣିଷର ତ ପୁଣି ଆଶା ଅଛି–ମରୁଭୂମି ଭିତରେ ମଧ୍ୟ ମଣିଷ ଆଗରେ ପାଣିଅଛି ବୋଲି ଅନୁମାନ କରି ଧଇଁସଇଁ ହୋଇ ଆଗକୁ ଦଉଡ଼େ–ମାତ୍ର ସେ ଯେତିକି ଯେତିକି ଦଉଡ଼େ, ପାଣି ସେତିକି ସେତିକି ଘୁଞ୍ଚି ଘୁଞ୍ଚି ଯାଏ–ପାଣି ସେ ପାଇପାରେ ନାହିଁ । ସେମିତି ସହରକୁ ଆସିବା ଅର୍ଥ ମରୁଭୂମିରେ ପାଣିପାଇଁ ଦଉଡ଼ିବା । ଗୋଟାଏ ଭୋକିଲା କୁଟୁମ୍ବ ଯେତେବେଳେ ଭୋକିଲା ପେଟର ଶୋଭାଯାତ୍ରା କରି ସହର ଭିତରର ବଡ଼ ରାସ୍ତା ପାଖକୁ ଆସନ୍ତି, ସେତେବେଳେ ଦେଖନ୍ତି, ତାଙ୍କରି ଭଳି ଆଉ କେତେ ନଅଙ୍କିଆ ମିଣିପେ ମାଇପେ କଚରା ଟିଣକୁ ବେଢ଼ି ସେଠୁ ଭାତ ବାଛି ଖାଉଥାନ୍ତି–ସେଠି ସହଜେ ସୁଯୋଗ ଜୁଟିବ କୁଆଡ଼ୁ ? ଖୁବ୍‌ କଷ୍ଟରେ ଗୋଟାଏ କଚରା ଟିଣ ପାଖକୁ ଯିବାର ସୁବିଧା ଜୁଟିଲେ ସେଠି ବି ସହଜରେ ଭାତ ଚାରିଟା ଜୁଟେ ନାହିଁ । ଏଣେ ପିଲା ମାଇପେ ଦୂରରେ ଭାତପାଇଁ ଅନାଇ ବସିଥାନ୍ତି–ପୁଅ ଯେତେବେଳେ ଭୋକରେ କାନ୍ଦିଉଠି ମା’କୁ ଭାତ ମାଗେ, ମା’ କହେ ‘ବାପା ଯାଇଚି ଭାତ ଆଣିବାକୁ–ଏଇ, ସେଇ ଅଳିଆଟିଣ ପାଖକୁ, ଆସିଲେ ଦେବି’ । ମାତ୍ର ଭାତ ଚାରିଟା ପାଇବାକୁ ଯେ ବାପକୁ ଭୋକିଲା କୁକୁର ସଙ୍ଗରେ ଲଢ଼େଇ କରିବାକୁ ପଡ଼େ, କୁକୁର ମୁହଁରୁ ଅଇଁଠାପତର ଛଡ଼େଇବାକୁ ପଡ଼େ, ଏ କଥା କଣ ସେ ପିଲାଛୁଆ ବୁଝନ୍ତି ? ବାପା ଭାତ ଚାରିଟା ପାଇବାକୁ କୁକୁର ସାଙ୍ଗରେ ଲଢ଼େଇ କରେ, ପେଜମନ୍ଦାଏ ଆଣିବାକୁ ହଡ଼ା ବଳଦ ସହିତ ଠେଲାପେଲା ଲଗାଇବାକୁ ପଡ଼େ–ନିରାଶ ହୋଇ ଫେରିଲାବେଳକୁ ପିଲାଗୁଡ଼ାକ ‘ବାପା–ଖାଇବୁ’ ‘ବାପା–ଖାଇବୁ’ କହି ବାପାକୁ ବ୍ୟସ୍ତ କରି ପକାନ୍ତି–ବାପା ଭାବେ, ଏ ପିଲାଗୁଡ଼ାକ ସବୁ ଅନିଷ୍ଟର ମୂଳ–ଏ ଅଲକ୍ଷଣା ଅମଙ୍ଗଳିଆଙ୍କୁ ଦୂର କରିଦେଲେ ଭଲ ! ଏ କଥା ବିଚାରି ପୁଣି ଭାତ ଆଣିବାର ବାହାନା ଦେଖାଇ ସେ ଦୂରକୁ ଚାଲିଯାଏ–ଆଉ ସେ ଫେରେ ନାହିଁ, ତାର ନିଜଭାଗ୍ୟକୁ କେବଳ ମୁଣ୍ଡରେ ବୋଝେଇ କରି ସେ ନିଶ୍ଚିନ୍ତରେ ଚାଲିଯାଏ । ଏଣେ ପିଲାଗୁଡ଼ାକ ବାପା ଆସିବାକୁ ଅନାଇ ବସିଥାନ୍ତି - କିନ୍ତୁ ବାପା ଯେ ଅନ୍ୟଆଡ଼େ ଚାଲିଗଲା ! ପିଲାଗୁଡ଼ାକ ଏ କଥା ଜାଣିବେ କୁଆଡ଼ୁ । ଏଇପରି ଅନାଇ ବସି ବସି ଏପରି ଗୋଟାଏ ସମୟ ଆସି ପହଞ୍ଚେ ଯେତେବେଳେ ଆଉ ଅନାଇ ରହିବା ଦରକାର ପଡ଼େ ନାହିଁ–ଆଖିପତା ଥକିଯାଇ ବଳେ ବଳେ ବୁଜି ହୋଇଯାଏ-ଦେହ ହାତ ଗୋଡ଼ ସବୁ କାକର ହୋଇଯାଏ, ଭୋକର ଜାଳା ଉଭେଇ ଯାଏ, ଆଉ ଭାତର ଆବଶ୍ୟକତା ରହେ ନାହିଁ–ପିଲାଏ ଶାନ୍ତି ପା’ନ୍ତି ।

 

ଦୁଇ ତିନି ଦିନର ପିଲା କିଛି ଜାଣେ ନାହିଁ । ମାଆ ଦୁଧଖାଇ ମାଆ ମୁହଁ ଚାହିଁ ସେ ବଢ଼େ । ମାତ୍ର ଯେଉଁ ଦେଶରେ ମା’ ର ସ୍ତନରେ ଦୁଧ ନ ଥାଏ, ଯେଉଁଠି ମା ପିଲାକୁ ବୁଝାଇ ରଖିବାକୁ କଞ୍ଚାପାଣି ଶାମୁକାଏ ପିଲାପାଟିରେ ଦିଏ, ସେତେବେଳେ ପିଲା ବୁଝିବ କୁଆଡ଼ୁ ? କଲିକତାରେ ଆଜି ଏଇ କଥା ନିତି ନିତି ଦେଖିବାକୁ ମିଳିବ–ତା ସାଙ୍ଗକୁ ଦେଖିବାକୁ ମିଳିବ ସରକାରଙ୍କର ‘ଟିଉନିସିଆ ଦିନ’ର ଶୋଭାଯାତ୍ରା, ଆଉ କାହାର ‘ଋଷ ଦିନ’ର ଶୋଭାଯାତ୍ରା । ଏଇ ଭୋକିଲା ପିଲାଙ୍କୁ ଦୁଧ ଦେଇ, ଏଇ ଭୋକିଲା ମଣିଷଙ୍କୁ ପେଜପାଣି ଦେଇ ସେମାନଙ୍କୁ ସୁସ୍ଥ କରି ତାଙ୍କରି ଶୋଭାଯାତ୍ରା ନେବା କଥା କେହି କେବେ ଭାବିଚି କି ? କିନ୍ତୁ ଏଇମାନଙ୍କୁ ନେଇ ଯେଉଁ ଯାତ୍ରା ହେବ, ସେ ଯେ ପୂର୍ଣ୍ଣବିଜୟର ଯାତ୍ରା ହେଉ, ଏ କଥା କେହି କେବେ ଅସ୍ୱୀକାର କରିପାରିବ କି ? ଯାହାକୁ ଭୋକ କରୁଚି, ସେଇ ସିନା ଭୋକ ବିରୁଦ୍ଧରେ ଭଲ ଲଢ଼େଇ କରି ଜାଣିବ ! ଯିଏ କଷ୍ଟ ଭୋଗ କରୁଚି, ସେଇ ସିନା କଷ୍ଟ ବିରୁଦ୍ଧରେ ଲଢ଼େଇ କରିବ । ଯାହାର ତଣ୍ଟି ପ୍ରତିଦିନ ଚିପା ହେଉଚି, ସେଇ ସିନା ତା’ର ପ୍ରତିଶୋଧ ନେଇ ପାରିବ !

 

ଭାରତର ଆର୍ଥିକ ଅବସ୍ଥାର ଚିତ୍ର ଠିକ୍‌ ଏଇପରି । ଏ ଦେଶ ଗୋଟାଏ ନ’ଅଙ୍କର ଦେଶ-। ସବୁ କାଳେ ଏଠି ନ’ଅଙ୍କ ଲୀଳା ଚାଲିଛି । ଏଠି ବାପ ମା ବନ୍ଧାଛନ୍ଦା କରି ପୁଅକୁ ପାଠ ପଢ଼ାନ୍ତି, ମାତ୍ର ପାଠ ପଢ଼ିସାରିଲେ ପୁଅ ଆସି ସେହି ବୁଢ଼ା ବାପମା’ଙ୍କ ବେକରେ ବନ୍ଧାହୁଏ । ସେ ଚାକିରୀ ଖୋଜେ, ନିଜର ଯୋଗ୍ୟତା ଦେଖାଇ, ବଡ଼ ବଡ଼ ଧନୀଲୋକଙ୍କର, ରାୟବାହାଦୂରଙ୍କର ସୁପାରିଶ ଦେଖାଇ, ପ୍ରତିଦିନ ଗୋଟାଏ ଲେଖାଏଁ ଦରଖାସ୍ତ ପକାଏ, ତଥାପି ଚାକିରୀ ଜୁଟେ ନାହିଁ-। ଗୋଟାଏ ଚାକିରୀ ପାଇଁ ଶହ ଶହ ଦରଖାସ୍ତ ପଡ଼େ–ଖଣ୍ଡେ ଚାଳିଶ ଟଙ୍କିଆ କିରାନୀଗିରି ମଧ୍ୟ ଆମ ବି.ଏ., ଏମ୍‌.ଏ., ପାସ୍‌ବାଲା ଯୁବକମାନେ ପାଇ ପାରନ୍ତି ନାହିଁ । ଚାକିରି ଯେତେବେଳେ ନ ଜୁଟେ, ପୁଅ ଭାବେ ଏତେ ପାଠପଢ଼ି ବୃଥା ହେଲା । ଘରେ ବାପ ମା’ଙ୍କର ଆଶା ମଧ୍ୟ ଭାଙ୍ଗିଯାଏ-ବେକାର ପୁଅକୁ ବେକରେ ବାନ୍ଧିବାକୁ ସେମାନଙ୍କୁ ଭଲ ଲାଗେ ନାହିଁ, ପରିବାରର ଶାନ୍ତି ନଷ୍ଟ ହୁଏ-। ଶେଷରେ ବେକାର ଯୁବକ ଚଳନ୍ତା ରେଳଲାଇନ ଆଗରେ ଠିଆହୋଇ ଆତ୍ମହତ୍ୟା କରେ–ପଥର ଉପରେ ମୁଣ୍ଡପିଟି ପ୍ରାଣ ହରାଇ ଦିଏ-ବାପମା’ଙ୍କର ଆଶା ଭରସା, ବନ୍ଧାଛନ୍ଦା ଧନ ସବୁ ପାଣିରେ ପଡ଼େ ।

 

ଦିନେ ଯେତିକି ଯେତିକି ଆଗକୁ ଯାଉଚି, ଏ ବେକାରସମସ୍ୟା ସେତେ ସେତେ ବଢ଼ି ବଢ଼ି ଚାଲିଚି । ତଥାପି ସେ ପାଠପଢ଼ା, ସେ ବନ୍ଧାଛନ୍ଦା ଭିତରେ ସମସ୍ତେ ପଡ଼ୁଚନ୍ତି । ଆମେରିକାରେ ଜଣେ ଲୋକର ଦୈନିକ ଆୟ ୧୩ ଟଙ୍କା–ବିଲାତରେ ଜଣେ ଲୋକ ଦିନକୁ ୬୧ ଟଙ୍କା ରୋଜଗାର କରେ । ମାତ୍ର ଆମ ଦେଶର ଲୋକଙ୍କର ଦିନକୁ ଆୟ ମୋଟେ ଛ’ଟା ପଇସା–ଏଇ ଛ’ଟା ପଇସା ପୁଣି ଶତକଡ଼ା ୮୦ ଲୋକଙ୍କ ହାତରେ ପଡ଼େ ନାହିଁ । କେତେ ଗରିବଙ୍କର ୬ ପଇସା ଚୋରାଇ ଏ ଦେଶର ବଡ଼ ବଡ଼ ଚାକିରିଆ ମୋଟା ଦରକା ପାଇ ପୋଷା ହୁଅନ୍ତି । ସେଥିପାଇଁ କେତେ ଲୋକଙ୍କ ଅଣ୍ଟାରେ ଫଟ ପାହୁଲାଟାଏ ମଧ୍ୟ ମିଳେ ନାହିଁ-ସେଥିପାଇଁ ରାସ୍ତା କଡ଼ରେ କେତେ ଭିକାରୀ ବୁଲିବାର ଦେଖିବାକୁ ମିଳେ । ଏ ଦେଶର ସହର ଆଉ ଗାଁ-ଦୁହିଁଙ୍କ ଭିତରେ ସ୍ୱର୍ଗ ଆଉ ନରକର ତଫାତ୍ । ଗାଁର ଲୋକ ସହର ଦେଖିବାକୁ ଟଙ୍କା କରଜ କରି ଆସନ୍ତି, ଆଉ ସହର ଲୋକେ ଗାଉଁଲୀ ଲୋକଙ୍କୁ ‘ମଫସଲିଆ’ କହି ଘୃଣା କରନ୍ତି । ସହରରେ ଏତେ କୋଠା, ଏତେ ମଟର, ଏତେ ଗାଡ଼ି-ଗାଁ ଲୋକର ତ ଏସବୁ ଦେଖିବାକୁ ସୁବିଧା ନ ଥାଏ–ସେଥିପାଇଁ ବିଜୁଳି ଆଲୁଅ ଦେଖି ସେ ଚମକି ପଡ଼େ–ଗାଁର ସରହଦ ପାରି ହୋଇ ଏ ଯୁଗର ନୂଆ ନୂଆ ଜିନିଷ ଦେଖିବାର ସୁଯୋଗ ମଧ୍ୟ କେତେଜଣଙ୍କୁ ଜୁଟେ ନାହିଁ ।

 

ଏଥର କଥାଟାକୁ ମୋଟାମୋଟି ଦେଖିବା । ଆମେ ସମାଜ ଉପରେ ଭଲକରି ଆଖି ପକାଇଲେ ଦେଖି ପାରିବା ସମାଜରେ ବର୍ତ୍ତମାନ ଦୁଇଟି ଶ୍ରେଣୀ ସୃଷ୍ଟି ହୋଇଚି । ଗୋଟିଏ ଥିଲାବାଲା ଶ୍ରେଣୀ ଆଉ ଗୋଟିଏ ‘ନ ଥିଲା ବାଲା’ ଶ୍ରେଣୀ । ‘ଥିଲାବାଲା’ ମାନେ ବିନା ପରିଶ୍ରମରେ ବଡ଼ ବଡ଼ ଜମିଦାରୀ ଦଖଲ କରି ବା ବଡ଼ ବଡ଼ କଳ କାରଖାନା ବସାଇ ଅୟସରେ ଟଙ୍କା ଉଡ଼ାନ୍ତି । ‘ନ ଥିଲାବାଲା’ ମାନେ ଛିଣ୍ଡା କନା ଖଣ୍ଡେ ପିନ୍ଧି ଜମିଦାର ଜମିରେ ହଳକରି ବା କଳମାଲିକ ପାଖରେ କୁଲିଭାବରେ ମୁଣ୍ଡବିକି ପଡ଼ି ରହନ୍ତି । ଗାଁ-ଗହଳକୁ ଗଲେ ଆମେ ଦେଖିବା ଆଜିକାଲି ସମସ୍ତେ ଚାଷକରି ଶିଖିଲେଣି । ବ୍ରାହ୍ମଣ, କରଣ, ଭଣ୍ଡାରୀ, ତନ୍ତୀ, ବଢ଼େଇ ସମସ୍ତେ ନିଜ ନିଜର ସନ୍ତକ ବା କଲମଛାଡ଼ି ଲଙ୍ଗଳ ଧରିଲେଣି । ଜମି ଭାଗ ଭାଗ ହୋଇ ଜମିର ଆକାର ଏତେ ଛୋଟ ହେଲାଣି ଯେ ସେଥିରେ ଲଙ୍ଗଳ ବୁଲିବା କଷ୍ଟକର କଥା ହେଉଚି । ତଥାପି ଆମ ଦେଶର ଭାଗ୍ୟ ପୁରୁନାହିଁ । ବରଷଯାକ ଖଟି ଖଟି ମଧ୍ୟ ମୂଲିଆର କରଜ ଦିନକୁ ଦିନ ବଢ଼ି ଚାଲିଚି–ବାଗ ପଡ଼ିଲେ ଜମିଦାରକୁ ଗୁଜା ଲେଖିଦେଇ ସେ ନାଲିସରୁ ରକ୍ଷା ପାଉଛି । ଗୋଟାଏ ପାଖରେ ଦେଶର ରାଜା, ମହାରାଜା, ନବାବ, ଜମିଦାର, କଳମାଲିକ, ମହନ୍ତ ରହିଚନ୍ତି, ଆଉ ଗୋଟିଏ ପାଖରେ ମୂଲିଆ ଓ ଚାଷୀ–ଦୁହିଁଙ୍କ ଭିତରେ ସବୁବେଳେ ସଂଘର୍ଷ ଚାଲିଚି । ଥିଲାବାଲାମାନେ ଅପର ପକ୍ଷର ତଣ୍ଟିଚିପି ପଳ ପଳ କରି ମାଂସ ନିଲାମ କରି ନିଜର ସିନ୍ଦୂକ ପୂରାଇବାରେ ଲାଗିଚନ୍ତି, ଆଉ ‘ନ ଥିଲାବାଲା’–ମାନେ ଉପର ପାହିଆବାଲାକୁ ଦେଇ ନିଜ ଧନରୁ ଖାଇବାପାଇଁ କିଛି ବଞ୍ଚାଇବାରେ ବ୍ୟସ୍ତ ଅଛନ୍ତି–ସମାଜରେ ବର୍ତ୍ତମାନ ଏଇ ଦୃଶ୍ୟ ଦେଖିବାକୁ ମିଳିବ । ମାତ୍ର ଏ ଯୁଦ୍ଧରେ ଜିତୁଛନ୍ତି ସେମାନେ, ଯେଉଁମାନଙ୍କ ପାଖରେ ପଇସା ଅଛି, ଯାହାଙ୍କପାଇଁ କଚେରୀ ଯେତେବେଳେ ତାର ନିଅଣ୍ଟ ହେଉଚି ସେତେବେଳେ ସେ ଜମି ବିକି କାଳିମାଟି ବା କଲିକତାରେ କାମ କରିବାକୁ ଚାଲିଯାଉଚି ବା ରେଙ୍ଗୁନ ଯିବା ପାଇଁ ଗୋପାଳପୁରରେ ଟିକଟ କିଣୁଚି । ଗୋଟାଏ ପାଖ ବାଘଭଳି ଝାମ୍ପି ନେବାକୁ ଟାକି ବସିଚି, ଆରପାଖର ମେଣ୍ଢା ଡରି ଡରି ସଢ଼ାପଚା ଘାସ ଟୁଙ୍କି ଖାଇବାକୁ ଚେଷ୍ଟା କରୁଚି । ସମାଜରେ ଏଇ ଯେଉଁ ବଡ଼ ସାନ ଭେଦ, ଏ ଦିନକୁ ଦିନ ବଢ଼ି ବଢ଼ି ଚାଲିଚି । ଗୋଟାଏ ଲୋକର ଟଙ୍କା ଜମା ହୋଇଚି ବୋଲି ସେ ତାର ମନଇଚ୍ଛା ସବୁ ଆନନ୍ଦ ଅୟସ କରିବାରେ ଲାଗିଚି ଆଉ ଗୋଟାଏ ଲୋକ ଖାଇବାକୁ ପିନ୍ଧିବାକୁ ନପାଇ ସର୍ବସ୍ୱାନ୍ତ ହୋଇ ବସିଚି । ଗୋଟାଏ ପାଖରେ ସର୍ବାଧିକାରୀ, ଆଉ ଗୋଟାଏ ପାଖରେ ସର୍ବହରା–ଏଇ ହେଉଚି ଆମ ସମାଜର ଆର୍ଥିକ ରୂପ ।

 

ଧନୀ ଆଉ ଗରୀବ–ଯେମିତି ପାଣି ଆଉ ତେଲ–କେବେ ହେଲେ ମିଶିବାକୁ ଚାହାନ୍ତି ନାହିଁ । ତେଲ ପାଣି ଉପରେ ଭାସିଲାପରି ଧନୀ ଚାହେଁ ଗରିବ ଉପରେ ଭାସିବାକୁ–ଗରିବକୁ ତଳକୁ ଦବାଇ ଦେଇ ସେ ବଞ୍ଚି ରହିବାକୁ ଚାହେଁ । ଧନୀ ହେଉଚି ସମାଜର ନିର୍ମୂଳି ଲଟାଗଛର ସାର ନେଇ ମାଡ଼ିବା ଓ ଶେଷରେ ଗଛଟିକୁ ମାରିଦେବା ହେଉଚି ଏହାର ଉଦ୍ଦେଶ୍ୟ । ଆମ ସମାଜ ଏମିତି ଗଢ଼ା ହୋଇଚି, ଯାହା ଫଳରେ କି ଧନୀ ଦିନକୁ ଦିନ ଧନୀ ଆଉ ଗରିବ ଦିନକୁ ଦିନ ଗରିବ ହୋଇ ଚାଲିଚି । ଗୋଟାଏ ପାଖରେ ଦିଲ୍ଲୀର ରାଜଭବନ-ତା ଆଗରେ ଭଙ୍ଗା ତୁଟା ପତର କୁଡ଼ିଆ–ତଥାପି ଏ କୁଡ଼ିଆଉପରେ ରାଜଭବନର ଆଖି ପଡ଼ୁଚି । ପତର କୁଡ଼ିଆର ସୁଖ ସେ ସହିପାରୁ ନାହିଁ । ଶୀତରେ ଥରି ଥରି ଉହ୍ମେଇ ଜାଳି ଗରିବ ଚାଷୀ ଯେତେବେଳେ ଖଞ୍ଜଣୀ ବଜାଇ ‘ମନବୋଧ ଚଉଚିଶା’ରୁ ପଦେ ଗାଉଚି, ଜମିଦାରର ଈର୍ଷା ହେଉଚି, ସେ କହୁଚି, ଏ ମୋ’ଠାରୁ ସୁଖରେ ଅଛି । ରାସ୍ତା କଡ଼ରେ ରିକ୍‌ସାବାଲାକୁ ବିଡ଼ି ଖାଉଥିବାର ଦେଖି ଧନୀ ବାବୁ ଭାବୁଚି, ‘ଏ ଶଳାଏ ଖୁବ୍ ମଜାରେ ଅଛନ୍ତି’ ।

 

(ଖ) ଆମ ଦେଶର ସାମାଜିକ ଦଶା

 

କୁକୁଡ଼ା ଛୁଆ ଯେମିତି ଡିମ୍ବରୁ ବାହାରେ, ସେମିତି ଦାନା ଖାଇବାକୁ ଶିଖିଯାଏ । ବାଛୁରୀ ଜନ୍ମହେବା କ୍ଷଣି ଏଣେ ତେଣେ ଡେଇଁବାକୁ ଲାଗେ । ମାତ୍ର ମଣିଷ କଥା ନିଆରା–ମଣିଷ ଜନ୍ମହେବା କ୍ଷଣି ଖାଇପାରେ ନାହିଁ ବା ଠିଆହୋଇ ଚାଲିପାରେ ନାହିଁ । ଶିଶୁର ବଡ଼ ମଣିଷ ପରି ହାତ, ଗୋଡ଼, ପାଟି ସବୁ ଥାଏ, ମାତ୍ର ଜନ୍ମହେବା ପରେ ସେ ମାଟି ପଣ୍ଡୁଳାପରି ଭୂଇଁ ଉପରେ ପଡ଼ିରହେ–ଖାଲି ‘କୁଆଁ’ ‘କୁଆଁ’ ହୋଇ କାନ୍ଦିବାଟା ସେ ଆଗରୁ ଶିଖିଥାଏ । ଅନ୍ତୁଡ଼ିଶାଳରେ ମା ଛଡ଼ା ତା ପାଇଁ ଜଣେ ଧାଈ ଦରକାର ହୁଏ । କୋଇଲି ତା ଡିମ୍ୱ ନେଇ କାଉ ବସାରେ ରଖିଦେଇ ଆସେ, ଡିମ୍ୱ ଫୁଟି ସେଇଠି ଛୁଆ ବାହାରେ–ଛୁଆ ସେଇଠି ଉଡ଼ି ଶିଖି ପୁଣି ମା’ ପାଖକୁ ଫେରିଆସେ । ମାତ୍ର ମଣିଷ କଥା ଅଲଗା–ମଣିଷପିଲାକୁ ଜନ୍ମହେବା ଦିନରୁ ବାଗେଇବାକୁ ପଡ଼େ-। ନିଆଁ ସେକଦେଇ ତା’ ହାଡ଼କୁ ପାକଳ କରିବାକୁ ପଡ଼େ–ତାକୁ କ୍ରମେ ଖୁଆଇ ଶିଖାଇବାକୁ ପଡ଼େ–ଚଲାଇ ଶିଖାଇବାକୁ ପଡ଼େ । ପିଲା ବଢ଼ିଗଲେ ସେ ସମାଜରୁ ଅନୁକରଣ କରିବାକୁ ଚେଷ୍ଟା କରେ–ସମାଜରୁ ଶିଖି ସେ ‘ମା’ ‘ବା’ ଡାକିବାକୁ ଲାଗେ–ତାର ପାଟି ଖୋଲିଯାଏ । ଏ ସମାଜ ଭିତରୁ ସେ ମଣିଷର ହାବଭାବ ଶିଖେ–ଏଇଠି ପାଠ ପଢ଼େ–ଏଇଠି ଜୀବନ ଗଢ଼େ । ସମାଜ ବିନା ମଣିଷ ମଣିଷ ହୋଇ ପାରିବ ନାହିଁ । ମଣିଷ ପିଲା ଏମିତି ଉପାଦାନରେ ଗଢ଼ା, ତାକୁ ଯେଉଁଠି ଛାଡ଼ିଦେବ ସେ ସେଇଠିକାର ପରିସ୍ଥିତି ଅନୁସାରେ ବଢ଼ିବ । ଜଣେ ସାହେବ କେତୋଟି ପିଲାଙ୍କୁ ଗୋଟିଏ ଗଧିଆ ପାଖରେ ଛାଡ଼ି ଦେଇଥିଲେ । ପନ୍ଦର କୋଡ଼ିଏ ବର୍ଷ ପରେ ମଧ୍ୟ ସେ ପିଲାମାନେ କଥା କହି ଶିଖି ନ ଥିଲେ, ମାଂସ ଛଡ଼ା ଅନ୍ୟ କିଛି ଖାଇ ଜାଣି ନ ଥିଲେ, ଶିକାର କରିବାକୁ, ଗଧିଆପରି ହେଣ୍ଟାଳ ଦେବାବୁ ଭଲ ପାଉଥିଲେ ।

 

ଆମେ ଜାଣିଲୁ କେବଳ ସମାଜ ଭିତରେହିଁ ମଣିଷ ରହିପାରିବ । ସମାଜ ଢଙ୍ଗରଙ୍ଗ ଅନୁସାରେ ମଣିଷର ଢଙ୍ଗରଙ୍ଗ ବଦଳିବ । ଭଲ ସମାଜରେ ଗୋଟିଏ ପିଲାକୁ ଆମେ ଯଦି ଏମିତି ଲୋକଙ୍କ ଭିତରେ ଛାଡ଼ିଦେବା । ଯେଉଁମାନେ ଆପଣା ଆପଣା ଭିତରେ କଳି କରୁଥିବେ, କେହି କାହାରି ଶିରୀ ଦେଖିପାରୁ ନ ଥିବେ, ଜଣେ ଅନ୍ୟର ସବୁବେଳେ ଅମଙ୍ଗଳ ପାଞ୍ଚୁଥିବ, ଅନ୍ୟ ନାଁରେ ଷଡ଼ଯନ୍ତ୍ର ପାଞ୍ଚୁଥିବ, ତେବେ ସେ ପିଲା ମଧ୍ୟ ସେଇପରି ଖରାପ ଚରିତ୍ରର ହେବ । ମାତ୍ର ଯେଉଁ ସମାଜର ପ୍ରତ୍ୟେକ ଲୋକ ମିଳିମିଶି ସମସ୍ତଙ୍କର ମଙ୍ଗଳ କାମ କରୁଥିବେ, କେହି ଅନ୍ୟର ଅମଙ୍ଗଳ ପାଞ୍ଚୁ ନ ଥିବେ, ଯାହା ଉପୁଜାଉଥିବେ, ତାକୁ ସମସ୍ତେ ସମାନ ଭାବରେ ବାଣ୍ଟିକୁଣ୍ଟି ନେଉଥିବେ, ତେବେ ଯେ ସମାଜରେ ପ୍ରତ୍ୟେକ ପିଲାଙ୍କ ଚରିତ୍ର ଭଲ ହେବ, ସେମାନେ ମଧ୍ୟ ଯାହା କରିବେ, ତାହା ସମସ୍ତଙ୍କର ଭଲପାଇଁ କରିବେ ।

 

ମାତ୍ର ଭାରତର ସମାଜ ଆଜି ଏମିତି ଛାଞ୍ଚରେ ଗଢ଼ି ଉଠିଚି, ଯାହା ଫଳରେ କି ସମସ୍ତଙ୍କ ଉପକାର ଦୃଷ୍ଟିରୁ କେହି କୌଣସି କାମ କରୁନାହାନ୍ତି । ସମସ୍ତେ ନିଜ ନିଜର ପେଟପାଟଣାରେ ବ୍ୟସ୍ତ–କିଏ ନିଜର ପଇସାକୁ ଦି’ପଇସା କରିବାରେ ଲାଗିଚି ତ କିଏ ବଖରାକୁ ଦି’ବଖରା କରିବାରେ ଲାଗିଚି, କାହାରି ପ୍ରତି କାହାରି ଦୃଷ୍ଟି ନାହିଁ । ଜଣକ ଘରେ ପୁଷମାସ ପଡ଼ିଚି ତ ଆଉ ଜଣକ ଘରେ ସର୍ବନାଶ ଲାଗିଚି । ଜମିର ଆକାର ଛିଣ୍ଡି ଚାଖଣ୍ଡେ ହେଲାଣି, ତଥାପି ସମସ୍ତଙ୍କର ଜମି ମିଶାଇ ଏକାଠି ଚାଷ କରିବାକୁ କାହାରି ମନ ନାହିଁ । ସେଇ ଚାଖଣ୍ଡେ ଜମିରେ ଲଙ୍ଗଳ ଘୋଷରା ଚାଲିଚି । ଗୋଟାଏ ଗାଁରେ ହଇଜା ଲାଗିଚି, ତଥାପି ଅନ୍ୟ ଗାଁର ଲୋକମାନଙ୍କର ସେଥିଲାଗି କୌଣସି ଚିନ୍ତା ନାହିଁ ମୋ ଘରେ ମୁଁ ଅଛି, ତା ଘରେ ସିଏ ଅଛି, ମୋ ପାଇଁ ମୁଁ କାମ କରୁଚି, ତା ପାଇଁ ସିଏ କାମ କରୁଚି, ମାତ୍ର ଯାହାଦ୍ୱାରା ସମସ୍ତଙ୍କର ଉପକାର ହେବ, ସେପରି ଗୋଟାଏ କଥା କେହି କରୁ ନାହାନ୍ତି, ସମସ୍ତଙ୍କର ପରିଶ୍ରମ ଖଟାହେଲେ ସେ ଭଲକାମ କରିପାରିବ, ଏ କଥା କାହା ମନରେ ପଶୁ ନାହିଁ ।

 

ଏଇପରି ମନୋଭାବ ରହିବାଦ୍ୱାରା ଦେଶର ଯେ କି କ୍ଷତି ହେଉଚି, ସେ କଥା କେହି ଭାବି ପାରୁନାହାନ୍ତି । ଆମ ଦେଶରେ ଧନୀ ଅଛନ୍ତି, ଗରିବ ମଧ୍ୟ ଅଛନ୍ତି । ଧନୀର ଟଙ୍କା ଅଛି, ସେ ଯାହା ଇଚ୍ଛା ତା କରିପାରୁଚି, ଯାହା ମନ ହେଉଚି ସେ କଥା ପଢ଼ିପାରୁଚି, ଭଲ ଭଲ ଚିଜ ଖାଇପାରୁଚି, ଭଲ ଲୁଗା ପିନ୍ଧି ପାରୁଚି, ଭଲ ଯାଗା ଦେଖି ପାରୁଚି । ଗରିବ ସେ କଥା କରିପାରୁନାହିଁ । ମଣିଷ ଧନୀ କିପରି ହୁଏ ? ମୋ ବାପ ଅଜା ଖାଇବା ପିଇବାରୁ ସଞ୍ଚି ଗୁଡ଼ାଏ ଟଙ୍କା ରଖି ଯାଇଥିଲେ, ମୁଁ ବର୍ତ୍ତମାନ ତାକୁ ଭୋଗ କରୁଚି, ହୋଇପାରେ ସେମାନେ କୋଉଠି ଚାକିରି କରି, ବ୍ୟବସାୟ କରି ଗୁଡ଼ାଏ ଟଙ୍କା ନେଇ ଆସିଥିଲେ, ବାଟୀ ବାଟୀ ଜମି କିଣି ପକାଇଥିଲେ, ସେଇ ଜମି ବା ଟଙ୍କାକୁ ମୁଁ ମୌରସୀ ସମ୍ପତ୍ତିରୂପେ ଭୋଗ କରୁଚି । ଏ ସମ୍ପତ୍ତି ଅର୍ଜିବାରେ ମୋର ଟୋପାଏ ହେଲେ ଝାଳ ବୋହି ନାହିଁ, ମୁଁ ଏଥିପାଇଁ ଟିକିଏ ହେଲେ କାମ କରି ନାହିଁ । ଅଥଚ ମୁଁ ଆଜି ଧନୀ ସାଜି ବସିଚି, ମୋର ମନଇଚ୍ଛା ଅୟସ କରୁଚି, ମଦ ପିଉଚି, ମଟର ଚଢ଼ୁଚି, ଦାସୀ ରଖୁଚି, ବେଶ୍ୟାଘର ଯାଉଚି । ମୋର ପୁଅ ପାଇଁ ମୁଁ ଟିଉସନ ମାଷ୍ଟର ଖଞ୍ଜି ଦେଇ ପାରୁଚି, ତାକୁ ପଢ଼ିବାପାଇଁ ବିଲାତ ପଠାଇ ପାରୁଚି । ମାତ୍ର ମୋଠାରୁ ଯେଉଁମାନଙ୍କର ଅବସ୍ଥା ଖରାପ ସେମାନଙ୍କର ବାପ ଅଜା ହୁଏ ତ ଦାନାରୁ ମାରି ପଇସା ସଞ୍ଚି ନଥିଲେ, ସେଥିପାଇଁ ସେମାନେ କଷ୍ଟ ଭୋଗୁଚନ୍ତି, ଦିନରାତି ଖଟି ଖଟି ପେଟ ଚାଖଣ୍ଡକ ପୁରୁ ନାହିଁ । ଭଲ ଜିନିଷ ଚାଖିବା ତ ଦୂରର କଥା ବଗଡ଼ା ଭାତ ମୁଠାଏ ଆଉ ଲୁଣ ଚିମୁଟାଏ ମଧ୍ୟ ସେମାନଙ୍କୁ ନିତି ମିଳୁ ନାହିଁ । ମୁଁ ପରିଶ୍ରମ କରୁନାହିଁ, ଅଥଚ ଆନନ୍ଦରେ ବାପ ଅଜାଙ୍କ ସମ୍ପତ୍ତି ଭୋଗ କରୁଚି, ସେମାନେ ଖଟି ଖଟି ମରୁଚନ୍ତି, ଅଥଚ ତାଙ୍କ ପେଟରେ ଓଦାକନା ପଡ଼ୁଚି । ମୋ ବାପ ମା’ ଯେଉଁ ସମ୍ପତ୍ତି ଅର୍ଜିଚନ୍ତି, ସେ ସମ୍ପତ୍ତି ତ ସେମାନେ ସରଗରୁ ଟାଣିଆଣି ନାହାନ୍ତି, ସେମାନେ ଏଇ ସମାଜର କେତୋଟି ଗରିବଗୁରୁବାଙ୍କର ତଣ୍ଟି ଚିପି, କାହାର ଘରଡ଼ିହ ନିଲାମ କରି ଟଙ୍କା ସଞ୍ଚିଚନ୍ତି । ତେଣୁ ତାଙ୍କର ସମସ୍ତ ଜିନିଷ ଏଇ ସମାଜର ଜିନିଷ । ତାହାହେଲେ ମୁଁ ବିନା ପରିଶ୍ରମରେ ସମାଜର ମାଲ ଭୋଗ କରୁଚି, ଅଥଚ ସମାଜର ଅନ୍ୟାନ୍ୟ ଅନେକ ଲୋକ (ସେମାନଙ୍କର ନିଶ୍ଚୟ ମୋ ସମ୍ପତ୍ତିରେ ଅଧିକାର ଅଛି) ସର୍ବହରା ହୋଇ ବସିଚନ୍ତି । ଆଉ ଗୋଟାଏ ଆଡ଼ୁ ଭାବିଲେ, ମୁଁ ଯେଉଁ ସମ୍ପତ୍ତିର ମାଲିକ, ତାକୁ ଭୋଗକରିବାର ଅଧିକାର କଣ ମୋର ଅଛି ? ମୋର ବାପ ଅଜା ଦିହରୁ ଝାଳ ବୁହାଇ ବା ବୁଦ୍ଧି ଖର୍ଚ୍ଚ କରି ଯେଉଁ ସମ୍ପତ୍ତିମାନ କରିଥିଲେ, ମୁଁ କଣ ସେ ସବୁ ଭୋଗ କରିବାର ଉପଯୁକ୍ତ ? ମୋର ବାପ ଅଜାଙ୍କର ଯେଉଁସବୁ ଯୋଗ୍ୟତା ଥିଲା ମୋର କଣ ସେ ଯୋଗ୍ୟତାମାନ ଅଛି ? ମନେକର ଟାଟା କମ୍ପାନୀର ମାଲିକ ଜାମସେଦଜୀ ପିଲାଦିନେ ଗରିବ ଥିଲେ, ସେ ନିଜର ପରିଶ୍ରମ ଫଳରେ ଏତେ ବଡ଼ ଲୋକ ହୋଇ ପାରିଲେ । ତାଙ୍କର ଅନେକ ସମ୍ପତ୍ତି ବଢ଼ିଲା । ସେ ଯେତେବେଳେ ମରିଗଲେ, ତାଙ୍କର ପୁଅ ସେ ସମ୍ପତ୍ତିର ମାଲିକ ହେଲେ । ପୁଅର ସେ ଯୋଗ୍ୟତା ଅଛି କି ନାହିଁ ତା’ କେହି ଦେଖିଲେ ନାହିଁ । ଜାମସେଦଜୀଙ୍କର ପୁଅ ବୋଲି କେବଳ ସେ ସେସବୁ ସମ୍ପତ୍ତି ପାଇଲେ । ଜଣେ ଜମିଦାରର ପୁଅ ଯେ ଠିକ୍ ବାପଭଳି ଯୋଗ୍ୟ ହେବ, ସେ କଥା ମିଛ । ଜଣେ ପରିଶ୍ରମ କରି, ଟଙ୍କା ବଞ୍ଚାଇ ଜମି କିଣି ବଡ଼ ଲୋକ ହେଲା, ତା ପୁଅ ସେ ଜମି ଖଣ୍ଡ ଖଣ୍ଡ କରି ବିକି ପଇସା ଉଡ଼ଉ ପଛକେ, ସେଇ ବାପର ଉତ୍ତରାଧିକାରୀ ହେବ । ନିଜର ଯୋଗ୍ୟତା ନ ଥାଇ ସେ ସମାଜର ସମ୍ପତ୍ତି ଉପରେ ଅନ୍ୟାୟରେ ମାଲିକ ହୋଇ ବସିବ । ଆଗକାଳରେ ରାଜାମାନେ ଥିଲେ, ଦେଶ ବିଦେଶରୁ ଯେତେବେଳେ କୌଣସି ସାଧୁ ସନ୍ନ୍ୟାସୀ ଆସି ପହଞ୍ଚୁଥିଲେ, ରଜା ତାଙ୍କୁ ଚଳିବା ପାଇଁ ଖଣ୍ଡେ ଘର କରି ଦେଉଥିଲେ, ତାଙ୍କୁ ସମ୍ମାନ ଦେଖାଇ ଖଣ୍ଡେ ଜାଗିରି ଦେଉଥିଲେ ଆଉ ସେ ଜାଗିରିକୁ ନିଷ୍କର କରି ଦେଉଥିଲେ । କ୍ରମେ ସେ ଜାଗିରି ବଢ଼ି ଜମିଦାରୀ ହେଲା, ସେ ଘର ବଢ଼ି ମଠବାଡ଼ି ହେଲା । ସେଇ ସାଧୁସନ୍ନ୍ୟାସୀମାନଙ୍କର ପୁଅନାତିମାନେ ଆଜି ମଠର ମାଲିକ ହୋଇଚନ୍ତି ମାତ୍ର ଯେଉଁଥିପାଇଁ ସେ ସନ୍ନ୍ୟାସୀମାନେ ଜାଗିରି ପାଇଥିଲେ, ସେ ଗୁଣ ଆଜିକାଲିକାର ମହନ୍ତମାନଙ୍କଠାରୁ ଚାଲିଗଲାଣି । କପୂର ଉଡ଼ିଗଲାଣି, ବାସଟା ଖାଲି ରହିଚି । ଆଜିକାଲିକାର ମହନ୍ତମାନେ କପଟଚିତା କରୁଚନ୍ତି, ଭଣ୍ଡ ତପସ୍ୱୀ ସାଜୁଚନ୍ତି, କଲିକତା ସାଲୁନ (Saloon)ରେ ବାଳ କାଟୁଚନ୍ତି, ଶରୀର ରୂପର ଗୋପନ ପୂଜା କରୁଚନ୍ତି । ମହନ୍ତ କୋଉଠି ପାପାଗର୍ଭ କଲେ, କୋଉଠି କାହାର ସ୍ତ୍ରୀକୁ ଶିଖାଇ ନେଇ ଆସିଲେ, କେଉଁଠି କେଉଁ ଗରିବର ଖଜଣା ଛାଡ଼ି ତା’ର ସ୍ତ୍ରୀର ଇଜ୍ଜତ୍ ନେଲେ, ଏମିତି ମକଦମା ପୁରୀ ଅଦାଲତରେ ନିତି ଲାଗିଥାଏ । ତଥାପି ଏମାନେ ମଧ୍ୟ ସେଇ ବାପ ଅଜାଙ୍କର ସମ୍ପତ୍ତିରେ ମାଲିକ ହୋଇ ବସିଚନ୍ତି- ଆସେମ୍ଲିରେ ମେମ୍ୱର ହେଉଚନ୍ତି, ଲାଟ ବଡ଼ ଲାଟଙ୍କୁ ଚାହାଭୋଜୀ ଦେଉଚନ୍ତି, ସାହବନାଚ ମେଳାରେ ଯାଇ ଧଳା ପିକାଖାଇ ବସୁଚନ୍ତି, ମଟର ଚଢ଼ି ବୁଲୁଚନ୍ତି । ଅଥଚ ଯେଉଁମାନଙ୍କର ଭିତରେ ବୁଦ୍ଧି ଅଛି ସେମାନେ କାଙ୍ଗାଳ ହୋଇ ବୁଲୁଚନ୍ତି । ଆମର ସମାଜ ଏମିତି ଗଢ଼ା ହୋଇଚି ଯେ ସେଥିରେ ଉନ୍ନତି କରିବାର ସୁବିଧା କାହାକୁ ମିଳୁନାହିଁ । କିଏ ହୁଏତ ଅଧବାଟ ଯାଇ ପଇସା ଅଭାବରୁ ଅଟକି ଯାଉଚି ।

 

ଅନେକ କହନ୍ତି କଷ୍ଟ ସହିଲେ ଲୋକ ମଣିଷ ହୁଅନ୍ତି । ତେଣୁ ବଡ଼ ମଣିଷ ହେବାକୁ ହେଲା ଗରିବ ହୋଇ ରହିବାକୁ ପଡ଼ିବ । ପୁଣି ଆଉ ଅନେକ କହନ୍ତି, ପୃଥିବୀର ଅନେକ ବଡ଼ଲୋକ ଗରିବ ଘରେ ଜନ୍ମ ହୋଇଚନ୍ତି । ମହନ୍ତ, ପୁରୋହିତ, ବାବାଜୀମାନେ କହନ୍ତି ଗରିବ ହେବା ଭଲ, ଗରିବର ସବୁବେଳେ ଭଗବାନ୍ ସାହା । ମାତ୍ର ଯଦି ପ୍ରକୃତରେ ଗରିବକୁ ଭଗବାନ୍ ସାହାଯ୍ୟ କରୁଥାନ୍ତେ, ତେବେ କଲିକତାର ବାଟଘାଟରେ ଦୁଧ ଅଭାବରୁ ପିଲାମାନେ ଛଟ ଛଟ ହୋଇ ମରୁଥାଆନ୍ତେ କୋଉଠି ? ଏହା ପଛରେ ଦର୍ଶନ ଥାଇପାରେ, ମାତ୍ର ଦର୍ଶନ ଚର୍ଚ୍ଚା କରିବା ଆଗରୁ ପେଟ ପୂରିବା ଦରକାର, ପାଠ ପଢ଼ିବା ଦରକାର । ଭାରତର ତ ଶତକଡ଼ା ୮୦ ଲୋକଙ୍କର ଭଲକରି ଖାଇବା ଜୁଟେ ନାହିଁ, ଭାରତରେ କେତେ ମହାତ୍ମା ଜନ୍ମ ଲାଭ କରିଚନ୍ତି ? ଆଗେ ଭାରତର ଲୋକେ ଭଲରେ ଥିଲେ, ସେତେବେଳେ ସମସ୍ତେ ଶାସ୍ତ୍ରଚର୍ଚ୍ଚା କରୁଥିଲେ, ସମସ୍ତେ ପଣ୍ଡିତ ହୋଇ ପାରୁଥିଲେ, ଗୀତ ଗାଇ ମୟୂର ନଚାଇ ପାରୁଥିଲେ । ଆଜି ଭାରତ ଗରିବ ହୋଇ ଯାଇଚି, ସେଥିପାଇଁ ଏ ଦେଶର ମହାତ୍ମାମାନେ ଆଙ୍ଗୁଠି ଅଗରେ ଗଣି ହୋଇଯିବେ । ଏତେ ବଡ଼ ଦେଶଟାର ଏ ମୁଣ୍ଡରୁ ସେ ମୁଣ୍ଡ ଦେଖିଗଲେ ସାରା ଦେଶରେ ହୁଏତ ଜଣେ ରବୀନ୍ଦ୍ରନାଥ, ଜଣେ ଗାନ୍ଧି ବା ଜଣେ ବିବେକାନନ୍ଦ ବାହାରିଚନ୍ତି–ସମସ୍ତେ ତ ବଡ଼ ହୋଇ ପାରୁନାହାନ୍ତି । କେହି ହୁଏତ ବଡ଼ କରି ହେବାକୁ ଚେଷ୍ଟା କରୁଚି, ମାତ୍ର ସେପରି ସୁବିଧା ନ ପାଇ ଦବିଯାଉଚି, ତାର ଭିତର ଗୁଣର ବିକାଶ ହୋଇପାରୁ ନାହିଁ । ବାଧାପାଇ ତାର ଆଶା କ୍ରମେ ମରି ମରି ଯାଉଚି, ତାର ସାହସ କମି କମି ଯାଉଚି । ଦେଶର ଏଇ ଗରିବ ଅବସ୍ଥା ଫଳରେ ଦେଶଲୋକେ ସାହିତ୍ୟ ବା ଅନ୍ୟାନ୍ୟ ବଡ଼ ବଡ଼ ବିଦ୍ୟାର ପ୍ରଶଂସା କରି ପାରୁନାହାନ୍ତି । ସେଥିପାଇଁ ଅଭିମନ୍ୟୁ, ଦୀନକୃଷ୍ଣଙ୍କ ଭଳି କବି ଯେଉଁ ଓଡ଼ିଶାରେ ଥିଲେ, ସେଇ ପ୍ରଦେଶରେ ଅଭାବଗ୍ରସ୍ତ ହୋଇ ଜଣେ ଲେଖକ ‘ଓଡ଼ିଆରେ ଲେଖିବି କାହିଁକି’ ବୋଲି ପ୍ରବନ୍ଧ ଲେଖି ସାହିତ୍ୟରୁ ଅଲଗା ହୋଇ ଯାଉଚନ୍ତି । ଭଲ ଜିନିଷର ଆଦର କମି ଯାଉଚି ।

 

ଗାଁରେ ଜମିଦାରଙ୍କ ସମ୍ପତ୍ତି ବଢ଼ୁଚି–ସହରରେ କଳ ମାଲିକଙ୍କର ସମ୍ପତ୍ତି ବଢ଼ୁଚି । ଗରିବ ମୂଲିଆ ବା ମଜୁରିଆର ସେଥିରେ କୌଣସି ଲାଭ ହେଉ ନାହିଁ । ସେ ତିମିରରେ ପଡ଼ି ରହିଛି । ସହରରେ ଟଙ୍କା ପାଣିରେ ପଡ଼ୁଚି, ଅଥଚ ସମାଜର ବିକାଶ ହୋଇ ପାରୁନାହିଁ; ଗରିବର ଟଙ୍କା ନାହିଁ, ତାର ବିକାଶ ହୋଇ ପାରୁନାହିଁ । ମଣିଷ ଭିତରେ ପିଲାଦିନର କେତେକ ଗୁଣ ଲୁଚିକରି ଥାଏ, ସୁବିଧା କ୍ଷେତ୍ର ପାଇଲେ ସେ ଗୁଣ ସେଇପରି ପଦାକୁ ବାହାରି ଆସେ । ଥଣ୍ଡା ପବନ ବୋହିଲେ ମେଘ ହୁଏ, ଆଲୁଅ ପାଇଲେ ଗଛଟି ବଢ଼େ, ସେଥିରେ ଫୁଲ ଫୁଟେ । ଅନ୍ଧାର ଘରର ଗଛ ସେତା ପଡ଼ି ମରିଯାଏ । ଗାଁ ଗହଳରେ, କୁଲି ବସ୍ତିମାନଙ୍କରେ ଲକ୍ଷ ଲକ୍ଷ ପିଲା ସେମିତି ଅନ୍ଧାରରେ ସଢ଼ୁଚନ୍ତି । ସେମାନେ ପିଲାଦିନରୁ ଗାଈ ଜଗୁଚନ୍ତି, ସ୍କୁଲକୁ ପଠାଇବା ପାଇଁ ବାପମା’ଙ୍କର ପଇସା ନାହିଁ । କାହାର ଡାକ୍ତରୀ ପଢ଼ିବାକୁ ମନ ଅଛି, ମାତ୍ର ତାର ଇଂଲିଶ ପଢ଼ିବାକୁ ପଇସା ନାହିଁ । ଜଣେ ଭଲ ଡ୍ରଇଂ କରିଜାଣେ, ମାତ୍ର ମାଇନର ପାଶ୍‍ କରି ସେ ଆଉ ପଢ଼ିପାରୁ ନାହିଁ, ଗାଁ ଚାହାଳୀରେ ମାଷ୍ଟରୀ କରୁଚି । ସମସ୍ତଙ୍କ ଭିତରେ କିଛି ନା କିଛି ଗୁଣ ଅଛି–ମଣିଷ ଭିତର ଢୋଲପରି ଫମ୍ପା ନୁହେଁ । ମାତ୍ର ପ୍ରକୃତ ସୁବିଧା ନ ପାଇ କେହି ସେ ଗୁଣକୁ ବଢ଼ାଇ ପାରୁନାହାନ୍ତି । ଆଜି ହୁଏତ ଯିଏ ଗାଈ ଚରାଉଚି, ସୁବିଧା ପାଇଥିଲେ ସେ ଜଣେ ବଡ଼ ଡାକ୍ତର ହୋଇ ପାରିଥାନ୍ତା, ଯେ ଆଜି ଚାହାଳୀରେ ମାଷ୍ଟର ହୋଇଚି, ସେ ପ୍ରକୃତ ଟଙ୍କା ପାଇଥିଲେ ଜଣେ ବଡ଼ ଲେଖକ ହୋଇ ପାରିଥାନ୍ତା, ଯେ ଆଜି ହାକିମଙ୍କ ଇଜଲାସରେ ଛୋକରା କାମ କରୁଚି, ପଢ଼ିବାର ସୁବିଧା ପାଇଥିଲେ ସେ ହୁଏତ ତା’ର ହାକିମଙ୍କ କୁରସୀରେ ବସି ପାରିଥା’ନ୍ତା । ମାତ୍ର ଆମ ଦେଶରେ ସେ ସୁବିଧା ନାହିଁ । ସେଇଥିପାଇଁ, ଆମରି ଅବହେଳା ସକାଶେ, ଆମର ଅଭାବ ଯୋଗୁଁ ଆମର ଗାଁ ଗହଳରେ ଓ ସହର ଗଳିମାନଙ୍କରେ ତାଟି ଘରର ଅନ୍ଧାର ଭିତରେ କେତେ ବଡ଼ ବଡ଼ ଲୋକ ନଷ୍ଟ ହୋଇଯାଉଚନ୍ତି ତାହା କିଏ କଳନା କରିପାରିବ ? ଶିକ୍ଷା ପାଇଥିଲେ ତାଙ୍କରି ଭିତରୁ କେତେ ଗାନ୍ଧୀ, କେତେ ଲେନିନ, କେତେ ଗୋପବନ୍ଧୁ ବାହାରି ନ ଥାନ୍ତେ ? କେହି କଣ ଏକଥା ବିଚାର କରୁଚି ? ଦେଶ କଣ ଏ କ୍ଷତିର ହିସାବ ରଖୁଚି ? ସମସ୍ତଙ୍କର ସମାନ ଭାବରେ ଉନ୍ନତି କରିବାର ସୁବିଧା ନ ଥିବାରୁ ଆମ ଦେଶର ଅବସ୍ଥା ଏଇପରି ହୋଇଚି । ଅବଶ୍ୟ ଏହାଦ୍ୱାରା ଏ କଥା ବୁଝାଉ ନାହିଁ ଯେ ପାଠ ପଢ଼ିବାର ସୁବିଧା ଥିଲେ ସମସ୍ତେ ଗାନ୍ଧୀ ହୋଇପାରନ୍ତେ । ପ୍ରକୃତ କଥା ହେଉଛି ଯେଉଁମାନଙ୍କର କିଛି ଗୁଣ ଅଛି ଶିକ୍ଷା ଅଭାବରେ ସେ ସବୁର ବିକାଶ ହୋଇପାରୁ ନାହିଁ । ଆମ ଦେଶ ପିଲାଙ୍କ ଭିତରୁ ଯେଉଁମାନେ ବଡ଼ ମଣିଷ ହୋଇପାରନ୍ତେ ଶିକ୍ଷା ନ ଥିବାରୁ ସେମାନେ ମଧ୍ୟ ନିଜର ବୁଦ୍ଧି ବଢ଼ାଇବାର ସୁବିଧା ପାଉନାହାନ୍ତି । ଟଙ୍କାପାଇଁ ଆମ ଦେଶର ବିକାଶ ଅଟକି ଯାଇଚି, ଦେଶର ଚକ ଆଗକୁ ଗଡ଼ି ପାରୁ ନାହିଁ ।

 

ଆମ ସମାଜର ଗୋଟାଏ ବଡ଼ ରୋଗ ହେଉଚି ଛୁଆଁ ଅଛୁଆଁ ଭେଦଭାବ । ମୁଁ ବ୍ରାହ୍ମଣ, ମୁଁ କଣ୍ଡରାକୁ ଛୁଇଁବି ନାହିଁ, ଛୁଇଁଲେ ମୋର ପଇତା ମାରା ହେବ, ମୋତେ ଶୌଚ ହେବାକୁ ପଡ଼ିବ-। ଆମ ଦେଶର ହାଡ଼ ମଜ୍ଜାରେ ଏଇ ଭାବ ଜଡ଼ି ରହିଚି । ମାତ୍ର ବର୍ତ୍ତମାନ ଆମେ ଦେଖିବା, ଏହା ପଛରେ ଆମର କି ଯୁକ୍ତି ଅଛି ! ପ୍ରଥମେ ଆମର ଏଠି ଜାତିଭେଦ ନ ଥିଲା, ସମସ୍ତେ ଗୋଟାଏ ଜାତି ଥିଲେ । ମାତ୍ର ଯେତେବେଳେ ଲୋକ ବେଶୀ ହେଲେ, ସମାଜର କାମ ବଢ଼ିଲା, ସେତେବେଳେ ଜାତି ବିଭାଗର ଦରକାର ହେଲା । କର୍ମ ଅନୁସାରେ ବର୍ଣ୍ଣର ସୃଷ୍ଟି ହେଲା । ଦଳେ ରହିଲେ ସମାଜର ପୁଜା ପୁରୋହିତୀ କରିବେ, ଦ୍ୱିତୀୟ ଦଳ ରହିଲେ ସମାଜକୁ ଶତ୍ରୁ ହାତରୁ ରକ୍ଷା କରିବେ, ତୃତୀୟ ଦଳ ରହିଲେ ବାଣିଜ୍ୟ ବ୍ୟବସାୟ କରିବେ, ଆଉ ଶେଷଦଳ ରହିଲେ ସମାଜର ଅନ୍ୟ କାମମାନ କରିବାକୁ । ସେତେବେଳେ ଗୁଣ ଅନୁସାରେ ଜାତିର ନିର୍ଣ୍ଣୟ ହେଉଥିଲା । ବ୍ରାହ୍ମଣର ପୁଅ ଯଦି ପବିତ୍ର ରହୁ ନ ଥିଲା, ତେବେ ସେ ଆଉ ବ୍ରାହ୍ମଣ ହୋଇ ରହୁ ନ ଥିଲା, ଶୁଦ୍ରଠାରେ ଯଦି ଅନେକ ଭଲ ଗୁଣ ଥିଲା, ତେବେ ସେ ତାର ଯୋଗ୍ୟତାନୁସାରେ ବ୍ରାହ୍ମଣର ପାହିଆକୁ ଉଠି ପାରୁଥିଲା । ଏମିତି ବ୍ୟବସ୍ଥା ଥିବାରୁ ସମସ୍ତେ ପବିତ୍ର ହେବାକୁ, ଗୁଣ ଅର୍ଜିବାକୁ ଚେଷ୍ଟା କରୁଥିଲେ । ମାତ୍ର ଦିନକୁ ଦିନ ସମାଜ ଖରାପ ଆଡ଼କୁ ଗଲା । ବ୍ରାହ୍ମଣ ଭିତରେ କ୍ଷମତା ଲୋଭ ପଶିଲା ଓ ସେ ଚିରଦିନ ପାଇଁ ସମାଜରେ ନିଜର କର୍ତ୍ତୃତ୍ୱ ବଜାୟ ରଖିବାକୁ ନିଜ ଇଚ୍ଛା ଆଇନ କାନୁନ ଓ ମିଛ ଗପସବୁ ବାହାର କଲା । ଧର୍ମ ଓ ତାର ପବିତ୍ର ନୀତି ସବୁ କୁଆଡ଼େ ଉଭେଇ ଗଲା । ଭଗବାନଙ୍କୁ ଭାଗ ଭାଗ କରାଗଲା, ପୁରାଣ ଲେଖା ହୋଇ ସେଥିରେ ବ୍ରାହ୍ମଣର ପ୍ରଶଂସା କରାଗଲା, ପର୍ବପର୍ବାଣୀ, ଓଷା, ଦକ୍ଷିଣା ଏସବୁର ଖୁବ୍ ବ୍ୟବସ୍ଥା ହେଲା, ନିଷ୍କାମ ତପସ୍ୟା ପାଣିରେ ଉଭେଇଗଲା । ଅନେକ ଗପରେ ବ୍ରାହ୍ମଣକୁ ଭଗବାନଙ୍କଠାରୁ ମଧ୍ୟ ବଡ଼ ବୋଲି ଚିତ୍ର କରାଗଲା । ଏଇସବୁ ପ୍ରଚାର ଫଳରେ ସମସ୍ତେ ବ୍ରାହ୍ମଣକୁ ଡରିଲେ ଓ ସେ ଦଳେ ଲୋକଙ୍କୁ ଚିରଦିନ ଚାକର ରଖିବାକୁ ଚାହିଁଲା । ତେଣୁ ଏପରି ଗୋଟାଏ ଗୋଷ୍ଠୀର ସୃଷ୍ଟି ହେଲା, ଯେଉଁମାନଙ୍କର କାମ ହେଲା ଉଚ୍ଚ ଜାତିମାନଙ୍କର ବେଠୀକରିବା । କ୍ରମେ ଦୁନିଆ ଛୋଟ ଜାତି ବୋଲି ସେମାନଙ୍କୁ ଘୃଣାକଲା ଓ ସେମାନଙ୍କୁ ଛୁଇଁବାକୁ ମଧ୍ୟ ପାପ ମନେ କଲା ।

 

ବର୍ତ୍ତମାନ ଏଇ ଜାତିମାନଙ୍କର ସ୍ଥାନ କେଉଁଠି ଅଛି, ସେ କଥା ବିଚାର କରାଯାଉ । ଆମେ ଏତେ ଗରିବ ହୋଇଗଲୁଣି ଯେ ପେଟଜାଳାରେ ସମସ୍ତେ ଲଙ୍ଗଳ କଣ୍ଟିରେ ହାତ ପକାଇଲୁଣି–ବ୍ରାହ୍ମଣ ମଧ୍ୟ ପୂଜା କରିବା ସାଙ୍ଗେ ସାଙ୍ଗେ ହଳକୁ ଗୋଟାଏ ବ୍ୟବସାୟ ବୋଲି ଧରିଲାଣି । ଭୋକ କଷ୍ଟରେ ପାଗଳ ହୋଇ ସେ ମଧ୍ୟ ଆଜି କାଳିମାଟି କାରଖାନାରେ ଲୁହା ପିଟୁଚି ବା ଆସାମ ଚା’ ବଗିଚାରେ ବେତ ମାଡ଼ ଖାଇ ଚା’ ପତ୍ର ଛିଣ୍ଡାଉଚି । ସେ ମଧ୍ୟ ନିଜର ମାନମହତ ଭୁଲି ବାରଜାତିଙ୍କ ସାଙ୍ଗରେ ମିଶି ରେଙ୍ଗୁନରେ କୁଲିକାମ କରିବ ବୋଲି ଗୋପାଳପୁରଠାରେ ଜାହାଜରେ ବୋଝାଇ ହୋଇ ଯାଉଚି । ଆମ ଓଡ଼ିଶାର କେତେ ବ୍ରାହ୍ମଣ ଯାଇ କଲିକତାରେ ହୋଟେଲମାନଙ୍କରେ ରୋଷେଇ କରୁଚନ୍ତି, ବାବୁମାନଙ୍କ ଘରେ ଅଣ୍ଡା ସିଝାଉଚନ୍ତି । ତଥାପି କେରାଏ ମସିଆ ପଇତାସୂତା କାନ୍ଧରେ ପଡ଼ିଚି ବୋଲି ସେମାନେ ବ୍ରାହ୍ମଣ ବୋଲି ଗର୍ବ କରୁଚନ୍ତି । ମାତ୍ର ଏସବୁ କେତେ ଦିନ ଚାଲିଥିବ ? ପାଞ୍ଚଜଣଙ୍କ ଭିତରେ ଯାହାର ବୁଦ୍ଧି ବେଶୀ, ଯିଏ ପବିତ୍ର ଜୀବନଯାପନ କରେ, ତାକୁ ବଳେ ବଳେ ସମସ୍ତେ ଦୂରରୁ ଜୁହାର କରିବେ । ପଇତା ଖିଏ ପକାଇ ସମାଜଠାରୁ ସମ୍ମାନ ଦାବୀ କରିବା ଓ ଆଉ ଗୋଟାଏ ଗୋଷ୍ଠୀକୁ ଅଛୁଆଁ କରି ରଖିବା ପଛରେ କି ନ୍ୟାୟ ରହିଚି ? ବ୍ରାହ୍ମଣପରି ଅନ୍ୟ ଉଚ୍ଚ ବର୍ଣ୍ଣର ଜାତି ମଧ୍ୟ ଅଛୁଆଁମାନଙ୍କୁ ଘୃଣା କରନ୍ତି । ସେ ମୋ’ ଠାରୁ ଛୋଟ, ତା’ ଠାରୁ ତୁ ଛୋଟ, ଏମିତି ଆମ ଜାତିଟା ଭାଗ ଭାଗ ହୋଇଯାଇଚି । ବ୍ରାହ୍ମଣ ଚଷାକୁ ଛୋଟ କହେ, ଚଷା କେଉଟକୁ ଛୋଟ କହେ, କେଉଟ ବାଉରିକୁ ଛୋଟ କହେ, ପୁଣି ବାଉରି ପାଣକୁ ଛୋଟ କହେ । ଆମ ସମାଜ ଗୋଟାକଯାକ ଏମିତି ଭେଦଭାବରେ ପୂରିଚି । ତା’ ଦ୍ୱାରା ଦେଶର ଯେ କି କ୍ଷତି ହେଉଚି, ସେକଥା କେହି ବୁଝୁନାହାନ୍ତି । ଗାଁ’ର ପାଣ କଣ୍ଡରା ସାହିକୁ ଗଲେ ସେମାନେ ଯେ କିପରି ପଶୁପରି ଦିନ କଟାଉଚନ୍ତି ସେ କଥା ସହଜରେ ବୁଝିହେବ । ତାଙ୍କର ଶିକ୍ଷା ଦୀକ୍ଷା ନାହିଁ, ଭଲ ଘର ଖଣ୍ଡେ ନାହିଁ, ମଦଖିଆ ନିଶାଖିଆ ଆଦି ନାନା ଅଭ୍ୟାସ ସେମାନଙ୍କର ରହିଚି । ଭାରତରେ ପ୍ରାୟ ସାତ କୋଟି ଲୋକଙ୍କୁ ଏପରି ଭାବରେ ମଣିଷ ସମାଜ ଠାରୁ ଦୂରରେ ରଖାଯାଇଚି । ଆମେ ଯେଉଁ ଠାକୁର ପୂଜା କରିବୁ, ସେମାନେ ତାକୁ ଦେଖିବାକୁ ସୁଦ୍ଧା ପାଇବେ ନାହିଁ । ଭଗବାନ ଯେମିତି ଆମର ଏକଚାଟିଆ ସମ୍ପତ୍ତି । ମହାତ୍ମା ଗାନ୍ଧି ଏଇମାନଙ୍କ ଉଦ୍ଧାର ଉପରେ ଖୁବ୍‌ ଜୋର ଦିଅନ୍ତି ସେ କହିଚନ୍ତି, ହରିଜନମାନଙ୍କୁ ପାଖଛଡ଼ା କରି ରଖିଲେ ହିନ୍ଦୁ ଧର୍ମ ଶେଷରେ ନଷ୍ଟଭ୍ରଷ୍ଟ ହୋଇଯିବ । ଆମ ଜାତିର ସାତକୋଟି ଲୋକଙ୍କୁ ଅନ୍ଧାରରେ ପକାଇ ଦେଇ ଆମେ କେବେହେଲେ ସୁଖ ପାଇପାରିବା ନାହିଁ । ଆଜି ସମସ୍ତଙ୍କ ଘରେ ଭୋକ କଷ୍ଟ, ଜମିଦାର ସମସ୍ତଙ୍କର ରକ୍ତ ଶୋଷୁଚି, ସେତେବେଳେ ଆମେ ଯଦି ସମାଜର ଗୋଟାଏ ପ୍ରଧାନ ଭାଗଠାରୁ ଅଲଗା ହୋଇ ରହିବା, ତେବେ ଆମେ କେବେହେଲେ ଏ ଅତ୍ୟାଚାରରୁ ନିସ୍ତାର ପାଇପାରିବା ନାହିଁ । ଏକାଠି ହେଲେ ଆମେ ସବୁ କରିପାରିବା, ଆମ ଭିତରେ ଦଳ ରହିଲେ ତୃତୀୟପକ୍ଷ ଏଠି ରଜାହୋଇ ରହିଥିବ ।

 

ସ୍ତ୍ରୀ ଜାତି ହେଉଚି ପୃଥିବୀର ମା–ମା କେବଳ ପୁରୁଷକୁ ମଣିଷ କରି ଗଢ଼େ । ପିଲାକୁ ଖୁଆଇବାକୁ ମା ସ୍ତନରେ ଯଦି ଦୁଧ ନ ଥାନ୍ତା, ତେବେ କୌଣସି ପିଲା ବଞ୍ଚିପାରନ୍ତା କି ? ମା’ ଆମକୁ ମଣିଷ କରେ, ଚାଲିବା, ଖାଇ ଶିଖିବା, ଡାକି ଶିଖିବା, ସବୁକଥା ଆମେ ମା’ ଠାରୁ ଶିଖୁ ।

 

କିନ୍ତୁ ଆମ ଦେଶର ମା’ କୁ ଆମେ ଚିହ୍ନି ପାରୁନାହୁଁ–ଆମ ଦେଶର ମା’କୁ ଆମେ ଭକ୍ତି ଦେଖାଇବାକୁ ଶିଖିନାହୁଁ । ଗଲା କେତେ ଶହ ବର୍ଷ ହେଲା ଆମେ ଆମର ମା’ ଭଉଣୀମାନଙ୍କୁ ଦାସୀ କରି ରଖିଚୁ । ପୁରୁଷ ଭାବୁଚି ସ୍ତ୍ରୀ ଜାତି ତା’ ଠାରୁ ହୀନ ଜାତି–ମାତ୍ର ସ୍ତ୍ରୀ ଯେ ମଣିଷକୁ ବଢ଼ାଉଚି, ସେକଥା କେହି ଭାବି ପାରୁନାହାନ୍ତି । ଝୁଅ ଜନ୍ମହେଲେ ମା’ ବାପ ତାକୁ ଘୃଣାଚକ୍ଷୁରେ ଦେଖୁଚନ୍ତି । ପୁଅ ବଡ଼ ହେଲେ ପରଘରୁ ଯୌତୁକ ଆଣିବ, ଝିଅ ଜନ୍ମହେଲେ ଘରୁ ଖାଲି ବୋହିବାହି କରି ନେବ । ସେଥିପାଇଁ ଆଗେ ରାଜପୁତମାନେ ଝିଅଟି, ଜନ୍ମହେଲେ ତାକୁ ନଈକୁ ଫୋପାଡ଼ି ଦେଉଥିଲେ । ବର୍ତ୍ତମାନ ମଧ୍ୟ ଗୋଟାଏ ଜାତି ଅଛନ୍ତି, ଯେଉଁମାନେ ଝିଅ ଜନ୍ମହେବା ମାତ୍ରକେ ତାର ତଣ୍ଟି ଚିପିଦିଅନ୍ତି । ବର୍ତ୍ତମାନ ଆମ ମାତୃଜାତିର ମର୍ଯ୍ୟାଦା ଆମେ ରଖି ପାରୁନାହୁଁ । ସେମାନଙ୍କ ଉପରେ ଅତ୍ୟାଚାର କରାଗଲେ, ସେମାନଙ୍କୁ କେହି ବେଜିତ କଲେ ଆମେ ସାହସର ସହିତ ତାର ପ୍ରତିରୋଧ କରି ଜୀବନ ଦେବାକୁ ଅକ୍ଷମ । ମା’ ଭଉଣୀମାନଙ୍କର ଇଜ୍ଜତ ଅପେକ୍ଷା ଆମେ ଆମ ଜୀବନକୁ ବେଶୀ ଭୟକରୁ । ପ୍ରତିଦିନ ଖବର କାଗଜରେ ଆମେ ଦେଖିବାକୁ ପାଉଚୁ, କୋଉଠି ପୁରୁଷ ପର ସ୍ତ୍ରୀକୁ ନେଇ ଚାଲି ଯାଉଚି, ଏପରି କି ତିନି ଚାରି ବର୍ଷ ବା ତିନି ଚାରିମାସର ପିଲାଙ୍କ ଉପରେ ଯୁବକମାନେ ଅତ୍ୟାଚାର କରି ଶିଖିଲେଣି । ପୁରୁଷ ନିଜର ଇନ୍ଦ୍ରିୟଲାଳସା ତୃପ୍ତ କରିବାକୁ ପାଗଳ–ଆଉ ସ୍ତ୍ରୀର ନିଜକୁ ରକ୍ଷା କରିବାକୁ କୌଣସି ବଳ ନାହିଁ ।

 

ସମାଜରେ ଯେଉଁମାନେ ଶିକ୍ଷିତ ବୋଲାନ୍ତି, ତାଙ୍କ ଭିତରେ ମଧ୍ୟ ଏ ପାପପ୍ରଣୟ ସ୍ଥାନ ପାଇଲାଣି । ପାର୍କରେ ବୁଲୁ ବୁଲୁ, ସିନେମା ଦେଖୁ ଦେଖୁ ଯୁବକର ଆଖି ତାର ଜଣେ ଭଉଣୀ ଉପରେ ପଡ଼ୁଚି ଓ ସେ ତାର ଇଜ୍ଜତ୍‌ ନେବାକୁ ସ୍ଥିର କରିନେଉଚି । ବିବାହଟା ଗୋଟାଏ ବ୍ୟବସାୟ ହୋଇଗଲାଣି । ସ୍ତ୍ରୀ ଜାତି ବିଷୟରେ ବନ୍ଧୁମେଳରେ କଦର୍ଯ୍ୟ କଥାମାନ କହିବା ଆମର ଦେହ ସହିବା ହୋଇଗଲାଣି । ସ୍କୁଲ କଲେଜରେ ପଢ଼ୁଥିବା ଛାତ୍ରମାନଙ୍କୁ ନିତାନ୍ତ ଖରାପ ବ୍ୟବହାର କରାହେଉଚି । ଆଜିକାଲିକାର ବାଳିକା ମଧ୍ୟ ସେଇପରି । ସେ ସବୁବେଳେ ପୁରୁଷର ଆଖି କିପରି ଟାଣିବ, ସେଥିପାଇଁ ନିଜକୁ ବେଶଭୂଷା ସଜାଇବାରେ ବ୍ୟସ୍ତ । ଏଇ ଆଧୁନିକାମାନଙ୍କ ବିଷୟରେ ଗାନ୍ଧିଜୀ ଲେଖିଚନ୍ତି :-‘‘ମୋର ଭୟ ହେଉଚି ଯେ ଆଜିକାଲିକା ଯୁଗର ବାଳିକା ଅଧର୍ଡଜନ ପ୍ରେମିକ ଯୁବକଙ୍କର ଗୋପନ ପ୍ରଣୟିନୀ ହେବାକୁ ଭଲପାଏ । ପ୍ରେମ ବିଷୟରେ ଯେ କୌଣସି ଦୁଃସାହସ କରିବାକୁ ତାକୁ ଭଲଲାଗେ … ପବନ, ବର୍ଷା ବା ଖରାରୁ ନିଜକୁ ରକ୍ଷା କରିବାକୁ ସେ ପୋଷାକ ପିନ୍ଧେ ନାହିଁ–ମାତ୍ର ସାଧାରଣଙ୍କୁ ମୁଗ୍‌ଧ କରିବାକୁ ସେ ବେଶଭୂଷା ପିନ୍ଧେ । ସେ ନିଜର ରୂପ ବଢ଼ାଇବାକୁ ମୁହଁରେ ସ୍ନୋ ପାଉଡ଼ର ବୋଳେ ।’’ ଆଜିକାଲି ପୁଣି ଗୋଟାଏ ଔଷଧ ବାହାରିଚି, ଯାହା ଖାଇଲେ ଗର୍ଭ ନଷ୍ଟ ହୋଇଯିବ । ଏହା ପାପ ପ୍ରଣୟକୁ ବେଶୀ ସୁବିଧା ଦେଇଚି । ପାପଗର୍ଭ କରି ପିଲା ଜନ୍ମହେବା ଆଗରୁ ସେମାନେ ଔଷଧ ଖାଇ ଗର୍ଭ ନଷ୍ଟ କରିଦିଅନ୍ତି–ସମାଜର ଅପବାଦରୁ ରକ୍ଷା ପାଇଯାନ୍ତି । ଏ ପାପପ୍ରଣୟ ସେଥିପାଇଁ ସମାଜରେ ବଢ଼ିବାରେ ଲାଗିଚି । ଏକା ଆମେରିକାରେ ବର୍ଷକୁ କୋଡ଼ିଏ ଲକ୍ଷ ଯୁବତୀ ଔଷଧ ଖାଇ ଗର୍ଭ ନଷ୍ଟ କରନ୍ତି । ଗାନ୍ଧିଜୀ ଏ ବିଷୟରେ ମଧ୍ୟ ଲେଖିଛନ୍ତି :–‘‘ଅନେକ ଭାବନ୍ତି ଯେ ଗର୍ଭନିରୋଧ ଔଷଧ ଖାଇ ସ୍ତ୍ରୀମାନେ ସଂଯମ ଶିକ୍ଷା କରନ୍ତି । ମାତ୍ର ଫଳରେ ସଂଯମ ଶିଖିବା ଦୂରେ ଥାଉ, ସେମାନେ ପ୍ରେମ ପାଇଁ ପାଗଳ ହୋଇଯା’ନ୍ତି । ସ୍ତ୍ରୀ ଜାତିର ମଙ୍ଗଳକାମନା କରି ଯେ ତାଙ୍କୁ ଗର୍ଭନଷ୍ଟ କରିବାକୁ ଶିଖାଏ, ତାହାଦ୍ୱାରା ସେ ସ୍ତ୍ରୀ ଜାତିର ଜୀବନକୁ ଆହୁରି ବିଷମୟ କରିପକାଏ ।’’ ‘‘ସ୍ତ୍ରୀମାନଙ୍କୁ ଗର୍ଭ ନଷ୍ଟ କରିବାକୁ ଔଷଧ ବ୍ୟବହାର କରିବା ‘ବାହା ନ ହୋଇ ପୁଅ ନାଁ ଗୋପାଳିଆ’ ଭଳି ହେବ । ପ୍ରଥମେ ସେମାନଙ୍କର ଦାସ ମନୋବୃତ୍ତିକୁ ବଦଳାଇବାକୁ ହେବ, ଜାତିର ସେବା ଓ ମନୁଷ୍ୟ ସମାଜର ସେବାରେ ପ୍ରାଣ ଢାଳିଦେବାକୁ ତାକୁ ଶିଖାଇବାକୁ ହେବ ।’’

 

ଜାତିରୁ ବାହାରିଯାଇ ଆଜି ଦେଶର ଅନେକ ବୋହୂ ବେଶ୍ୟାବୃତ୍ତି କରୁଚନ୍ତି । ଭାରତରେ ସବୁ ବଡ଼ ବଡ଼ ସହରରେ ଖଣ୍ଡେ ଖଣ୍ଡେ ବେଶ୍ୟାପଡ଼ା ଅଛି, ଯେଉଁଠି ଦିନରାତି ବୀଭତ୍ସ ଲୀଳା ଲାଗିଥାଏ । ମଦ ପିଇ, ରସିକ ସାଜି ପ୍ରତିଦିନ ରାତିରେ ଆମ ଦେଶର ଯୁବକ ସେ ପଡ଼ାକୁ ଯାଏ ଓ ଆମ ସମାଜର ପତିତା ଭଉଣୀମାନଙ୍କର ଇଜ୍ଜତ ନଷ୍ଟ କରେ । ସାରା ଭାରତରେ ବର୍ତ୍ତମାନ ୧୦୫୦୦୦୦ ଭଉଣୀ ନିଜର ରୂପ ବିକାଇ ଜୀବିକା ନିର୍ବାହ କରୁଚନ୍ତି । ସମାଜ ଯେତେବେଳେ ଅସତୀ, କୁଳଟା କହି ବାହାର କରି ଦେଉଚି, ଜମିଦାର ଦରିଦ୍ର ସ୍ତ୍ରୀର ପ୍ରେମ ନ ପାଇ ଈର୍ଷାରେ ତାକୁ ଡିହରୁ ତଡ଼ିଦେଉଚି, ଗଣ୍ଡାଏ ଦାନା ପାଇବ ବୋଲି ସେଇ ସ୍ତ୍ରୀ ଆଜି ପୁରୀର ଚୂଡ଼ଙ୍ଗସାହୀକୁ ଚାଲି ଯାଉଚି–ଏପରି କି କଲିକତା, ଲାହୋର ପ୍ରଭୃତି ସହରକୁ ଯାଇ ସେଠାରେ ମଧ୍ୟ ବେଶ୍ୟାଗିରି କରୁଚି । ଲଜ୍ଜାର କଥା ଆମ ଦେଶର ଯୁବକମାନେ ଦଲାଲ ସାଜି ମଫସଲରୁ ସ୍ତ୍ରୀମାନଙ୍କୁ ଭୁଲାଇ ଆଣିବାକୁ ଦଳ ଗଢ଼ିଚନ୍ତି–ବେଶ୍ୟାର ବେପାର ସୁରୁଖୁରୁରେ ଚାଲିଚି । ସେମାନଙ୍କର ଦଳର ଶାଖା ବିଭିନ୍ନ ସହରରେ ଅଛି । ବେଶ୍ୟାର ଅର୍ଜିତ ଧନରୁ ଏମାନେ ଭାଗ ନିଅନ୍ତି । ଏ ଦେଶର ଆଇନ ମଧ୍ୟ ଏ ସବୁ ପାପ ଅଭ୍ୟାସକୁ ମଞ୍ଜୁର ଦେଇଚି । ଗୋଟାଏ ସ୍ତ୍ରୀ ଉପରେ ପଇସା ଦେଇ ଇଚ୍ଛାନୁସାରେ ସମାଜର ଯୁବକମାନେ ଅତ୍ୟାଚାର କରି ଯାଉଚନ୍ତି, ଏହାକୁ ବନ୍ଦ କରିବାକୁ ଆମ ଦେଶରେ ଆଇନ ନାହିଁ ।

 

ତା’ପରେ ଆମ ସମାଜର ପର୍ଦ୍ଦାପ୍ରଥା କଥା–ସ୍ତ୍ରୀ ଲୋକକୁ ଜବରଦସ୍ତି ଘର କୋଣରେ ଲୁଚି ରହିବାକୁ ବାଧ୍ୟ କରାହେଉଚି । ପୁରୁଷକୁ ଖାଇବାକୁ ଦେବ, ପୁରୁଷର ଦାସୀ ପରି ଖଟିବ, ପୁରୁଷ ତାକୁ ଇଚ୍ଛାନୁସାରେ ପ୍ରେମ କରିବ, ସ୍ତ୍ରୀ ସେଥିରେ ଆପତ୍ତି କରିପାରିବ ନାହିଁ–ଏଇ ହେଉଚି ସମାଜରେ ଚଳି ଆସୁଥିବା ନୀତି । ଇସ୍କୁଲରେ ପାଠ ପଢ଼ିବା, ଦେଶର ବିଭିନ୍ନ ସ୍ଥାନ ଦେଖିବା, ଖବରକାଗଜ ପଢ଼ି ଦେଶର ବିଭିନ୍ନ ବିଷୟ ଆଲୋଚନା କରିବାର ସୁବିଧା ସ୍ତ୍ରୀକୁ ମିଳେ ନାହିଁ । ଅଥଚ ଆଗେ ଆମ ଦେଶର ସ୍ତ୍ରୀମାନେ ପୁରୁଷଙ୍କପରି ଲଢ଼େଇ କରୁଥିଲେ, ରାଜ୍ୟ ଚଳାଉଥିଲେ । ଆମ ଦେଶର ଦୁର୍ଗାବତୀ, ଲୀଳାବତୀ, ଖନାଙ୍କ କଥା କଣ କେହି ଭୁଲିପାରିବ ? ଏ ପର୍ଦ୍ଦାପ୍ରଥା ସମାଜକୁ ନଷ୍ଟ କରିଦେଇଚି ।

 

ଆମ ଦେଶରେ ଆଉ ଗୋଟାଏ ଖରାପ କଥା ରହିଚି, ଝିଅ ବଡ଼ ହେବା ଆଗରୁ, ତାକୁ ଜଣେ ଯୁବକ ସହିତ ବିବାହ କରିଦିଆ ଯାଉଚି । ସାତ ଆଠ ବର୍ଷର ଝିଅ-ଧୂଳିଖେଳ ଛଡ଼ା ସେ କିଛି ଜାଣେ ନା–ତା’ର ଅଜଣାରେ ଜଣକ ସହିତ ତାର ହାତ ଗଇଁଠାଇ ଦିଆ ହେଉଚି । ଜଣେ ଅଜଣା ଯୁବକକୁ ନେଇ ଝିଅକୁ ଯେ ସାରା ଜୀବନ କଟାଇବାକୁ ହେବ, ଏକଥା ବାପ ମା’ ବୁଝୁନାହାନ୍ତି । ଆମ ଲୋକଙ୍କର ବିଶ୍ୱାସ ଯାହା ହାଣ୍ଡିରେ ଯିଏ ଆଗରୁ ଚାଉଳ ପକାଇଚି, ସେଇ ତାକୁ ବାହା ହେବ–ତେଣୁ ପିଲାବେଳେ ବାହାହେଲେ ଯାହା ବଡ଼ଦିନ ବାହାହେଲେ ସେଇଆ । ଆମ ଦେଶରେ ଏ ବାଲ୍ୟବିବାହ କିପରି ବଢ଼ି ଚାଲିଚି, ତାର ଗୋଟାଏ ହିସାବ ତଳେ ଦିଆଯାଉଚି :-

 

୧୯୩୧ ସାଲର ଗଣତି ଅନୁସାରେ ଆମେ ଦେଖିବା ପନ୍ଦର ବର୍ଷ ତଳର ଝିଅ ବିଭିନ୍ନ ବୟସରେ କେତେ ସଂଖ୍ୟାରେ ବାହା ହୋଇଚନ୍ତି ? ଏଇ ହିସାବରୁ ଆମେ ଜାଣିପାରିବା, ଆମ ଦେଶର ଏଇ କୁପ୍ରଥା କିପରି ବଢ଼ି ବଢ଼ି ଚାଲିଚି ।

 

ବାହା ହେବା ବୟସ

ଶହକରେ କେତେ ଜଣ ବାହା ହେଲେ

୦ ରୁ ୧

.୮

୧ ରୁ ୨

୧.୨

୨ ରୁ ୩

୩ ରୁ ୪

୪.୨

୪ ରୁ ୫

୬.୬

୫ ରୁ ୧୦

୧୯.୩

୧୦ ରୁ ୧୫

୩୮.୧

 

ଆମେ ଏଇଥିରୁ ଦେଖିବା, ପ୍ରତି ଶହେଜଣ ବାଳିକାଙ୍କ ଭିତରୁ ପ୍ରାୟ ଜଣେ ବାଳିକା ଏକ ବର୍ଷଠାରୁ କମ୍ ବୟସରେ ବାହାହେଉଚି । ବାଲ୍ୟବିବାହ ଏପରି ବଢ଼ିବା ଫଳରେ ବାଳୁତ ବିଧବାଙ୍କ ସଂଖ୍ୟା କିପରି ହୁ ହୁ ହୋଇ ବଢ଼ି ଚାଲିଚି, ତଳ ହିସାବରୁ ଆମେ ତାହା ଜାଣିପାରିବା–

 

ବିଧବାଙ୍କ ବୟସ

ସଂଖ୍ୟା

୦ ରୁ ୧

୧୫୧୫

୧ ରୁ ୨

୧୭୮୫

୨ ରୁ ୩

୩୪୮୫

୩ ରୁ ୪

୯୦୭୬

୪ ରୁ ୫

୧୫୦୧୯

୫ ରୁ ୧୦

୧୦୫୪୮୨

୧୦ ରୁ ୧୫

୧୮୫୩୩୯

 

ବାଲ୍ୟବିବାହ ଫଳରେ ମଧ୍ୟ ଅଳ୍ପବୟସର ପିଲା ଜନ୍ମକରିବା କଷ୍ଟ ସହି ନ ପାରି ଅନ୍ତୁଡ଼ିଶାଳରେ ଅନେକ ମା’ ମରିଯାନ୍ତି । ପ୍ରତିବର୍ଷ ଆମଦେଶରେ ଦୁଇଲକ୍ଷ ମା ଅନ୍ତୁଡ଼ିଶାଳରେ ମରନ୍ତି । ତାର ଅର୍ଥ ପ୍ରତି ଘଣ୍ଟାରେ ଆମ ଦେଶରେ ୨୦ ଜଣ ମା’ ମରନ୍ତି ଏବଂ ତାଙ୍କ ଭିତରୁ ବେଶୀ ସଂଖ୍ୟାର ମା’ମାନଙ୍କ ବୟସ ୧୩ ରୁ ୨୦ । ପ୍ରତି ହଜାରକରେ ଆମଦେଶରେ ଗର୍ଭାବସ୍ଥାରେ ୨୪.୫ ଜଣ ମା’ ମରନ୍ତି–ମାତ୍ର ବିଲାତରେ ମୋଟେ ୪.୫ ଜଣ ମା’ ଗର୍ଭାବସ୍ଥାରେ ମରନ୍ତି । ବାଲ୍ୟବିବାହ ମା’ ମାନଙ୍କର ଯେମିତି ଖରାପ କରେ, ପିଲାର ମଧ୍ୟ ସେମିତି ଖରାପ କରେ । ପ୍ରତି ହଜାର କରେ ୧୮୧ ଜଣ ପିଲା ଏ ଦେଶରେ ୪୦ ଜଣ ପିଲା ମରନ୍ତି । ତଥାପି ବଲ୍ୟବିବାହ ବଢ଼ି ବଢ଼ି ଚାଲିଚି । ୧୯୨୧ରେ ଏକବର୍ଷରୁ କମ୍‌ ବୟସର ବିବାହିତା ସ୍ତ୍ରୀ ଆମ ଦେଶରେ ୯୦୬୬ ଜଣ ଥିଲେ, ୧୯୩୧ରେ ତାଙ୍କ ସଂଖ୍ୟା ପ୍ରାୟ ୫ ଗୁଣ ବଢ଼ି ୪୪୦୮୨ ହୋଇଥିଲା । ୧୯୨୧ରେ ଭାରତରେ ୭୫୯ ଜଣ ଏକବର୍ଷରୁ କମ୍ ବାଳୁତବିଧବା ଥିଲେ, ଏବଂ ୧୯୩୧ରେ ସେମାନଙ୍କର ସଂଖ୍ୟା ୧୫୧୫ ହେଲା । ବାଲ୍ୟବିବାହ ଫଳରେ ଆମ ସମାଜର ଅବସ୍ଥା ଏଇପରି ହୋଇଚି । ଅବଶ୍ୟ ବାଲ୍ୟବିବାହ ବନ୍ଦକରି ସରକାର ‘ସାରଦା ଆଇନ’ ଜାରୀ କରିଚନ୍ତି । କିନ୍ତୁ ତଥାପି ସମାଜରୁ ବାଲ୍ୟବିବାହ ଯାଇନାହିଁ । ଯେ ପର୍ଯ୍ୟନ୍ତ ଲୋକଙ୍କର ମନଭିତରେ ସଂସ୍କାର ନ ଆସିଚି, ସେପର୍ଯ୍ୟନ୍ତ ଆଇନ କରି କଦାପି ସମାଜକୁ ବଦଳାଇ ହେବ ନାହିଁ ।

 

ତଥାପି ଆମ ଦେଶରେ ବିଧବା ବିବାହର ନିୟମ ନାହିଁ । ସେ ଜଣେ ବିଧବା କନ୍ୟା ବାହା ହେଉଚି, ସମାଜ ତାକୁ ନିଆଁପାଣି, ଧୋବା, ଭଣ୍ଡାରି ଅଟକ କରୁଚି । ମହାତ୍ମା ଗାନ୍ଧୀ ଏ ବିଷୟରେ କହିଚନ୍ତି–‘‘ପ୍ରତ୍ୟେକ ପୁରୁଷର ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିବାକୁ ଯେମିତି ଅଧିକାର ଅଛି ପ୍ରତ୍ୟେକ ବିଧବାକୁ ମଧ୍ୟ ଦ୍ୱିତୀୟବାର ବିବାହ କରିବାକୁ ସେଇପରି ଅଧିକାର ଦେବା ଉଚିତ ।’’

 

ମା’ମାନଙ୍କୁ ପଛରେ ପକାଇ ଆମେ ସମାଜର ତଥା ଦେଶରେ କ୍ଷତି କରୁଚୁ । ଯେଉଁ ଦେଶର ମା’ ଅନ୍ଧାରକଣରେ ସଢ଼ୁଚି, ସେ ଦେଶର ପୁଅ ସୁଖଶାନ୍ତିରେ ରହିବ କୁଆଡ଼ୁ ? ଗାନ୍ଧିଜୀଙ୍କ ମତରେ ସ୍ତ୍ରୀଜାତି ହେଉଚି ପୁରୁଷଠାରୁ ଉଚ୍ଚରେ । ତାଙ୍କ ମତରେ ସ୍ତ୍ରୀଜାତିର କଷ୍ଟ ସହିବାର ବେଶୀ ଶକ୍ତି ଅଛି ଓ ସେ ଆମର ସ୍ୱାଧୀନତା ଯୁଦ୍ଧରେ ବେଶୀ କାମ କରିପାରିବ । ସେ କହିଚନ୍ତି–‘‘ଭଗବାନଙ୍କର ପ୍ରଧାନତମ ଭାଗକୁ ଆମର ବ୍ୟଭିଚାର ପାଇଁ ଦାସୀ କରିରଖି, ପଶୁଠାରୁ ଛୋଟ ହେବା ଅପେକ୍ଷା ମଣିଷ ଜାତି ଏ ପୃଥିବୀରୁ ଲୁପ୍ତ ହୋଇଯାଉ, ଏ କଥା ମୁଁ ପସନ୍ଦ କରେ।’’ ଋଷିଆ ବିପ୍ଳବର ନେତା ଲେନିନ କହିଛନ୍ତି, ‘‘ସ୍ତ୍ରୀ ଉପରେ ମନଇଚ୍ଛା ବ୍ୟଭିଚାର କରିବାକୁ ପାଗଳ ହୋଇଯିବା ଗୋଟାଏ ଧନୀ ବା ଜମିଦାରୀଆ ସ୍ୱଭାବ–ଶିକ୍ଷିତ ଲୋକଙ୍କ ଭିତରେ ଏଇଟା ବେଶୀ ପଶିଚି । ସାଧାରଣ ମଜୁରିଆ ଏ ସବୁର ଧାର ଧାରେ ନା । ଧନୀ ସମାଜରେ ସ୍ତ୍ରୀ ଉପରେ ମନଇଚ୍ଛା ଅତ୍ୟାଚାର କରାଯାଏ । ସେମାନେ ଆତ୍ମରକ୍ଷା କରିବାକୁ କୌଣସି ବଳ ପା’ନ୍ତି ନାହିଁ–ସେମାନଙ୍କର କୌଣସି ଅଧିକାର ନଥାଏ ।

 

ଆମେ ଏସବୁ ପ୍ରଥାକୁ ହାଡ଼େ ହାଡ଼େ ଘୃଣାକରୁ । ଶ୍ରମିକର ସ୍ତ୍ରୀ ଆଉ ଧନୀଘରର ସ୍ତ୍ରୀମାନଙ୍କୁ କଷ୍ଟ ଦେବାକୁ ସମାଜରେ ଯେଉଁ ସବୁ ନିୟମ ରହିଚି, ତାକୁ ଆମେ ମୂଳପୋଛ କରିଦେବା । ବଡ଼ ଲଜ୍ଜାର କଥା ଯେ ଆମ ଦେଶର ମଜୁରିଆମାନେ ସ୍ତ୍ରୀମାନଙ୍କ ଉପରେ ହେଉଥିବା ଏଇ ଦମନକୁ ମୁଣ୍ଡପାତି ସହି ଯାଉଚନ୍ତି । ଦିନକୁ ଦିନ ସେମାନେ ଛୋଟମନା ହୋଇ ଯାଉଚନ୍ତି । ସମାଜର ପୁରୁଷମାନେ ଜାଣନ୍ତି ଯେ ସ୍ତ୍ରୀମାନଙ୍କ ପାଇଁ କିଛି ସୁବିଧାକଲେ ନିଜକୁ କିଛି ଅଧିକାର ଛାଡ଼ିବାକୁ ପଡ଼ିବ । ସ୍ତ୍ରୀ ଉପରେ ଅନ୍ୟାୟରେ ଅତ୍ୟାଚାର କରିବା ପୁରୁଷର ସମ୍ମାନବିରୋଧୀ । ଆଜିଯାଏ ପୁରୁଷ ଯେପରି ସ୍ତ୍ରୀର ମୁନିବ ହୋଇ ରହିଆସିଚି, ଆମକୁ ଏ ପ୍ରଥାର ମୂଳକୁ ତାଡ଼ିଦେବାକୁ ହେବ । ସ୍ତ୍ରୀମାନଙ୍କୁ ବାଦଦେଇ ଆମେ କୌଣସି ଗଣ ଆନ୍ଦୋଳନ କରିପାରିବା ନାହିଁ ।’’ ଏଇ ନାରୀଜାତିକୁ ଆମେ ଅନ୍ଧାରକଣରେ ରଖିଚୁ, ସେଥିପାଇଁ ଆମ ସମାଜ ଏତେ ପଛରେ ପଡ଼ିଚି ।

 

ପୃଥିବୀର ଜଣେ ବଡ଼ ଲେଖକ ବେଟ୍ରାଣ୍ଡ ରସେଲ କହିଚନ୍ତି–‘‘ପୁରୁଷର ଚରିତ୍ର ଓ ଗୁଣରେ ମୁଗ୍‌ଧ ହୋଇ ସ୍ତ୍ରୀ ପୁରୁଷକୁ ଭଲପାଏ- ମାତ୍ର ସ୍ତ୍ରୀର ରୂପରେ ମୁଗ୍‌ଧ ହୋଇ ପୁରୁଷ ସ୍ତ୍ରୀକୁ ଭଲପାଏ । ଏଇ ଦୃଷ୍ଟିରୁ ଦେଖିଲେ ସ୍ତ୍ରୀର ସ୍ଥାନ ପୁରୁଷର ସ୍ଥାନଠାରୁ ଖୁବ୍ ଉଚ୍ଚରେ । କାରଣ ପୁରୁଷର ଯେଉଁ ସବୁ କଥା ସ୍ତ୍ରୀକୁ ଭଲଲାଗେ, ସେ ଗୁଣସବୁ, ସ୍ତ୍ରୀର ଯେଉଁ କଥାସବୁ ପୁରୁଷକୁ ଭଲଲାଗେ ସେସବୁ ଗୁଣଠାରୁ ଅନେକ ଉଚ୍ଚ ଧରଣର ।’’ ଏଇଥିରୁ ଆମେ ଜାଣିପାରିବା ସ୍ତ୍ରୀଜାତିର ମହତ୍ତ୍ୱ କେତେ ! ତଥାପି ଆମେ କେତେ ଶହ ବର୍ଷ ହେଲା ଏମାନଙ୍କର ଅପମାନ କରି ଆସିଚୁ ଏବଂ କରୁଚୁ–ସ୍ତ୍ରୀ ଲୋକମାନେ ଯେ ଦିନେ ପୁରୁଷକୁ ଆଦର୍ଶ ଦେଖାଇ ପାରିବେ, ଏକଥା ଆମେ ଭୁଲି ଯାଉଚୁ । ସ୍ତ୍ରୀଜାତିକୁ ଆମେ ପର୍ଦ୍ଦା ଭିତରେ ଲୁଚାଇ ରଖିଚୁ, ସେଥିପାଇଁ ସେମାନଙ୍କ ହୃଦୟରେ ଜଳୁଥିବା ଆଲୁଅକୁ ଆମେ ଦେଖି ପାରୁନାହୁଁ । ଥରେ ଯଦି ଏ ପର୍ଦ୍ଦାର ବାଧା ଉଠିଯିବ, ତେବେ ସ୍ତ୍ରୀଜାତିର ଆଲୁଅରେ ସାରା ଦେଶ ଆଲୁଅ ପାଇବ ଓ ଆମର ଏ ଦୁଃଖ କଷ୍ଟ, ପରକୁ ଅନୁସରଣ କରିବା ଆଉ ଦରକାର ପଡ଼ିବ ନାହିଁ ।

 

(ଗ) ଆମଦେଶର ମାନସିକ ଦଶା

 

ଏତେ ବଡ଼ ଓଡ଼ିଶା ପ୍ରଦେଶରେ କେତୋଟି ମାତ୍ର କଲେଜ–ସେଥିରେ ପୁଣି ସମସ୍ତେ ପଢ଼ିବାର ସୁବିଧା ପା’ନ୍ତି ନାହିଁ । ଟଙ୍କା ନ ଥିବାରୁ କଲେଜ ସୁଖରୁ ଅନେକ ଛାତ୍ର ବଞ୍ଚିତ ହୁଅନ୍ତି । ପ୍ରଦେଶର ଚାରିଆଡ଼େ ଆଖି ପକାଇଦେଲେ ହାଇସ୍କୁଲ ସବୁ ଆଙ୍ଗୁଠି ଆଗରେ ଗଣି ହୋଇଯିବ । ଆମର ଏ ଶିକ୍ଷା ଗାଁ ଗହଳକୁ ପଶିପାରୁ ନାହିଁ । ପଢ଼ୁଆପିଲା ଗାଁକୁ ଗଲେ ସେ କୁଣିଆ ହୋଇ ରହେ । ସାଇପଡ଼ିଶା ଲୋକେ ତା’ସହିତ ବିଦେଶୀପରି ବ୍ୟବହାର କରନ୍ତି । ଏ ଶିକ୍ଷାରେ ଆମ ଦେଶର ମାନସିକ ବିକାଶ ହୋଇପାରେ ନାହିଁ ।

 

ନିଜର ବର୍ଣ୍ଣଗତ ବେଉସାରେ ପେଟ ପୂରିଲା ନାହିଁ, ହଳଧରି ପେଟ ପୂରିଲା ନାହିଁ, ନାନା ପ୍ରକାର ଫନ୍ଦି ଫିକର କରି ପେଟ ପୂରିଲା ନାହିଁ, ସେଥିପାଇଁ ବର୍ତ୍ତମାନ ସମସ୍ତେ ଚାକିରି ପାଇଁ ଅନେଇ ବସିଛନ୍ତି । ଜମି ବିକା ହୋଇ ପୁଅପାଠ ପଢ଼ୁଚି–ପୁଅ ପାଠପଢ଼ି ଚାକିରି କରିବ । ଗହଣା ବନ୍ଧା ପଡ଼ି ଇସ୍କୁଲ ଦରମା ଦିଆ ହେଉଚି–ପୁଅ ପାଠପଢ଼ି ସାହାବଙ୍କ ଇଜଲାସରେ ବସିବ, ହାକିମଙ୍କ ମହଲରେ ପଶି ପାରିବ । ବାପ ନିର୍ମାଲ୍ୟ ମୁଣିରୁ ତିଳକ କାଢ଼ି ଚିତା କଲାବେଳେ ଭଗବାନଙ୍କୁ ଡାକୁଚି ‘ମୋ ପୁଅକୁ ଖଣ୍ଡେ ଚାକିରି ମିଳୁ ।’ ଧରମକୁ ପାଣିଦେଲା ବେଳେ, ଶନିବାର ରବିବାର ପୂଜା କଲାବେଳେ ଠାକୁରାଣୀଙ୍କ ପାଦୁକ ପାଇଲାବେଳେ, ବୃନ୍ଦାବତୀଙ୍କ ଆଗରେ ସଞ୍ଜବତୀ ଦେଲାବେଳେ ମା’ ମୁଣ୍ଡ ପିଟି ପିଟି କହୁଚି ‘ହେ ଠାକୁର, ମୋ ପୁଅଟିକୁ ଖଣ୍ଡେ ଚକିରୀ ଜୁଟାଇ ଦିଅ ।’ ମାତ୍ର ଭଗବାନ କଣ କରିବେ ? ଚାକିରୀ ମିଳିଲେ ସିନା ସେ ମା’ର କଷ୍ଟ ଦୂରକରି ଦିଅନ୍ତେ ? ଚାକିରୀପାଇଁ ତ ପାଠପଢ଼ୁଆ ପୁଅମାନେ ତେଲୁଣୀପୋକ ପରି ସଲ ସଲ ହେଉଚନ୍ତି, ଖଣ୍ଡେ ଚାକିରୀପାଇଁ ଶହ ଶହ ଦରଖାସ୍ତ ପଡ଼ୁଚି, ମାତ୍ର କିଏ କାଗଜ କଲମ ପରୀକ୍ଷାରେ କଟିଯାଉଚି, କିଏ ସ୍ୱାସ୍ଥ୍ୟ ପରୀକ୍ଷାରେ କଟିଯାଉଚି, କିଏ ଦେହମୁଣ୍ଡ ମାପଚୁପ କମ୍ ହେବାକୁ କଟିଯାଉଚି । ଯେତେ ଯେତେ ବେଶୀ ଲୋକ ଚାକିରୀ ଖଣ୍ଡେ ପାଇବାପାଇଁ ସ୍କୁଲ କଲେଜରେ ପାଠ ପଢ଼ୁଚନ୍ତି, ସେତେ ସେତେ ଚାକିରୀର କିମତ ବଢ଼ି ବଢ଼ି ଚାଲିଚି । ସେଥିପାଇଁ ଟିକିଏ ଫିଟ୍‍ଫାଟ୍ ହେବା ଦରକାର ପଡ଼ିଲାଣି, ସେଥିପାଇଁ ହାତଗୋଡ଼ ଧରି ବାର ନେହୁରା ହୋଇ ବଡ଼ ବଡ଼ ରାୟବାହାଦୂରଙ୍କର ସୂପାରିଶ ନେବାକୁ ପଡ଼ିଲାଣି, ସେଥିପାଇଁ ଶହ ଶହ ଟଙ୍କା ଲାଞ୍ଚ ଦେବାକୁ ପଡ଼ିଲାଣି, ସେଥିପାଇଁ ବଡ଼ବାବୁଙ୍କ ଘରେ ଆଚାର ହାଣ୍ଡିଏ, ଦେଶୀଆଳୁ ଟୋକେଇଏ ମଧ୍ୟ ରଖି ଆସିବା ଦରକାର ପଡ଼ିଲାଣି । ଯିଏ ବେଶୀ ନେହୁରା ହୋଇ ପାରିଲା, ଯିଏ ବେଶୀ ଲାଞ୍ଚ ଦେଇ ପାରିଲା ସେଇ ଶେଷକୁ ବଛା ହେଲା । ମୋ ବାପ ରେଲବାଇରେ କାମ କରୁଚି, ମୁଁ ଯୋଗ୍ୟ ହୁଏ ବା ଅଯୋଗ୍ୟ ହୁଏ, ସେ ଚେଷ୍ଟା କରୁଚି ମୋତେ ତା’ କମ୍ପାନୀରେ ଢୁକେଇ ଦେବ । ଯାହାର ଟଙ୍କା ଯୋର ନାହିଁ, ହାତଗୁଞ୍ଜା ଦେବାକୁ ଯାହାର ଶକ୍ତି ନାହିଁ, ସେ ଚାକିରୀ ପାଇ ପାରୁ ନାହିଁ ।

 

ଖାଲି ଚାକିରୀ କରିବା ପାଇଁ କଣ ପାଠ ପଢ଼ନ୍ତି ? ଯୋଗ୍ୟ ହେବାକୁ ସିନା ସମସ୍ତେ ପାଠ ପଢ଼ନ୍ତି । ଏତେ ଇସ୍କୁଲ କଲେଜ ବସେଇ ମଧ୍ୟ ଆମ ଦେଶର ଶହେରେ ୯୨ ଜଣ ମୂର୍ଖ ଅଛନ୍ତି–ଯେତିକି ଲୋକ ପାଠ ପଢ଼ିଚନ୍ତି, ସେମାନେ ମଧ୍ୟ କିଛି ରୋଜଗାର ବାଟ ନ ଦେଖିପାରି ଘରେ କୋଢ଼ି କରେଇବା ଏହାର ଉଦ୍ଦେଶ୍ୟ । ଆମ ଦେଶର ସ୍କୁଲ କଲେଜ ଗୋଟାଏ କିରାନୀ କଳ–ସରକାରୀ ଅଫିସ ପାଇଁ କିରାନୀ ତିଆରି କରିବା ଏହାର କାମ । ମଣିଷକୁ ଯୋଗ୍ୟ କରିବା, ମଣିଷକୁ ନୂଆ କଥା ଶିଖେଇବା ଏ ପାଠ ପଢ଼ାର ଲକ୍ଷ୍ୟ ନୁହେଁ । ତାହା ନ ହୋଇଥିଲେ, ପାଠ ପଢ଼ି ସମସ୍ତେ ଯୋଗ୍ୟ ହୋଇ ପାରୁଥିଲେ, ଆମ ଦେଶର ପଢ଼ୁଆମାନେ କୋଢ଼ି ହୋଇ ବସନ୍ତେ କାହିଁକି-? ଯୋଗ୍ୟ ଲୋକ କଣ କେବେ କୋଢ଼ି ବସିଲାଣି ? ଏ ଶିକ୍ଷା ଆମର ଗୋଡ଼ହାତ ବାନ୍ଧି ପକାଇଚି, ଭିତରେ ଅଙ୍ଗାର ରଖି ମହାକାଳ ଫଳ ଭଳି ଏ ଆମକୁ ଭଣ୍ଡେଇ ଦେଉଚି । ଏ ସ୍କୁଲ କଲେଜ, ବଡ଼ ବଡ଼ କୋଠା, ପିଲାଙ୍କ ଫିଟଫାଟ ଦେଖିଲେ ପହିଲେ ପହିଲେ ଆଖି ଝଲସି ଯାଉଚି, ମାତ୍ର ସେ ଫିଟଫାଟ ଭିତର ଚିର ଦେଖିଲେ ଖାଲି ପୋଡ଼ା ଅଙ୍ଗାର । କିରାନୀ ଚାକିରୀ ଖଣ୍ଡେ କରି ପଡ଼ି ରହିବାକୁ ଆମକୁ ଏ କଲେଜ ବାଧ୍ୟ କରୁଚି । କିରାନୀଗିରି ଖଣ୍ଡକ ହାତରୁ ଖସିଲେ ବଞ୍ଚିରହିବାକୁ ଆମକୁ ଆଉ କୌଣସି ବୁଦ୍ଧି ଦିଶୁ ନାହିଁ ।

 

ଏ ଶିକ୍ଷାପାଇଁ ଆମର ସ୍ୱାଧୀନ ମନୋଭାବ ବଦଳି ଯାଉଚି । ଆମର ନିଜ ଭାଷାରେ ପାଠ ନ ପଢ଼ି ଆମେ ଗୋଟାଏ ବିଦେଶୀ ଭାଷାର ପାଠ ପଢ଼ୁଚୁ । ସେଥିପାଇଁ ଆମେ ଦେଶବାସୀଙ୍କଠାରୁ ଅଲଗା ହୋଇ ଯାଇଚୁ, ଦେଶ ଲୋକେ ଆମକୁ ଆଉ ଆରଉ ନାହାନ୍ତି । ଆମର ପୋଷାକ, ଢଙ୍ଗରଙ୍ଗ ଚାଲିଚଳନ ସବୁ ବିଲାତି ହୋଇ ଯାଉଚି । ଗାଁ’କୁ ଛୁଟିରେ ପଢ଼ୁଆପିଲା ଗଲେ ସେମାନଙ୍କର ପନ୍ଥା ଅଲଗା ହୋଇ ଯାଉଚି, ସେମାନେ ଗାଁ ଟୋକାଙ୍କ ସାଙ୍ଗରେ ମିଶି ପାରୁନାହାନ୍ତି । ଏ ପାଠ ପଢ଼ି ବିଲାତର ଖରାପ କଥାମାନ ମଧ୍ୟ ଆମେ ଅନୁକରଣ କରି ଶିଖିଚୁ, କଥା କଥାକେ ଆମର ଇଂଲିଶ ପଦେ ପଦେ ବାହାରି ପଡ଼ୁଚି । ମା’କୁ ଚିହ୍ନିବା ଆଗରୁ ମାଉସୀକୁ ଚିହ୍ନିବା ପାଇଁ ଆମେ ଖୁବ୍ ବ୍ୟସ୍ତ । ବାପା ମା’ ଆମ ଆଗରେ ସାହସ କରି କଥା କହୁ ନାହାନ୍ତି, ଆମେ ମଧ୍ୟ ଭଦ୍ର ସମାଜ ଭିତରେ ମଫସଲର ବାପା ଦାଦିଙ୍କୁ ବାପା ଦାଦି ବୋଲି କହିବାକୁ ନାରାଜ ହୋଇ ଯାଉଚୁ । ସାହାବଙ୍କ ଚାଲିଚଳନ ଶିଖିବାରେ ଆମେ ବ୍ୟସ୍ତ । କଲେଜରୁ ବାହାରି ଆସି ଆମେ ଦରମିଶା ବିଲାତୀ ହୋଇ ଯାଉଚୁ ।

 

ବିଲାତର ଛୋଟପିଲା ଯେତେବେଳେ ସ୍କୁଲକୁ ପ୍ରଥମେ ପଢ଼ିବାକୁ ଯାଏ, ମାଷ୍ଟର ତାକୁ ଶିଖାଏ ‘Rule Britanica, rule the waves’ ଅର୍ଥାତ୍ ‘ଇଂଲଣ୍ଡ ସବୁ ସମୁଦ୍ର ଉପରେ ମାଲିକ ।’ ଏଇପରି ଶିକ୍ଷା ପାଇଲେ ତା ଭିତରେ ଜାତୀୟ ମନୋଭାବ ଆସେ । ସେ ପିଲାଟିଦିନରୁ ଦେଶକୁ ଭଲ ପାଇ ଶିଖେ, ଦେଶପାଇଁ ଯୁଦ୍ଧ କରି ମରିବାକୁ ଶିଖେ । ମାତ୍ର ଆମ ପିଲା ଯେତେବେଳେ ଇଂଲିଶ ପଢ଼େ, ମାଷ୍ଟର ତାକୁ ଶିଖାଏ ‘God save our gracious king’ ଅର୍ଥାତ୍‌ ‘ଭଗବାନ ଆମ ରାଜାଙ୍କୁ ରକ୍ଷା କରନ୍ତୁ ।’ ଏଇଠାରୁ ଆମ ମନ ଭିତରେ ଗୋଟାଏ ଦାସ ମନୋଭାବର ମୂଳଦୁଆ ପଡ଼େ । ଆମ ଦେଶର ମାଲିକ ଭାବରେ ସାତ ସମୁଦ୍ର ସେପାରିର ଖଣ୍ଡେ ଛୋଟ ଟାପୁର ଜଣେ ଅଜଣା ଲୋକକୁ ଆମେ ଭକ୍ତି କରି ଶିଖୁ । ଆମ ଭିତରେ କିରାନୀର, ଗୋଲାମୀର ମନୋଭାବ ତିଆରି କରିବା ଏଇଠି ପ୍ରଥମେ ପିଡ଼ିଆ ଦିଆଯାଏ । ସେଥିପାଇଁ ପାଠ ଶେଷ କରି ଯେତେବେଳେ ଆମେ ଘରକୁ ଆସୁ, ଗାଁ ଆମକୁ ଭଲ ଲାଗେ ନାହିଁ, ବାପ ମା’ଙ୍କର କଥାବାର୍ତ୍ତା, ଚାଲିଚଳନ ଆମକୁ ସବୁ ମରହଟ୍ଟୀ ମାଲୁମ ହୁଏ, ଗାଁ’ ର ଚାଷୀ ଦିହର ମଇଳା ଗାମୁଛା ଦେଖିଲେ ଆମକୁ ବାନ୍ତି ଲାଗେ । ଘରେ ବଗଡ଼ା ଚାଉଳ ଖାଇବାକୁ ଆମକୁ ଭଲ ଲାଗେ ନାହିଁ । ମାତ୍ର ଏ ସବୁର ମୂଳରେ ଯେ ଆମେ ରହିଚୁ, ଲୋକଙ୍କୁ ଗରିବ ଯେ ଆମେ କରିଚୁ, ଏ କଥା ଆଉ ମନେ ନ ଥାଏ । ଚାଷୀର ତଣ୍ଟିଚିପା ହୋଇ ଯେଉଁ ପଇସା ଯାଇ କଲେଜ ତିଆରି ହୁଏ, ସେଠି ଆମେ ପଢ଼ୁ । ତଥାପି ପାଠପଢ଼ା ସାରି ସେଇ ଚାଷୀକୁ ମଳିମୁଣ୍ଡିଆ ବୋଲି ଆମେ ଘୃଣା କରୁ । କେଡ଼େ ନିମକହାରାମ ଆମେ ! ଯାହାର ଲୁଣ ଚିମୁଟାଏ ଖାଇ ଆମେ ମଣିଷ ହେଉଚୁ, ତାକୁ ଆମେ ଘୃଣା କରୁ, ଅପମାନ ଦେଉ । ଆଉ ଯିଏ ଘରର ଚିମୁଟାକ ଜୋର ଜବରଦସ୍ତି କରି ଛଡ଼ାଇ ନେଉଚି, ତାକୁ ଆମେ ଭକ୍ତି କରୁ, ତା’ର ଲୋକଙ୍କୁ ଭଲ ପାଉ, ତା’ର ଅଧର୍ମବିତ୍ତ ବଢ଼ାଇବାରେ ଲାଗିପଡ଼ୁ ।

 

ଆମେ ଆଜି ନିହାତି ଛୋଟମନା ହୋଇଚୁ । ମୋ ମାଣକ ପୂରାଇବା ପାଇଁ ମୁଁ ଲାଗିଚି, ତା ମାଣ ପୂରାଇବା ପାଇଁ ସେ ଲାଗିଚି । କେହି କାହାକୁ ପଚାରୁ ନାହାନ୍ତି । ଦରକାର ପଡ଼ିଲେ ତା ମାଣକ ଛଡ଼ାଇ ଆଣି ମୋର ଦି’ ମାଣ କରିବାକୁ ମଧ୍ୟ ମୁଁ ନାରାଜ ନୁହେଁ । ଆମେ ସୁଖରେ ରହିଚୁ, ଆମ ପଡ଼ୋଶୀ ଭୋକରେ ମରୁଚି, ଆମେ ତାକୁ ସେରେ ଚାଉଳ ଉଧାର ଦେବାକୁ ନାରାଜ । ଆମ ଘର ନେଇ ଆମେ ସନ୍ତୁଷ୍ଟ–ସେଥିପାଇଁ ଆମର ଚବିଶ ଘଣ୍ଟା ଚିନ୍ତା । ତା’ ଜମି ଭିତରକୁ କିପରି ମୋ ପହି ମଡ଼ାଇ ଦେବି, ତା କଇଁଆ ଗଛଟା କାହିଁକି ମୋ ବାରି ଭିତରକୁ ମାଡ଼ି ଆସିଲାଣି, ତା ପିଲାଏ କାହିଁକି ମୋ ଦାଣ୍ଡରୁ ମାଟି ତାଡ଼ି ଧୂଳି ଖେଳୁଚନ୍ତି, ଏ ସବୁ ଭାବି ଭାବି ମୋତେ ରାତିରେ ନିଦ ନାହିଁ । ମୋ ପୁଅ କେମିତି ପାଠ ପଢ଼ିବ, ମୋ ସ୍ୱାମୀ କେମିତି କାଳିମାଟିରେ ଖଣ୍ଡେ ଭଲ ଚାକିରୀ ପାଇବ, ମୋ ଝୁଅପାଇଁ କେମିତି ଭଲ ସୁଆରୀ ଖଣ୍ଡେ ଗଢ଼ା ହେବ, ଏ ସବୁ ଚିନ୍ତାରେ ମା’ ସବୁବେଳେ ବ୍ୟସ୍ତ । ତା’ ପୁଅ ସରକାରୀ ବୃତ୍ତି ପାଉଚି, ମୋ ପୁଅ ଶ୍ରେଣୀ ଉଠି ପାରିଲା ନାହିଁ, ଏଥିପାଇଁ ମା’ ଈର୍ଷାରେ ଜଡ଼ସଡ଼ ହୋଇ ଯାଉଚି ।

 

ସମାଜରେ ଏତେ ପାପଗର୍ଭ ହେଉଚି, ଗରିବ ଘରେ ସବୁ ଦିନେ ଜମିଦାରଙ୍କ ନାଟ ଚାଲିଚି, ମଠ ବଗିଚାରେ ଗରିବ ସ୍ତ୍ରୀକୁ ନେଇ ମହନ୍ତମାନଙ୍କର ରାସଲୀଳା ଚାଲିଚି, ଯେ କାମଟାକୁ ନେଇ ଆଣି ଥୋଇ ପାରିଲା ସେ ସମାଜଠାରୁ କୌଣସି ଅପମାନ ପାଉ ନାହିଁ । ଗରିବ ସ୍ତ୍ରୀ ଉପରେ ଅତ୍ୟାଚାର କରି ବାବାଜୀ ଗଦ ଖାଇବାକୁ ଦେଇ ଗର୍ଭ ନଷ୍ଟ କରି ଦେଉଚି, ସମାଜ ସେ କଥା ଜାଣି ପାରୁନାହିଁ, ବାବାଜୀ ଆନନ୍ଦରେ ଅଛନ୍ତି, ପ୍ରତିଦିନ ଘରେ ଘରେ ଚୈତନ୍ୟ ଦୀକ୍ଷା ଦେଇ ବୁଲୁଚନ୍ତି । ମାତ୍ର ଅନେକ ଜାଗାରେ ବଡ଼ଲୋକ ଗୁଣ୍ଡା ଲଗାଇ ଗରିବ ସ୍ତ୍ରୀକୁ ଟେକିଆଣି ତା’ ଉପରେ ଅତ୍ୟାଚାର କରୁଚି, ଗର୍ଭ ନଷ୍ଟ କରିବାକୁ କୌଣସି ଔଷଧ ମିଳୁନାହିଁ । ଯେତେବେଳେ ତାର ଗୋଇଠା ମାରୁଚନ୍ତି, କେହି ତା’ ଉପରେ ଦୟା ଦେଖାଉ ନାହାନ୍ତି । ତା’ର ଦୁଃଖ କଷ୍ଟ କେହି ବୁଝି ପାରୁ ନାହାନ୍ତି । ବାରି ପଛପଟେ ସେ ତୋଟା ଭିତରେ ପ୍ରସବ କରୁଚି, କେହି ତା’ର ତତ୍ତ୍ୱ ନେଉ ନାହାନ୍ତି । ଶେଷରେ ଛୁଆଟିକୁ ରାତିରେ ବିଲୁଆ ଟେକି ନେଉଚି, ସେଥିପାଇଁ କେହି ‘ଆହା’ ବୋଲି କହିବାକୁ ନାହିଁ ।

 

ମୋ ଘରେ ମୁଁ ଅଛି, ଗାଁକୁ ଚୋର ଆସିଲେ ମୋ ଘର ମୁଁ ଜଗୁଚି,-ଅନ୍ୟ କଥା ଦେଖିବାକୁ ମୋର ତର ନାହିଁ । ମୋର କେହି କ୍ଷତି କଲା, ମୁଁ ସାଙ୍ଗେ ସାଙ୍ଗେ ଓକିଲ ଲଗାଇ ତା ବିରୁଦ୍ଧରେ ମକଦ୍ଦମା ଲଢ଼ୁଚି । ଗାଁରେ ମିଳିମିଶି ଗୋଟିଏ କିଛି କରିବା, ଏ ଭାବ ମୋ ଭିତରେ ମୋଟେ ନାହିଁ । ଗାଁ’ରେ ଗୋଟାଏ ପଞ୍ଚାୟତ ଗଢ଼ି ଗାଁ’ କଳି ଗାଁ’ ରେ ଭାଙ୍ଗି ଦେବା କଥା ମୁଁ ଆଉ ପସନ୍ଦ କରୁନାହିଁ । ମୋ ଘର ଆଗରେ ପଡ଼େଶୀଠାରୁ ସହରର ଓକିଲ ମୋର ବେଶୀ ନିଜର ହୋଇ ଗଲାଣି । ଓକିଲ ବାର ମିଛ କହି ମୋ ମକଦ୍ଦମା ଡିଗ୍ରୀ କରାଇ ଦେଉଚି, ସେଥିପାଇଁ ସେ ମୋର ବେଶୀ ପ୍ରିୟ ହେବ ନାହିଁ ତ କିଏ ହେବ । ମାତ୍ର ଯାହାଠାରୁ ମୁଁ ତୁ’ଣ ମାଗି ଖାଉଚି, ଯାହା ପିଲା ସାଙ୍ଗେ ମୋ ପିଲା ଧୂଳିଘର କରି ଖେଳୁଚି; ତାକୁ ମୁଁ ସନ୍ଦେହ ଚକ୍ଷୁରେ ଦେଖୁଚି । ଭାଇ ଭାଇକୁ ବିଶ୍ୱାସ କରୁନାହିଁ, ପୁଅ ବାପକୁ ବିଶ୍ୱାସ କରୁନାହିଁ–ପ୍ରତ୍ୟେକ ଗାଁ’ରେ ଘର ଦୁଇଭାଗ, ଚାରିଭାଗ, ଶେଷକୁ ଆଉ କେତେ ଭାଗ ହୋଇଯାଉଚି । ସବୁଦିନ ରାତିରେ ସାଇମାଇପଙ୍କ ଭିତରେ କଜିଆ–ଶାନ୍ତିରେ ରାତିଟା କରି ପାରୁ ନାହିଁ । ଅନ୍ୟ ଜଣକ ନାଁରେ ଖଚ ମିଛ ଯୋଡ଼ିବା କେତେ ଟାଉଟରଙ୍କ ବ୍ୟବସାୟ ହୋଇ ପଡ଼ିଚି । ଏତେ ଛୋଟିଆ ମନ ଆମର ହେଲାଣି ଯେ ସମସ୍ତଙ୍କର ଯୋଉଥିରେ ଭଲ ହେବ, ସେପରି ଗୋଟାଏ କଥା କହିବାକୁ ଆମେ ପ୍ରସ୍ତୁତ ନୋହୁ ।

 

ଭାଇ ସାଙ୍ଗରେ କଜିଆ ହେଲାବେଳେ ଆମେ ଭାଇ ମୁଣ୍ଡରେ ସାବଳ ପିଟି ଦେଉଛୁ; ସାଇ ସାଇ ଭିତରେ କଜିଆ ହେଲେ ଆମେ ଠେଙ୍ଗା ବାଡ଼ି ନେଇ ବାହାରୁଚୁ, ମାତ୍ର ଦେଶ ପାଇଁ କିଛି କରିବାକୁ ଗଲେ ଆମେ ପଛେଇ ଯାଉଛୁ । ଆମେ ଦେଶ ପାଇଁ ଭାବି ପାରୁନାହୁଁ, ଦେଶର ଭଲ ପାଇଁ କିଛି କରୁନାହୁଁ, ଦେଶ ସକାଶେ ଜୀବନ ଦେବାକୁ ଆମର ସାହସ ହୋଇନାହିଁ । ଭାଇ ଉପରକୁ ଆମେ ଯେଉଁ ସାବଳ ଉଞ୍ଚାଉଛୁ, ଦେଶର ଭଗାରି ଉପରକୁ ସେ ସାବଳ ଉଞ୍ଚାଇବାକୁ ଆମର ମନ କହୁ ନାହିଁ । ଦେଶରେ କଣ ହେଉଚି, କେଉଁଠି ଗୁଳିଖାଇ ଲୋକଙ୍କ ମୁଣ୍ଡ ଭୂଇଁରେ ଲୋଟିଯାଉଚି, ସେ କଥାଗୁଡ଼ାକ ଆମକୁ ଭଲ ଲାଗୁ ନାହିଁ । ଆମ କାମରେ ଆମେ ବ୍ୟସ୍ତ, ଆମ ବାଡ଼ ତା ଜମିକୁ ମଡ଼ାଇ ଦେବାପାଇଁ ଆମ ମୁଣ୍ଡ ଘୁରୁଚି । ଦିନକୁ ଦିନ କେତେ ତଳକୁ ଆମେ ଖସି ଯାଉଛୁ ? ଆମ ମନ କେତେ ଛୋଟ ହୋଇ ଯାଉଚି ? ଦେଶ ପାଇଁ ନ ଭାବିଲେ, ଆମ ମନୋଭାବ ନ ବଦଳିଲେ ଆମେ କେବେ ହେଲେ ନିଶ୍ଚିନ୍ତରେ ରହି ପାରିବା ନାହିଁ ।

 

ଯେତେବେଳେ ମଣିଷ ପ୍ରକୃତ ଧର୍ମକୁ ଚିହ୍ନିଥିଲା, ସେତେବେଳେ ସେ ସୁଖଶାନ୍ତିରେ ରହିଥିଲା, ନିଜର ଉନ୍ନତି କରୁଥିଲା, ଆଜି ସେ ଧର୍ମର ସାରକୁ ଭୁଲିଯାଇ ଅନ୍ଧ ବିଶ୍ୱାସରେ ମାତିଚି, ସେଥିପାଇଁ ସେ ଏତେ ଦୁଃଖ ପାଉଚି । ମନୁଷ୍ୟର ଧର୍ମ–ମାତ୍ର ଯେଉଁମାନେ ଆଜି ମଣିଷ ଉପରେ ଅତ୍ୟାଚାର କରୁଚନ୍ତି, ମଣିଷ ସ୍ତ୍ରୀକୁ ଘରୁ କଢ଼ାଇ ଆଣି ଦେବଦାସୀ କରି ମଠରେ ନଚାଉଛନ୍ତି, ଯେଉଁମାନେ ଗରିବର ତଣ୍ଟିଚିପି ମଠବାଡ଼ି ବଢ଼ାଇବାରେ ଲାଗିଚନ୍ତି, ମଣିଷ ତାଙ୍କୁ ନର-ରୂପୀ ନାରାୟଣ ବୋଲି ପୂଜା କରୁଚି, ତା’ରି ଗୋଡ଼ତଳେ ମୁଣ୍ଡିଆ ମାରୁଚି । ଦରିଦ୍ର ଭିତରେ ଯେ ନାରାୟଣ ଅଛନ୍ତି ସେ ଏ କଥା ଭୁଲିଯାଉଚି । ସ୍ୱାମୀ ବିବେକାନନ୍ଦ ଥରେ କହିଥିଲେ–‘‘ଭଗବାନଙ୍କୁ ପାଇବା ଯଦି ତୁମ୍ଭର ଇଚ୍ଛା, ତେବେ ମନ୍ଦିର, ମସଜିଦ୍‌ ବା ଗୀର୍ଜାକୁ ଯିବା ଦରକାର ନାହିଁ । ତୁମ ଆଗରେ ଯେତୋଟି ଲୋକ ଖାଇବାକୁ ନ ପାଇ ପିନ୍ଧିବାକୁ ନ ପାଇ କଷ୍ଟ ପାଇଛନ୍ତି, ସେମାନଙ୍କ ପାଟିରେ ଦାନା ଦିଅ, ସେମାନଙ୍କ ଲଜ୍ଜା ଘୋଡ଼େଇବାପାଇଁ ନିଜ ପିନ୍ଧିଲା ଲୁଗାରୁ ଖଣ୍ଡେ ଚିରିକରି ଦିଅ, ଦେଖିବ ସେହି କଙ୍କାଳ ଭିତରୁ ସେ ଅଧଲଙ୍ଗଳା ଧଡ଼ ଭିତରୁ ଭଗବାନ୍‌ ତୁମ୍ଭଙ୍କୁ ଦର୍ଶନ ଦେବ-।’’ ଏ କଥା ବର୍ତ୍ତମାନ କେତେଜଣ ଲୋକ ମାନୁଚନ୍ତି ? ଜମିଦାର ଦିନରାତି ମାଳା ଗଡ଼ାଉଚି, ମଠମହନ୍ତ ସାତଦିନରେ ଗୋଟାଏ ଲେଖାଏଁ ମେଳା ମଉଛବ କରୁଚି, ଆଉ ଆମ ଲୋକେ ସେଇମାନଙ୍କୁ ଭଗବାନଙ୍କର ଲୋକ ବୋଲି ଆନନ୍ଦରେ ସେମାନଙ୍କର ଅଧରାମୃତ ଚାଟି କୃତାର୍ଥ ହେଉଚନ୍ତି । ମହନ୍ତ ପ୍ରଚାର କରୁଚି, ‘‘ପବନ ଘାସର କିଛି କରିପାରେ ନାହିଁ । ସମସ୍ତେ ଘାସପରି ହେବାକୁ ଚେଷ୍ଟା କର । ଗରିବ ହୋଇ ରହିଲେ ଭଗବାନ୍‌ ଦେଖାଦେବେ ।’ ଏଇସବୁ ପ୍ରଚାର ଫଳରେ ଦୁନିଆର ଏ ଅନୀତି, ଦିନ ଦି’ପହରେ ଏ ଗୁଣ୍ଡାମି ତସ୍କର ବୃତ୍ତି ଦେଖିଚାହିଁ ସୁଦ୍ଧା, ତସ୍କର ଆଡ୍ଡାକୁ ପୋଡ଼ି ପାଉଁଶ କରିଦେବାକୁ ଗରିବ ଭିତରେ ନିଆଁ କୁହୁଳୁ ନାହିଁ । ସେଇ ଭଗବାନ୍‌ ନେଇ ସେ ପଡ଼ିରହିଚି । ପରର ଯେ ମନ୍ଦ ପାଞ୍ଚୁଚି, ମଣିଷ ଭଗବାନଙ୍କୁ ସେଇମାନଙ୍କର ପ୍ରତିନିଧି କରି ଥୋଇଲାଣି । ପରପାଇଁ ଯେ ଉପକାର କରୁଚି, ନରହନ୍ତା ଜମିଦାର ମହନ୍ତମାନଙ୍କ ବିରୁଦ୍ଧରେ ଯିଏ ପ୍ରଚାର କରୁଚି, ସେ ଧର୍ମଦ୍ରୋହୀ ବୋଲି ଅପମାନ ପାଉଚି । ଏମିତି ଧର୍ମ ନେଇ ଆମେ କେତେ ଦିନ ପଡ଼ି ରହିବା ?

 

ଚିରଦିନ ଦୁନିଆର ଶାସକମାନେ ଧର୍ମକୁ ଗୋଟାଏ ଆଳ କରି ଆସିଚନ୍ତି । ଧର୍ମର ଭୟ ଦେଖାଇ ଲୋକଙ୍କୁ ଶୋଷି ଶୋଷି ଆସିଚନ୍ତି । ଇଉରୋପର ବିଶପମାନେ ରଜାଙ୍କ ସାଙ୍ଗରେ ମିଶି ତଣ୍ଟି ଚିପିଚନ୍ତି । ଋଷିଆରେ ଯେଉଁ ଜାର ସରକାର ଥିଲା, ତାର ଶୋଷଣରେ ତାକୁ ସବୁଠାରୁ ବେଶୀ ସାହାଯ୍ୟ କରୁଥିଲେ ସେ ଦେଶର ଧର୍ମଯାଜକମାନେ । ଆଜିକାଲି ଧର୍ମ ଅତ୍ୟାଚାରର ଗୋଟାଏ ଅସ୍ତ୍ର ହୋଇ ପଡ଼ିଚି । ଧର୍ମ ସକାଶେ ପୂର୍ବକାଳରେ ଅନେକ ହତ୍ୟାକାଣ୍ଡ ହୋଇଚି, ବର୍ତ୍ତମାନ ମଧ୍ୟ ଭାରତର ପ୍ରତ୍ୟେକ ସହରରେ ବିଭିନ୍ନ ଧର୍ମର ଲୋକଙ୍କ ଭିତରେ ଦଙ୍ଗାହଙ୍ଗାମା ହେଉଚି ।

 

ଧର୍ମର ସାର ଜିନିଷକୁ ଯଦି ଲୋକ ବୁଝୁଥାନ୍ତା, ତେବେ ଏତେ କଳିକଜିଆ ହେଉ ନ ଥାନ୍ତା, ଗୋଟାଏ ଦେଶକୁ ଆଉ ଗୋଟାଏ ଦେଶ ତାର କବ୍‌ଜାରେ ରଖି ନ ଥାନ୍ତା; ଗରିବର ସଂସାର ବୁଡ଼ାଇବାକୁ କେହି ଷଡ଼ଯନ୍ତ୍ର କରୁ ନ ଥାନ୍ତେ । ମାତ୍ର ଆଜିକାଲିକା ଯୁଗରେ ମଣିଷ ଭାବୁଚି, ମୋ ଧର୍ମ ପୃଥିବୀରେ ସବୁଠାରୁ ଶ୍ରେଷ୍ଠ ଧର୍ମ–ତେଣୁ ଅନ୍ୟମାନେ ମୋଠାରୁ ଛୋଟ । ତାର ଅନ୍ୟମାନଙ୍କ ପ୍ରତି ଈର୍ଷା ହେଉଚି । ମୁସଲମାନ ହିନ୍ଦୁମାନଙ୍କୁ ନାପାକ୍‌ କାଫେର ବୋଲି ଘୃଣା କରେ, ହିନ୍ଦୁ ମୁସଲମାନମାନଙ୍କୁ ‘ଯବନ’ ବୋଲି କହି ଅପମାନ ଦିଏ । ଏଇ ଅନ୍ଧବିଶ୍ୱାସରେ ଦୁହେଁ ଛନ୍ଦି ହୋଇ ପଡ଼ିଛନ୍ତି ବୋଲି ଦେଶର କିଛି ଉପକାର ହେଉ ନାହିଁ । ଘରେ ଯେତେବେଳେ ଚୋର ପଶିଚି, ଏ ଦୁଇଭାଇ ଜଣେ ଆଉଜଣଙ୍କ ସାଙ୍ଗରେ କଜିଆକରି ଏଣେ ଚୋରକୁ ନେହୁରା କରି ଚୋର ଛାଡ଼ିଯିବା ଧନରୁ ବେଶୀ ଭାଗ ନେବାକୁ ବସିଚନ୍ତି । କିନ୍ତୁ ଏଥିରେ କି ପେଟ ପୂରେ ?

 

(ଘ) ଆମଦେଶର ସାମରିକ ଦଶା

 

ନାଲିପଗଡ଼ି ଦେଖିଲେ ଆମ ଗାଁ ମାଇପେ ଘରେ କବାଟକିଳି ପଶନ୍ତି । ଚଉକିଆଟାଏ ଗାଁ ଦାଣ୍ଡରେ ଚାଲିଗଲେ ସମସ୍ତଙ୍କର ପାଟି ବନ୍ଦ ହୋଇଯାଏ–ଜଣେ କୋଟ ପେଣ୍ଟଲୁନ୍‌ ପିନ୍ଧା ଟୋପିଲଗା ବାବୁ ଦେଖିଲେ ଶଙ୍କି କେହି ତାଙ୍କ ପାଖକୁ ଯାନ୍ତି ନାହିଁ । ଜମିଦାରଘର ପଠାଣ ପିଆଦା ଠେଙ୍ଗା ଖଣ୍ଡେ ନେଇ ଯେତେବେଳେ ଦାଣ୍ଡଦୁଆରେ ବସିପଡ଼େ, ସେତେବେଳେ କେହି ଡରରେ ଦାଣ୍ଡକୁ ବାହାରନ୍ତି ନାହିଁ । ଭାଇ ସାଙ୍ଗରେ ଆମେ କଜିଆ କରିପାରୁ, ରାତିରେ ଉଠି ଭାଇ ଶୋଇଥିଲା ବେଳେ ତା ବେକରେ ଛୁରୀ ଭୁଷି ଦେଇପାରୁ, ମାତ୍ର ଚଉକିଆ ଦେଖିଲେ ଆମର ହୃତକମ୍ପ ହୁଏ । ଗାଁର ଟୋକାମାନେ ଆମର କେବେ ଏକାଠି ମିଶନ୍ତି ନାହିଁ । ଏକାଠି ବୁଲିବା, ଖେଳିବା, ଏ ସବୁ ଆମଦେଶରେ ଦେଖାଯାଏ ନାହିଁ, ଖଣ୍ଡେ ଖଣ୍ଡେ ଠେଙ୍ଗାଧରି ଧାଡ଼ି ହୋଇ ଗାଁ ଦାଣ୍ଡରେ ଚାଲିଯିବାର ଶକ୍ତି ଆମର ହୋଇନାହିଁ । ଗାଁକୁ କୌଣସି ବିପଦ ପଡ଼ିଲେ ଆମେ ସମସ୍ତେ ଦଳ ହୋଇ ବାହାରି ପାରୁନାହିଁ ।

 

ଅନେକ କହନ୍ତି ଆମ ଦେଶରେ ତ ଅସ୍ତ୍ର ଖଣ୍ଡେ ଧରିବାର ଅଧିକାର ନାହିଁ, ଆମର ଯୁଦ୍ଧ କରିବାର ମନୋଭାବ ଆସିବ କୁଆଡ଼ୁ ? ମାତ୍ର ଅସ୍ତ୍ର ଧରିଲେ କଣ ଆମର ସାମରିକ ମନୋଭାବ ଚାଲିଆସିବ । ଅସ୍ତ୍ର ନ ଧରି ମଧ୍ୟ ଯୁଦ୍ଧ କରାଯାଇପାରେ । ପରକୁ ହତ୍ୟା ନ କରି ନିଜେ ମରି ମଧ୍ୟ ଶତ୍ରୁ ସଙ୍ଗରେ ଯୁଦ୍ଧ କରାଯାଇପାରେ । ଅସ୍ତ୍ର ଥାଇ ହେଉ, ଅସ୍ତ୍ର ନ ଥାଇ ହେଉ; ହିଂସାରେ ହେଉ ଅହିଂସାରେ ହେଉ ଯୁଦ୍ଧରେ ଜିଣିବାକୁ ହେଲେ ପହିଲେ ଭୟ ଦୂର କରିବା ଉଚିତ, ସବୁ ସମୟରେ ଜୀବନକୁ ଦେଇଦେବାକୁ ପ୍ରସ୍ତୁତ ଥିବା ଦରକାର । ମୋ କାନ୍ଧରେ ତିନିଟା ବନ୍ଧୁକ ପଡ଼ିଚି, ଏଣେ ମୋ ଛାତି ଧୁଡ଼ୁ ଧୁଡ଼ୁ ହେଉଚି–ଏମିତି ହେଲେ ମୁଁ କେବେ ଯୁଦ୍ଧ କରି ପାରିବି ନାହିଁ । ମୋର ଭିତରେ ସାହସ ନ ଥିଲେ, ଶତ୍ରୁର ତେଜ ଦେଖିବା ମାତ୍ରକେ ମୋ ବନ୍ଧୁକ ତଳେ ଖସି ପଡ଼ିବ, ମୋ ଦେହରୁ ଅଧେ ପ୍ରାଣ ଉଡ଼ିଯିବ । ଶରୀରର ବଳ ମଧ୍ୟ ଅନେକ ସମୟରେ ଯଥେଷ୍ଟ ନୁହେଁ । ହାତ ଗୋଡ଼ର ମାଂସପେଶୀ ବଢ଼ିବା ସଙ୍ଗେ ସଙ୍ଗେ ଏଣେ ମନର ବଳ ବଢ଼ିବା ଦରକାର । ତା’ ନ ହେଲେ ଆମେ କୌଣସି ସମୟରେ ମଧ୍ୟ ଯୁଦ୍ଧ କରିବାକୁ ତିଆରି ହୋଇପାରିବା ନାହିଁ । ଦୁର୍ବଳ ଲୋକର ଯଦି ପ୍ରକୃତରେ ଯଥେଷ୍ଟ ମନର ବଳ ଥାଏ, ତେବେ ସେ ମଧ୍ୟ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ ଜଣାଇବ; ଯେଉଁଠି ସେ ଅନ୍ୟାୟ ଦେଖିବ, ସେଠି ସେ କେବେହେଲେ ସେଇ ଅନ୍ୟାୟକୁ ସୁନାପୁଅ ପରି ବରଦାସ୍ତ କରିନେବ ନାହିଁ । ତେଣୁ କେବଳ ମନରୁ ସବୁ ପ୍ରକାରର ଭୟ ଦୂର କରିପାରିଲେ ସତ ପାଇଁ ନ୍ୟାୟ ପାଇଁ ଜୀବନକୁ ବିକି ଦେଇପାରିଲେ, ଦେଶରେ ସାମରିକ ମନୋଭାବର ସୃଷ୍ଟି ହୋଇ ପାରିବ ।

 

ମାତ୍ର ଆମଦେଶର ପିଲା ଭୂତକୁ ଡରେ, ବାପାକୁ ଡରେ, ମାଷ୍ଟରକୁ ଡରେ, ଠାକୁରଙ୍କୁ ଡରେ, ଜମିଦାରକୁ ଡରେ, ସରକାରକୁ ମଧ୍ୟ ଡରେ । କାନ୍ଦିଲା ପିଲାକୁ ମା ‘ବାଇଆ’ର ଡର ଦେଖାଇ ତୁନି କରିଦିଏ, ଆମ ରକ୍ତ ମାଂସରେ ଡର ପଶି ଯାଇଚି–ସବୁଦିନେ ଆମେ ଡରରେ ଦଶ ବାର ଥର ଲେଖାଏଁ ମରୁଚୁ । ଏକାଠି ଗୋଟାଏ ଦଳ ହୋଇ, ମନରୁ ସବୁ ଭୟ ଦୂରକରି, ଦେଶ ପାଇଁ, ଜାତି ପାଇଁ, ଇତରଲୋକଙ୍କର ଉପକାର ପାଇଁ କିଛି କରିବାର ସାହସ ଆମ ଭିତରେ ନାହିଁ । ଅନ୍ୟଦେଶରେ ସ୍ତ୍ରୀଲୋକମାନେ ଯୁଦ୍ଧ କରୁଚନ୍ତି, ମାତ୍ର ଆମ ଦେଶର ଭେଣ୍ଡିଆମାନେ ଯୁଦ୍ଧ ନାଁ ଶୁଣିଲେ ଡରୁଚନ୍ତି, ବନ୍ଧୁକ ଫୁଟିଲେ ଚମକି ପଡ଼ୁଚନ୍ତି । ଯେଉଁ ଦେଶ ଡରରେ ଦିନକୁ ଦଶଥର ମରୁଚି ସେ ଦେଶ ବଞ୍ଚିବ କୁଆଡ଼ୁ ? ସେ ଦେଶ ଯୁଦ୍ଧ କରିବ କୁଆଡ଼ୁ ?

 

(ଙ) ଆମ ଦେଶର ରାଜନୈତିକ ଦଶା

 

ଖରା ବର୍ଷା କାକରରେ ଖଟି ଖଟି ଯେଉଁ ଦେଶର ଚାଷୀକୁ ନିତି ମୁଠାଏ ଦାନା ମିଳେ ନାହିଁ, ସେ ଦେଶର ରାଜନୀତି କଣ ହୋଇପାରେ ? ଏଇ ଦରଖିଆ ଚାଷୀଙ୍କର ପେଟ ପୂରାଇବା ହେଉଚି ଏ ଦେଶର ଏକମାତ୍ର ରାଜନୀତି । ଦେଶର ସେବକ ହିସାବରେ ଯେଉଁମାନେ ଆଜି ଆଗକୁ ବାହାରିଚନ୍ତି, ଦେଶର ଭୋକିଲା ପେଟର ଚିତ୍ର ସେମାନଙ୍କର ଆଖି ଆଗରେ ସବୁବେଳେ ନାଚିବା ଉଚିତ । ଯେଉଁ ରାଜନୀତି ଦ୍ୱାରା ସାଧାରଣ ଲୋକଙ୍କର ବାସ୍ତବରେ କିଛି ଉପକାର ହୁଏ, ସେଇ ହେଉଚି ପ୍ରକୃତ ରାଜନୀତି । ମାତ୍ର ଯେଉଁ ରାଜନୀତି ସାଧାରଣ ଖଟି ଖାଇଲା ଲୋକଙ୍କର ତଣ୍ଟି ଚିପେ, ତାକୁ ରାଜନୀତି କୁହାଯାଇ ପାରିବ ନାହିଁ-ତାହା ହେଉଚି ଦଗାବାଜି ।

 

ମାତ୍ର ଏକଥା ଆଜି ଭାରତର ପ୍ରତ୍ୟେକ ଲୋକ ବୁଝି ନାହିଁ । ଦେଶର ଲୋକେ ଯେତେବେଳେ ଉପାସ ଭୋକରେ ଛଟପଟ ହେଉଛନ୍ତି, ଆମ ଦେଶର ଯୁବକମାନେ ଯେତେବେଳେ ଦୂଷିତ ରାଜନୀତି ଭିତରେ ପଶିଛନ୍ତି–ଯେଉଁ ରାଜନୀତି ଲୋକଙ୍କର କ୍ଷତି କରିବ, ସେଇପରି ରାଜନୀତିରେ ପଶୁଚନ୍ତି, ଲୋକଙ୍କର ସ୍ୱାର୍ଥ ବିରୁଦ୍ଧରେ ଯାଉଥିବା ଭଳି ଦଳ ଗଢ଼ୁଚନ୍ତି । ଏ ଦେଶରେ ଲୋକେ ଆଜି ପର୍ଯ୍ୟନ୍ତ ବୁଝିପାରିଲେ ନାହିଁ ଯେ ଦେଶରେ ଗୋଟାଏ ବଳୁଆ ଅନୁଷ୍ଠାନ ରହିଲେ ଏ ଦେଶର ଦୁଃଖ କଷ୍ଟ ଚାଲିଯିବ । ଚାଷୀ ବିଲରେ ଖଟୁଚି–ତା’ରି ଆଖିଆଗରେ ଯାବତ ସଂଘ, କରଣ ସଂଘ, ଖଣ୍ଡାୟତ୍‌ ସମ୍ମିଳନୀ, ତେଲୀ ସଭା, ବ୍ରାହ୍ମଣ ସମ୍ମିଳନୀ, ସିହା ଓ ସୁନୀ ସମ୍ମିଳନୀ, ହିନ୍ଦୁ ମହାସଭା, ମୁସଲିମ ଲିଗ, ଶିଖ ଦଳ ବସୁଚି–ମାତ୍ର ତାର ଦୁଃଖ ମେଣ୍ଟୁ ନାହିଁ, ତାର ପେଟ ପୁରୁ ନାହିଁ । ବର୍ଷାଦିନିଆ ଛତୁ ପରି ଏତେ ଦଳ ବାହାରି ଯଦି ଦେଶର ପେଟ ନ ପୂରିଲା, ତେବେ ଏ ରାଜନୀତିରେ ଫଳ କଣ ? ପାଠପଢ଼ୁଆଙ୍କର ଟେବୁଲ କଚାଡ଼ି କଥା କହିବା ଛଡ଼ା ଏଥିରେ କି ଲାଭ ମିଳେ ?

 

ବଡ଼ ବଡ଼ ସହରମାନଙ୍କରେ ଦେଖିବା–ବଡ଼ ବଡ଼ ସଭା ହେଉଚି, ‘ଲେକ୍‌ଚର’ ଦିଆ ଚାଲିଚି, ଟେବୁଲ ଫଟା ହେଉଚି, କରତାଳିରେ କୋଠାଘର କମ୍ପି ଯାଉଚି । ମାତ୍ର ଏଇ କରତାଳିରେ କଣ ପେଟ ପୂରେ ? ଓକିଲାତି ଯେମିତି ଗୋଟିଏ ବ୍ୟବସାୟ, ଟାଉଟର ସାଜିବା ଯେମିତି ଗୋଟିଏ ବ୍ୟବସାୟ, ଗାଁ ମକଦ୍ଦମା ନେଇ ଅଦାଲତରେ ହାଜର କରିବା ଯେମିତି ଗୋଟାଏ ବ୍ୟବସାୟ, ରାଜନୀତି ସେମିତି ଗୋଟିଏ ବ୍ୟବସାୟ ହୋଇଗଲାଣି । ଭାରତର ସାତଲକ୍ଷ ଗାଁର କୁଡ଼ିଆ ଘରେ ଯେଉଁମାନେ ରହନ୍ତି, ସେମାନଙ୍କ ପାଇଁ କିଛି ତ୍ୟାଗ କରିବା ଦୂରେ ଥାଉ, ଆମ ଦେଶର ଅନେକ ଯୁବକ ସାଧାରଣ ଲୋକଙ୍କର ଦୃଷ୍ଟିରୁ ଆଜିଯାଏ ଭାବି ଶିଖି ନାହାନ୍ତି । ସାଧାରଣ ଲୋକଙ୍କର ସ୍ୱାର୍ଥ ବିରୁଦ୍ଧରେ ହେଉଥିବା ଦଳ ମଧ୍ୟ ଏ ଦେଶରେ ରହିଚନ୍ତି । ଯେଉଁମାନେ ଦିନରାତି ଏ ଦେଶରେ ଦୁଃଖ କଷ୍ଟ ସହି କାନ୍ଦୁଚନ୍ତି, ସେଇମାନଙ୍କ ଜୀବନ ସହିତ ଯିଏ ନିଜର ଜୀବନକୁ ମିଶାଇ ଦେଇ ପାରିବ ସେଇ କେବଳ ପ୍ରକୃତ ସେବକ–ସେଇପରି ଲୋକମାନେ ଯେଉଁ ଦଳ ଗଢ଼ିବେ, ସେ ଦଳ ନିଶ୍ଚୟ ଦେଶର ଉପକାର କରିବ । ମାତ୍ର କେତେ ଜଣ ଲୋକ ଏଇସବୁ ଭାବିଚିନ୍ତି ରାଜନୀତିରେ ପଶୁଚନ୍ତି ? କେତେ ଲୋକ ନିଜର ସବୁ ମାୟାମୋହ ତୁଟାଇ ଦେଇ ସାଧାରଣଙ୍କ କାମରେ ପ୍ରାଣ ଲଗାଇ ଦେଉଚନ୍ତି । ନିଜର କହିବା ଶକ୍ତିକୁ ପ୍ରଚାର କରିବାକୁ ଅନେକ ଆସି ରାଜନୀତିରେ ପଶନ୍ତି-। ଗୋଟାଏ ସଭାରେ ମୁଁ ବଡ଼ ବଡ଼ କଥା କହିଲି–ଲୋକଙ୍କର ରକ୍ତ ତାତି ଉଠିଲା, କରତାଳି ନାଦରେ ସଭା କମ୍ପିଗଲା । ସଭା ଯେତେବେଳେ ସରିଲା, ମୁଁ ଲୁଚି ଲୁଚି ଲୋକଙ୍କ ପଛରେ ଗଲି । ଶୁଣିଲି ଲୋକେ ମୋରି କଥା କଥାବାର୍ତ୍ତା ହେଉଚନ୍ତି । ସମସ୍ତେ ମୋର ତାରିଫ୍‌ କରୁଚନ୍ତି । କିଏ କହୁଚି ‘‘ଅମୁକ ବାବୁ ଖାସାକଥା କହିଲେ,’’ ଆଉ ଜଣେ କହୁଚି ‘‘ଏମିତି କହି ଜାଣିବା ଲୋକ ମୁଁ କେବେ ଦେଖି ନ ଥିଲି ।’’ ଏଇ କଥାମାନ ଶୁଣି ମନ କୁଣ୍ଢେ ମୋଟ–ମୋର ମନେ ହେଉଚି, ସତେ ଯେମିତି ମୋର କାମ ସରିଗଲା; ମାତ୍ର ଯେଉଁସବୁ କଥା ମୁଁ କହିଚି, ସେ ସବୁ କଥା ମୁଁ ତା’ ଆରଦିନ ଭୁଲିଯାଉଚି ଓ ସେଇ ଅନୁସାରେ କାମ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।

 

ଗଡ଼ଜାତର ରାଜା, ଦେଶର ରାୟ ବାହାଦୂର, ଖାଁ ସାହେବମାନେ ମଧ୍ୟ ଗୋଟାଏ ଦଳ ଗଢ଼ିଥାନ୍ତି । ସବୁ ପ୍ରଦେଶରେ ଜମିଦାରମାନେ ମଧ୍ୟ ଗୋଟାଏ ଗୋଟାଏ ଦଳ ବାନ୍ଧିଥାନ୍ତି । ସେମାନଙ୍କର କି ଉଦ୍ଦେଶ୍ୟ ଏଥିରେ ଅଛି ? ସେମାନେ ଯେତେ ଦିନ ପର୍ଯ୍ୟନ୍ତ ସେମାନଙ୍କର ଖିତାବ ନେଇ ପଡ଼ିଥିବେ, ସେତେଦିନ ପର୍ଯ୍ୟନ୍ତ ନିର୍ମଳ ମନରେ ଲୋକମାନଙ୍କ ପାଇଁ ସେମାନେ ଲଢ଼ି ପାରିବେ ନାହିଁ । ଯେଉଁ ମୁହୂର୍ତ୍ତରେ ସେମାନେ ଲୋକଙ୍କ ଦୁଃଖ ବୁଝିବେ, ଲୋକଙ୍କର ଭାଗ୍ୟ ସହିତ ନିଜର ଭାଗ୍ୟକୁ ଗଅଁଠେଇ ପାରିବେ ସେଇ ମୂହୂର୍ତ୍ତରେ ସେମାନେ ଖିତାବର ଜାଲ ଛିଣ୍ଡାଇ ବାହାରକୁ ଚାଲି ଆସିବେ । ଜମିଦାରମାନେ କାହିଁକି ଦଳ ବାନ୍ଧନ୍ତି–ଜଣ ଜଣ କରି ନିଜ ପ୍ରଜାମାନଙ୍କ ତଣ୍ଟିରେ ଯେଉଁ ତେଣ୍ଟା ସେମାନେ ଫୁଟାଉଚନ୍ତି, ସେମିତିଆ ଗୋଟାଏ ବଡ଼ ତେଣ୍ଟା ସମସ୍ତେ ଏକାବେଳକେ ମାରି ପାରିବେ ବୋଲି ସେମାନେ ଦଳ ବାନ୍ଧିଚନ୍ତି । ଲାଟବନ୍ଦୀ ତାରିଖ ବିଷୟ, ମକଦ୍ଦମା ଦଫାରଫା ବିଷୟ ଆଲୋଚନା କରିବାକୁ ସେମାନେ ଦଳ ଗଢ଼ିଚନ୍ତି । ତାଙ୍କଠାରୁ କଣ କେବେ ଭଲ କାମ ଆଶା କରି ହେବ ? ଯେଉଁମାନେ ନିତି ପରର ତଣ୍ଟି ଚିପୁଚନ୍ତି, ଏକାଠି ମିଶି ବିରାଡ଼ି ବୈଷ୍ଣବ ସାଜିଲେ କଣ କେହି ତେବେ ସେମାନଙ୍କୁ ବିଶ୍ୱାସ କରିବ ?

 

ପାଳ ଯେତେ ଦିନଯାଏ ସଢ଼ୁଥିବ, ଛତୁ ସେତେ ସେତେ ଫୁଟୁଥିବ । ଆଖି ଯେତେ ଦିନ ଯାଏ ଦେଖୁଥିବ, ସେତେ ସେତେ ନୂଆ ଦଳ ବାହାରୁଥିବେ । ଖବର କାଗଜ ଓ ଆଜିକାଲି ଭଲ ଡୁଙ୍ଗୁରା ସାଜିଚି । ସବୁଦଳର ବୈଠକ ଖବର କାଗଜରେ ବାହାରୁଚି । କୋଉ ଦଳର ବଡ଼ପଣ୍ଡା ମନମୁଖୀ କଣ କଥାଟାଏ କହି ପକାଉଚନ୍ତି, ବେଦବାଣୀ ପରି ଖବର କାଗଜବାଲା ସେ କଥା ଛାପୁଚନ୍ତି–ପଢ଼ୁଆମାନେ ସେଇ କଥା ପିଇଯିବାକୁ ଧାଉଁଚନ୍ତି । ମାତ୍ର ତା ଭିତରେ ରସ କେତେ ଅଛି, ସେ କଥା କେହି ପରୀକ୍ଷା କରୁ ନାହାନ୍ତି । ନଈ ବଢ଼ିରେ ଭାସି ଯାଇଥିବା ଗାଁମାନଙ୍କରେ ସାହାଯ୍ୟ ବଣ୍ଟା ହେଉଚି–ସରକାର ସେ ତରଫରୁ ଗୋଟାଏ ଫଣ୍ଡ ଖୋଲିଚନ୍ତି, ମୁଁ ସେ ଫଣ୍ଡରେ କୋଡ଼ିଏ ହଜାର ଟଙ୍କା ଦେଇ ନାମଜାଦା ହୋଇଯାଉଚି, ଗୋଟାଏ ଡାକ୍ତରଖାନା କରି ଲାଟସାହେବଙ୍କୁ ସେ ଘର ପ୍ରତିଷ୍ଠା କରିବାକୁ ଡାକୁଚି, ତା ଆରଦିନ ସରକାରୀ ଗେଜେଟ୍‌ରେ ମୋ ନାଁ ବଡ଼ ବଡ଼ ଅକ୍ଷରରେ ବାହାରି ପଡ଼ୁଚି, ନୂଆ ବର୍ଷ ବେଳକୁ ମୁଁ ଗୋଟାଏ ଖିତାବ ପାଇ ଯାଉଚି । ଆମ ଦେଶର ବଡ଼ ବଡ଼ ନୂଆ ଧରଣର ଦାତାମାନଙ୍କ ଭିତରେ ଅଧିକ ଲୋକ ଏହି ମତଲବରେ ଧାଆନ୍ତି ।

 

ଜଣେ ଲୋକ ଖଣ୍ଡ ଖଣ୍ଡ କରି ଅଇଁଠା ରୁଟି ଫୋପାଡ଼ୁଚି, ଚାରି ପାଞ୍ଚଟା କୁକୁର ସେ ରୁଟିଖଣ୍ଡକ ଝାମ୍ପିବା ପାଇଁ ଟାକି ରହିଚନ୍ତି । ରୁଟି ଖଣ୍ଡକ ପଡ଼ିଲା ମାତ୍ରକେ ତାଙ୍କ ଭିତରେ କାମୁଡ଼ା କାମୁଡ଼ି ଲାଗୁଚି–ଏଇ ଟଣାଟଣିରେ ରୁଟି ଖଣ୍ଡକ ନଷ୍ଟ ହୋଇଯାଉଚି । କାହାରି ପେଟ ପୁରୁ ନାହିଁ । ଲୋକ ହାତରୁ ସବୁ ରୁଟିତକ ଛଡ଼ାଇ ଆଣି ପାରିଲେ ସମସ୍ତଙ୍କର ନିଶ୍ଚୟ ପେଟ ପୁରି ଯାଆନ୍ତା । ମାତ୍ର ଏକଥା ଭାବୁଛି କିଏ–କଳି କଜିଆରେ ପରା ସମସ୍ତେ ବ୍ୟସ୍ତ । ଆମ ଦେଶରେ ରାଜନୀତିରେ ବର୍ତ୍ତମାନ ଠିକ୍‌ ସେମିତି ଅବସ୍ଥା ସୃଷ୍ଟି ହୋଇଚି । କୋଉଠି ଚାକିରି ଖଣ୍ଡେ ଖାଲି ପଡ଼ିଲା, କୋଉଠି ବଡ଼ଲାଟ୍‌ଙ୍କ ଆଇନ୍‌ ସଭାକୁ ଜଣକୁ ଯିବାର ମଞ୍ଜୁର ହେଲା, ମୁଁ ଭାବୁଛି ମୋର ଜଣେ ଜାତିଭାଇ କିମିତି ଚାକିରୀ ଖଣ୍ଡେ ପାଉ, ମୋର ଜାତିଭାଇ କେମିତି ବଡ଼ଲାଟଙ୍କ ସଭାକୁ ଯାଉ । ଆମେ କେମିତି ଦେଶର ସବୁ ଚାକିରୀକୁ ଆମ ଦଳ ହାତକୁ ଆଣି ପାରିବା, ଆମ ନିଜର ଆଇନ୍‌ ସଭା କେମିତି ଆମେ ରଖିବା ସେଥିପାଇଁ ଆମେ ବେଶି ବ୍ୟସ୍ତ । ଆଉ ଆମ ଭିତରେ କଜିଆ, ଟଣା ଓଟରା ଲଗାଇ ଦେଇ ଉପର ପିଢ଼ାରେ ମହାପାତ୍ରେ ତାମସା ଦେଖୁଚନ୍ତି । କୋଉଠି ଖଣ୍ଡେ କଲେଜ ବସୁଚି, ସେଥିରେ କେତେ କଣ ମାଷ୍ଟର ରହିବେ । ମୁଁ ଗୋଟାଏ ସଭା ଡାକି ସେଥିରେ କହୁଚି ‘‘ଭାଇମାନେ, ଆମ ଜାତିର ଲୋକ ଯେମିତି ଏଥିରେ ମାଷ୍ଟର ରହିବ ସେଥିପାଇଁ ସରକାରଠାରେ ଦାବି କର । ଆମର ଯୋଗ୍ୟ ଲୋକ ଦରକାର ନାହିଁ, ଆମ ନିଜ ଜାତିର ଲୋକ ରହିଲେ, ସେଇ ଆମର ଭଲ । ତା’ ନ ହେଲେ ଆମ କଥା କେହି ଶୁଣିବେ ନାହିଁ’’ -ସଙ୍ଗେ ସଙ୍ଗେ କରତାଳି ଉଠୁଛି, ମୋ ଜାତି ଭାଇ ମୋତେ ସାବାସ୍‌ ସାବାସ୍‌ କରୁଚନ୍ତି । ଅନ୍ୟ ଜାତିର ଲୋକେ ମଧ୍ୟ ତାଙ୍କ ଜାତିର ନେତାକୁ ବାଃ ବାଃ କରି ଟେକି ଧରିଚନ୍ତି । ଗୋଟାଏ ଚାକିରି ଖାଲି ପଡ଼ିଲା ତ, ମୋ ଜାତିର ଜଣକୁ ସେ ଯାଗାରେ ରଖାଯାଉ, ଏଇ କଥା ଦାବିକରି ମୁଁ ମନ୍ତ୍ରୀ ବା ଲାଟଙ୍କ କୋଠିକୁ ଖଣ୍ଡେ ଲମ୍ବା ଦରଖାସ୍ତ ନେଇ ଯାଉଚି । ସେଇଥିରେ ମୁଁ ନିଜକୁ ଭାରି କପାଳିଆ ଭାବୁଚି । ମୋର ଏ ଜିତାପଟ କଥା ଶୁଣି ଆଉ ଗୋଟାଏ ଜାତିର ନେତା ମନ ଜଳି ଯାଉଚି । ସେ ଭାବୁଚି, ‘‘ତାଙ୍କ ଜାତିର ଲୋକ ଲାଟ କୋଠିରେ ଯାଇ ତାଙ୍କ ସଙ୍ଗେ କଥାବାର୍ତ୍ତା କଲେ, ଆମର କେହି ନ ଗଲେ ଆମକୁ ଅପମାନ ହେବ ନାହିଁ’–ଏହା ଭାବି ସେ ମିଛ ସତ ଫର୍ଦେ ଦରଖାସ୍ତ ନେଇ ବାହାରି ପଡ଼ୁଚି ଲାଟଙ୍କୁ ସାକ୍ଷାତ କରିବା ପାଇଁ ।

 

‘ଆସେମ୍ବ୍ଳି’ ମେମ୍ବର ବଛା ହେବାପାଇଁ ଭୋଟପାଲା ଚାଲିଚି । ଆଗରୁ ଠିକ୍ ହୋଇଚି, ଅମୁକ ଜିଲାରୁ ଏତେ ଜଣ ହିନ୍ଦୁ, ଏତେ ଜଣ ମୁସଲମାନ, ଏତେ ଜଣ ରାଜା, ଏତେ ଜଣ ଅଛୁଆଁ ଜାତିର ଲୋକ ଯିବେ । ‘ପ୍ରୋପାଗଣ୍ଡା’ (ପ୍ରଚାର) ମଧ୍ୟ ସେମିତି ଧୂମଧାମ ଚାଲିଚି । ହିନ୍ଦୁ କ୍ୟାମ୍ପରେ ଜାତିର ଟଙ୍କା ଖିଆ ନେତାମାନେ ଲୋକଙ୍କୁ ଖିରିପୁରୀ ଖାଇବାକୁ ଦେଇ ପ୍ରଚାର କରିବାରେ ଲାଗିଚନ୍ତି । ସେମାନେ କହୁଚନ୍ତି, ‘ହିନ୍ଦୁକୁ ଭୋଟ ନ ଦେଲେ ଆମର ଧର୍ମ ନଷ୍ଟ ହୋଇଯିବ ।’ ମୁସଲମାନ, ଶିଖ, ଅଛୁଆଁ ସମସ୍ତେ ମଧ୍ୟ ସେଇପରି ନିଜ ନିଜ କଥା କହୁଛନ୍ତି । ସତେ ଯେମିତି ସରକାରଙ୍କର ଆଇନ ଘରର ଚଉକି ତଳେ ଧର୍ମ ଲୁଚିକରି ବସିଚି । ସେଠି ଯଦି ହିନ୍ଦୁ ଯାଗାରେ କୌଣସି ବିଧର୍ମୀ ବସିଗଲା, ତେବେ ସେଇକ୍ଷଣି ତାର ଧର୍ମ ନଷ୍ଟ ହୋଇଯିବ । ପୁଣି ଏବେ କେତେ ଜଣ କହି ବୁଲୁଚନ୍ତି, ଏ ଭୋଟ ନିୟମକୁ ବଦଳାଇ ଦିଆଯାଉ । ଏମିତି ନୂଆ ନିୟମ ରହୁ ଯାହାଦ୍ୱାରା ଜଣେ ହିନ୍ଦୁ କେବଳ ଆଉ ଜଣେ ହିନ୍ଦୁକୁ ଭୋଟ ଦେଇ ପାରିବ । ଏଇ ନିୟମ ଦେଶରେ ଚଳିଲେ ନେହୁରୁ ମୌଲାନା ଆଜାଦ୍‌ଙ୍କୁ ଭୋଟ ଦେଇ ପାରିବେ ନାହିଁ, ମାତ୍ର ଜଣେ ହିନ୍ଦୁ ହିସାବରେ ସେ ଏମାରମଠ ମହନ୍ତଙ୍କୁ ଭୋଟ ଦେଇ ପାରିବ । ମୌଲାନା ଆଜାଦ୍‌ ପଟେଲଙ୍କ ପାଇଁ ଭୋଟ ଦେଇ ପାରିବେ ନାହିଁ, ଜଣେ ମୁସଲମାନ ହିସାବରେ ସେ ନାଜିମୁଦ୍ଦିନ୍‌ ବା ଆମ ଭୂତପୂର୍ବ ମନ୍ତ୍ରୀ ଶୋଭାନ୍‌ ଖାଁଙ୍କୁ ଭୋଟ ଦେଇ ପାରିବେ । ଠକ୍କର ବାପା ଖାଁ ଅବଦୁଲ ଗଫୁରଖାଁଙ୍କୁ ଭୋଟ ଦେଇ ପାରିବେ ନାହିଁ, ମାତ୍ର ଆଇନ ଅନୁସାରେ ସେ ଆମ୍ବେଦକର ବା ବୀର ବେହେରାଙ୍କୁ ଭୋଟ ଦେଇ ପାରିବେ । ଭଲା ଆଇନ୍‌-ଭଲା ଦେଶ-ଭଲା ବୁଝାମଣା ।

 

ଏଇସବୁ ଦୂଷିତ ପ୍ରଚାର ଚାଲୁଥିବାରୁ ଆମ ଦେଶ ଆଗେଇ ପାରୁ ନାହିଁ । ରାଜନୀତି ଗୋଟାଏ ବ୍ୟବସାୟ ଭଳି ହୋଇଯିବାରୁ ଏହା ଭିତରେ ଶହକରେ ନବେ ଜଣ ଖଚୁଆ, ଟାଉକା, ଚରଣଚୁଟିଆ ଆସି ଜୁଟିଚନ୍ତି । ସେଥିପାଇଁ ମଧ୍ୟ ରାଜନୀତି ଭିତରେ ଆଉ ସେ ମାଧୁରୀ ନାହିଁ । ରାଜନୀତି ଭିତରେ ଯେ ପଶୁଚି, ତାକୁ ଲୋକେ ଛତରା ବୋଲି କହୁଚନ୍ତି । ସମସ୍ତେ ତ ସୁନା–ସମସ୍ତେ ରାଜନୀତିରେ ପଶିଚନ୍ତି, ସମସ୍ତେ ତ ଦେଶ ସେବାରେ ନାଗରା ପିଟୁଚନ୍ତି, ତାଙ୍କ ଭିତରୁ କିଏ କର୍ମୀ, କିଏ ଦଗାବାଜ, ଏ କଥା ଦେଶ ଜାଣିବ କିପରି ! ଆଜି କିଏ ସଭାକୁ ଡାକୁଛି ତ କାଲି କିଏ ଦସ୍ତଖତ୍‌ ନ ହେଲେ ଟିପଚିହ୍ନ ନେବାକୁ ଆସୁଚି, ପଅରିଦିନ କିଏ ଚାନ୍ଦା ମାଗିବାକୁ ଆସୁଚି । କାହାକୁ ଏବେ ବିଶ୍ୱାସ କରିବ । ରାଜନୀତିଟା ଏମିତି ଗୋଟାଏ ବାର ଭାଇ ଆଖଡ଼ା ହୋଇ ରହିବା ଫଳରେ ସଚ୍ଚା କର୍ମୀଙ୍କୁ ଲୋକମାନେ ଚିହ୍ନି ପାରୁନାହାନ୍ତି । ଯେଉଁ ଅନୁଷ୍ଠାନ ପ୍ରକୃତରେ ଦେଶର ଉପକାର କରି ଆସିଚି, ଦେଶକୁ ଆଗକୁ ଚଳାଇ ଆସିଚି, ଲୋକଙ୍କର ଭୋକବେଳେ ଯେ ଢୋକ ଦେଇଚି, ତାକୁ ଚିହ୍ନି ତାର ଗୁଣ ଗାଇବାର ଶକ୍ତି ମଧ୍ୟ ଆମ ଲୋକଙ୍କର ନାହିଁ । ଏ ଦେଶରେ ମହାତ୍ମା ଅଛନ୍ତି, ଏ ଦେଶରେ ନେତା ଅଛନ୍ତି–ମାତ୍ର ତା ପଛକୁ ବିରାଡ଼ି–ବୈଷ୍ଣବ ମଧ୍ୟ ଅଛନ୍ତି, ଭଣ୍ଡ ନେତା ମଧ୍ୟ ଅଛନ୍ତି, ତା ଫଳରେ ଦେଶର ନେତା ଓ ମହାତ୍ମାଙ୍କୁ ଜାତି ପ୍ରକୃତ ଭକ୍ତି ଦେଖାଇ ପାରୁ ନାହିଁ ।

 

ମିଳିତ ଭାବରେ କିଛି କଥା କରିବା ପାଇଁ ସମସ୍ତେ ନାରାଜ । ଗୋଟାଏ ଉପାସିଆ ଜାତିକୁ ଖାଇବାକୁ ଯୋଗାଇବା ସେତେ ସହଜ କାମ ନୁହେଁ, ଗୋଟାଏ ଜଳନ୍ତା ନିଆଁକୁ ଲିଭାଇବା ସେତେ ମାମୁଲି କଥା ନୁହେଁ । ଟେବୁଲ ଉପରେ ହାତ କଚାଡ଼ି, ଲାଟ କୋଠିରେ ଦରଖାସ୍ତ ପେଶ କରି, ଖବର କାଗଜମାନଙ୍କରେ ଲମ୍ବା ଚୌଡ଼ା ବିବୃତି ଦେଇ ଦେଶର ଭୋକ, ଦେଶର ଦୁଃଖ ଦୂର କରି ହେବ ନାହିଁ । ସେଥିପାଇଁ ଗୋଟାଏ ଟାଣୁଆ ଦଳ ଦରକାର–ତା ଭିତରେ ଶକ୍ତକର୍ମୀ ରହିବା ଦରକାର । ଗୋଟାଏ ଲେଖାଏଁ ଟାଣୁଆ ଦଳ ସବୁ ଦେଶର ସ୍ୱାଧୀନତା ଆଣିଚି । ଖାଲି କଲମ ଚଷି କେହି ଦେଶର ଉଦ୍ଧାର କରି ପାରିନାହିଁ; ସହରରେ ବସି କେହି ଜାତିର ମୁକ୍ତି ଆଣି ନାହିଁ । ଯେଉଁ ଦଳ ଦେଶର ଦୁଃଖ ଦୂର କରିବାକୁ ଅଣ୍ଟାଭିଡ଼ି ବାହାରିବ, ସେ ଦଳରେ ଖୁବ୍‌ କଡ଼ା ଶୃଙ୍ଖଳା ରହିବା ଉଚିତ । ସେ ଦଳରେ ଟାଉଟର, ଦଲାଲ ଲୋଭୀଙ୍କର ସ୍ଥାନ ରହିବା ଉଚିତ ନୁହେଁ । ଦେଶ ସେବା ଗୋଟାଏ ପବିତ୍ର କାମ, ରାଜନୀତି ଗୋଟାଏ ପବିତ୍ର ବାଟ, ତେଣୁ ସେ କାମରେ ଯେଉଁମାନେ ହାତ ଦେବେ, ସେ ବାଟରେ ଯେଉଁମାନେ ଚାଲିବେ, ସେମାନଙ୍କର ଭିତର ମଧ୍ୟ ସେମିତି ପବିତ୍ର ହେବା ଉଚିତ । ଏ ଦଳରେ ଯେଉଁମାନେ ରହିବେ, ସେମାନେ କେବେ ନୀଚମନା ହେବେ ନାହିଁ, ଦେଶପାଇଁ ସମସ୍ତ ଜୀବନ ଲଗାଇବେ, ଦରକାର ପଡ଼ିଲେ ଜୀବନ ଦେବେ, ଯେ କୌଣସି ମୁହୂର୍ତ୍ତରେ ଯେ କୌଣସି ତ୍ୟାଗ କରିବା ପାଇଁ ତିଆର ରହିଥିବେ । ସେଥିପାଇଁ ନିର୍ଭୀକ ହେବା ଦରକାର, ସେଇଥିପାଇଁ କଷ୍ଟ ସହିବାର ପ୍ରସନ୍ନତା ରହିଥିବା ଦରକାର । ରାଜନୀତିରେ ଭୀରୁର ବା ବିଳାସୀର ସ୍ଥାନ ନାହିଁ । ବିପଦ ଆଉ କଷ୍ଟ ହେଉଚି ରାଜନୀତିର କଷ୍ଟିପଥର । ଏଇଠି ଖାଣ୍ଟି କିଏ, ଭେଲ କିଏ ବଳେ ବଳେ ବାରି ହୋଇ ପଡ଼ିବ । ଗାନ୍ଧିଜୀ କହିଚନ୍ତି, ଯେତେବେଳେ ପ୍ରକୃତ ପରୀକ୍ଷା ଆସିବ, ସେତେବେଳେ କର୍ମୀ ବୋଲି ବାହାନା ଦେଖାଉଥିବା ଲୋକମାନେ ବଳେ ଛାଟିପିଟି ହୋଇ ପଳାଇବେ । ଆମ ଦେଶରେ ତିନି ତିନିଟା ଆନ୍ଦୋଳନ ହୋଇଚି–ଏହା ଭିତରେ ଅନେକ ବଡ଼ ବଡ଼ ନେତା କଂଗ୍ରେସ ଛାଡ଼ି ଚାଲି ଯାଇଚନ୍ତି । ପ୍ରକୃତ ପରୀକ୍ଷାରେ ଯେ ଉଠି ପାରିଚି, ସେ ଆଜି ମଧ୍ୟ ଦେଶର ପୂଜା ପାଉଚି । ଯେଉଁ ଦଳରେ କେବଳ ସଚ୍ଚାଲୋକ ରହିବେ, ସେଇଦଳ କେବଳ ସବୁଥିରେ ଜିତାପଟ ହାସଲ କରି ପାରିବେ । ରାଜନୀତିରେ ବହୁରୂପୀମାନଙ୍କର ସ୍ଥାନ ନାହିଁ । ମାତ୍ର ଆମ ଦେଶର ରାଜନୀତି ଏପରି ନାହିଁ । ରାଜନୀତିରେ ଅନେକ ଖରାପ କଥାକୁ ପ୍ରଶୟ ଦିଆ ଯାଉଚି । ସେଥିଲାଗି ଆମର ଦୁଃଖ ମେଣ୍ଟୁ ନାହିଁ କି ପେଟ ପୂରୁ ନାହିଁ । କେତେ ସଭା ହେଉଚି, କେତେ ଦସ୍ତଖତ ନିଆ ଯାଉଚି, କେତେ ଚାନ୍ଦା ଅସୁଲ କରା ଯାଉଚି, ମାତ୍ର ରାଜନୀତିରେ ଟାଣୁଆ ସଂକଳ୍ପ ନ ଥିବାରୁ ଆମେ ଯେଉଁଠି ସେଇଠି ପଡ଼ିରହିଚୁ । ଏ’ ଟା ନିଶ୍ଚୟ କଥା ଯେ ଜମିଦାରଙ୍କର ‘ଖୁଟ୍ଟ’ ବା ରାୟ ସାହେବମାନଙ୍କର ଦଳ ଦେଶର ଦୁଃଖ କମାଇ ପାରିବ ନାହିଁ । ଜମିଦାର ଭିତରେ ଯେତେବେଳେ ସଚ୍ଚା କର୍ମୀର ଭାବ ଆସିବ, ସେତେବେଳେ ସେ ଜମିଦାରୀ ସିରସ୍ତା ପୋଡ଼ି ବାହାରକୁ ବାହାରି ଆସିବ । ଦେଶର ଦୁଃଖ ଦୂର କରିବାକୁ ହେଲେ ଦେଶରେ ଗୋଟାଏ ଟାଣୁଆ ଦଳ ଦରକାର । ଯେ ପ୍ରକୃତ କର୍ମୀ, ତାକୁ ଆମର ସାହାଯ୍ୟ କରିବା ଦରକାର । ଆମପାଇଁ ଯେ କାନ୍ଦୁଚି, ତାକୁ ଆମର ଭକ୍ତି କରିବା ଦରକାର । ତା ସାଙ୍ଗେ ସାଙ୍ଗେ ଦେଶର ଦଲାଲ ଦଗାବାଜ୍‌ମାନଙ୍କୁ ରାଜନୀତିରୁ ବାହାର କରିଦେବା ଦରକାର । ଯେତେ ଦିନଯାଏ ଆମେ ସେମାନଙ୍କର ନାଟକୁ ଚୁପ ହୋଇ ଦେଖୁଥିବା, ତାଙ୍କ କଥାକୁ ନାଗରା ପିଟି ଗାଇ ବୁଲୁଥିବା, ସେତେ ଦିନଯାଏ ଦେଶରେ ପୂର୍ଣ୍ଣ ଜାତୀୟତା ଭାବ ଆସି ପାରିବ ନାହିଁ । ମାଟିର ମଣିଷ ଏଇ ମାଟିକୁ ଭଲ ପାଇ ଶିଖି ପାରିବ ନାହିଁ ଓ ଯୁଗ ଯୁଗ ବିତିଗଲେ ସୁଦ୍ଧା ଦେଶର ଦୁଃଖ, ଦେଶର ହୀନ ଅବସ୍ଥା ଦୂର ହୋଇ ପାରିବ ନାହିଁ ।

Image

 

Unknown

ଆମେ କାହିଁକି ପଛରେ ପଡ଼ିଛୁ ?

 

ଆମେ ଆଲୋଚନା କରି ଦେଖି ପାରିଲୁ ଆମେ ଅତି ପଛରେ ପଡ଼ିଚୁ । ଯେତେକ ଖରାପ ଜିନିଷ, ସବୁ ଆମେ ସାର କରି ପାଖରେ ରଖିଚୁ–ଆମ ଦେଶର ଶିରୀ ତୁଟି ଯାଇଚି । ବର୍ତ୍ତମାନ ଦେଖିବା କଥା, କାହିଁକି ଏ ସବୁ ହୋଇଚି ? ଆଗପରି ତ ହିମାଳୟ ପର୍ବତରେ ବର୍ଷା ହେଉଚି, ଆଗପରି ତ ଗଙ୍ଗାନଈରେ ଅମୃତ ବହୁଚି, ଆଗପରି ତ ଗଛରେ ଫୁଲଫଳ ସବୁ ଧରୁଚି–ତେବେ ଆମେ ଦୁଃଖରେ ଦିନ କାଟୁଚୁ କାହିଁକି ? ଆଗେ ତ ଆମରି ପରି ମଣିଷ ଥିଲେ, ସେମାନେ ଖାଇପିଇ ସୁଖରେ ଥିଲେ, ବଣିଜ ବେପାର କରୁଥିଲେ–ଆଉ ତାଙ୍କରି ପୁଅନାତି ହୋଇ ଆମେ ଖାଇବାକୁ ପାଉ ନାହୁଁ କାହିଁକି ? ତାହାହେଲେ ବାଧା କୋଉଠି ରହିଚି ?

 

ଉତ୍ତରଟା ଅତି ସହଜ । ଯେଉଁ ଜାତି ଦିନରାତି କଷ୍ଟ ଭୋଗ କରୁଚି, ସେ ଜାତି ଭଲ କରି ସେ କଷ୍ଟର କାରଣ ଜାଣିଚି । ଆମ ଦେଶରେ ସୁନା ଫଳେ ବୋଲି, ଆମ ଦେଶ କଥା ପଡ଼ିଲେ ବିଦେଶୀମାନଙ୍କ ପାଟିରୁ ଲାଳ ବୁହେ । ସେଥିପାଇଁ ସବୁବେଳେ ଏଠି ବିଦେଶୀଙ୍କର ଲୀଳା ଚାଲିଥାଏ । ଏଇ ଦେଶର ମରିଚ, ମସଲା, ସରୁ ଲୁଗା ନେଇ ଆରବଦେଶର ପଠାଣମାନେ ଇଉରୋପରେ ପନ୍ଦର ଗୁଣ କୋଡ଼ିଏ ଗୁଣ ଦାମରେ ବିକୁଥିଲେ । ଏତେ ଦାମ ଦେଇ ଦେଇ ପଶ୍ଚିମ ଦେଶର ଲୋକମାନେ ବ୍ୟସ୍ତ ହୋଇପଡ଼ିଲେ । ସେଥିପାଇଁ ନିଜେ ଏ ଦେଶକୁ ଆସି ସେ ସବୁ ଜିନିଷ କାରବାର କରିବାକୁ କମ୍ପାନୀ ସବୁ ଗଢ଼ିଲେ । ଭାରତ ପାଇଁ ସେମାନେଏତେ ପାଗଳ ହୋଇ ଯାଇଥିଲେ ଯେ, କଲମ୍ବସ ବୋଲି ଜଣେ ସାହେବ ବାଟ ବାଉଳା ହୋଇ ଯେତେବେଳେ ଆମେରିକାର ଗୋଟିଏ ଦ୍ୱୀପରେ ପହଞ୍ଚିଲେ, ସେଠି ପାଗଳାଙ୍କପରି ‘ଭାରତ’ ‘ଭାରତ’ ବୋଲି ଚିତ୍କାର କରି ଉଠିଲେ । ତା ପରେ ଭାସ୍କୋଡ଼ାଗାମା ବୋଲି ଜଣେ ସାହେବ ଭାରତରେ ପହଞ୍ଚିଲେ-। ଯେମିତି ଥରେ ସୁତର ପାଇଗଲେ, ସେମିତି ଏ ଦେଶକୁ ପିମ୍ପୁଡ଼ି ଧାରପରି ସାହେବ ଛୁଟିଲେ । ଏ ଦେଶକୁ ଆସି ପୁଳାଏ ନିଜଦେଶକୁ ବାନ୍ଧି ନେବେ-ସମସ୍ତଙ୍କର ଏଇ ଆଶା । କପାଳ ପରୀକ୍ଷା କରିବାକୁ ସମସ୍ତେ ଏ ଦେଶକୁ ଆସିଲେ । ସେତେବେଳେ ମୋଗଲମାନେ ରାଜତ୍ୱ କରୁଥିଲେ । ସାହେବମାନେ ଆସି ବାଦସାହଙ୍କର ଦରବାରରେ ରହି, କେଉଁଠି ସେମାନଙ୍କୁ ଖୁସାମଦ କରି, କେଉଁଠି ବାଦସାହଙ୍କର ଦରବାରରେ ରହି, କେଉଁଠି ସେମାନଙ୍କୁ ଖୁସାମଦ କରି, କେଉଁଠି ବାଦସାହଙ୍କ ଝିଅକୁ ଚିକିତ୍ସା କରି ପ୍ରଥମେ ଖଣ୍ଡେ ଖଣ୍ଡେ ଜାଗିରି ପାଇଲେ । ଆଙ୍ଗୁଠି ପୂରାଉ ପୂରାଉ ବାହା ପୂରେଇଲା ପରି, ବେପାର କରିବାକୁ ଆସି, ଏଠି ଘର କରି ରହିବାକୁ ସେମାନଙ୍କ ମନ ବଳିଲା । ସେଇଦିନଠାରୁ ବ୍ରିଟିଶ ସରକାର ଆମକୁ କଅଁଳ ଚାପୁଡ଼ା ମାରି ମାରି ଆସିଚି ଓ ଆମକୁ ଏ ଅବସ୍ଥାରେ ଆଣି ପକାଇଚି । କୋଉ ରଜା ସାଙ୍ଗରେ ସନ୍ଧିକରି ଖଣ୍ଡେ ଯାଗା ନେଲେ, କୋଉଠି ଷଡ଼ଯନ୍ତ୍ର କରି ରାଜ୍ୟ ଅଧିକାର କଲେ, କୋଉଠି କାହାକୁ ରାଜଗାଦୀରେ ବସାଇ ଲକ୍ଷ ଲକ୍ଷ ଟଙ୍କା ଇନାମ ପାଇଲେ । କୋଉ ବଡ଼ଲାଟ ଖବର ପାଇଲେ ଯେ କୋଉ ରାଜ୍ୟର ବେଗମଙ୍କ ପାଖରେ ଅଜସ୍ର ସୁନାରୂପା ଅଛି-ସାଙ୍ଗେ ସାଙ୍ଗେ ଷଡ଼ଯନ୍ତ୍ର କରି କଳେ ବଳେ କୌଶଳେ ସେ ଧନ ସବୁ କମ୍ପାନୀର ଗନ୍ତାଘରକୁ ଆଣିଲେ, କୋଉଠି ନିୟମ କରିଦେଲେ ଉତ୍ତରାଧିକାରୀ ନ ଥାଇ ଯେଉଁ ରାଜା ମରିଯିବ, ତା’ର ରାଜ୍ୟ ଇଂରେଜମାନେ ନେଇଯିବେ । ଜଣେ ରାଜାଙ୍କର ଦୁଇଟି ପୁଅ ଭିତରେ ସିଂହାସନରେ କଜିଆ ଲାଗିଲେ, ସେମାନେ ଜଣଙ୍କର ପଟନେଇ ତାକୁ ସିଂହାସନରେ ବସାଇଲେ ଓ ଟଙ୍କା, ରାଜ୍ୟ ପାଇଲେ । ଏମିତି ପହିଲେ ପହିଲେ ଯେଉଁଠୁ ଯାହା ପାଇଲେ ସବୁ ନିଜର କରି ଧରିଲେ । ମୋଟାମୋଟି ଏ ଦେଶରେ ଇଂରେଜ ସରକାରଙ୍କର ନୀତି କଣ ଥିଲା ସେ ବିଷୟରେ ବଡ଼ ବଡ଼ ସାହେବ ସବୁ ଯାହା କହି ଯାଇଚନ୍ତି, ସେଇ ବିଷୟରେ ଆମେ ଦେଖିବା ଓ ସେଥିରୁ ସବୁ ବୁଝିପାରିବା ।

 

ସାଲିସବରୀ ବୋଲି ଜଣେ ସାହେବ କହିଥିଲେ, ‘‘ଭାରତର ରକ୍ତ ଶୋଷିବାକୁ ହେଲେ, ଭାରତରେ ଯେଉଁଠି ଲୋକଗହଳି ବେଶୀ, ସେଇ ଯାଗାମାନଙ୍କରେ ପଶିବାକୁ ହେବ ।’’ ଅର୍ଥାତ୍ ଗାଁ ଗାଁରେ ଚାଷୀମୂଲିଆମାନଙ୍କୁ ଠକାଇ, ତାଙ୍କ ଆଗରେ ଉପକାରୀ ବନ୍ଧୁ ଭଳି ଭଲ କଥାମାନ କହି ତାଙ୍କର ରକ୍ତଶୋଷିବା ଆମ ସରକାରଙ୍କର ନୀତି । ସାର ଉଇଲିୟମ ଜନସନ୍ ହକ୍‌ସ (ପରେ ସେ ଲର୍ଡ ବ୍ରେଣ୍ଟଫୋର୍ଡ ବୋଲି ପରିଚିତ ହେଲେ) ଥରେ ସାଧାରଣରେ ଘୋଷଣା କରିଥିଲେ–‘‘ଭାରତ ଲୋକଙ୍କର ମଙ୍ଗଳ କରିବା ପାଇଁ ଆମେ ଭାରତକୁ ନେଇ ନ ଥିଲୁ । ଆମ ଧର୍ମଯାଜକମାନେ ଧର୍ମପ୍ରଚାର କଲାବେଳେ ସଭା ସମିତିମାନଙ୍କରେ କହନ୍ତି ଯେ ଭାରତର ଲୋକଙ୍କୁ ଉଚ୍ଚ ପାହିଆକୁ ଉଠାଇବାକୁ ଆମେ ଭାରତ ଜୟ କରିଥିଲୁ’–ଏକଥା ମୁଁ ଜାଣେ । ଏହା କଥା କହିବାର ଗୋଟାଏ ଚାଲ । ଆମ ବିଲାତର ଜିନିଷପତ୍ର ପାଇଁ ହାଟବଜାର ସୃଷ୍ଟିକରିବାପାଇଁ ଆମେ ଭାରତକୁ ଜୟ କରିଥିଲୁ । ଖଣ୍ଡା ସାହାଯ୍ୟରେ ଆମେ ଭାରତକୁ ନେଇଥିଲୁ ଏବଂ କେବଳ ସେଇ ଖଣ୍ଡାର ବଳରେ ଏହାକୁ ରଖିବା ଆମର ଉଚିତ । ଭାରତୀୟଙ୍କ ଭଲ ପାଇଁ ଆମେ ଭାରତକୁ ଅଧୀନରେ ରଖିଚୁ, ଏପରି ଛନ୍ଦ କପଟ କଥା କହିବାକୁ ମୁଁ ଭଲ ପାଏ ନାହିଁ । ସାଧାରଣ ଭାବରେ ଇଂଲଣ୍ଡର ଜିନିଷପତ୍ର ପାଇଁ ଓ ବିଶେଷ ଭାବରେ ଲଙ୍କାଶାୟାର୍‌ର ତୁଳା ଜିନିଷ ପାଇଁ ଏଠି ଆମେ ହାଟ ବଜାର ସୃଷ୍ଟି କରିଚୁ ବୋଲି ଆମେ ଭାରତକୁ ରଖିବୁ ।’’ ୧୯୩୦ ସାଲ ଜୁନ ମାସରେ ବିଲାତର ‘ଡେଲିମେଲ୍’ କାଗଜରେ ଏକ ପ୍ରବନ୍ଧରେ ଲର୍ଡ ରୁଥରମୁର କହିଥିଲେ, ‘‘ଇଂଲଣ୍ଡର ଭାରତ ସହିତ ଯେଉଁ ସମ୍ପର୍କ ଅଛି, ସେଇ ସମ୍ପର୍କ ଫଳରେ ବିଲାତର ପ୍ରତ୍ୟେକ ସ୍ତ୍ରୀ ଓ ପୁରୁଷର ଆୟର ପ୍ରତି ଏକପାଉଣ୍ଡରୁ ଅନ୍ତତଃ ଚାରି ଶିଲିଙ୍ଗ (ଅର୍ଥାତ୍‍ ୫ ଭାଗରୁ ଭାଗେ) ଆମକୁ ମିଳୁଚି । ଆମ ସାମ୍ରାଜ୍ୟ ସହିତ ଯେଉଁ ସବୁ ସମ୍ପର୍କ ରଖିଥିବାରୁ ଆମେ ଏତେ ଧନ ପାଉଚୁ, କ୍ଷଣକ ପାଇଁ ସୁଦ୍ଧା ଆମେ ସେ ସବୁ ସମ୍ପର୍କକୁ ଭାଙ୍ଗିପାରିବୁ ନାହିଁ । ଭାରତ ଆମର ଅଙ୍ଗାଅଙ୍ଗି ହୋଇ ରହିଚି ଓ ରହିଥିବ । ଇଂରେଜ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ସାହେବଙ୍କର ଖୁବ୍ ସାମ୍ରାଜ୍ୟ ଖଣ୍ଡ ଖଣ୍ଡ ହୋଇ କ୍ଷୟ ହୋଇଯାଉ, ଆଉ ସେଇ କ୍ଷୟ ଉପରେ ମୁଁ ଗାଦିମାଡ଼ି ବସିଥାଏ–ଏଥିପାଇଁ ମୁଁ ସରକାରଙ୍କର ପହିଲା ନମ୍ୱର ମନ୍ତ୍ରୀ ହୋଇ ନାହିଁ । ଆମର ପୃଥିବୀ ଚାରିଆଡ଼େ ସାମ୍ରାଜ୍ୟ ଅଛି ବୋଲି ମୁଁ ଲଜ୍ଜା ଅନୁଭବ କରେ ନା ।’’ ସେ ସମୟରେ ଭାରତର ଭାଗ୍ୟବିଧାତା ଆମେରୀ ସାହେବ ଆମ ଦେଶକୁ ଲକ୍ଷ୍ୟ କରି ଥରେ କହିଥିଲେ–’’ କୁକୁରମାନେ ଭୁକୁଥିବେ, ଆମ ବିପଣୀ ଚାଲିଥିବ ।’’

 

କଜିଆ ଲଗେଇ ଶକୁନି ସାଜିବା ଇଂରେଜମାନେ ବେଶ୍ ଜାଣିଥିଲେ । ସେଇଥିପାଇଁ ଆସନ ଏଠି ଜବର ହୋଇ ଜମିଥିଲା । ତା’ ନ ହୋଇଥିଲେ, ଏ ଫଟାଫଟି ନୀତି ଜାଣି ନଥିଲେ ସେମାନେ କେଉଁଦିନୁ ଏଠୁ ପୁଡ଼ାପୁଟୁଳି ବାନ୍ଧି ଯାଇଥାନ୍ତେ । ଦି’ ବିଲେଇଙ୍କର ଭିତରେ ପିଠା ବାଣ୍ଟୁ ବାଣ୍ଟୁ ମାଙ୍କଡ଼ ଯେମିତି ମଜା ମାରିଲା, ଆମ ସରକାର ସେମିତି ମଜା ମାରି ନେଉଚନ୍ତି । ଆମ ଦେଶର ବିଭିନ୍ନ ଜାତିଙ୍କ ଭିତରେ କଜିଆ ଭିଆଇ ଦେଇ ତୃତୀୟ ପକ୍ଷ ହୋଇ ହେଣ୍ଡି ମାରିବା ତାଙ୍କୁ ବେଶ୍ ଆସୁଥିଲା । ପ୍ରାୟ ସବୁ ବଡ଼ଲାଟ ଏଇ ନୀତି ଧରି ଆସିଚନ୍ତି । କେତେବେଳେ ଚାକିରୀ ଦେଇ, କେତେବେଳେ ଖିତାବ ଦେଇ ଦେଇ ସେମାନେ ଆମ ଦେଶର ଦଳେ ଲୋକଙ୍କୁ ପୋଷା କୁକୁର କରି ରଖିଥିଲେ । ସେଇମାନଙ୍କ ସାହାଯ୍ୟରେ ସବୁ ସୂତରତକ ଜାଣି ଏମିତି ଭାବରେ ପେଚ ମୋଡ଼ା ହେଉଥିଲା ଯେ, ତାଙ୍କ କଳ ସୁରୁଖୁରୁରେ ଚାଲିଥିଲା । ‘ବାବୁ ଆଚ୍ଛା’ କହି, ଆମର ତଣ୍ଟି ଚିପା ହେଉଥିଲା, ଆମକୁ ଭାତରୁ ମାରି ଦିଆ ଯାଉଥିଲା, ଆମ ଘର ଡିହ ନିଲାମ କରି ନିଆ ଯାଉଥିଲା ।

 

ଇଂରେଜ ଯେତେବେଳେ ପ୍ରଥମେ ଆମ ଦେଶକୁ ଆସିଲେ ସେତେବେଳେ ଏ ବାଗଟା ଭଲ କରି ଜାଣି ନ ଥିଲେ । ଏ ମସଲା ସେମାନେ ପାଇ ନ ଥିଲେ । ସେମାନେ ଯେତେବେଳେ ଏ ଦେଶର ଯାଗାମାନ ଦଖଲ କଲେ, ତାପରେ ଏ ଦେଶର ଲୋକଙ୍କୁ ନେଇ ସୈନ୍ୟଦଳ ଗଢ଼ିଲେ-ସେମାନଙ୍କୁ ଦରମା ଦେଲେ, ଯୁଦ୍ଧବିଦ୍ୟା ଶିଖାଇଲେ । ଏହି ସିପାହୀମାନେ ଏକାଠି ରହୁଥିଲେ, ତାଙ୍କ ଭିତରେ ଜାତିର ବାରଣ ନ ଥିଲା, ସମସ୍ତେ ଗୋଟାଏ ଦେଶର ପୁଅ ହିସାବରେ ଆପଣା ଆପଣାକୁ ଭଲ ପାଉଥିଲେ । ତା’ ପରେ ୧୮୫୭ ମସିହାରେ ସିପାହୀବିଦ୍ରୋହ ହେଲା–ଚାରିଆଡ଼େ ସିପାହୀମାନେ ତେଜି ଉଠିଲେ-ଯେଉଁଠି ଗୋରା ଲୋକଙ୍କୁ ଦେଖିଲେ, କିଛି ଦୟା ମାୟା ନ ରଖି ସେମାନଙ୍କୁ ହାଣି ପକାଇଲେ । ଏମାନଙ୍କୁ ସମ୍ଭାଳିବା ସରକାର ପକ୍ଷରେ ଖୁବ୍ କଷ୍ଟକର କଥା ହୋଇପଡ଼ିଲା । ଯାହାହେଉ ନାନା ପ୍ରକାର ଅତ୍ୟାଚାର ପରେ ଏ ବିଦ୍ରୋହ କମିଗଲା-ସବୁ ଶାନ୍ତି ପଡ଼ିଯିବା ପରେ ସରକାର ବିଚାର କଲେ ସିପାହୀମାନଙ୍କୁ କିପରି ଭାବରେ ରଖିଲେ ସେମାନେ ଏକଜୁଟ ହୋଇ ପାରିବେ ନାହିଁ, ସେମାନଙ୍କର ମନ ମିଳିବ ନାହିଁ । ସେଥିପାଇଁ ସରକାର ଏକ ବୁଦ୍ଧି ପାଞ୍ଚିଲେ–ଜାତି ଅନୁସାରେ ସୈନ୍ୟମାନଙ୍କୁ ଭାଗ ଭାଗ କରିଦେଲେ । କେବଳ ଶିଖମାନଙ୍କୁ ନେଇ ଗୋଟିଏ ସୈନ୍ୟଦଳ ଗଢ଼ାହେଲା; ଏଇପରି ଭାବରେ ପଞ୍ଜାବୀ, ପଠାଣ, ଗୁର୍ଖା, ମରହଟ୍ଟୀ ପ୍ରତ୍ୟେକ ଜାତିର ସୈନ୍ୟଙ୍କୁ ନେଇ ଗୋଟିଏ ଗୋଟିଏ ସୈନ୍ୟଦଳ ଗଢ଼ା ହେଲା । ତା’ ଫଳରେ ବିଭିନ୍ନ ଜାତିର ସୈନ୍ୟ ଆଉ ଏକାଠି ହୋଇ ପାରିଲେ ନାହିଁ, ସେମାନଙ୍କ ଭିତରେ କ୍ରମେ କ୍ରମେ ଜାତିଗତ ଈର୍ଷାଭାବ ବଢ଼ିବାକୁ ଲାଗିଲା । ତା ପରେ ଯେତେବେଳେ ମନେକର, ଶିଖମାନେ ବିଦ୍ରୋହ କଲେ ଗୁର୍ଖା ସୈନ୍ୟ ଅଣାଇ ସେମାନଙ୍କୁ ଦବାଇ ଦେଲେ, ବା ପଠାଣ ସୈନ୍ୟ ବିଦ୍ରୋହ କଲେ ମରହଟ୍ଟୀ ଦଳଙ୍କ ସାହାଯ୍ୟ ନେଇ ସେମାନଙ୍କୁ ଦବାଇ ଦେଲେ । ଏଇ କୌଶଳ ଫଳରେ ସିପାହୀଙ୍କ ଭିତରେ ଆଉ କେହି ସାହସ କରି ସରକାର ବିରୁଦ୍ଧରେ ଉଠିଲେ ନାହିଁ ଓ ସରକାର ସୁରୁଖୁରୁରେ ଏଠି ତାଙ୍କର ଗାଦି ମଡ଼ାଇ ବସିଲେ । ଖାଲି ଏଇ କଥା ନୁହେଁ-ଏଇ ଜାତିଗତ ଭେଦଭାବ ସବୁ କଥା ଭିତରେ ଥିଲା । ହିନ୍ଦୁଙ୍କ ପାଇଁ ଓ ମୁସଲମାନଙ୍କ ପାଇଁ ଅଲଗା ଅଲଗା ସ୍କୁଲ ଥିଲା-ଉଭୟ ଜାତିର ଅଲଗା ଅଲଗା ହୋଇ ମେୟର ବଛା ହେଲେ । ଏ ସବୁ ବିଚାରି ବୁଝି ଇଂରେଜ ଏ ଦେଶରେ ଖଟାଇଥିଲେ । ତା’ ନ ହୋଇଥିଲେ ସେ ଦେଶର ଧନୀ, କଳ ମାଲିକ, ବ୍ୟାଙ୍କବାଲାମାନେ ପୋଷି ହୋଇଥାନ୍ତେ କିପରି, ଭାରତରୁ ଜାହାଜ ଜାହାଜ ସୁନା ବୋଝେଇ ହୋଇ ଯାଇଥାନ୍ତା କିପରି ?

 

ଇଂରେଜ ସରକାରଙ୍କର ମୁଣ୍ଡଠାରୁ ପାଦଯାଏ ବଡ଼ ଲୋକଙ୍କ ଦ୍ୱାରା ପୂରିଥିଲା । ବଡ଼ ବଡ଼ କଳ ମାଲିକ, କମ୍ପାନୀ ମେନେଜରମାନେ ବିଲାତରେ ମନ୍ତ୍ରୀ ହେଉଥିଲେ, ଭାରତକୁ ବଡ଼ଲାଟ ହୋଇ ଆସୁଥିଲେ । ବଣିଆ ଯେଉଁଠିକି ଯାଏ, ଲୋକଙ୍କ ଠାରୁ ସୁନା ଭଣ୍ଡି ଆଣିବା ତା’ର କାମ । ଦଲାଲ ଯେଉଁଠିକି ଯାଏ ଖଚ ମିଛ କହି ପଇସା ନେବା ତାର କାମ । ଦୋକାନୀ ଦଣ୍ଡିରେ ଓଜନ କଲାବେଳେ ତିନିସେରକୁ ତିନିସେର ପାଏ କରିବା ତାର କାମ । ସେମିତି କଳ ମାଲିକ ଯୁଆଡ଼େ ଯିବେ, କଳପାଇଁ କଞ୍ଚାମାଲ, ତିଆରି ମାଲର କାଟତି ପାଇଁ ହାଟ ବଜାର ଖୋଜିବା, ନିଜ ଜିନିଷର ପ୍ରଶଂସା ଗାଇ ବୁଲିବା ତାଙ୍କର କାମ ହେବ । ବଡ଼ଲାଟ, ଛୋଟଲାଟ ବା ଜଘିଂଲାଟ ହେଲେ ନିଜର ବ୍ୟବସାୟ କଣ କେହି କେବେ ଛାଡ଼ି ପାରିବ ? ବୁଲିଯାଆନ୍ତୁ, ଯୁଆଡ଼େ ଯାଆନ୍ତୁ ଦି ପଇସା ଉପାୟ ନ କଲା ପର୍ଯ୍ୟନ୍ତ ତାଙ୍କର ମନ ବୋଧ ହୁଏ ନାହିଁ । ପଞ୍ଚମ ଜର୍ଜଙ୍କର ପୁଅ ୧୯୩୧ରେ ବ୍ରାଜିଲ ଦେଶକୁ ବୁଲି ଯାଇଥିଲେ ଯେ, ସେଠାରୁ ଶୁଖିଲା ଶୁଖିଲା ଇଂଲଣ୍ଡ ପାଇଁ ୩୦ ଲକ୍ଷ ପାଉଣ୍ଡ (୧ ପାଉଣ୍ଡ = ପ୍ରାୟ ୧୫ ଟଙ୍କା) ମାରି ଆଣିଲେ । ୧୯୧୯ରେ ଯେଉଁ ମଣ୍ଟେଗୁ ସାହେବ ନୂଆ ଶାସନ ଖସଡ଼ା ନେଇ ଆମ ଦେଶକୁ ଆସିଥିଲେ, ସେ ଗୋଟାଏ ବଡ଼ ରୁପା ଖଣିରେ ଅଂଶୀଦାର ଥିଲେ । ବିଲାତର ଜଣେ ପ୍ରଧାନ ମନ୍ତ୍ରୀ ବଲ୍‌ଡ଼ୁଇନଙ୍କର ଲୁହାର ବଡ଼ କାରବାର ଥିଲା । ଲର୍ଡ ଉଇଲିଂଡ଼ନ୍ ଯେତେବେଳେ ମାନ୍ଦ୍ରାଜର ଲାଟ ଥିଲେ, ସେତେବେଳେ ତାଙ୍କର ସ୍ତ୍ରୀ ରାଜା ମହାରାଜାଙ୍କ ପାଖକୁ ସନ୍‌ବିମ ମଟର କିଣିବା ପାଇଁ ପ୍ରବର୍ତ୍ତାଉଥିଲେ–ବୁଝ୍‌ ବୁଝ୍ କଣ ନା ତାଙ୍କ ବାପା ସେଇ ମଟର କମ୍ପାନୀର ମାଲିକ । ଇଂରେଜ ଜଣେ ପ୍ରଧାନମନ୍ତ୍ରୀ ଚେମ୍ୱରଲେନ୍ ଗୋଟାଏ ବଡ଼ କାରଖାନାର ଅଂଶୀଦାର ଥିଲେ । ଭାରତକୁ ମଧ୍ୟ ସେମାନେ ଏଇ କଥା କରିବାକୁ ଆସିଥିଲେ-। ପ୍ରଥମେ ସେମାନେ ତାଙ୍କ ବାଣିଜ୍ୟର ସୁବିଧା ପାଇଁ ଏ ଦେଶର କାରବାରକୁ ବନ୍ଦ କରିବାକୁ ଚାହିଁଲେ । ତାଙ୍କ ଦେଶର ଲୁଣ ବିକ୍ରୀ ହେବ ବୋଲି, ସେମାନେ ଆମ ଦେଶର ଲୁଣ ଉପରେ କର ବସାଇଲେ । ଯେ ଚୋରା ଭାବରେ ଲୁଣ ମାରିଲା ତାକୁ ଦଣ୍ଡ ଦେଲେ । ଭାରତର ସମୁଦ୍ର ଉପକୂଳର ଲମ୍ବ ୪୫୦୦ ମାଇଲ, ତଥାପି ଆମ ସମୁଦ୍ରରୁ ଆମେ ଲୁଣ ମାରି ପାରିଲୁ ନାହିଁ-। ଲୁଣ ନ ପାଇ ଆମ ଦେଶର ଗାଈଙ୍କ ଅବସ୍ଥା ଖରାପ ହୋଇଗଲା-ଲୁଣ ଅଭାବରୁ ଗୋଟାଏ ରକମର କୁଷ୍ଠ ରୋଗ ଆମ ଦେଶରେ ଆରମ୍ଭ ହେଲା । ଲୋକେ ବିକଳରେ ଶୁଖିଲା ଘାସ ନେଇ ସମୁଦ୍ର ପାଣିରେ ଭିଜାଇ ପୁଣି ଶୁଆଇ ଜାଳିଲେ–ସେ ପୋଡ଼ା ଘାସର ପାଇଁଶକୁ ସାଇତି ରଖି ତୋରାଣୀରେ ପକାଇ ଖାଇଲେ-ତଥାପି ଯେ ଏପରି କଲା ସରକାର ତାକୁ ଛଅ ମାସ ଜେଲ ଏବଂ ପାଞ୍ଚ ଶହ ଟଙ୍କା ଜରିମାନା ଦଣ୍ଡ ଦେଲେ ।

 

ତା ପରେ ଲୁଗା ବେପାର କଥା-ଲାଙ୍କଶାୟାରର ତୁଳାକାରଖାନାର ଜିନିଷମାନ ବିକ୍ରୀ କରିବାକୁ ଭାରତର ହାଟବଜାରକୁ ଖଟେଇବା ସରକାରଙ୍କର ଉଦ୍ଦେଶ୍ୟ ହେଲା । ମାତ୍ର ଭାରତରେ ସେତେବେଳେ ଯଥେଷ୍ଟ ଲୁଗା ତିଆରି ହେଉଥିଲା । ଢାକାର ମସ୍‍ଲିନ ଯାଇ ବିକ୍ରୀ ହେଉଥିଲା । ୧୮୦୩ ପର୍ଯ୍ୟନ୍ତ ଭାରତକୁ ଗଜେ ହେଲେ ଲୁଗା ବିଦେଶରୁ ଆସୁ ନ ଥିଲା । ମାତ୍ର ସରକାରଙ୍କର କାଇଦା କଟକଣା ଫଳରେ ୧୮୨୯ ସାଲ ବେଳକୁ ଭାରତ ୩ ଲକ୍ଷ ଟଙ୍କାର ଓ ୧୯୨୯ ରେ ୭୨ କୋଟି ଟଙ୍କାର (ଲୁଗା–୬୬ କୋଟି, ସୂତା–୬ କୋଟି) ତୁଳା ଜିନିଷ ବାହାରୁ ଆଣିଲା । ନାନା ଫିସାଦ କରି ବେଶୀ ତୁଳା ଚାଷ ହେଉଥିବା ବେରାର ପ୍ରଦେଶକୁ ଇଂରେଜମାନେ ନିଜ ହାତକୁ ନେଇଥିଲେ । ବିଲାତରେ ମଧ୍ୟ କଟକଣା କରାଗଲା, ଯେପରି ଭାରତର ଜିନିଷ ସେଠିକାର ଲୋକେ ନ କିଣନ୍ତି । ତଥାପି ବିଲାତର ବଡ଼ଲୋକମାନେ ଭାରତର ଲୁଗାକୁ ଏତେ ବେଶୀ ପସନ୍ଦ କରୁଥିଲେ ଯେ ଲୁଚାଇ ଚୋରାଇ ସେମାନେ ତାହା ବ୍ୟବହାର କରୁଥିଲେ । ସେଥିରେ ସେମାନଙ୍କୁ ଜେଲ ଭୋଗିବାକୁ ବା ଜୋରିମାନା ଦେବାକୁ ମଧ୍ୟ ପଡ଼ୁଥିଲା । ଲଙ୍କାଶାୟାର୍‌ର ଜିନିଷ ବିକିବାକୁ ଦେଶତନ୍ତ୍ରୀଙ୍କର ବ୍ୟବସାୟ କିପରି ନଷ୍ଟ କରାଯାଇଚି ସେ କଥା ଆମେ ଦେଖିବା ।

 

ହେନେରୀ ଟୁକର ବୋଲି ଜଣେ ସାହେବ ଲେଖିଚନ୍ତି,-‘‘ବିଦେଶୀ ଜିନିଷ ଉପରେ ୬୭% ଶୁଳ୍କ ବସିବା ଫଳରେ ଆମ ବିଲାତରେ ବଜାରରେ ରେଶମ ଓ ତୁଳାମିଶା ରେଶମର ଜିନିଷ ମୋଟେ ଦେଖିବାକୁ ମିଳୁ ନାହିଁ । ଭାରତରୁ ପ୍ରଧାନତଃ ଯେଉଁ ସୂତା ଆମ ଦେଶକୁ ଆସୁଥିଲା, ତାକୁ ଆମ ହାଟରୁ କେବଳ ଯେ ବାହାର କରିଦିଆଯାଇଚି ତା ନୁହେଁ; ଓଲଟି ଆମେ ଏସିଆରେ ଥିବା ଆମର ଅଧୀନ ରାଜ୍ୟଗୁଡ଼ିକୁ ତୁଳା ଜିନିଷ ପଠାଇବାକୁ ଆରମ୍ଭ କରିଚୁ । ଏହା ଫଳରେ ଶିଳ୍ପପ୍ରଧାନ ଭାରତ ଆଜି କୃଷିପ୍ରଧାନ ଭାରତରେ ପରିଣତ ହୋଇଚି ।’’ ହେନେରୀ ଉଇଲସନ୍ ଲେଖିଚନ୍ତି–‘‘ଭାରତ ଇଂଲଣ୍ଡ ଉପରେ ନିର୍ଭର କରିଥିବାରୁ ଇଂଲଣ୍ଡ ଭାରତ ପାଖରେ ଯେତେ ଦୋଷ କରିଚି, ଏହା ତାହାର ଏକ ଦୁଃଖପୂର୍ଣ୍ଣ ଉଦାହରଣ । ୧୮୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତର ତୁଳା ଜିନିଷ ସବୁ ବିଲାତର ତୁଳାଜିନିଷ ଅପେକ୍ଷା ୫୦ ରୁ ୬୦% କମ୍ ଦରରେ ବିଲାତର ବଜାରରେ ବିକ୍ରୀ ହେଉଥିଲା । ତେଣୁ ଭାରତର ଜିନିଷକୁ ବୟକଟ କରିବା ତା’ ଉପରେ ୭୦ ରୁ ୮୦% ଶୁଳ୍କ ବସାଇ ଇଂଲଣ୍ଡର ବେପାରକୁ ବଞ୍ଚାଇରଖିବା ଦରକାର ପଡ଼ିଲା । ଏପରି ଶୁଳ୍କ ବସା ହୋଇ ନଥିଲେ, ପେସ୍‌ଲି ଓ ମାଞ୍ଚେଷ୍ଟରର କଳକାରଖାନା ମୂଳରୁ ବନ୍ଦ ହୋଇଯାଇଥାନ୍ତା ଓ ଆମର ବାଷ୍ପୀୟ ଜଳ ମଧ୍ୟ ଭାରତର ତନ୍ତ୍ର ସହିତ ପ୍ରତିଯୋଗିତା କରି ପାରି ନ ଥାନ୍ତା; ତେଣୁ ଭାରତର ଶିଳ୍ପକୁ ଧ୍ୱଂସ କରାଯାଇ ମାଞ୍ଚେଷ୍ଟର ଓ ପେସଲିରେ କଳକାରଖାନା ବସିଲା-। ଯଦି ଭାରତ ସ୍ୱାଧୀନ ହୋଇଥାନ୍ତା, ତେବେ ସେ ନିଶ୍ଚୟ ଏହାର ପ୍ରତିଶୋଧ ନେଇଥାନ୍ତା ଏବଂ ବ୍ରିଟିଶ ମାଲ ଉପରେ ଶୁଳ୍କ ବସାଇ ନିଜର ଜିନିଷକୁ ବଞ୍ଚାଇ ପାରିଥାନ୍ତା । କିନ୍ତୁ ଏ ସୁବିଧା ତାକୁ ଦିଆଗଲା ନାହିଁ, କାରଣ ସେ ଗୋଟାଏ ବିଦେଶୀଶାସନର କୃପା ଉପରେ ନିର୍ଭର କରୁଥିଲା । ବିନା ଶୁଳ୍କରେ ବ୍ରିଟିଶ ମାଲକୁ ଜବରଦସ୍ତି ଭାରତର ବଜାରରେ ଭର୍ତ୍ତିକରି ଦିଆଗଲା ଏବଂ ରାଜନୈତିକ କ୍ଷମତା ବଳରେ ବିଦେଶୀ କଳ ମାଲିକ ଭାରତର ବେପାରୀମାନଙ୍କୁ ନଷ୍ଟ କରିଦେଇପାରିଲା । ମାତ୍ର ରାଜନୈତିକ କ୍ଷମତା ନ ଥିଲେ ସେ କେବେ ତା କରିପାରି ନଥାନ୍ତା ।’’ ଟମାସ୍ ମନ୍‌ରୋ ବୋଲି ଆଉ ଜଣେ ସାହେବ ଲେଖିଚନ୍ତି,-କମ୍ପାନୀର ଅମଲାମାନେ ବଡ଼ ବଡ଼ ତନ୍ତୀମାନଙ୍କୁ ଏକାଠିକରି, କେବଳ କମ୍ପାନୀ ପାଇଁ ଲୁଗାବୁଣି ଦେବାକୁ ରାଜି ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଜଣେ ଜଗୁଆଳ ଜଗାଇ ବସାଇ ରଖୁଥିଲେ । ଯଦି କୌଣସି ତନ୍ତୀ ଥରେ କମ୍ପାନୀଠାରୁ ବଇନା ଆଣିଲା, ତେବେ ସେ ସବୁଦିନପାଇଁ କମ୍ପାନୀର ଜାଲରେ ଛନ୍ଦି ହୋଇ ରହୁଥିଲା । କାଳେ କମ୍ପାନୀର ଲୁଗା ବୁଣିବାରେ ତନ୍ତୀ ବିଳମ୍ବକରିବ, ସେଥିପାଇଁ କମ୍ପାନୀର ଜଣେ ପିଆଦା ତନ୍ତୀ ପାଖରେ ରହୁଥିଲା ଏବଂ ବିଳମ୍ୱ ହେଲେ, ଅଦାଲତରେ ତନ୍ତୀ ଦଣ୍ଡ ପାଉଥିଲା । ତନ୍ତୀ ପାଖରେ ପିଆଦା ଜଗିଲେ ତାକୁ ପିଆଦା ଖର୍ଚ୍ଚ ପାଇଁ ଦିନକୁ ଅଣାଏ କରି ଜୋରିମାନା ଦେବାକୁ ପଡ଼ୁଥିଲା । ପିଆଦା ହାତରେ ଖଣ୍ଡେ ବେତ ଥିଲା ଓ ତନ୍ତୀ କାମରେ ହେଳା କଲେ ତା ପିଠିରେ ସେ ବେତର ଚାବୁକ ବସୁଥିଲା । ଅନେକ ସମୟରେ ତନ୍ତୀମାନଙ୍କ ଉପରେ ଜୋରିମାନା ବସି, ତନ୍ତୀର ପିତ୍ତଳ ବାସନସବୁ ବାଜ୍ୟାପ୍ତ କରି ନିଆଯାଉଥିଲା । ଏଇପରି ଭାବରେ ତନ୍ତୀମାନେ କମ୍ପାନୀର କଳକାରଖାନା ଅଧୀନରେ ରହିବାକୁ ବାଧ୍ୟ ହେଉଥିଲେ । ଏ ତନ୍ତୀମାନଙ୍କୁ ଅକ୍ତିଆରରେ ରଖିବାପାଇଁ ଆଇନ କାନୁନ ରହିଥିଲା । ଯେଉଁ ତନ୍ତୀ କମ୍ପାନୀ କାମ ପାଇଁ ବଇନା ନେଉଥିଲା, ଆଇନ ଅନୁସାରେ ସେ ଅନ୍ୟ କୌଣସି ୟୁରୋପୀୟ ଓ ଭାରତୀୟ ମାଲିକର କାମ କରିପାରୁ ନ ଥିଲା । ଏମିତି ନିୟମ ଥିଲା, ଯାହାଦ୍ୱାରା କି ଠିକ୍ ସମୟରେ ଜିନିଷ ତିଆରି କରିଦେବାକୁ ହେଳାକଲେ ବାଣିଜ୍ୟ ବିଭାଗର ରେସିଡ଼େଣ୍ଟ ତନ୍ତୀ ଘରେ ପିଆଦା ଜଗାଇପାରିବେ । ତନ୍ତୀ ଯଦି ଆଉ ଅନ୍ୟ ଜଣକୁ ତାର ଲୁଗା ବିକିବ, ତେବେ ଦେଓ୍ୟାନି ଅଦାଲତରେ ତାର ବିଚାର ହୋଇ ସେ ଦଣ୍ଡ ପାଇବ । ଯଦି କୌଣସି ତନ୍ତୀର ଗୋଟାକରୁ ଅଧିକ ତନ୍ତ ଥିବ ବା ସେ ଜଣେ ମୂଲିଆ ଲଗାଇ କାମ କରୁଥିବ ସେଥିପାଇଁ କମ୍ପାନୀ ସାଙ୍ଗରେ ହୋଇଥିବା ଚୁକ୍ତି ଅନୁସାରେ ଯେତେ ଲୁଗା ସେ ଯୋଗାଇପାରିବ ନାହିଁ, ତାର ଆନୁମାନିକ ମୂଲ୍ୟର ୩୫% ତାକୁ ଦେବାକୁ ପଡ଼ିବ । ବାଣିଜ୍ୟ ବିଭାଗର ରେସିଡ଼େଣ୍ଟ ତନ୍ତୀମାନଙ୍କ ସହିତ ଯେପରି ସମ୍ପର୍କ ରଖିବ, ସେଥିରେ ସ୍ଥାନୀୟ ଜମିଦାରମାନେ ଆପତ୍ତି କରିପାରିବେ ନାହିଁ । କମ୍ପାନୀର ରେସିଡ଼େଣ୍ଟମାନଙ୍କ ସହିତ ସେମାନେ ବେଖାତିର ବ୍ୟବହାର କରିପାରିବେ ନାହିଁ ।’’ ଏଇ ସବୁ ନିୟମ ଚଳି ଇଂରେଜମାନଙ୍କର ବ୍ୟବସାୟ ଏ ଦେଶରେ ଚଳିଲା ।

 

ଏ ଦେଶର ତନ୍ତୀମାନଙ୍କର ବ୍ୟବସାୟ ନଷ୍ଟ କରିବାକୁ ଇଂରେଜ ନାନାପ୍ରକାର କଦର୍ଯ୍ୟ ଉପାୟ ଅବଲମ୍ୱନ କରିଚନ୍ତି । ତନ୍ତୀ ଯେପରି ଲୁଗାବୁଣି ନ ପାରିବେ, ସେଥିପାଇଁ ସେମାନଙ୍କର ବୁଢ଼ା ଆଙ୍ଗୁଠିକୁ କାଟିଦିଆ ଯାଇଥିଲା । କଂଗ୍ରେସର ଜଣେ ଭୂତପୂର୍ବ ସଭାପତି ରମେଶଚନ୍ଦ୍ର ଦତ୍ତ ତାଙ୍କର ଇତିହାସ ଗ୍ରନ୍ଥରେ ଏ କଥା ଲେଖିଚନ୍ତି, ତାଙ୍କ ଇତିହାସ ବହିରେ ସେ ଉଇଲିୟମ ବେଲ୍‌ଟ ବୋଲି ଜଣେ ସାହେବଙ୍କର ବିବୃତି ଉଦ୍ଧୃତ କରିଚନ୍ତି, ଯେଉଁଥିରେ ଏଇ ଆଙ୍ଗୁଠି କଟା କଥା ରହିଚି । ମାତ୍ର ସରକାର ଦଳିଆ ଅନେକ ଲୋକ କହନ୍ତି ଯେ ‘ବୋଲ୍‌ଟସ୍ ସାହେବ କମ୍ପାନୀର ଜଣେ ବିଶ୍ୱାସୀ ଅମଲା ନ ଥିଲେ ଓ ସେଥିପାଇଁ ସେ କମ୍ପାନୀନାମରେ ଅନେକ କୁକଥା କହିଚନ୍ତି । ତେଣୁ ଏ କଥା ସତ ନୁହେଁ ।’ ମହାତ୍ମାଗାନ୍ଧୀ ଏ ବିଷୟରେ ମତ ଦେଇଚନ୍ତି–‘‘କମ୍ପାନୀ ଅମଲାମାନେ ତନ୍ତୀମାନଙ୍କୁ ରେଶମ ସୂତା ଗୁଡ଼େଇବାକୁ ବାଧ୍ୟ କରୁଥିଲେ । ସେମାନଙ୍କର ଅତ୍ୟାଚାରରୁ ରକ୍ଷା ପାଇବାପାଇଁ ଭାରତର ତନ୍ତୀମାନେ ନିଜ ନିଜର ବୁଢ଼ା ଆଙ୍ଗୁଠିମାନ କାଟି ପକାଇଲେ । କାରଣ ବୁଢ଼ାଆଙ୍ଗୁଠି ନ ଥିଲେ ତନ୍ତୀ ଆଉ ବୁଣାବୁଣି କରିପାରିବ ନାହିଁ ।’’ ସେ ସମୟରେ ତନ୍ତୀମାନଙ୍କ ଉପରେ ଯେଉଁ ଦମନ ଚାଲିଥିଲା, ସେ ଦାରୁଣଯନ୍ତ୍ରଣା ସହି ନପାରି ତନ୍ତୀମାନେ ନିଜର ବୁଢ଼ାଆଙ୍ଗୁଠି କାଟି ପକାଇଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଅଣ ଅଛି ? ଇଷ୍ଟ ଇଣ୍ଡିଆ କମ୍ପାନୀର ନୀତି ବୟାନ କରି ଶ୍ରୀରମେଶଚନ୍ଦ୍ର ଦତ୍ତ ଲେଖିଚନ୍ତି–‘‘୧୭୬୯ ବେଳକୁ କମ୍ପାନୀର ମାଲିକମାନେ ଇଚ୍ଛାକଲେ ଯେ, ବଙ୍ଗଳାରେ ରେଶମ ଚାଷ ବେଶୀ ହେବା ଉଚିତ ଏବଂ ରେଶମ ସୂତାରେ ଲୁଗା ବୁଣିବା ବନ୍ଦ କରିବା ଉଚିତ । ତନ୍ତୀମାନେ କେବଳ କମ୍ପାନୀର କାରଖାନାମାନଙ୍କରେ ରେଶମ ସୂତା ଗୁଡ଼େଇବାକୁ ବାଧ୍ୟ ହେବେ, ମାତ୍ର ନିଜଘରେ ରେଶମ ସୂତାର କାରବାର କଲେ ସରକାର ସେମାନଙ୍କୁ କଠିନ ଦଣ୍ଡ ଦେବେ ।’’ ଏହା ଫଳରେ କମ୍ପାନୀର ଇଚ୍ଛା ଫଳିଲା-ଭାରତର ଲୋକେ କେବଳ ରେଶମ ଚାଷକଲେ, ମାତ୍ର ରେଶମର କାମ କରିପାରିଲେ ନାହିଁ । ଭାରତର ରେଶମ ଶିଳ୍ପ ଧ୍ୱଂସ ପାଇଲା । ଇଂଲଣ୍ଡରୁ ବେଶୀ ବେଶୀ ରେଶମ ଜିନିଷ ଭାରତକୁ ଆସିବାକୁ ଲାଗିଲା । ୧୭୯୪ରେ ଭାରତକୁ ଇଂଲଣ୍ଡରୁ ୧୫୬ ପାଉଣ୍ଡର ରେଶମ ଓ ତୁଳା ଜିନିଷ ଆସୁଥିଲା-ମାତ୍ର ୧୮୧୩ ସାଲରେ ଏ ଭାରତକୁ ୧୦୮୮୨୪ ପାଉଣ୍ଡର ରେଶମ ଓ ତୁଳା ଜିନିଷ ଆସିଲା ।

 

ଜର୍ମାନୀଦେଶର ରଙ୍ଗ ପୃଥିବୀରେ ସବୁଠାରୁ ଭଲ, ସେଥିପାଇଁ ବଜାରରେ ଏହାର କାଟତି ଖୁବ୍ ବେଶୀ ଥିଲା । ଜର୍ମାନୀର ରଙ୍ଗ ବ୍ୟବସାୟ ବନ୍ଦ କରିବାକୁ ବ୍ରିଟିଶସରକାର ଭାରତରେ ନୀଳଚାଷ କରିବାକୁ ମନସ୍ଥ କଲେ । ସେଥିପାଇଁ ଉତ୍ତର ବିହାରର ପ୍ରତ୍ୟେକ ଚାଷୀକୁ ବାଧ୍ୟ କରାଗଲା ଯେ, ନିଜ ଜମିର ୩/୨୦ ଭାଗ ଜମିରେ ନୀଳଚାଷ କରିବେ । ନୀଳଚାଷରେ ବେଶୀ କିଛି ଲାଭ ହେଉ ନଥିଲା, ତେଣୁ କୃଷକମାନଙ୍କର ଏଥିରେ ଘୋର କ୍ଷତି ହେଲା । ଚାରିଆଡ଼େ ଏହାର ପ୍ରତିବାଦ କରାଗଲା । ମାତ୍ର ସରକାର ବଳପ୍ରୟୋଗ କରି ସବୁ ଦବାଇ ଦେଲେ । ଏଇ ନୀଳଚାଷର ପ୍ରତିବାଦ କରି ବଙ୍ଗଳାର ଶ୍ରୀଯୁକ୍ତ ଦୀନବନ୍ଧୁ ମିତ୍ର ‘ନୀଳଦର୍ପଣ’ ବୋଲି ଖଣ୍ଡେ ନାଟକ ବହି ଲେଖିଥିଲେ-ସରକାର ସେ ବହିକୁ ବାଜ୍ୟାପ୍ତି କରିନେଲେ ।

 

ତା ପରେ ଅନେକ କହନ୍ତି ଇଂରେଜ ଏ ଦେଶରେ କଳକାରଖାନା ବସାଇଥିଲେ, ଅନେକ ସମୟରେ ଚାଷୀମାନଙ୍କୁ ଟଙ୍କା ସାହାଯ୍ୟ ଦେଉଥିଲେ । ଚାଷର ଉନ୍ନତିପାଇଁ ଇଂରେଜ ବିହନ ବାଣ୍ଟୁ ଥିଲେ । ମାତ୍ର ଇଂରେଜ ଆମର ଉପକାରପାଇଁ ମୋଟେ ଏସବୁ କରି ନାହିଁ; ଇଂରେଜ କଳକାରଖାନାକୁ କଞ୍ଚାମାଲ ଯୋଗାଇବାପାଇଁ ସେମାନେ ଚାଷୀମାନଙ୍କୁ ସାହାଯ୍ୟ କରନ୍ତି । ଆଉ କଳକାରଖାନା–ଯଦି କଳକାରଖାନା ବସାଇବା ତାଙ୍କର ଉଦ୍ଦେଶ୍ୟ ଥାନ୍ତା ତେବେ ଆଜି ଆମ ଦେଶ କଳ ଧୂଆଁରେ ପୂରିଥାନ୍ତି । ଆଜିପର୍ଯ୍ୟନ୍ତ ମଧ୍ୟ ଭାରତର ଖଣିମାନ ଖୋଳା ହୋଇ ନାହିଁ । ଆଜିପର୍ଯ୍ୟନ୍ତ ଲୋକମାନଙ୍କର ପରିଶ୍ରମ ବୃଥା ହେଉଚି । କାଁ ଭାଁ ଯେଉଁଠି କଳକାରଖାନା ବସିଚି, ସେସବୁ ମାମୁଲି ଜିନିଷର କାରଖାନା-ଚାବି ଥିଲା ଇଂରେଜ ହାତରେ । ଏଠି ଆମର ରେଲଡ଼ବା ତିଆରି ହେବ, ଇଞ୍ଜିନ୍ ଆସିବ ବିଲାତରୁ । ଏଠି ତୁଳା ଚାଷ ହେବ, ଲୁଗା ବୁଣିବା କଳ ଆସିବ ବିଲାତରୁ । ସବୁମୂଳ ଜିନିଷ ପାଇଁ ଯେପରି ଆମେ ପର ଉପରେ ନିର୍ଭର କରିବା, ତାର ଭଲ ବ୍ୟବସ୍ଥା ହୋଇଚି, ଭାରତରେ ୮୭୦୦ କୋଟି ଟନ୍ କୋଇଲା ଅଛି । ଭାରତରେ ଯଥେଷ୍ଟ କଳକାରଖାନା ନଥିବାରୁ ଭାରତର ୭୫% ପ୍ରାକୃତିକ ସମ୍ପଦର ସଦ୍‌ବ୍ୟବହାର ହୋଇପାରି ନାହିଁ । ଭାରତୀୟ ଶ୍ରମିକଙ୍କର ୭୦% ପ୍ରାକୃତିକ ରୋଗରେ ପଡ଼ନ୍ତି, ମୂର୍ଖ ରହନ୍ତି ଓ ବେକାର ହୋଇ ବସନ୍ତି । ବ୍ୟବସାୟ ସୁବିଧା ନ ଥିବାରୁ ଭାରତୀୟ ମୂଳଧନର ୬୫% ବ୍ୟବସାୟରେ ଲାଗିପାରେ ନାହିଁ । ଭାରତର ଚାଷୀକୂଳର ୮୦% ସାଧାରଣତଃ ହାରାହାରି ୨୩ ବର୍ଷ ବୟସରେ ମରନ୍ତି । ଭାରତରେ ମୋଟେ ଶତକରା ୯ ଜଣ ଅକ୍ଷର ଚିହ୍ନିଚନ୍ତି । ଏଇ ଶତକରା ୯ ଭାଗର ସାକ୍ଷରଙ୍କ ଭିତରୁ ଯେତେ ଲୋକ ବେକାର ରହନ୍ତି, ପୃଥିବୀର ଅନ୍ୟ କୌଣସି ଦେଶରେ ଏତେ ଲୋକ ବେକାର ରହନ୍ତି ନାହିଁ ।

 

ମଫସଲରୁ କଞ୍ଚାମାଲ ନେଇ ସହରରେ ପହଞ୍ଚାଇବା, ବନ୍ଦରରୁ କଳଜିନିଷ ଆଣି ମଫସଲରେ ପହଞ୍ଚାଇବା ଓ ଦେଶର ଯେ କୌଣସି ଯାଗାରେ ଲୋକେ ସରକାର ବିରୁଦ୍ଧରେ ଉଠିଲେ ସେମାନଙ୍କୁ ଦବାଇଦେବାକୁ ଶୀଘ୍ର ଗୁଳି ବନ୍ଧୁକ ନେଇ ସେଠାରେ ପହଞ୍ଚିବା ପାଇଁ ଇଂରେଜ ସରକାର ଏ ଦେଶରେ ରେଳରାସ୍ତା ବସାଇଥିଲା । ତାର ବାଣିଜ୍ୟ ବ୍ୟବସାୟର ସୁବିଧା ପାଇଁ ରେଳଭଡ଼ା ଧାର୍ଯ୍ୟ କରିଚି । ପାଞ୍ଚ ଗାଣ୍ଠି ତୁଳା ଜାହାଜଦ୍ୱାରା ବମ୍ୱେରୁ ବିଲାତର ଲିଭରପୁଲ ସହରକୁ ପଠାଗଲେ ଟ୧୩ /- ୧୪ ମାସୁଲ ପଡ଼ୁଥିଲା–ମାତ୍ର ସେଇ ତୁଳା ଆଡ଼ୋନିଠାରୁ ବମ୍ବେ (୩୦୦ ମାଇଲ) ରେଳଦ୍ୱାରା ପଠାଗଲା ମାସୁଲ ଟ୩୪/-ଲାଗୁଥିଲା । ଭାରତର ଜଣେ ଭୂତପୂର୍ବ ବଡ଼ଲାଟ ଲର୍ଡ ମେୟୋ ଲେଖିଚନ୍ତି-‘‘ଆମେ ଗୋଟାଏ ବିଦେଶୀ ଜାତି । ନିଜର ବ୍ୟକ୍ତିତ୍ୱ ଓ ଶାସନ କୌଶଳଦ୍ୱାରା ଆମେ ଅତିକଷ୍ଟରେ ଏ ଦେଶ ଚଳାଇଚୁ । ଯେତେଦିନ ପର୍ଯ୍ୟନ୍ତ ଭାରତର ଲୋକମାନେ ବିଶ୍ୱାସ କରୁଥିବେ ଯେ ଅନ୍ୟ ଯେ କୌଣସି ଭାରତୀୟ ବା ୟୁରୋପୀୟ ସରକାର ଆସିଲେ ଆମଠାରୁ ଅଧିକ ଖଜଣା ବସାଇବେ, ସେତେଦିନ ପର୍ଯ୍ୟନ୍ତ ଆମେ ନିରାପଦରେ ରହିଥାଏ । ଏ ମନୋଭାବ ଲୋକଙ୍କ ମନରୁ ଚାଲିଗଲେ ଆମେ ଏ ଦେଶକୁ ହରାଇବସିବା । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କଠାରୁ ଆମେ ବେଶି ଟଙ୍କା ଆଦାୟ କରିପାରିବା ନାହିଁ । ସେଥିପାଇଁ ମୁଁ କହୁଚି, ଯଦି ରେଳରାସ୍ତା ବସିବାଦ୍ୱାରା ଆମର କିଛି ଭଲ ହେବ, ତେବେ ଆମେ ରେଳରାସ୍ତା ବସାଇବା–ମାତ୍ର ଯଦି ରେଳରାସ୍ତା ବସାଇ ଆମକୁ ବର୍ଷକୁ ବର୍ଷ ବେଶି ବୋଝ ମୁଣ୍ଡାଇବାକୁ ପଡ଼େ, ତେବେ ଏ ଦେଶରେ ଆମର ରେଳରାସ୍ତା ବସାଇବାର ଦରକାର ନାହିଁ ।’’ ସେଇ ମେୟା ସାହେବ ପୁଣି ଲେଖିଚନ୍ତି–‘‘ରେଳରାସ୍ତାରେ ବସାଇଥିବା ପ୍ରତ୍ୟେକ ପଥର ଏ ଦେଶରେ ଆମର ପ୍ରଭାବ ବଢ଼ାଇଚି ଏବଂ ଆମ ଶକ୍ତିକୁ ଏଠି ଦୃଢ଼ କରିଚି । ଆମେ ସବୁ ଯାହା କରିଛୁ, ଏ ଦେଶରେ ଚିରଦିନ ଆମର ସାମ୍ରାଜ୍ୟ ରଖିବାକୁ ଆମେ କରିଚୁ ।’’

 

ଇଂରେଜ ଏ ଦେଶରେ ସ୍କୁଲ କଲେଜ ବସାଇବାରେ ତାଙ୍କରି ବେଶି ଉପକାର ହୋଇଛି-। ଆମଦେଶରେ ଯୁବକମାନେ ପଢ଼ି କିରାନୀ ହୋଇ ସରକାର ଘରେ ମୁଣ୍ଡ ବିକିଚନ୍ତି । ଆମରି ଭିତରୁ ଲୋକ ବାହାରି, ସରକାରର ପାଠ ପଢ଼ି ଆମରି ଦେଶର ଚାଷୀ ମୂଲିଆଙ୍କୁ ଶୋଷଣ କରିଚନ୍ତି । ପିଲାଙ୍କୁ ପାଠ ପଢ଼ାଇବାକୁ ଆମ ଦେଶରେ ସ୍ୱତନ୍ତ୍ର କର ବସି ନାହିଁ । ଅବକାରି ବିଭାଗରୁ ଯେଉଁ ଆୟ ସରକାରଙ୍କର ହୁଏ ସେଇଥିରେ ଶିକ୍ଷା ବାବଦ ଖର୍ଚ୍ଚ ଚଳିଛି । ମଦଖଟି ଅଫିମଦୋକାନରୁ ଆଦାୟ ହେଉଥିବା ପଇସାରେ ଆମ ଦେଶର ସ୍କୁଲ କଲେଜ ତୋଳା ହୋଇଚି; ମାଷ୍ଟରମାନେ ଦରମା ନେଇଚନ୍ତି । ଲୋକଙ୍କୁ ନିଶାଖୋରକରି ଆମେ ପାଠ ପଢ଼ିଚୁ–ଲୋକେ ଯଦି ମଦ ଅଫିମ ଛାଡ଼ି ଦେଇଥାନ୍ତେ ଆମ ଦେଶରେ ଆଉ ସ୍କୁଲ କଲେଜ ଚାଲିପାରି ନ ଥାନ୍ତା । ଏମିତି ଶିକ୍ଷା ପାଇ ହୁଏତ ଆମେ ବେକାର ଆମେ ରହିଚୁ, ନଚେତ୍ ସରକାରି କଳ ଚଳାଇବାରେ ସାହାଯ୍ୟ କରିଚୁ । ମହାତ୍ମା ଗାନ୍ଧୀ ମୋଟେ ଏ ଶିକ୍ଷାକୁ ପସନ୍ଦ କରି ନାହାନ୍ତି । ବନ୍ଧୁ ବନ୍ଧୁପାଖକୁ, ସ୍ୱାମୀ ସ୍ତ୍ରୀ ପାଖକୁ ଇଂଲିଶରେ ଚିଠି ଲେଖୁ ଏକଥା ମଧ୍ୟ ସେ ଚାହାନ୍ତି ନାହିଁ । ଇଂରେଜ ସରକାର ପ୍ରଥମେ ଭାବିଲା, ଭାରତରେ ଏପରି ଶିକ୍ଷାପ୍ରଣାଳୀ ରଖିବାକୁ ହେବ, ଯାହାଦ୍ୱାରା ଦେଶର ଯୁବକମାନଙ୍କ ମନ ଚାକିରି ଆଡ଼କୁ ଢଳିବ, ସେମାନେ ସ୍ୱାଧୀନଭାବରେ ଭାବି ଶିଖିବେ ନାହିଁ । ଭାରତରେ ଇଂରେଜୀଶିକ୍ଷା ଚଳେଇବାରେ ସାହାଯ୍ୟ କରିଥିବା ଲୋକମାନଙ୍କର ବଡ଼ପଣ୍ଡା ମାକଲେ ସାହେବ କହିଥିଲେ–‘‘ଭାରତରେ ଆମେ ଏମିତି ଶିକ୍ଷାର ବ୍ୟବସ୍ଥା କରିଚୁ ଯାହାଫଳରେ କି ରୋମାନମାନେ ଆମକୁ ଯେଉଁ ଅବସ୍ଥାରେ ପକାଇଥିଲେ, ଭାରତୀୟମାନେ ସେଇ ଅବସ୍ଥାରେ ପଡ଼ିବେ ।’’ ରୋମାନମାନେ ବିଲାତର ଲୋକମାନଙ୍କୁ ଏମିତି ଭାବରେ ଶାସନ କରିଥିଲେ ଯାହା ଫଳରେ ସେମାନେ ନିଜର ଧର୍ମ, ରୀତିନୀତି ଭୁଲି, ଜାତି ଦେଶର ମୋହ ଛାଡ଼ି ଦେଇଥିଲେ । ଆମେ ମଧ୍ୟ ଏଇପରି ଶିକ୍ଷା ପାଇ ତାଙ୍କ ଜାଲରେ ପଡ଼ିଚୁ ।

 

ତା ପରେ ଧର୍ମପ୍ରଚାର । କୋରାପୁଟ ଜିଲ୍ଲାର ପାଣ ଶବରମାନଙ୍କୁ ଖ୍ରୀଷ୍ଟିଆନ କରାଯାଉଚି-ମାତ୍ର ଏହାପଛରେ ମୋଟେ ଧର୍ମଭାବ ନାହିଁ । ଖ୍ରୀଷ୍ଟିଆନ ଧର୍ମପ୍ରଚାରକମାନେ ଯେଉଁ ଦେଶକୁ ଯାଇଚନ୍ତି ସେ ଦେଶର ସର୍ବନାଶ କରିଚନ୍ତି । ଏମାନେ ଦିନେ ଚୀନଦେଶକୁ ଉଚ୍ଛନ୍ନ କରିଥିଲେ । ଗୋଟିଏ ଧର୍ମର ରୀତିନୀତି ନଷ୍ଟକରିବା ସେମାନଙ୍କର ଉଦ୍ଦେଶ୍ୟ । ଆମଦେଶରେ ଖ୍ରୀଷ୍ଟାନ୍ ଧର୍ମ ପ୍ରଚାର କରିବାକୁ ପାଦ୍ରୀମାନେ ଟଙ୍କା ପାଆନ୍ତି । ଦେଶର ଲେକଙ୍କୁ କେମିତି ପୂରାପୂରି ସରକାରଙ୍କ ଆଡ଼କୁ ଢଲାଇ ଦେବେ, ଏହା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ଅଶିକ୍ଷିତ ଗରିବ ଲୋକଙ୍କ ଭିତରେ ପଶି ସେମାନଙ୍କୁ ନାନାପ୍ରକାର ମିଛକଥା କହି ଖ୍ରୀଷ୍ଟାନ୍ କରିଦେବା ସେମାନଙ୍କର କାମ । ଏଇ ଧର୍ମ ପ୍ରଚାରକମାନେ ଆମ ଦେଶରେ ଇଂରେଜଙ୍କ ତରଫରୁ ଠିକାଦାର ବା ଦଲାଲ ସାଜି ରହିଚନ୍ତି ଓ ଏ ଦେଶର ଜାତୀୟତା ଭାବ ନଷ୍ଟ କରିଚନ୍ତି । ମହାତ୍ମାଗାନ୍ଧି ଏପରି ଧର୍ମ ପ୍ରଚାରର ସଂପୂର୍ଣ୍ଣ ବିରୁଦ୍ଧରେ । ଗାନ୍ଧିଜୀ ଇଂରେଜ ଲୋକମାନଙ୍କୁ ସମ୍ୱୋଧନ କରି ଥରେ ଲେଖିଚନ୍ତି–‘‘ତମେମାନେ ସେମାନଙ୍କୁ (ଧର୍ମପ୍ରଚାରକ) ଏଠାକୁ ମିଛରେ ପଠାଅ, ମାତ୍ର ସେଇଟା ମଧ୍ୟ ସାମ୍ରାଜ୍ୟବାଦୀ ଶୋଷଣର ଗୋଟାଏ ଅଙ୍ଗା ସେମାନେ ତୁମର ଜିନିଷ କିଣିବାକୁ ପ୍ରବର୍ତ୍ତାଇବାକୁ ଭଲପାଆନ୍ତି ଓ ଫଳରେ ଆମେ ତୁମର ମଟରଗାଡ଼ି ଓ ବିଳାସ ବ୍ୟସନର ଜିନିଷସବୁ ବ୍ୟବହାର କରିବାକୁ ଅକ୍ଷମ ହୋଇଯାଇ । ତେବେ ତୁମେ ଯେଉଁ ଖ୍ରୀଷ୍ଟିଆନ ଧର୍ମ ଆମ ଦେଶକୁ ପଠାଅ ତାହା ଖାଣ୍ଟି ଧର୍ମ ନୁହେ । ଭାରତରେ ଖ୍ରୀଷ୍ଟିଆନ୍‌ମାନଙ୍କର ସଂଖ୍ୟା ବଢ଼ାଇବାରେ କୌଣସି ମତଲବ ନ ରଖି ଯଦି ତୁମେ ତୁମର ସ୍କୁଲ୍, କଲେଜ ଓ ଡାକ୍ତରଖାନାମାନ ବସାଇଥାନ୍ତ, ତେବେ ତୁମର ପରୋପକାରିତା ଗୁଣ ସଚ୍ଚା ବୋଲି ପ୍ରମାଣ ହୋଇଥାନ୍ତା ।’’

 

ଧର୍ମ, ଶିକ୍ଷା, ଅର୍ଥନୀତି ଓ ରାଜନୀତି ଏଇ ଚାରି ମୁନିଆଁ ସଣ୍ଡୁଆସୀରେ ଆମକୁ ଚିପି ଧରିଥିବା ଇଂରେଜ ଶାସନ ଏ ଦେଶରୁ ଚାଲି ଗଲାଣି । ୧୯୪୭ ମସିହା ଅଗଷ୍ଟ ମାସ ପନ୍ଦର ତାରିଖଠାରୁ ଆମର ଦେଶ ସ୍ୱାଧୀନ ହୋଇ ସାରିଲାଣି । ଆମ ଜାତୀୟ ଇତିହାସର ସିଦ୍ଧ ନେତାମାନେ ବର୍ତ୍ତମାନ ଶାସନ ଚଳାଉଚନ୍ତି । କିନ୍ତୁ ତଥାପି ଦେଶ ଯେଉଁ ତିମିରକୁ ସେଇ ତିମିରରେ ପଡ଼ି ରହିଚି । ‘ମୁଁ ସ୍ୱାଧୀନ ହେଲିଣି’, ଗାଁ ଚାଷୀ ବା କାରଖାନାର ମଜୁରିଆ ମୁହଁରୁ ଏପରି ଏକ ନିର୍ଭର କଥା ଶୁଣିବାକୁ ଅନେକ ଦିନ ବାକି ଅଛି ।

 

ଦୁଇ ବରଷ ହେଲା ଦେଶରେ ଏପରି ଏକ ଶାସନ ଚାଲିଛି, ଘଡ଼ିଏ ଚିନ୍ତାକଲେ ମନେହୁଏ ସତେ ଯେମିତି ପଞ୍ଚସଖାଙ୍କର ଆଗତ ଭବିଷ୍ୟମାଳିକା ଗୁଡ଼ାକ ସତ ହୋଇ ହୋଇ ଯାଉଛି । କାଲି ରାତିରେ ସମସ୍ତେ ମିଶି ଆମେ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ିଥିଲେ । ସେତେବେଳେ ଆପଣା ଆପଣାର ଗହୀରା ରୂପ ଦେଖିବାର ବେଳ କାହାରି ନଥିଲା । ରାତି ପାହିଲା । କିନ୍ତୁ ଲଢ଼ୁଆ ଫଉଜର ଏ କି ରୂପ ? ନୂଆ ଶାସନରେ ସୈନିକ ସିପାହୀମାନଙ୍କୁ କେତେ ଭରସାରେ ମୁତୟନ କରି ଦିଆଗଲା, କିନ୍ତୁ ସେମାନେ ଏ କଳା ରୂପଟା ଆଜିଯାଏ କୋଉଠି ପ୍ରଚ୍ଛନ୍ନ କରି ରଖିଥିଲେ । କାଲିକାର ସେବକ ଆଜି ପରମିଟ୍ କାଟି ପଚାଶ ପଚିଶ ମାରି ନେବାରେ ବ୍ୟସ୍ତ, ପ୍ରତିନିଧିମାନେ ସମସ୍ତେ ଆଜି କଟକମୁହାଁ । ସେଇଠି କିଏ ଦ୍ୱାରପାଳ ହୋଇ ପାଳୁ ଟିକସ ଆଦାୟ କରୁଛି ତ, କିଏ ରାଜାର ପାପଧନ ସାଙ୍ଗରେ ଟଙ୍କା ମିଶାଇ ସିନେମା ବ୍ୟବସାୟ ଆରମ୍ଭ କଲାଣି । ଗ୍ରୋ ମୋର ଫୁଡ଼ ନାଁରେ ଲୋକଙ୍କୁ ନଳିତା ମଞ୍ଜି ଯୋଗାଇ ଦିଆହୋଇ ସୁବିଧାରେ ଥିବା ଝୋଟ କାରଖାନା ଗୁଡ଼ିକ ଲାଗି ରସିଦର ବ୍ୟବସ୍ଥା ହେଉଛି । କୋଉଠି ଏଡ଼େ ଟିକିଏ ସମିତି ହେଲା, ସେଥିଲାଗି ଦୁଇଟା ମଟର କିଣା ହେଉଛି । ମଫସଲରେ ସବୁ ଦରଦାମ ବଢ଼ି ବଢ଼ି ଚାଲିଛି, କେତେ ଟାଉଟର ସରକାରୀ ଖଦଡ଼ ପିନ୍ଧି ବ୍ୟବସାୟରେ କେତେ କୋଠା ତୋଳୁଛନ୍ତି, ତଥାପି ବଡ଼ ବଡ଼ ବାଣୀ ବଚସାର ବେପାର ଆଜିଯାଏ ସରି ନାହିଁ । ଆଜିଯାଏ ମଧ୍ୟ ସେମାନେ ନାଗରା ପିଟୁଛନ୍ତି ଯେ ଦେଶ ଠିକ୍ ବାଟରେ ଚାଲିଛି । ରାଜଭୟରେ ଦେଶର ଖବରକାଗଜବାଲା ମଧ୍ୟ ଘୋଷି ହେଉଛନ୍ତି ଯେ ବିଶ୍ୱର ଦରବାରରେ ଭାରତର ସମ୍ମାନ ହୁ ହୁ ହୋଇ ବଢ଼ି ଚାଲିଛି । ଏଇ ସମ୍ମାନ ବଢ଼ିବାଲାଗି ବିଦେଶରେ ଥିବା ଭାରତର ଦୂତମାନେ ଆଖି ନ ପାଉଥିବା ଦରମାମାନ ପାଉଛନ୍ତି । ଏଇ ସମ୍ମାନ ବଜାୟ ରଖିବା ଲାଗି ଆମ ଦେଶର ବଡ଼ଲାଟ୍, ଲାଟ୍‍ମାନେ ସଚଳ ବିଷ୍ଣୁପରି ନିକିମା ଭୋଗ ଖାଉଚନ୍ତି-ବୁଡ଼ିଲା କୁଳର କୁଳସ୍ଥବିର ଜରଦ୍‌ଗବମାନଙ୍କ ପରି ।

 

୧୯୩୦ ମସିହାରେ ଏଇ ଦେଶର ପ୍ରତିନିଧି ହୋଇ ଏଇ ଦେଶର ସମ୍ମାନ ବଢ଼ାଇ ଥିଲା ଗୋଟାଏ ଅଧଲଙ୍ଗଳା ହାଡ଼ୁଆ ମଣିଷ, ବର୍ତ୍ତମାନର ଶାସକମାନେ ଦୁଇଥର ଯାହାର ଶ୍ରାଦ୍ଧଉତ୍ସବ ପାଳି ସାରିଲେଣି । କଷଣ ବଳରେ ସେ ମୁଦା ଇତିହାସ ଖୋଲି ଦେଖିଲେ କେବଳ ସେଇ ମହାତ୍ମାର ହୋସ ହିମ୍ମତ କଥା ଆଖିକୁ ଜଳ ଜଳ ହୋଇ ଦେଖାଯାଏ । ଆଣ୍ଠୁଏ ଲମ୍ବ ନ ଥିବା ଲୁଗା ଖଣ୍ଡେ ପିନ୍ଧି ସେ ଯାଇଥିଲା ବିଲାତର ରାଜପ୍ରାସାଦରେ ଦରିଦ୍ର ଜନତାର ଚେତାବନୀ ଶୁଣାଇବାକୁ । ଦଶନମ୍ବର ଡାଉନିଂ ଷ୍ଟ୍ରୀଟ୍‌ରେ ମଉଜ ମଜଲିସ୍‌ ଚାଲୁଥିବାବେଳେ ଖଣ୍ଡିଆ ନୂଖୁରା ଧୂମକେତୁ ପରି ଠିଆହୋଇ ସେଠାରେ ସେ ଏଇ ଦରିଦ୍ର ଦେଶର ସମ୍ମାନସ୍ତମ୍ଭ ପୋତି ଦେଇ ଆସିଥିଲା । ସେ ଆଜିକୁ କୋଡ଼ିଏ ବର୍ଷ ତଳର କଥା । ଏହା ଭିତରେ ଚକ ଅନେକ ବୁଲି ଗଲାଣି । ସେଥିଲାଗି ଦେଶର ଏଣେ ଅନ୍ନର ହାହାକାର ପଡ଼ିଥିବା ବେଳେ ତେଣେ ସମ୍ମାନ ରଖିବାଲାଗି ଭାରତ ତରଫରୁ ଚନ୍ଦ୍ରଉଦିଆ ବାଣ ମରା ହେଉଛି । ସେ ଆଲୁଅ ଦେଖି ହୁଏ ତ ସହରରେ ଥିବା ଶାସକ-ବ୍ୟବସାୟୀମାନଙ୍କର ମନ କୁଣ୍ଢେ ମୋଟରେ ଫୁଲି ଯାଉଛି, କିନ୍ତୁ ଦେଶର ଲାଜରୂପଟା, ଦେଶର ନଷ୍ଟ ନିରକ୍ଷ ରୂପଟା ଆହୁରି ଜଳ ଜଳ ହୋଇ ଦେଖାଯାଉଛି । କାହିଁକି ? କାହିଁକି ଏ କପଟ ଅଭିନୟ ଦେଶ ନାଁରେ ବରଷ ବରଷ ଧରି ଚାଲିଥିବ । ଏହାର କାରଣ ଖୋଜିଯିବ କିଏ ?

 

ଇଂରେଜ ସରକାରର ସୈନ୍ୟ ସାମନ୍ତ ଥିଲେ, ବନ୍ଧୁକଗୁଳି ଥିଲା, ଦରମାଖିଆ ଅଫିମା ସିପାହୀ ମଧ୍ୟ ଥିଲେ, ସେଇ ବଳରେ ସେ ଦେଶକୁ ହାତରେ ରଖିଥିଲା । ଯୋଉଠି ଅସ୍ତ୍ରଶସ୍ତ୍ରର ଯେତିକି ଝନତ୍‌କାର ଥିବ, ତା’ ପଛରେ ମନ ଭିତରେ ସେତିକି ଭୟ ଲୁଚି ରହିଥିବ । ଏତେ ସାଜଗୁଜ ଆଡ଼ମ୍ବର ପଛରେ ମଧ୍ୟ ସେହି ଭୟ ଥିଲା । ବିଟ୍ରିଶ ସରକାର ଏ ଦେଶର ଜନବଳକୁ ଭୟ କରୁଥିଲା । ଇଂରେଜ ଛାଉଣୀର ଏହି ଦୁର୍ବଳତାଟିକୁ ୧୯୨୦ର ନୂଆ ନେତା ମହାତ୍ମା ଭଲକରି ବୁଝି ପାରିଥିଲା–ତେଣୁ ଆମର ଅସ୍ତ୍ର ହେଲା ନିର୍ଭୀକତା । ଆମେ କେବଳ ନିର୍ଭୟ ହୋଇ ବାହାରିଲୁ; ଅସ୍ତ୍ର ନେଇ ଯୁଦ୍ଧ କରିଥିଲେ ହୁଏ ତ ଇତିହାସ ଅନ୍ୟ ରକମ ହୋଇ ଯାଇଥାନ୍ତା । ଏହି ନିର୍ଭୟତା ହିଁ ଆମକୁ ସ୍ୱାଧୀନତା ଦେଇଗଲା । ସିମଳା ଚୁକ୍ତି ମିଛ କଥା, ପ୍ରାଣଦାନର ନିର୍ଭୟ ସ୍ୱାକ୍ଷରରେହିଁ ଆମ ଦେଶରୁ ବିଦେଶୀ ଶାସନ ହଟିଗଲା ।

 

ସେହି ନିର୍ଭୟ ଲୋକଙ୍କର ସତ୍‌ ଶାସନ ଏ ଦେଶରେ ଗଢ଼ା ହେବ, ଏଇଆ ଥିଲା ମହାତ୍ମାଙ୍କର ସ୍ୱପ୍ନ । ସେଇଥିଲାଗି ସେ ନାନା ପ୍ରକାର ମସୁଧା କରି ଶେଷରେ ହତାଶ ହେଲେ । ଆମେ ତାଙ୍କ କଥା ମାନିଲୁ ନାହିଁ । ଘରର ମାଲିକ ହୋଇ ଆମର ଆଖି ଲେଉଟି ଗଲା । ତେଣୁ ଯୋଉ ଇଂଲଣ୍ଡ ଆମେରିକାକୁ ଦିନେ ଆମେ ଛି’ ଛାକର କରୁଥିଲୁ, ସେହିମାନେହିଁ ଆମର ଆଦର୍ଶ ହୋଇ ରହିଲେ । ଆମେରିକାରୁ ଇଞ୍ଜିନ୍‌ ଆସି ଆମ ଦେଶ ଦଶ ବରଷରେ ଆମେରିକା ହୋଇଯିବ, ଆମ ଦେଶର ଆକାଶରେ ଉଡ଼ାଜାହାଜ ଭଁ ଭଁ ହୋଇ ଉଡ଼ିବ, ଆମ ଦେଶର ଦୂତ, ସବୁ ଦେଶକୁ ଯାଇ ଭୋଜୀ ଭାତ ଦେବେ–ଏହି ବିଲାତୀ ସ୍ୱପ୍ନରେ ଆମେ ବେଶ୍‌ ମାତିଲୁ । କଳକାରଖାନା ହୁ ହୁ ହୋଇ ବଢ଼ିଲା–ଶୁଣା ନ ଥିବା ମସୁଧାମାନ ସଭାରେ ଘୋଷଣା କରାଗଲା । କଳ ତିଆରି ହୋଇ ମେଘ କରା ହେବ, ପବନ ରୋକା ହୋଇ ମେଘ ବରଷା ହେବ; –ସମସ୍ତଙ୍କର ମନ ଉଡ଼ିଲା ସେହି ବିଲାତକୁ, ସେଇ ଆମେରିକାକୁ । କେତେ ବର୍ଷ ତଳେ ଜାପାନ ମଧ୍ୟ ଏମିତି ସ୍ୱପ୍ନ ଦେଖିଥିଲା । କିନ୍ତୁ ସେ ସବୁ ସମାନ୍ତର ଦୃଷ୍ଟିରୁ ନିଜକୁ ପରଖି ଦେଖିବା ଲାଗି ଭୋଳାମନର ବେଳ କାହିଁ ?

 

ଇଂଲଣ୍ଡ ଆମେରିକା ପରି ବଡ଼ ହେବାକୁ ଇଚ୍ଛା କରିବାରୁ, ନିର୍ଭୀକ ସେବକ ମନକୁ ଭୟ ଘୋଟି ଆସିଲା । ବାହାର ଭୂଷଣମାନ ପିନ୍ଧି ସେ ଝୁଙ୍କ ପକ୍ଷୀ ପରି ସବୁବେଳେ ସତର୍କ ହୋଇ ବସି କହିଲା, କିଏ ତାକୁ ମାରିବାକୁ ଆସୁଛି କି ? ସେଇ ଭୟରେ ସେ ଘରକଥା ଭୁଲିଲା, ସେଇ ଭୟରେ ସେ ବିଦେଶୀସାମ୍ରାଜ୍ୟଙ୍କ ସହିତ ଭଲେଇ ଭଲେଇ ମେଣ୍ଟ ବାନ୍ଧି ରହିଲା, ସେଇ ଭୟରେ ସେ ଆମେରିକା ଓ ବିଲାତର ବ୍ୟବସାୟୀମାନଙ୍କୁ ଏ ଦେଶକୁ ଡାକି ଆଣି ମାଟି ଖୋଳି ରତ୍ନଭଣ୍ଡାର ଦେଖାଇଦେଲା । ସେଇ ଭୟରେ ଅଶୋକ ଚକ୍ର ତଳେ ସଙ୍ଗୀନ୍‌ ମୁନର ଇସ୍ପାତ୍‌ ଚକ୍ର ଖଞ୍ଜି ଦିଆଗଲା, ସେଇ ଭୟରେ ସ୍କୁଲ କଲେଜ ପିଲାଙ୍କୁ ଲଢ଼େଇ କରିବାର ବାଘୁଆ ଶିକ୍ଷା ଦିଆଗଲା, ସେଇ ଭୟରେ ୧୪୪ ଜାରି ହୋଇ କେବଳ ଭାଟଚାରଣଙ୍କ ଛଡ଼ା ସମସ୍ତଙ୍କର ମୁହଁ ବନ୍ଦ କରି ଦିଆଗଲା ।

 

ଏ ଦେଶରେ ବର୍ତ୍ତମାନ ସେଇ ଭୟର ରାଜ୍ୟ ଚାଲିଚି । ପାଞ୍ଚ ବରଷ ତଳର ସେ ନିର୍ଭୀକତା, ସେ ସରଳ ସତେଜ ଆଣ୍ଟ ଆଜି ଆଉ ନାହିଁ, ସେଥିଲାଗି ଭୟାକୁଳ ଖଦଡ଼ଧାରୀ ଆଜି ଭୟ ଛଡ଼ାଇବାର ପାଞ୍ଚଣ ପଥି ଯୋଗାଡ଼ କରିବାରେ ବ୍ୟସ୍ତ । ସେଇ ଭୟରେ ଆମେ ସବୁ ଭୁଲି ସାରିଲୁଣି । ଆମ ମାଟିରେ ସୁନା ଫଳେ ବୋଲି ମଧ୍ୟ ଭୁଲି ସାରିଲୁଣି, ଖାଇବାକୁ ଦେଲେ, ଜାଣିବାକୁ ଦେଲେ, ଆମ ମାଟିର ମଣିଷ ଭିତରେ ଭୀମ ବଳ, ଅର୍ଜ୍ଜୁନ ମନ ଆସେ ବୋଲି ଆମେ ପାସୋରି ପକାଇଲୁଣି । ସେଥିଲାଗି ନିର୍ଲଜ୍ଜପରି ଆମେ ଆମ ଭୁଞ୍ଜିବା ଲାଗି ଆର୍ଜେଣ୍ଟାଇନାର ଗହମ ବା ଶ୍ୟାମଦେଶର ଧାନକୁ ଅନାଇ ରହିଚୁ । ସେଥିଲାଗି ବାଧ୍ୟ ହୋଇ ଆମକୁ ବିଦେଶୀଙ୍କର ଶିଳ୍ପ ଚଳିବ ବୋଲି ଏ ଦେଶରେ ଧୂଆଁପତ୍ର, ଆଖୁ ପ୍ରଭୃତି ଅଚାଷ କରିବାକୁ ପଡ଼ୁଛି । କେବଳ ସେତିକି ନୁହେଁ, ସେଇଥିଲାଗି ଆମକୁ ନାନା କୈଫିୟତ୍‌ ଦେଇ ନାନା ବାଘଙ୍କର ମେଳରେ ଗୋଟିଏ ମେରିଖୁଣ୍ଟରେ ବନ୍ଧା ହୋଇ ରହିବାକୁ ପଡ଼ୁଚି । ଆମେରିକାରୁ ଧୁରନ୍ଧର ସେନାପତିମାନେ ଏ ଦେଶରେ ବରଫ ଯୁଦ୍ଧ ଶିଖାଇବାକୁ ଆସୁଚନ୍ତି । ତୃତୀୟ ମହାଯୁଦ୍ଧର ଛଞ୍ଚାଣ ଶାଗୁଣାମାନେ ହୁଏ ତ କୋଉ ବରଫ ଭୂମିରେ ମଣିଷ ମାରିବେ ବୋଲି ଆଗୁଆ ପାଞ୍ଚ କରିସାରିଲେଣି । ପରଘରୁ ଦେଣା କରୁଥିବା ଭାରତବର୍ଷକୁ ସେ ଯୁଦ୍ଧକୁ ଯିବାକୁ ହିଁ ହେବ । ତେଣୁ ଭାରତର ମାଟିରେ କୋଉଠି ବରଫ ଯୁଦ୍ଧର ସମ୍ଭାବନା ନ ଥିଲେ ମଧ୍ୟ ହଜାର ହଜାର ଟଙ୍କାର ଖଜଣା ଖରଚ ହୋଇ ହିମାଳୟ ଉପରେ ବରଫଯୁଦ୍ଧ ଶିଖା ହେଉଛି । ଏହି ଭୟ ଆମକୁ ସୃଷ୍ଟିଛଡ଼ା ଦେଶଛଡ଼ା କଲାଣି; ଆଇନ୍‌, ହତିଆର, ପୋଲିସ ଓ ପିଆଦାଙ୍କର କଡ଼ାପହରାର ଭୟ ଭିତରେ ରହି ଆମକୁ ଆମରି ଆତଙ୍କର ଅସୁର କୋଉଦିନୁ ଗିଳି ସାରିଲାଣି । ତେଣୁ ଦେଶ ଆଡ଼କୁ, ମଣିଷ ଆଡ଼କୁ ଅନାଇ ପାରିବାର ମହତ ଆମ ମୁହଁରେ ନାହିଁ; ତେଣୁ କାଶ୍ମୀର, ହାଇଦ୍ରାବାଦ ଓ ପାକିସ୍ଥାନ ପ୍ରଭୃତି ନାନାପ୍ରକାର ଗୋଳିପାଣି କରି ଆମେ ପଙ୍କ ଖାଇବାରେ ମଜିଯାଇଚୁ; ତେଣୁ ପ୍ରତିନିଧିପଣିଆର ମୁଖା ତଳେ ସବୁ ମାନ ସମ୍ମାନ ପାଣିରେ ପକାଇ ବ୍ୟବସାୟ ବଣିଜ କରିବାରେ ଆମେ ଦିନରାତି ତତ୍ପର ହୋଇପଡ଼ିଛୁ । ଯେଉଁ ବଣିଆକୁ ଆମେ ଦେଶରୁ ତଡ଼ିଲୁ, ନିଜେ ସେଇ ବଣିଆର ଦସ୍ତାବିଜ ବସାଇବାରେ ଆମର ସମସ୍ତ ସମୟ ସରୁଛି । ଇଂରେଜମାନେ ପ୍ରଥମରେ ଏ ଦେଶକୁ ବଣିଆ ହୋଇ ଆସିଥିଲେ; ତେଣୁ ଲାଟ, ବଡ଼ଲାଟ, ସାମନ୍ତ ସେନାପତି ସମସ୍ତଙ୍କ ପଛରେ ଏଇ ବଣିଆର ପାଞ୍ଚଟା ସେମାନେ ସବୁବେଳେ ହେଜର ରଖିଥିଲେ, ନାନା ଉପାୟରେ ଆସାମର ଚାହା ବଗିଚାଠାରୁ ଆରମ୍ଭ କରି ଦିଲ୍ଲୀର ବିଜୁଳିବତୀ ପର୍ଯ୍ୟନ୍ତ ସବୁ ବ୍ୟବସାୟ ତାଙ୍କରି ହାତରେ ରଖି ସେମାନେ ବେଶ୍‌ ପଇସା ମାରି ନେଉଥିଲେ । ବର୍ତ୍ତମାନ ଆମର ସ୍ୱାଧୀନ ଶିବିରରେ ମଧ୍ୟ ସେହିପରି କଳାଲୋକଙ୍କର ବଣିଜ ଚାଲିଛି । କାଲିକାର ସେବକ ଆମେ ଆଜି ବଣିଜ ବେପାରରେ ଭୋଳ ହୋଇ ରହିଛୁ । ଟାଟାକମ୍ପାନୀର ଜିନିଷକୁ ତ ଧରିବାଠାରୁ ଆରମ୍ଭ କରି, ସୂତା ଲୁଗା, ଗୁଡ଼ ଓ କେନ୍ଦୁପତ୍ର ଯାଏ କିଛି ବାଦ ଯାଉନାହିଁ । ବଡ଼ଙ୍କ ଦେଖାଦେଖି ସାରାଦେଶର ଆଖି ସେଇଆଡ଼କୁ ହୋଇଗଲାଣି । ସେଇ ଏକ ଭୟ ସମସ୍ତଙ୍କୁ ଗ୍ରାସ କରି ପକାଇଲାଣି । ମାଷ୍ଟର ଆଜି ଇସ୍କୁଲ ପଢ଼ା ଛାଡ଼ି ଯୋଗାଣ ବିଭାଗରେ ଦରଖାସ୍ତ ପକାଉଛି, ଡାକ୍ତର ଆଜି ଔଷଧ କାରବାର ଛାଡ଼ି ଟ୍ରକ୍‌ ବୋହିବାର କଣ୍ଟ୍ରାକ୍ଟର ବନୁଛି । ସମସ୍ତେ ଭାବୁଛନ୍ତି, ଯେ କୌଣସି ଉପାୟରେ ହଜାର ଲକ୍ଷେ ଜମା କରି ନ ନେଲେ ଆଉ ଗତି ନାହିଁ । ଭୟ ଚାରିଆଡ଼ୁ ଘୋଟି ଆସିଲାଣି, କାହାରି ଉପରେ ଆଉ କାହାରି ବିଶ୍ୱାସ ନାହିଁ । ନିର୍ଭୀକ ସେବକଙ୍କର ମୁହଁରେ ଆଜି ଶସ୍ତା କମେଇବା ମୋହର ପାଳ ପୁଟୁଳି ବନ୍ଧା ହୋଇଛି । ନାଲିଫିତା ଶାସନ ଯାଇ ଆଜି ଆମେ କଳାମୁଖାର ଶାସନ ଚଳାଇଛୁ । ଏହି ଡର ଆମକୁ ଯେ କେଉଁ ରସାତଳକୁ ନେଇ ଯାଉଛି, ତାର ଠିକଣା କେହି ରଖୁନାହାନ୍ତି ।

 

ଏହି ଡର ଫଳରେ ଆମେ ଦେଶକୁ ଭୁଲିଯାଇଛୁ । ସ୍ୱାର୍ଥ ଓ ସଞ୍ଚୟର ଲୋଭଭିତରେ ଆମେ ଅସଲ ଜାତିକୁ ତିଆରି କରିବାର ଦାୟିତ୍ୱ ଭୁଲିଯାଇଛୁ । ଦେଶ କେବଳ ଆଇନ ସଭା ମେମ୍ବରମାନଙ୍କର ନୁହେଁ, ଦେଶ କେବଳ ଧୋବ ଧାଉଳିଆଙ୍କର ନୁହେଁ, ଦେଶ କେବଳ ଆମେ ମୂଷାଏ ତଡ଼ିବାକୁ ଆସିଥିବା ମୁଣ୍ଡା ପର୍ବତ ନୁହେଁ, ଏକଥା ଆମର ଆଉ ମନେ ନାହିଁ । ଗୋଟାଏ ଗାନ୍ଧୀ ଏ ଦେଶର ଅସଲ ପ୍ରାଣ, ଅସଲ ବଳକୁ ଚିହ୍ନିଥିଲା; କିନ୍ତୁ ଦି’ ଟା ବରଷ ଭିତରେ ତାକୁ ଆଜି ଇତିହାସର ସିନ୍ଦୁକରେ ମୁଦି ଦିଆ ହୋଇଛି । ସେ କଥା ସମସ୍ତେ ଭୁଲିଗଲେଣି । ଦେଶର ଅସଲ ବଳ, ସଂଖ୍ୟା ଗରିଷ୍ଠ ଦଳ ଯେ ଭୋକିଲା ଦଳ; ଏ ଦେଶର ଚାଷୀ ଓ ମୂଲିଆ ଯେ ଏ ଦେଶର ମାଲିକ ଏକଥା କହିଲେ ଆମେ ସାମ୍ୟବାଦୀ ଆସିଲେ, କମୁନିଷ୍ଟ ଆସିଲେ କହି କଥା ତେଢ଼ି ଦେଉଛୁ । ସେଥିଲାଗି ଦି’ ବରଷର ସ୍ୱାଧୀନତା ପରେ ଉପରକୁ ଯେତେ ସଭା ହୋଇଥିଲେ ବା ଯେତେ ଆତସବାଜୀ ମରି ରୋଷନୀ ଜଳିଥିଲେ ମଧ୍ୟ ଭିତରର କଳା ବଢ଼ି ବଢ଼ି ଚାଲିଛି, ଆମରି ଭିତରର ମଇଳା ଆମରି ଜନତାର ସାର ଖାଇ ମୋଟା ହୋଇ ହୋଇ ଚାଲିଛି ।

 

ସ୍ୱାଧୀନତା ପାଇବା ପରେ ଯେଉଁ ତ୍ୟାଗର ସବୁଠାରୁ ବେଶୀ ଆବଶ୍ୟକତା ଥିଲା, ସେହି ତ୍ୟାଗ, ସେହି ନିଷ୍ଠା ହିଁ ବର୍ତ୍ତମାନ ସପନ ହୋଇ ଯାଇଛି । ଯାହା ଖୋଜୁଥିଲୁ, ସେ ସମସ୍ତ ପାଇସାରିଲୁଣି ବୋଲି ଗୋଟାଏ ଆତ୍ମମ୍ଭରୀ ଧାରଣାର ମୋହରେ ପଡ଼ି ଆମେ କେବଳ ଚାରିଆଡ଼େ ଭୋଗର ବିପଣୀ ବସାଇଦେଇଛୁ । କିନ୍ତୁ କିଏ କଣ ପାଇଚି ? ବିଟ୍ରିଶ୍‌ ଅମଳରେ ଆମର ସମାଜ, ଆମର ମନ, ଆମର ରାଜନୀତି କିପରି ହୀନଦଶାରେ ଥିଲା, ସେସବୁ ଆମେ ଭଲକରି ପରଖି ଦେଖି ଆସିଛୁ । ବର୍ତ୍ତମାନ ସ୍ୱାଧୀନତା ପାଇବାର ଦୁଇବରଷ ପରେ ଦେଶର ଚାରିଆଡ଼କୁ ଅନାଇ ଆମେ ଆପଣାର ଅନ୍ତରକୁ ପଚାରିବା, କଣ ଆମେ ପାଇଚୁ ? ଯିଏ ଆମରି ଲାଗି ନିଆଁକୁ ଡେଇଁ ଥିଲେ, ଆମରି ଥାନା ଡାକଘର ପୋଡ଼ାର କ୍ଷତିପୂରଣ ଲାଗି ଇଂରେଜ ସରକାର ଯାହାର ଉଷୁଆଁ ଧାନ ସମେତ ହେଁସମସିଣା ପିଟୁଣିଟିକସ ରୂପେ ବଳାତ୍କାର କରି ନେଇଯାଇଥିଲା, ସେମାନେ କଣ ପାଇଚନ୍ତି ? ଧାନ ଆହୁରି ମହରଗ ହୋଇଛି, ଅଥଚ ସହରରେ ଗୋଟାକୁ ମୋଟା କାରଖାନା ଖୋଲା ହୋଇଛି; ଡାକଖରଚ, ଗାଡ଼ିଖରଚ ବଢ଼ିଛି, ଅଥଚ ସରକାରି ଲୋକଙ୍କର ଗସ୍ତ ଗମାତ ଲାଗି ଅନାବଶ୍ୟକ ଭାବରେ ମଟର, ଉଡ଼ାଜାହାଜ ଖଞ୍ଜା ହୋଇଛି; ଉପରୁ ଦଗାବାଜୀ, ଚୋରା ବଜାରି ଶିଖି ଗାଁ ଗାଁକେ ନୂଆ ଟାଉଟର ସୃଷ୍ଟି ହୋଇଛନ୍ତି; ନାଲିଫିତା ବା ଗଡ଼ଜାତ ରାଜାଙ୍କ ଅମଳଠାରୁ ଆହୁରି ଭୟର ଶାସନ ଚାଲିଛି ।

 

ଆଇନ ହୋଇ ଛୁଆଁ ଅଛୁଆଁ ଉଠାଇ ଦିଆ ହେଉଛି, ଆଇନ୍‌ ହୋଇ ପଞ୍ଚାୟତ ଶାସନ ବସୁଛି, କିନ୍ତୁ ସମସ୍ତଙ୍କ ମନରେ ନାନା ପ୍ରକାରେ ଯେଉଁ ଛୋଟବଡ଼ ଭାବିବାର ମଇଳା ପୂରିରହିଛି, ସେ ଆଡ଼କୁ କାହାରି ଲକ୍ଷ୍ୟନାହିଁ । ଋଷିଆରେ ଆର୍ଥିକ ସମାନତା ଆସିବା ପରେ ସେଠି ରାଜନୈତିକ ବୈଷମ୍ୟ ସୃଷ୍ଟି ହୋଇଛି ବୋଲି ଅନେକ ସମାଲୋଚକ କହନ୍ତି । କମୁନିଷ୍ଟ ପାର୍ଟିର ଲୋକେ ସେଠି ବ୍ରାହ୍ମଣ କୁଳ ସାଜି ବସିଗଲାପରି ଆମଦେଶରେ ଆମେ ଯେଉଁମାନେ ସରକାର ଚଳାଉଛୁ, ସେଇମାନେ ଆଜି ଚାରିବେଦର ମାଲିକ ହୋଇ ଶ୍ରୀହୀନ ଦେଶଉପରେ କୂଳପଣ୍ଡା ହୋଇ ବସିଛୁ । ତେଣୁ ବଡ଼ ଛୋଟ ଭେଦ ଯିବା ତ ଦୂରର କଥା, ବେଳୁଁ ବେଳ ଏହା ବଢ଼ିବାରେ ଲାଗିଛି ।

 

ସ୍ୱାଧୀନତା ପାଇଲା ପୂର୍ବରୁ ଆମେ ଭଲକରି ଜାଣିଥିଲୁ ଯେ ଆମ ଦେଶରେ ଶିକ୍ଷା ନାହିଁ, ଆମ ଦେଶର ଲୋକେ ନାଗରିକ ହେବାର ସୁଦୀକ୍ଷିତ ଶିକ୍ଷା ପାଇନାହାନ୍ତି । ଦୁଇବରଷ ହେଲା ସ୍ୱାଧୀନତା ଆମେ ପାଇଲୁଣି, କିନ୍ତୁ ଏ ଶିକ୍ଷା ଦିଗରେ ଆମେ ଏତେ ଟିକିଏ ଆଗେଇ ପାରିନାହୁଁ । ପ୍ରଥମେ ଗୋଟାଏ ହୋ’ ଉଠିଲା, ରାମା ମାଧିଆ ଶାମା ଗୁଡ଼ାଏ ଲୋକଙ୍କୁ ବିଲାତ ଆମେରିକା ପଠାଇଦେଲେ ଦେଶ ଶିକ୍ଷିତ ହୋଇଯିବ । ଅଜସ୍ର ଟଙ୍କା ପାଣିରେ ପଡ଼ି ହଜାର ହଜାର ବିଦେଶ ପଠା ହେଲେ । ନିଜର ଏ ଭୁଲ ଲାଗି କିପରି ଯେ ଆମେ ଭଣ୍ଡି ହୋଇଛୁ, ସରକାର ଏ କଥା ଭଲକରି ଜାଣନ୍ତି । ସେଥିଲାଗି ଦିନ କେତେକ ପରେ ସେ ହୋ’ ଆଉ ନାହିଁ । ତା’ ପରେ ଗୋଟାଏ ହୋ’ ଉଠିଲା ଏ ଦେଶରେ ମୌଳିକ ଶିକ୍ଷାର ପ୍ରବର୍ତ୍ତନ ହେବ, ଆଗରୁ ପୁଣି ସରକାରୀ ସେକ୍ରେଟେରି ସାର୍ଜେଣ୍ଟ ସାହେବ ଗୋଟାଏ ବଡ଼ଲୋକିଆ ଶିକ୍ଷା ଯୋଜନା ଦେଇ ଯାଇଥିଲେ । ଦେଶର ବଡ଼ ମୁଣ୍ଡମାନେ ବର୍ତ୍ତମାନ ଏହି ଦୁଇଟା ମଧ୍ୟରେ ଲଟରପଟର ହେଉଛନ୍ତି । ଦରମା ବଢ଼ିବା ଆଶାରେ ଇସ୍କୁଲ ମାଷ୍ଟରମାନେ ମୌଳିକ ଟ୍ରେନିଂକୁ ଯିବାକୁ ଅତି ବ୍ୟାକୁଳ, କିନ୍ତୁ ତା’ ପଛରେ ମହାତ୍ମା ଗାନ୍ଧୀଙ୍କର ଯେଉଁ ଆଦର୍ଶବାଦର ନିର୍ଦ୍ଦିଷ୍ଟ ଦୃଷ୍ଟି ଥିଲା, ବର୍ତ୍ତମାନ ଶିକ୍ଷାବିଭାଗର ହାତୀଶାଳରୁ ହାଣ୍ଡିଶାଳ କୋଉଠି ହେଲେ ତାର ଚିହ୍ନବର୍ଣ୍ଣ ନାହିଁ । ଶାନ୍ତିନିକେତନରେ ଯେଉଁ ନିଖିଳ ଭାରତ ମୌଳିକ ଶିକ୍ଷାକେନ୍ଦ୍ର ବର୍ଷକୁ ପାଞ୍ଚଲକ୍ଷ ଖରଚ ହୋଇ ବସିଛି, ତାହାର ମଧ୍ୟ କୌଣସି ମତଲବ ନାହିଁ । ଗାନ୍ଧୀଜୀଙ୍କ ମୌଳିକ ଶିକ୍ଷାର ସେଠି ନାଁ ଗନ୍ଧ ନାହିଁ । ଦଶମାସିଆ ଟ୍ରେନିଂ ଭିତରେ ଏମାନଙ୍କୁ ଯାବତୀୟ ଜିନିଷରୁ ଟିକିଏ ଟିକିଏ ଏକାଠି ମିଶାଇ ପିଆଇ ଦେବାର ଯୋଗାଡ଼ ହୋଇଛି-। ପ୍ରକୃତରେ ସେଠି ସାର୍ଜେଣ୍ଟ ଯୋଜନା ଅନୁସାରେ ଶିକ୍ଷା ଦିଆଯାଉଛି କି ମୌଳିକ ଯୋଜନାକୁ କାର୍ଯ୍ୟକାରି କରାଯାଉଛି, ସେଠିକାର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସେ ବିଷୟରେ ଭଲକରି ଜାଣି ନାହାନ୍ତି । କେନ୍ଦ୍ରର ଶିକ୍ଷାମନ୍ତ୍ରୀ ଅନେକଥର କହିଲେଣି ଯେ ଟଙ୍କାର ଅଭାବରୁ ତାଙ୍କର ଶିକ୍ଷାଯୋଜନାମାନ ସେ କାର୍ଯ୍ୟକାରୀ କରିପାରୁ ନାହାନ୍ତି । ଭାରତର ସମ୍ମାନ ରକ୍ଷା ଲାଗି ବିଦେଶର ଦୂତାବାସରେ ଲକ୍ଷ ଲକ୍ଷ ପାଣିରେ ପଡ଼ୁଛି, ଭାରତର ସମ୍ମାନ ଲାଗି ଆଇନ ଅମଲା ଏ ଦେଶରେ ଉଡ଼ାଜାହାଜରେ ଉଡ଼ୁଛନ୍ତି, କିନ୍ତୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗକୁ ଦରିଦ୍ର ଯୋଜନାହୀନ କରି ରଖି ଦେଶର ସବୁଠାରୁ ବଳି ବେଇଜ୍ଜତୀ କରାଯାଉ ନାହିଁ କି ?

 

ଏଥିରୁ ସ୍ପଷ୍ଟ ହୋଇଯିବ, କୋଉଠି ଆମର ଭୁଲ ରହିଛି । ପ୍ରଥମ କଥା, ଆମେ ଦେଶକୁ ଭଲକରି ଚିହ୍ନିନାହୁଁ; ସେଥିଲାଗି ଦେଶର ସଂଖ୍ୟାଗରିଷ୍ଠ ସାଧାରଣ ଭୋକିଲାକୁ ମଧ୍ୟ ଆମେ ଅଫିମ ଖାଇ ଭୁଲି ଯାଇଛୁ, ସ୍ୱାଧୀନ ଭାରତର ଦୁଇ ଦୁଇଟା ବଜେଟରୁ ଆମର ଏଇ ଭୋଳାନାଥପଣିଆ ଅତି ସ୍ପଷ୍ଟ ହୋଇଯାଇଛି । କ୍ଷମତାର ଦିବାସୂର୍ଯ୍ୟ ତଳେ ଆମେ ସମସ୍ତ ଆଦର୍ଶବାଦ ଭୁଲି ଯାଇଛୁ, ତେଣୁ ପୁଣି ସେହି ଇଂଲଣ୍ଡ ଆମେରିକାର ପଦାଙ୍କ ଅନୁସରଣ କରିବାର ମ୍ଳେଚ୍ଛତା ଆମର ଏ ପର୍ଯ୍ୟନ୍ତ ଯାଇ ନାହିଁ । ହୁଏତ ଆମେ ସ୍ୱପ୍ନ ଦେଖୁଚୁ, ଭାରତର କଳକାରଖାନା ବଢ଼ିବ, ଭାରତର ମିଲ ମାଲିକମାନେ ଆମେରିକାର ଫୋର୍ଡ଼ ବା ରକ୍‌ଫେଲର୍‌ଙ୍କ ପରି ବିଶ୍ୱବିଖ୍ୟାତ ହୋଇଯିବେ, ଭାରତର ରତ୍ନସମ୍ପଦ ସଙ୍ଗେ ସଙ୍ଗେ ଭାରତର ଦରିଦ୍ର ଚାଷୀ ମୂଲିଆର ମୁର୍ଦାରକୁଢ଼ ଉପରେ ଭାରତର ବଡ଼ ଲୋକକୁ ମାଲିକ ହେବାକୁ ପଡ଼ିବ ।

 

ଗାନ୍ଧୀ ଦେଶ କହିଲେ କେବଳ ଭୋକିଲା ପେଟ ଓ ଭୋକିଲା ମନର କୋଟି କୋଟି ମଣିଷଙ୍କୁ ବୁଝାଉଥିଲା । ତେଣୁ ସେ ଇଂଲଣ୍ଡ ବା ଆମେରିକା ପାଖକୁ ଦଉଡ଼ି ନ ଯାଇ ଏଇ ଭାରତ ମାଟିରେ ସୁନାର ଭାରତ ଗଢ଼ିବାର କଠୋର କଳ୍ପନା କରିଥିଲା । ଆମେ ସେତିକି ସମ୍ଭ୍ରମ ଭୁଲିସାରିଲୁଣି । ଦେଶ ତମାମ ଯେଉଁ ଠକାମି ଓ ଅଧବିଶ୍ୱାସର ଗୋଳିଆ କାରବାର ଚାଲିଛି, ତା’ ଫଳରେ ଦେଶସାରା ଗୋଟାଏ ଶିଥିଳତା ଚାଲିଆସିଛି । ଅନ୍ୟାୟ ଅବିଚାରର ଠିକଣା ଜବାବ ଦେବାକୁ ଏ ଦେଶର ତୁଣ୍ଡରେ ତୁଣ୍ଡି ବନ୍ଧା ହୋଇଛି, ଏ ଦେଶର ଶିକ୍ଷିତ ସବୁ ଜାଣି ସୁଦ୍ଧା କିଛି ନ ଜାଣିଲା ପରି ଚୁପ୍‌ ହୋଇ ରହି ଯାଉଛନ୍ତି । ଦେଶରେ କୌଣସି ଆଦର୍ଶବାଦ ବା ଦେଶତ୍ମବୋଧ ନାହିଁ । ଭିତରେ ସମସ୍ତେ ସ୍ୱାର୍ଥୀ ହୋଇ ଧାଇଁଛନ୍ତି । ଯେଉଁ ଦେଶର ମଣିଷ ମଣିଷର ସମ୍ମାନ କରିବାକୁ ଭୁଲିଯାଏ, ଯିଏ ସବୁରିଲାଗି ଭାବି ଶିଖିବାକୁ ଭୁଲିଯାଏ, ଯିଏ ମିଛ ମାଦକ ବିରୁଦ୍ଧରେ ସହିଲା ସତ୍ୟାଗ୍ରହୀ ହୋଇ ବାହାରିବାକୁ ଭୁଲିଯାଏ ସେ ଦେଶର ସ୍ୱରାଜ୍ୟ ସବୁ ଦିନେ ଆକାଶକଇଁଆ ହୋଇ କେବଳ ଖବରକାଗଜରେ ରହିଥିବ ।

 

ଆମେ ଏଇଥିଲାଗି ପଛରେ ପଡ଼ିଛୁ, ସ୍ୱାଧୀନତା ପରେ ଭୋଗର ମୋହ ଆମକୁ ଦୁର୍ବଳ କରିଦେଇଛି, ଆମ ଭିତରର ସ୍ୱାର୍ଥୀ ରାକ୍ଷସ ରାମରାଜ୍ୟର ସବୁ ସ୍ୱପ୍ନକୁ ଗିଳି ପକାଇଛି । ଆମ ସଭିଙ୍କ ଭିତରେ ବର୍ତ୍ତମାନ ରାବଣଶରର ମହାଭୟ ମଞ୍ଚାବନ୍ଧା ଲୁଚିଛି, ଏଇ ମହାଭୟ ଯାଇ ସବୁରି ଭିତରେ ଶୁଦ୍ଧ ଓ ସତ୍ୟମୟ ଅବତାରରେ ନିର୍ମମ ଜବାବ ଦେବାର ସୁକଠୋର ଦେବତା ବାହାରିବ କେଉଁ ଦିନ ?

Image

 

Unknown

ଆଉ ସବୁ ଦେଶ କଣ କରୁଚନ୍ତି ?

 

ଆମ ଦେଶ ସିନା ପଛରେ ପଡ଼ିଚି, ପୃଥିବୀର ଆଉ ଅନେକ ଦେଶ ଆଗକୁ ମାଡ଼ି ଚାଲିଚନ୍ତି । ତାଙ୍କ ଆଇନ କାନୁନ ସେମାନେ ନିଜେ ଗଢ଼ୁଚନ୍ତି, ତାଙ୍କ ଦେଶପାଇଁ ସେମାନେ ନିଜେ ସବୁ କରୁଚନ୍ତି । ଆମର ସେମାନଙ୍କଠାରୁ ଅନେକ କଥା ଶିଖିବାର ଅଛି । ତେଣୁ ଆମେ ବର୍ତ୍ତମାନ ସେଇସବୁ ଦେଶମାନଙ୍କ କଥା ଆଲୋଚନା କରିବା ।

 

(କ) ଋଷିଆ ମର୍ତ୍ତ୍ୟର ସ୍ୱର୍ଗ

 

ଗଲା ଯୁଦ୍ଧଭିତରେ ଋଷିଆକୁ ସମସ୍ତେ ଚିହ୍ନି ଯାଇଚନ୍ତି । ସେମାନେ କିପରି ଆଙ୍ଗୁଳେ ଆଙ୍ଗୁଳେ ଭୂଇଁ ପାଇଁ ହିଟଲରର ନାଜି ସୈନ୍ୟଙ୍କ ସହିତ ପ୍ରାଣମୂର୍ଚ୍ଛା ଲଢ଼େଇ କରିଚନ୍ତି, ସେକଥା କାହାକୁ ଅଜଣା ନାହିଁ । ଯେଉଁ ସହରରେ ଯୁଦ୍ଧ ଆରମ୍ଭ ହୋଇଚି, ସେ ସହରର ଛାତ୍ର ଇସ୍କୁଲ ଛାଡ଼ି ଯୁଦ୍ଧ କରିଚି, ମାଷ୍ଟର କଲମ ଛାଡ଼ି ବଲମ ଧରିଚି–କେହି ଡରରେ ଲୁଚି ପଳାଇ ନାହିଁ । ବାଘମାର୍କା ଟ୍ୟାଙ୍କ, ବଡ଼ ବଡ଼ ଉଡ଼ାଜାହାଜ, ତୋପ ଗୁଳିର ଗୁଡ଼ୁମ୍‌ ଗୁଡ଼ୁମ୍‌ ଆବାଜ ଏସବୁରେ ତାଙ୍କୁ ମୋଟେ ଡର ଲାଗି ନାହିଁ । ଓଲଟି ପିଲା, ମାଇପେ, ବୁଢ଼ା ସମସ୍ତେ ଅଣ୍ଟାଭିଡ଼ି ନିଆଁ ସାଙ୍ଗରେ ଯୁଝିବାକୁ ଆସିଚନ୍ତି, ନିଜର ଗାଁରୁ ବା ସହରରୁ ଶତ୍ରୁକୁ ମୂଳପୋଛ କରି ଦେଇଚନ୍ତି ।

 

ଋଷିଆ ଦେଶଟି ଖୁବ୍‌ ବଡ଼ । କାଶ୍ମୀର ପାଖରେ ଆମ ଦେଶର ସୀମା ପାଖରେ ସେ ଦେଶର ସୀମା ଲାଗିଚି । ଏ ଦେଶର ୧୭ କୋଟି ଲୋକ ବସବାସ କରନ୍ତି । ଏ ଦେଶରେ ୧୮୫ଟି ଜାତି ଅଛନ୍ତି ଓ ସେମାନେ ୧୪୭ଟି ଭାଷାରେ କଥାବାର୍ତ୍ତା କରନ୍ତି । ସେଇ ଦେଶ ୨୭ ବର୍ଷ ପୂର୍ବରେ ମଶାଣି ହୋଇ ପଡ଼ି ରହିଥିଲା–ଅନେକ ଲୋକ ଦି’ ଓଳି ଖାଇବାକୁ ପାଉ ନ ଥିଲେ, କିନ୍ତୁ ସେତେବେଳେ ଦେଶରେ ଯେଉଁ ଜାର ସରକାର ଥିଲେ, ସେ ସବୁବେଳେ ଲୋକଙ୍କର ରକ୍ତ ଶୋଷୁଥିଲେ । କେହି ଯଦି ଜାର ବିରୁଦ୍ଧରେ ଲୋକଙ୍କୁ ମତାଉଥିଲା, ତେବେ ସରକାର ତାକୁ ଧରି ଫାସି ଦେଉଥିଲେ ନଚେତ୍‌ ସାଇବିରିଆର ବରଫ ଅଞ୍ଚଳକୁ ପଠାଇ ଦେଉଥିଲେ । ସେଠାରେ ଯାହାକୁ ପ୍ରାଣଦଣ୍ଡ ଦେବାର ଆଦେଶ ହେଉଥିଲା, ତାକୁ ଏକା ଥରକେ ମାରିଦିଆ ନ ଯାଇ ପଳ ପଳ କରି ମରା ହେଉଥିଲା । ଆଜି ଆସିଲେ ହାତଟାଏ କାଟିଦେଲେ, କାଲି ଆସି ଗୋଡ଼ଟା କାଟିଦେଇ ସେଠି ବରଫ ଲଦି ଦେଇଗଲେ । ତା’ ଆରଦିନକୁ ସେ ଗୋଡ଼ ସଢ଼ି ଯାଉଥିଲା । ସେଦିନ ଆସି ଜିଭଟା କାଟି ପକାଉଥିଲେ ବା ଆଖିରୁ ଗୋଟାଏ ତାଡ଼ି ନେଉଥିଲେ । ଶେଷରେ ଛଟପଟ ହୋଇ ଲୋକଟି ମରି ଯାଉଥିଲା । ଏଇ ସବୁ ଅତ୍ୟାଚାର ଦେଖି ସମସ୍ତଙ୍କ ଭିତରେ ବିଦ୍ରୋହର ନିଆଁ କୁହୁଳିଲା-ସବୁଠାରୁ ବେଶୀ କୁହୁଳିଲା, ଲେନିନ ବୋଲି ଗୋଟାଏ ସତରବର୍ଷର ପିଲା ଭିତରେ । ଦିନେ ସେ ତା ମା’ର ହାତଧରି ଦାଣ୍ଡ ପିଣ୍ଡାରେ ଠିଆ ହୋଇଥିଲା, ହଠାତ୍‌ ସରକାରଙ୍କର ଗୋଟାଏ ଘୋଡ଼ାଗାଡ଼ି ସେବାଟ ଦେଇ ଚାଲିଗଲା । ମା’ କାନ୍ଦି ପକାଇଲେ;-ଲେନିନ ଯେମିତି ମାଙ୍କୁ କାନ୍ଦିବାର କାରଣ ପଚାରିଲା, ମା କହିଲେ–‘‘ତୋର ବଡ଼ ଭାଇ ଏ ଗାଡ଼ିରେ ଅଛି, ସେମାନେ ସବୁ ସାଇବିରିଆ ଯାଉଚନ୍ତି–ଆଉ ଫେରିବେ ନାହିଁ ।’’ ବାଳକ ଲେନିନ ସେଇଦିନୁ ପଣକଲା ଯେ ମୁଁ ସରକାରକୁ ଏ ଦେଶରୁ ଭାଙ୍ଗିଦେବି । ପ୍ରକୃତରେ ସେଇ ଲେନିନ ବଡ଼ ହୋଇ ଋଷିଆର ଜାର ସରକାରଙ୍କ ସାଙ୍ଗେ ଲଢ଼ିଲେ ଏବଂ ଚାଷୀମୂଲିଆଙ୍କୁ ମତାଇ ଋଷିଆ ଦେଶକୁ ସ୍ୱାଧୀନ କଲେ । ୧୯୧୭ରେ ନଭେମ୍ବର ମାସରେ ଋଷିଆର ସେ ବିପ୍ଳବ ହେଲା ଓ ତା’ ପରେ ଲେନିନ ଋଷିଆକୁ ନୂଆ କରି ଗଢ଼ିଲେ । ପୁରୁଣା ଯାଗାରେ ନୂଆ ଜିନିଷ ତିଆରି ହେଲା-ଋଷିଆ ଦେଶ ପୁଣି ହସି ଉଠିଲା-ଏ ଦେଶର ଦିନକର ଛୁଆଟିଠାରୁ ଆରମ୍ଭକରି ଅଶୀ ବରଷର ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୁଖଶାନ୍ତିରେ ରହିଲେ । ବର୍ତ୍ତମାନ ଋଷ ଜାତି ପୃଥିବୀରେ ସବୁଠାରୁ ବଡ଼ ଜାତି ଓ ସବୁଦେଶଠାରୁ ସେମାନେ ବେଶୀ ଆଗକୁ ମାଡ଼ିଯାଇଚନ୍ତି । ପାଠପଢ଼ାରେ କଣ, କଳକବ୍‌ଜାରେ କଣ, ଖେଳ କସରତରେ କଣ, ନାଚ ଗୀତରେ କଣ, ଲଢ଼େଇରେ କଣ, ସବୁଥିରେ ସେମାନେ ଧୁରନ୍ଧର । ଆମେ ବର୍ତ୍ତମାନ ଦେଖିବା–ଗଲା ୩୨ ବର୍ଷ ଭିତରେ ଋଷ ଦେଶ କଣ କରିଚି ?

 

ମହାତ୍ମା ଗାନ୍ଧିଙ୍କର ଜଣେ ପ୍ରଧାନ ଭକ୍ତ ଆଉ ପୃଥିବୀର ବଡ଼ ଲେଖକ ରୋମାଁ ରୋଲାଁ ଥରେ ଲେଖିଚନ୍ତି:-‘‘ଫରାସୀ ବିପ୍ଳବର–ଗୌରବମୟ ସମୟପରେ ପୃଥିବୀର ସାମାଜିକ ଇତିହାସରେ ୧୯୧୭ ମସିହା ନଭେମ୍ବର ମାସ ସାତ ତାରିଖରୁ ମୁଁ ସବୁଠାରୁ ବଡ଼ଦିନ ବୋଲି ଭାବେ । ଫ୍ରାନ୍‌ସର ବିପ୍ଳବ ପୁରୁଣାକାଳିଆ ପୃଥିବୀକୁ ଯେତେ ଆଗକୁ ନେଇଯାଇଥିଲା, ଋଷିଆର ବିପ୍ଳବ ପୃଥିବୀକୁ ତା’ଠାରୁ ଅନେକ ବେଶୀ ଆଗକୁ ନେଇ ଯାଇଚି । ଏହା ଭିତରେ ଯେତେ ଭୁଲ ଭଟକା ଥାଉନା କାହିଁକି, ଏହା ହେଉଚି ସବୁଠାରୁ ବଡ଼ ସାମାଜିକ ବିପ୍ଳବ–ଆଜିକାଲିକାର ୟୁରୋପରେ ଏହାର ଶକ୍ତି ସବୁଠାରୁ ବେଶୀ ।’’ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଋଷିଆ ବିଷୟରେ ଲେଖିଛନ୍ତି:-‘‘ଯେତେବେଳେ ଅନ୍ୟାନ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନେ ନିଜର ସ୍ୱାର୍ଥସିଦ୍ଧି ପାଇଁ, ସେମାନଙ୍କର ଅଧୀନ ରାଜାମାନଙ୍କର ସ୍ୱାର୍ଥ ଓ ହିତକୁ ଦଳି ଦେଉଚନ୍ତି, ସେତେବେଳେ ମୁଁ ଦେଖିଲି, ଦେଶର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ବିଭିନ୍ନ ଜାତିମାନଙ୍କର ସମୂହ ହିତ ପାଇଁ ସାମ୍ୟବାଦୀ ଋଷିଆରେ ଅଭୁତ ନିଷ୍ଠାର ସହିତ କାମ କରାଯାଉଚି, ‘ଯେଉଁମାନେ କାଲି ଯାଯାବର ହୋଇ ଏଣେ ତେଣେ ବୁଲୁଥିଲେ, ଆଧୁନିକ ସଭ୍ୟତା ସାଙ୍ଗେ ନିଜେ ତାଳ ମିଳାଇ ଚାଲିବାକୁ ସେମାନଙ୍କୁ ଉତ୍ସାହ ଓ ଶିକ୍ଷା ମଧ୍ୟ ଦିଆଯାଉଚି’- ଏ କଥା ମୁଁ ଋଷିଆରେ ଦେଖିଲି । ଏଇ ଚେଷ୍ଟାକୁ ଖୁବ୍‌ ଶୀଘ୍ର କାର୍ଯ୍ୟରେ ପରିଣତ କରିବାକୁ ବିଭିନ୍ନ ଜାତିର ଶିକ୍ଷାପାଇଁ ମୁଠା ମୁଠା କରି ଟଙ୍କା ଖର୍ଚ୍ଚ ହେଉଚି । କେତେକ ବର୍ଷ ଆଗରୁ ଏ ଦେଶରେ ପରସ୍ପର ସହିତ କୌଣସି ସଂପର୍କ ନ ରଖି ବଢ଼ୁଥିବା ୨୦୦ ଜାତି ଥିଲେ, ସେମାନେ ଆଜି ମେଳ ବାନ୍ଧି ଗୋଡ଼କୁ ଗୋଡ଼ ମିଳାଇ ଶାନ୍ତିପୂର୍ଣ୍ଣ ଭାବରେ ଆଗକୁ ଚାଲିଚନ୍ତି, ଏକଥା ମୁଁ ଯେତେବେଳେ ଦେଖେ ଏବଂ ଯେତେବେଳେ ମୁଁ ମୋର ନିଜ ଦେଶ ଆଡ଼କୁ ଆଖିପକାଇ ଦେଖେ ଯେ, ଆମ ଦେଶର ଗୋଟିଏ ଶିକ୍ଷିତଶ୍ରେଣୀ ଦିନକୁ ଦିନ ସଭ୍ୟତାଠାରୁ ଦୂରକୁ ଚାଲିଯାଉଚନ୍ତି, ସାଙ୍ଗେ ସାଙ୍ଗେ ମୁଁ ଏଇ ଦୁଇଟି ଦେଶକୁ ଓଜନ କରି ଦେଖେ । ଗୋଟିଏ ଦେଶ ସମସ୍ତଙ୍କର ସହଯୋଗ ଉପରେ ଚାଲୁଚି, ଆଉ ଗୋଟାଏ ଦେଶ ଶୋଷଣ ଉପରେ ଚାଲୁଚି, ସେଥିପାଇଁ ସେ ଦେଶରେ ବିପରୀତ ଫଳମାନ ଫଳୁଚି ।’’ ଏଇ ଋଷିଆକୁ ସେଇ ଲେନିନ ଗଢ଼ିଛନ୍ତି-। ବେଟ୍ରାଣ୍ଡ ରସେଲ କହିଚନ୍ତି :- ‘‘ଇତିହାସରେ ଆମ ଶତାବ୍ଦୀ ଲେନିନ ଓ ଆଇନ୍‌ଷ୍ଟିନ୍‌ଙ୍କର ଶତାବ୍ଦୀ ବୋଲି ପ୍ରସିଦ୍ଧ ହୋଇ ରହିବ, ଏଇ ଦୁଇ ମହାତ୍ମାଯାକ ପରସ୍ପରର ସହେଯାଗ ମୂଳକ କାମଦ୍ୱାରା ଗୋଟାଏ ବିଶାଳ ସମାଜ ଗଢ଼ିବାରେ ସଫଳ ହୋଇଚନ୍ତି ।’’ ମହାତ୍ମା ଗାନ୍ଧୀ ଗୋଟାଏ ଯାଗାରେ ଲେଖିଚନ୍ତି :–‘‘ଯେଉଁ ଆଦର୍ଶ ଲେନିନଙ୍କ ପରି ମହାନ୍‌ ବ୍ୟକ୍ତିମାନଙ୍କର ତ୍ୟାଗଦ୍ୱାରା ପବିତ୍ରୀକୃତ ହୋଇଚି, ତାହା କେବେ ନିଷ୍ଫଳ ହେବ ନାହିଁ ।’’

 

ଋଷିଆଦେଶରେ ଧନୀ କେହି ନାହିଁ-ଗରିବ କେହି ନାହିଁ । ସେ ଦେଶରେ ସମସ୍ତେ ସୁଖୀ । ବଡ଼ ବଡ଼ କାରଖାନାରେ ମଜୁରିଆମାନେ ୭ଘଣ୍ଟା କାମ କରନ୍ତି–ସବୁ କାରଖାନରେ ତିନି ଦଫା କାମ କରା ହୁଏ, ଶ୍ରମିକମାନେ ଯେଉଁ ଘରେ ରହନ୍ତି ସେସବୁ ରାଜାଘରଠାରୁ ବେଶୀ ଚମତ୍କାର, ଆଉ ବେଶୀ ଶାନ୍ତିପୂର୍ଣ୍ଣ । ସେମାନଙ୍କର ଖାଇବାପାଇଁ ସରକାର ତରଫରୁ ବଡ଼ ବଡ଼ ରୋଷେଇଘର ଖୋଲା ହୋଇଚି । ଋଷିଆର ରାଜଧାନୀ ମସ୍କୋ ସହରରେ ଯେଉଁ ରୋଷେଇଶାଳ ଅଛି, ସେଠାରେ ଦିନକୁ ହାରାହାରି ୭୦୦୦ ଲୋକଙ୍କ ପାଇଁ ଖାଇବା ରନ୍ଧାଯାଏ–ସେଠାରେ ଯେଉଁ ଖାଇବାଘର ଅଛି, ସେଠି ଗୋଟାଏ ଦଫାରେ ୧୮୦୦ ଲୋକ ବସି ଖାଇ ପାରିବେ । ଛୋଟ ପିଲାମାନଙ୍କୁ ସେ ଦେଶରେ କାମକରିବା ମନା-ଏପରି କି ୧୪ରୁ ଅଠର ବର୍ଷର ପିଲାମାନେ ମାଟିତଳେ କାମ କରିବେ ନାହିଁ । ଶ୍ରମିକମାନଙ୍କର ସୁଖସୁବିଧା ପାଇଁ ସେ ଦେଶର ସରକାର ସବୁପ୍ରକାର ବ୍ୟବସ୍ଥା କରିଦେଇଚନ୍ତି । ସେଥିପାଇଁ ଆମଦେଶ ପରି ମଜୁରିଆମାନେ ଦୁଃଖକଷ୍ଟ କଣ ଜାଣନ୍ତି ନାହିଁ । ପ୍ରତିଦିନ ହସ ହସ ମୁହଁରେ ସେମାନେ କାରଖାନାରେ କାମ କରିବାକୁ ଯା’ନ୍ତି, ହସହସ ମୁହଁରେ ଫେରି ଆସନ୍ତି–ତାପରେ ଖାଇପିଇ ଆନନ୍ଦରେ ରହନ୍ତି । କିଏ ପାଠ ପଢ଼େ, କିଏ ସିନେମା ଥିଏଟର ଦେଖିବାକୁ ଯାଏ, କିଏ ପାର୍କରେ ବୁଲେ । ଋଷିଆ ଦେଶରେ ପାଞ୍ଚୋଟି ଭଲକଥା ଦେଖିବାର ବିଷୟ- (୧) ଦେଶର ଆଇନ ଅନୁସାରେ କାମ କରିବାକୁ ସେ ଦେଶର ପ୍ରତ୍ୟେକ ଲୋକର ଅଧିକାର ଅଛି । ତେଣୁ ବେକାର ସମସ୍ୟା ସେ ଦେଶରେ ନାହିଁ । ସରକାର ସମସ୍ତଙ୍କୁ କାମ ଯୋଗାଇବାକୁ ବାଧ୍ୟ–କାମ ଯୋଗାଇ ନ ପାରିଲେ ଖାଇବାକୁ ଦେବାକୁ ବାଧ୍ୟ । ମସ୍କୋଠାରୁ ଭଲ୍‌ଗାନଈକୁ ଗୋଟାଏ ନାଳ ଖୋଳିବାକୁ ୧୫୦୦୦ ମଜୁରିଆ ଲାଗିଥିଲେ-ଯେମିତି ସେ ନାଳକାମ ସରିଲା, ସେମିତି ପାଞ୍ଚଟା ଲେଖାଁ ଯାଗାରୁ କାମକରିବା ପାଇଁ ପ୍ରତ୍ୟେକ ମୂଲିଆ ପାଖକୁ ହକରା ଆସିଲା । ସେ ଦେଶରେ କେହି ବସି ନାହାନ୍ତି–ସମସ୍ତେ କିଛି ନା କିଛି କାମ କରୁଚନ୍ତି । (୨) ଅନ୍ୟ ଦେଶରେ ମୂଲିଆମାନେ ଆଠନଅ ଘଣ୍ଟା କାମ କରନ୍ତି-ଆମ ଦେଶରେ ଛୋଟପିଲାମାନେ ବାରଘଣ୍ଟା ଚଉଦ ଘଣ୍ଟା ଲେଖାଏଁ କାମ କରୁଚନ୍ତି । ମାତ୍ର ସେ ଦେଶରେ ସମସ୍ତେ ସାତ ଘଣ୍ଟା କାମ କରନ୍ତି–ଅଠର ବର୍ଷର ପିଲାମାନେ ପ୍ରଥମେ ଚାରିଘଣ୍ଟା ଲେଖାଏଁ କାମ କରନ୍ତି । (୩) ଦରକାର ପଡ଼ିଲେ ଶ୍ରମିକମାନେ ଛୁଟି ପାଆନ୍ତି–ସେ ଛୁଟିଦିନମାନଙ୍କରେ ସେମାନଙ୍କୁ ପୂରା ଦରମା ଦିଆଯାଏ । (୪) ସରକାର ତରଫରୁ ସେ ଦେଶରେ ବୀମା କମ୍ପାନୀମାନ ଅଛି, ଦରକାରବେଳେ ଚାଷୀକୁ ତହିଁରୁ ଟଙ୍କା ସାହାଯ୍ୟ ଦିଆଯାଏ, ମାତ୍ର ଏଥିପାଇଁ ଚାଷୀମାନଙ୍କୁ କମ୍ପାନୀକୁ ଗୋଟିଏ ହେଲେ ପଇସା ସୁଧ ଦେବାକୁ ପଡ଼େ ନାହିଁ । (୫) କାମ ଅନୁସାରେ ସେ ଦେଶରେ ଶ୍ରମିକମାନଙ୍କର ଦରମା ବଢ଼େ ।

 

ପୁରୁଷମାନଙ୍କର ୨୫ ବର୍ଷ ଓ ସ୍ତ୍ରୀମାନଙ୍କର କୋଡ଼ିଏ ବର୍ଷ ଚାକିରୀ ହୋଇଗଲେ ସରକାର ସେମାନଙ୍କୁ ବୁଢ଼ାଦିନିଆ ଭତ୍ତା ଦିଅନ୍ତି । ଯେଉଁମାନେ ଖଣ୍ଡିଆ ବା କୋଢ଼ି ହୋଇଯାନ୍ତି, ସେମାନେ ମଧ୍ୟ ସରକାର ତରଫରୁ ଭତ୍ତା ପାଆନ୍ତି । ବୁଢ଼ାଦିନେ ରୋଗରେ ପଡ଼ିଲେ ବା ହାତଗୋଡ଼ ଭାଙ୍ଗି ଖଣ୍ଡିଆ ହୋଇଗଲେ ସେମାନେ ବିନା ପଇସାରେ ସରକାରୀ ଡାକ୍ତରଖାନାରେ ରହିବାକୁ ସୁବିଧା ପାଆନ୍ତି ।

 

ଆମ ଦେଶରେ ଯେମିତି ଚଷା ଲଙ୍ଗଳ ଖଣ୍ଡେ ଧରି ଚାଖଣ୍ଡେ ଜମି ଚଷୁଚି, ଦା’ ଖଣ୍ଡେ ଧରି ଯେମିତି ଦିନଯାକ ବିଲ ବାଛି ତା ହାତରୁ ଦସୀ ଛିଣ୍ଡି ଯାଉଚି, ଜାର ସରକାର ଅମଳରେ ଋଷିଆର ଚାଷୀ ମୂଲିଆମାନେ ସେଇ ଅବସ୍ଥାରେ ପଡ଼ିଥିଲେ । ଋଷିଆର ଜମି ଗୁଡ଼ିକ ସେମିତି ଅଣଓସାରିଆ ଥିଲା, ଚାଷୀମାନେ ଭଲ ବିହନ ପାଉ ନ ଥିଲେ, ଜମିରେ ଖତ ଦେବାକୁ ପଇସା ପାଉ ନ ଥିଲେ, ସେଇ ପୁରୁଣା କାଳିଆ ଲଙ୍ଗଳରେ ଜମି ଚାଷ କରୁଥିଲେ । ତାପରେ ଗାଁର ବଡ଼ଚାଷୀ ଓ ଜମିଦାରମାନଙ୍କର ଦାଉ ମଧ୍ୟ ସେମାନଙ୍କୁ ସହିବାକୁ ହେଉଥିଲା । ଏହା ଫଳରେ ଦିନଯାକ ବିଲରେ ଖଟି ଖଟି ମଧ୍ୟ ଚଷାର ପେଟ ପୁରୁ ନ ଥିଲା । ମାତ୍ର ବର୍ତ୍ତମାନ ଆଉ ସେ ଅବସ୍ଥା ନାହିଁ । ଋଷିଆର ସବୁ ଗାଁ ସହର ପରି ସୁନ୍ଦର ଦେଖାଗଲାଣି । ବର୍ତ୍ତମାନ ଆଉ ସେ ଦେଶର ସବୁ ଜମି ଲୋକଙ୍କ ହାତରେ ରହିଚି । ୧୯୨୯ ଠାରୁ ସବୁ ଜମିକୁ ଏକାଠି କରାଯାଇ, କଳ ସାହାଯ୍ୟରେ ଫସଲ ଆବାଦ କରାଯାଉଚି । କେତେଗୁଡ଼ିଏ ଗାଁର ଜମିକୁ ମିଶାଇ ଗୋଟିଏ ମିଳିତ ଫାର୍ମ କରାଯାଇଚି । ପ୍ରଥମେ ଅବଶ୍ୟ ଗାଁର ଚାଷୀମାନେ ନିଜ ନିଜ ଜମିକୁ ସରକାର ହାତକୁ ଦେଇଦେବାକୁ ନାରାଜ ହେଉଥିଲେ । ସେଥିପାଇଁ ସରକାର ଆଦର୍ଶ ଫାର୍ମ ବସେଇଲେ ଓ ଏଣେ ପ୍ରଚାର ଚଳେଇଲେ । ତା ଫଳରେ ସମସ୍ତେ ମିଳିତ ଫାର୍ମରେ ପଶିଲେ । ଯିଏ ଏ ଫାର୍ମରେ ନ ପଶିଲା ତା’ ଉପରେ ବେଶୀ ଖଜଣା ବସାଗଲା–ତା ପିଲାଏ ସ୍କୁଲରେ ଦରମା ଦେଇ ପାଠ ପଢ଼ିଲେ, ଅନ୍ୟମାନେ ମାଗଣା ପଢ଼ିଲେ । ପ୍ରତ୍ୟେକ ଫାର୍ମର ଘଟଣାମାନ ତନଖିବାକୁ ଗୋଟାଏ ଲେଖାଏଁ କମିଟି ଅଛି । ବଡ଼ ବଡ଼ ଟ୍ରାକ୍ଟର ଆସି ଜମି ଆବାଦ କରାଯାଏ । ଯେତେ ଫସଲ ଆମଦାନୀ ହୁଏ, ତା ଭିତରୁ ଗୋଟାଏ ଅଂଶ ସରକାରକୁ ଆଗାମୀ ବର୍ଷ ସକାଶେ ବିହନ ପାଇଁ ଦିଆଯାଏ, କିଛି ଟ୍ରାକ୍ଟର କମ୍ପାନୀ ନିଏ, କିଛି ଗାଈ ଗୋରୁମାନଙ୍କ ଖାଇବା ଖର୍ଚ୍ଚ ଚଳାଇବା ପାଇଁ ରଖାଯାଏ । ଜରୁରୀ ଅବସ୍ଥାରେ ଦରକାର ହେବ ବୋଲି କିଛି ଶସ୍ୟ ସାଇତି ରଖାଯାଏ-ଯେଉଁମାନେ ବୁଢ଼ା, ଯେଉଁମାନେ ଅପାରୁଆ ବା ଯେଉଁମାନେ ଲାଲଫୌଜରେ ରହି ଯୁଦ୍ଧ କରୁଚନ୍ତି, ସେମାନଙ୍କ ପରିବାରକୁ ମଧ୍ୟ କିଛି ଫସଲ ଦିଆଯାଏ । ତା ପରେ ବଳକା ଫସଲକୁ କାମର ପରିମାଣ ଅନୁସାରେ ଚାଷୀମାନଙ୍କ ଭିତରେ ବାଣ୍ଟି ଦିଆଯାଏ । ପ୍ରତ୍ୟେକ ଫାର୍ମରେ ଗୋଟିଏ ଲେଖାଏଁ ‘ଆତ୍ମରକ୍ଷା’ କମିଟି ଅଛି, ସେ ଚାଷୀମାନଙ୍କୁ ଶାରୀରିକ ଶିକ୍ଷା, କୁସ୍ତି କରସତ୍, ପାରାଚୁଟ୍‍ ଚଳାଇବା ଓ ଅନ୍ୟାନ୍ୟ ଅସ୍ତ୍ରମାନ ବ୍ୟବହାର କରିବା ଶିଖାଏ । ପ୍ରତ୍ୟେକ ଚାଷୀର ଖଣ୍ଡେ ଘର-ଘରଆଗରେ ବଗିଚା, ଦୁଇତିନୋଟି ଗାଈ, କେତୋଟି ଘୁଷୁରି ଓ କୁକୁଡ଼ା ଅଛି । ଆଉ କେହି ମିଳିତ ଫାର୍ମରୁ ଅଲଗା ନାହାନ୍ତି । ୧୯୩୭ ବେଳକୁ ଶହେ ଜଣରେ ଜଣେ ଚାଷୀ କୋଠ ଚାଷରୁ ଅଲଗା ରହିଥିଲା ।

 

ଷ୍ଟାଲିନ ୠଷିଆର ଶାସକ–ମାତ୍ର ସେ ଆମ ବଡ଼ଲାଟଙ୍କ ପରି ହଜାର ହଜାର ଟଙ୍କା ନିଅନ୍ତି ନାହିଁ, ମୋଟେ ଟ୫୦୦/-ସେ ପାଆନ୍ତି । ଆଉ ତାଙ୍କର କିରାନୀ ଆମଦେଶର କିରାନୀପରି କମ ଦରମା ପାଏନା-ସେ ଦେଶରେ ଦରମାର ତଫାତ୍ ବେଶୀ ନୁହେଁ । ସମସ୍ତେ ଯାହା କରନ୍ତି, ତାକୁ ସମାଜର ହିତପାଇଁ କରନ୍ତି, ସେଥିପାଇଁ ସମସ୍ତେ ସମସ୍ତଙ୍କୁ ସମ୍ମାନ କରନ୍ତି । ମେହେନ୍ତର ମଧ୍ୟ ସମାଜର ସେବା କରେ, ଇସ୍କୁଲ ମାଷ୍ଟର ମଧ୍ୟ ସମାଜର ସେବା କରେ । ମାତ୍ର ଆମ ଦେଶ ପରି ସେ ଦେଶର ମେହେନ୍ତରକୁ କେହି ଛୋଟ ନଜରରେ ଦେଖନ୍ତି ନାହିଁ । ଆମ ଦେଶରେ ଯେମିତି ଜମିଦାରପୁଅ ଜମିଦାର ହେଉଚି, ମହନ୍ତପୁଅ ମହନ୍ତ ହେଉଚି, ସେ ଦେଶରେ ସେମିତି ନାହିଁ । ଷ୍ଟାଲିନଙ୍କର ସ୍ତ୍ରୀଙ୍କୁ ସେ ଦେଶରେ କେହି ଚିହ୍ନନ୍ତି ନାହିଁ, ତାଙ୍କର ନାଁ ଖବରକାଗଜରେ କେବେ ବାହାରେ ନାହିଁ, ଆମ ଦେଶ ପରି ଶାସକଙ୍କର ସ୍ତ୍ରୀ ବୋଲି କେହି ତାକୁ ସଭାରେ ସଭାପତି ହେବାକୁ ଡାକନ୍ତି ନାହିଁ, ସେ ଗୋଟିଏ ଛୋଟ ଫାକ୍ଟରୀରେ କିରାନୀ କାମ କରନ୍ତି । ବିପ୍ଳବ ପରେ ମଧ୍ୟ ଲେନିନ ଅତ୍ୟନ୍ତ ଗରିବ ଥିଲେ–ତାଙ୍କ ସ୍ତ୍ରୀ କୃପ୍‌ସ୍କାୟା ଛୋଟ ଘରଟିକୁ ସଜାଇବାରେ ସବୁବେଳେ ବ୍ୟସ୍ତ ଥିଲେ । ଅତିଥି ଆସିଲେ ଭଲ ଖାଇବାକୁ ଦେବା, ଭଲ ବସିବାକୁ ଦେବା ପାଇଁ ତାଙ୍କଘରେ କିଛି ନ ଥିଲା । ରୁଟିରେ ଲଗାଇ ଖାଇବାକୁ ତାଙ୍କୁ ଲହୁଣୀ ଟିକିଏ ମିଳୁ ନ ଥିଲା ।

 

ସେ ଦେଶରେ ଯେଉଁ କାମ ହୁଏ, ସେ ସବୁ ଗୋଟାଏ ଯୋଜନା ଅନୁସାରେ ହୁଏ । ଯୋଜନା କରିବାପାଇଁ ଯେଉଁ କମିଟି ଅଛି, ତାକୁ ‘ଗସ୍‌ପ୍ଳାନ୍‌’ କହନ୍ତି । ୧୯୨୨ ରେ ପ୍ରଥମେ ଏହା ବସିଲା । ତା ପରେ ସେ ଦେଶର ପାଠପଢ଼ା-ଚାରି ପାଞ୍ଚ ବର୍ଷିଆ ପିଲାଙ୍କପାଇଁ କ୍ରେଚ୍‌ ବୋଲି ଯେଉଁ ଅନୁଷ୍ଠାନ ଅଛି ସେଠାରେ ଛୋଟ ପିଲାଙ୍କୁ ଭଲ ଅଭ୍ୟାସ ଶିଖାଯାଏ । ଚାରି ବର୍ଷରୁ ସାତ ବର୍ଷିଆ ପିଲାଙ୍କପାଇଁ ଯେଉଁ ଅନୁଷ୍ଠାନ ଅଛି ତାକୁ କିଣ୍ଡରଗାଟନ କହନ୍ତି । ସେ ଯାଗାଟି ଛୋଟ ଗଛ ଓ ଫୁଲରେ ପୂରିଥାଏ, ସେଠାରେ ପିଲାମାନେ ସ୍ୱାଧୀନ ଚିନ୍ତା କରି ଶିଖନ୍ତି । ପିଲାମାନେ କିମିତି ସଫା ସୁତୁରା ରହିବେ, ଖେଳିବାକୁ ବୁଲିବାକୁ ଭଲ ପାଇବେ, ନେଶମା ହେବ ନାହିଁ, ସେଥିପାଇଁ ବ୍ୟବସ୍ଥା ଥାଏ । ଦିନରେ ପିଲାମାନେ ଦେଢ଼ ଘଣ୍ଟା ଶୁଅନ୍ତି, ଦିନଯାକ ଖେଳି, ଗୀତଗାଇ ଓ ନାଚି ନାଚି କଟିଯାଏ । ସ୍ତ୍ରୀଲୋକମାନେ ସେଠାରେ ଶିକ୍ଷକ କାମ କରନ୍ତି । ମା’ମାନେ କାରଖାନାକୁ ଗଲାବେଳେ ନିଜ ନିଜ ପିଲାଙ୍କୁ ସେଠି ଛାଡ଼ିଦେଇ ଯାଆନ୍ତି, ସଞ୍ଜ ପାଞ୍ଚଟାରେ ଧାଈମା ନେଇ ସେମାନଙ୍କୁ ନିଜ ନିଜ ଘରେ ଛାଡ଼ିଦେଇ ଆସେ । ପିଲାମାନଙ୍କୁ କିପରି ପାଠ ପଢ଼ାଇବାକୁ ହେବ, ଏଥିପାଇଁ ବାପ ମା’ଙ୍କୁ ମଧ୍ୟ ସେଠାରେ ପରାମର୍ଶ ଦିଆଯାଏ । କିଣ୍ଡରଗାଟନ ପରେ ପିଲାମାନଙ୍କୁ ସ୍କୁଲ କଲେଜରେ ପଢ଼ିବାକୁ ହୁଏ । ଶିଶୁମାନଙ୍କର ମନର ବିକାଶ ପାଇଁ ମସ୍କୋରେ ପାୟୋନିୟର ପାଲେସ୍ ଅଛି । ସେଠାରେ ପିଲାର କଣ ପଢ଼ିବାକୁ ବେଶୀ ମନ ଅଛି ସେ କଥା ପରୀକ୍ଷା କରାଯାଏ । ଇଞ୍ଜିନିଅରିଂ, ଫଟଉଠା, ନାଚ, ଗୀତ, ଖେଳ, ଉଡ଼ାଜାହାଜ ଚାଳାଇବା, ରେଲକାରଖାନାରେ କାମ କରିବା, ଚେସ ଆଉ କେରମ୍ ଖେଳ ସବୁ ସୁବିଧା ସେଠି ଅଛି । ଅନେକ ପାର୍କରେ ପିଲାମାନେ ରେଳ ଓ ଜାହାଜ ଚଳାନ୍ତି । ପିଲାମାନଙ୍କର ରେଳରାସ୍ତା, ପିଲାମାନଙ୍କର ସିନେମା ଥିଏଟର ଓ ପିଲାମାନଙ୍କର ବହିଦୋକାନ ଅଛି, ସେଥିରେ କେବଳ ପିଲାଏ କାମ କରନ୍ତି । ସେ ଦେଶରେ ପିଲାମାନଙ୍କ ପାଇଁ ୫୩ଟା ଖବରକାଗଜ ଅଛି । ପିଲାମାନଙ୍କପାଇଁ ଦିନକୁ ତିନି ଥର ରେଡ଼ିଓରେ ନାନାକଥା ଆଲୋଚନା ହୁଏ । ପିଲାମାନେ ତାଙ୍କ ନିଜକାମ ନିଜେ କରି ଶିଖନ୍ତୁ, ଏଇ ହେଉଚି ୠଷିଆ ଦେଶର ନୀତି । ସିନେମା ସାହାଯ୍ୟରେ ଅନେକ ଶିକ୍ଷା ଦିଆଯାଏ ଓ ସ୍କୁଲ ପିଲାମାନେ ବର୍ଷର ଅନେକ ସମୟ ଦେଶର ବିଭିନ୍ନ ସ୍ଥାନରେ ବୁଲୁଥାନ୍ତି । ସବୁ କାରଖାନାକୁ ଲାଗି ଟେକ୍‌ନିକାଲ ସ୍କୁଲମାନ ଅଛି । ୠଷିଆରେ ୭୧୭ କଲେଜ ଓ ୨୫୦୦ ଟେକ୍‌ନିକାଲ ସ୍କୁଲ ଅଛି । ଜାର ସରକାରଙ୍କର ସମୟରେ ୭୩% ପଢ଼ି ଲେଖି ଜାଣି ନଥିଲେ-୧୯୩୧ରେ ସେ ଦେଶରେ ବାଧ୍ୟତାମୂଳକ ମୌଳିକ ଶିକ୍ଷା ଚଳିଲା-୧୯୩୮ରେ ହାଇସ୍କୁଲ ପର୍ଯ୍ୟନ୍ତ ପଢ଼ିବା ବାଧ୍ୟତାମୂଳକ ହୋଇଗଲା । ଦେଶରେ ୨୨ଟି ବିଶ୍ୱବିଦ୍ୟାଳୟ ଅଛି–୮୫୫୦ଟା ଖବରକାଗଜ ଅଛି । ମସ୍କୋର ଲେନିନ ଲାଇବ୍ରେରୀ ହେଉଚି ସବୁଠାରୁ ବଡ଼ ଲାଇବ୍ରେରୀ-ସେଠାରେ ୯୦୦୦,୦୦୦ ବହି ଅଛି-ୠଷିଆର ଦ୍ୱିତୀୟ ଲାଇବ୍ରେରୀ ଲେନିନିଗ୍ରାଡ଼ରେ ଅଛି, ସେଠାରେ ୬୦୦,୦୦୦ ବହି ଅଛି । ସବୁ ହୋଇ ୠଷିଆରେ ୧୫୦୦୦ ବଡ଼ ଲାଇବ୍ରେରୀ ଓ ୮୦୦୦୦ ଛୋଟ ଲାଇବ୍ରେରୀ ଅଛି । ସେ ଦେଶରେ ୨୦୦୦୦ ଚଳନ୍ତି ଲାଇବ୍ରେରୀ ଅଛି । ପ୍ରତିବର୍ଷ ୨୫୦ ଲକ୍ଷ ନୂଆ ବହି ଛାପା ହୁଏ । ବିଭିନ୍ନ ଦେଶର ବଡ଼ ବଡ଼ ଲେଖାମାନ ୠଷ ଭାଷାରେ ଅନୁବାଦ କରାହେଉଚି । ବଡ଼ ବଡ଼ କବିମାନଙ୍କର ଆଦର ସେ ଦେଶରେ ଖୁବ୍ ବେଶୀ । ଆମର ମହାଭାରତ ମଧ୍ୟ ୠଷିଆ ଦେଶର ଭାଷାରେ ଛାପା ହୋଇ ସାରିଲେଣି ।

 

ୠଷିଆ ଦେଶପରି ଆଉ କୋଉ ଦେଶରେ ଏତେ ଭଲ ଯୋଜନା ହୋଇ ନାହିଁ । ପଣ୍ଡିତ ଜବାହର ଲାଲ କହିଛନ୍ତି, ‘‘ବର୍ତ୍ତମାନ ସମସ୍ତେ ଯୋଜନାକଥା କହୁଚନ୍ତି–ମାତ୍ର ୠଷିଆଦେଶ ଏଇ ‘ଯୋଜନା’ ଶବ୍ଦରେ କୁହୁକ ଲଗାଇ ଦେଇଚି । ଏହି ଯୋଜନା ପଛରେ ଯେଉଁ ମନୋଭାବ ରହିଛି, ସେଇ ହେଉଚି ସବୁଠାରୁ ଲକ୍ଷ୍ୟ କରିବାର କଥା । କାରଣ ୠଷିଆରେ ଯୋଜନା ରାଜନୀତି ଓ ଶିଳ୍ପକୁ ଗୋଟାଏ ନୂଆ ରୂପ ଦେଇଚି । ଏଇ ମନୋଭାବ ହେଉଛି ପୂରାପୂରି ବୈଜ୍ଞାନିକ ମନୋଭାବ,-ସମାଜକୁ ଭଲଭାବରେ ଗଢ଼ିବାକୁ ସେମାନେ ବୈଜ୍ଞାନିକ ଉପାୟ ଅବଲମ୍ବନ କରିଚନ୍ତି-। ଏପରି ଯୋଜନା ଅନ୍ୟ କୌଣସି ଆଗୁଆ ଦେଶରେ ମଧ୍ୟ ଏହା ପୂର୍ବରୁ କରାହୋଇ ନ ଥିଲା, ମଣିଷର ଓ ସମାଜର ପ୍ରତ୍ୟେକ କାର୍ଯ୍ୟରେ ବିଜ୍ଞାନକୁ ଖଟେଇବା ହେଉଛି ଋଷିଆର ଯୋଜନାର ମୂଳଗୁଣ ।’’ ମସ୍କୋ ସହରରେ ୨୧୨ ଯାଦୁଘର, ୫୬୫ ଲାଇବ୍ରେରୀ ଅଛି । ମସ୍କୋରେ ଯେଉଁ ଗର୍କୀ ପାର୍କ ଅଛି ସେଠାକୁ ପ୍ରତିଦିନ ୭୦୦୦୦ ଲୋକ ବୁଲିବାକୁ ଯାଆନ୍ତି । ସେ ପାର୍କ ଭିତରେ ଥିଏଟର, ଗାଇବା ବଜେଇବା ଦଳ, ନାଚ, ଲାଇବ୍ରେରୀ, ଯାଦୁଘର, କିଣ୍ଡରଗାର୍ଟନ, ପହଁରିବା ପୋଖରୀ ଓ ଖେଳକସରତ ଘର ଅଛି । ଋଷିଆ ବିଷୟରେ ବାର୍ଣ୍ଣାଡ଼ ପେୟାରସ୍‌ ଲେଖିଚନ୍ତି–‘‘ନ ବୁଝି ଖାଲି ଜାଣିଲେ ବେଶୀ କିଛି ଲାଭ ନାହିଁ, ମାତ୍ର ବୁଝିବା ହେଉଚି ସବୁଠାରୁ କଷ୍ଟ । ମାତ୍ର ଋଷିଆରେ ଏଇ କଥା ସବୁଠାରୁ ବେଶୀ ସମ୍ଭବ ହୋଇପାରିଚି । ଅନେକ କଥା ସେ ଦେଶରେ ଅଛି ଯାହା ଆମେ ଅନୁମାନ ସୁଦ୍ଧା କରିପାରିବା ନାହିଁ ।’’

 

ତା ପରେ ସେ ଦେଶର ସ୍ତ୍ରୀମାନଙ୍କ କଥା–ଜାର ସରକାର ଅମଳରେ ପୁରୁଷମାନେ ସ୍ତ୍ରୀମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ପର୍ଦ୍ଦାତଳେ ରହି ସ୍ତ୍ରୀ କେବଳ ପୁରୁଷର ଦାସୀ ହୋଇ ରହୁଥିଲା । ମାତ୍ର ବର୍ତ୍ତମାନ ଋଷିଆ ଦେଶର ସ୍ତ୍ରୀ ସାରାଞ୍ଜା (ଓଢ଼ଣା) କଣ ଭୁଲି ଗଲାଣି । ସେ ବର୍ତ୍ତମାନ ପୁରୁଷସାଙ୍ଗେ କାନ୍ଧରେ କାନ୍ଧ ମିଳାଇ ଆଗକୁ ଚାଲିଚି । ଲେନିନ କହିଚନ୍ତି-‘‘ଦେଶର ଅଧେ ଲୋକଙ୍କୁ ରୋଷେଇଶାଳରେ ଦାସୀ କରି ରଖି କୌଣସି ଜାତି ମୁକ୍ତି ପାଇପାରିବ ନାହିଁ ।’’ ଋଷିଆ ଛଡ଼ା ଇଉରୋପର ଅନ୍ୟାନ୍ୟ ଦେଶରେ ସ୍ୱାମୀର ମର୍ଯ୍ୟାଦା ଉପରେ ସ୍ତ୍ରୀର ମାନ ନିର୍ଭର କରେ, ମାତ୍ର ଋଷିଆରେ ସେପରି ହୁଏ ନାହିଁ । ସେମାନେ ନିଜ ଆଲୁଅରେ ନିଜେ ଫୁଟି ଉଠନ୍ତି । ଋଷିଆରେ ନାରୀମାନେ ମଟର, ଟାକ୍‌ସି ଓ ଟ୍ରାକ୍ଟର ଚଳାନ୍ତି । ସେମାନେ ଉଡ଼ାଜାହାଜ ଚାଳକ, ଇଞ୍ଜିନିଅର, ଜଜ୍‌ ଓ ଭଣ୍ଡାରି ମଧ୍ୟ ହୋଇ ପାରନ୍ତି । ଘରେ ଅଳସୁଆ ହୋଇ ବସି ରହିବାକୁ ଓ ସ୍ୱାମୀର ଅର୍ଜିତ ଧନ ଭୋଗ କରିବାକୁ ଚାହାନ୍ତି ନାହିଁ । ସେମାନେ ବଡ଼ ବଡ଼ ଜାହାଜରେ କାପ୍‌ଟେନ ହୁଅନ୍ତି । ବିଦେଶୀ ରାଜ୍ୟରେ ଦୂତ ଭାବରେ ମଧ୍ୟ କାମ କରନ୍ତି । ଋଷିଆର ପ୍ରସିଦ୍ଧ ଲେଖିକା ମାଡ଼ାମ୍‌ କୋଲୋଣ୍ଟାର୍‌ ସ୍ୱୀଡ଼େନରେ ଦୂତ ଅଛନ୍ତି । ସୈନ୍ୟ ବିଭାଗରେ ମଧ୍ୟ ସ୍ତ୍ରୀମାନେ ସେନାପତି ପାହ୍ୟାକୁ ଉଠି ପାରିଚନ୍ତି । ବିବାହ ପୂର୍ବରୁ ବରକନ୍ୟାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୁଏ । ସେଠାରେ ବିବାହବେଳେ ରୋଷନୀ ଜଳେନା ବା ଯୌତୁକ ଦିଆ ହୁଏନା । ବରକନ୍ୟା ଯାଇ ବିବାହ ରେଜେଷ୍ଟ୍ରି ଅଫିସରେ ନିଜ ନାମ ରେଜେଷ୍ଟ୍ରି କରିଦେଇ ଆସନ୍ତି । ଋଷ ତୁର୍କୀସ୍ଥାନରେ ଆଗରୁ ପ୍ରଥା ଥିଲା, ଯିଏ କନ୍ୟାପିତାକୁ ସବୁଠାରୁ ବେଶୀ ଟଙ୍କା ଦେବାକୁ ରାଜି ହେବ, ସେଇ କନ୍ୟାକୁ ବାହାହୋଇ ପାରିବ । ଋଷିଆର ସ୍ତ୍ରୀମାନେ ଗର୍ଭହେବା ପୂର୍ବରୁ ଓ ପ୍ରସବକରିବା ପରେ କାମରୁ ଛୁଟି ପାଆନ୍ତି । ଦେଶର ଚାରିଆଡ଼େ ମାତୃମଙ୍ଗଳ କେନ୍ଦ୍ର ଓ ପ୍ରସୂତୀ ଘରମାନ ଅଛି । ଗର୍ଭ ନଷ୍ଟ କରିବା ସେ ଦେଶରେ ଆଇନ ବିରୋଧୀ । ଜାରସରକାରର ଆଇନ ବେଶ୍ୟାବୃତ୍ତିକୁ ସମର୍ଥନ କରୁଥିଲା, ମାତ୍ର ସାମ୍ୟବାଦୀ ଋଷିଆରେ ବେଶ୍ୟାଘର ଦେଖିବାକୁ ମିଳେନା ।

 

ଚୋରୀ ଡକାଇତି କାହିଁକି ହୁଏ ? ଲୋକର ଯେତେବେଳେ ଭୋକରେ ପେଟ ଜଳେ, ସେ ସେତେବେଳେ ବିକଳରେ ଖାଇବା ଜିନିଷ ବା ଟଙ୍କା କଉଡ଼ି ଚୋରିକରି ନିଏ । ଋଷିଆ ଦେଶରେ ତ କାହାରି ପେଟ ଅପୂରା ରହୁ ନାହିଁ, ସେ ଦେଶରେ ସେଥିପାଇଁ ଚୋରୀର ନାଁ ଗନ୍ଧ ନାହିଁ । ବର୍ତ୍ତମାନ ସେଠି ଯେତେ କାମ ହେଉଚି, ସବୁ ସମାଜର ମଙ୍ଗଳପାଇଁ ହେଉଚି, ସମସ୍ତେ ସମାଜର ଭଲପାଇଁ ଚିନ୍ତା କରୁଚନ୍ତି । ତେଣୁ ମୋ ବାଡ଼ ତା କିଆରିକୁ ମଡ଼େଇ ଦେବା କଥା ସେ ଦେଶରେ ନାହିଁ । ସେ ଦେଶରେ ସମସ୍ତେ ସମସ୍ତଙ୍କୁ ବିଶ୍ୱାସ କରନ୍ତି, ସମସ୍ତେ ମିଳିମିଶି ସବୁକଥା କରନ୍ତି । ଜାର ସରକାରଙ୍କ ଅମଳରେ ଶହ ଶହ ଲୋକ ସାଇବିରିଆରେ ନିର୍ବାସିତ ହେଉଥିଲେ, ହଜାର ହଜାର ଲୋକ ଜେଲ ଯାଉଥିଲେ, ମାତ୍ର ଚୋରି ଡକାଇତି ବଢ଼ି ବଢ଼ି ଚାଲୁଥିଲା । ମାତ୍ର ବର୍ତ୍ତମାନ ସେଠାରେ ସେ ସବୁ ନାହିଁ । ବର୍ତ୍ତମାନ ସେ ଦେଶରେ ଚୋରିକରିବା ଅର୍ଥ ସମାଜର ସମ୍ପତ୍ତି ଚୋରି କରିବା । ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେଠି ଆସାମୀମାନେ ବଳେ ବଳେ ଆସି ଧରାଦିଅନ୍ତି, ଦୋଷ ସ୍ୱୀକାର କରନ୍ତି, ଭବିଷ୍ୟତରେ ଆଉ ଯେପରି ପାପକାର୍ଯ୍ୟ ନ କରିବେ ସେଥିପାଇଁ ସରକାରଙ୍କଠାରୁ ଉପଦେଶ ଚାହାନ୍ତି । ଋଷିଆର ଉନ୍ନତି ସଙ୍ଗେ ସଙ୍ଗେ, ସମାଜର ବିକାଶ ସଙ୍ଗେ ସଙ୍ଗେ ଋଷିଆ ଲୋକଙ୍କର ମନ ବଦଳିଯାଇଛି–ସରକାର ମଧ୍ୟ ଦୋଷୀମାନଙ୍କୁ ସାଧୁଜୀବନ କଟାଇବାକୁ ଉପଦେଶମାନ ଦିଅନ୍ତି । ବନ୍ଦୀମାନଙ୍କୁ ସାଧୁଜୀବନ କଟାଇବାକୁ ଉପଦେଶମାନ ଦିଅନ୍ତି । ବନ୍ଦୀମାନଙ୍କୁ ଭଲ ମଣିଷ ହେବାକୁ ନିଜ ପରିଶ୍ରମରେ ନିଜେ ରହିବାକୁ ଶିକ୍ଷା ଦିଆଯାଏ । ସେଥିଲାଗି ଚୋର ଯେତେବେଳେ ଜେଲରୁ ବାହାରକୁ ଆସେ, ସେ ଆଉ ଚୋରି କରିବାକୁ ମନ ବଳାଏ ନାହିଁ । ସେ ଦେଶରେ ସରକାର ତରଫରୁ ଓକିଲ ରହିଚନ୍ତି । ଜଣେ ଲୋକ ତା’ର ଖୁସି ଅନୁସାରେ ତାର ମକଦ୍ଦମାରେ ଯେ କୌଣସି ଓକିଲ ଦେଇପାରିବ–ସେଥିପାଇଁ ତାକୁ ପଇସାଟିଏ ଓକିଲ ଖର୍ଚ୍ଚା ଦେବାକୁ ପଡ଼େ ନାହିଁ । ଓକିଲମାନେ ନିଜର ଯୋଗ୍ୟତା ଅନୁଯାୟୀ ସରକାରଠାରୁ ଦରମା ପାଆନ୍ତି । ସେ ଦେଶରେ କଠିନ ଦଣ୍ଡ ଦିଆଯାଏ ନାହିଁ । ଅନେକ ସମୟରେ ଜେଲଦଣ୍ଡ ବା ଦିନକରୁ ବର୍ଷେ ଯାଏ ସଂଶୋଧନମୂଳକ କାମ କରିବାକୁ (Correctional work) ଦିଆଯାଏ । ସଂଶୋଧନମୂଳକ କାମର ଅର୍ଥ ହେଉଚି, ଜଣେ ଲୋକର ବ୍ୟକ୍ତିଗତ ସ୍ୱାଧୀନତା ଓ ନାଗରିକ ଅଧିକାର ରହିବ, ସେ ତାର ପୂର୍ବ ଚାକିରୀରେ ରହିବ, କିନ୍ତୁ ତା’ ଉପରେ ସରକାରଙ୍କର ନଜର ରହିବ ଏବଂ ପ୍ରତିମାସରେ ତାର ଦରମାର ୨୦% ଜୋରିମାନା ରୂପେ ସରକାର କାଟିନେବେ । ନିଜର ମିଆଦ ପୂରିବା ଆଗରୁ ଯେଉଁ କଏଦୀମାନେ ଖଲାସ ହୁଅନ୍ତି, ସେମାନେ ବଲଶୋଭୋ ଯା’ନ୍ତି–ଏହା ମସ୍କୋଠାରୁ ୨୦ ମାଇଲ । ସେଠାରେ ସେମାନେ ମାନସିକ ଓ ଶାରୀରିକ ଉଭୟ ଶିକ୍ଷା ପାଆନ୍ତି ।

 

ଆମେରିକାର ଜଣେ ସାହେବ କହିଥିଲେ ‘ମୁଁ ଋଷିଆ ଯାଇ ଭବିଷ୍ୟତ ଦେଖି ଆସିଲି ।’ ପ୍ରକୃତରେ ଋଷିଆରେ ଭବିଷ୍ୟତର ସମାଜ ଗଢ଼ା ହେଉଚି । ଭବିଷ୍ୟତରେ ସାରା ଦୁନିଆରେ ଯାହା ହେବ, ଆଜି ଋଷିଆରେ ସେଇ ସବୁ କଥା ହେଉଚି । ଋଷିଆ ଯେ ସାରା ପୃଥିବୀର ଆଦର୍ଶ ହୋଇ ରହିଥିବ, ଏଥିରେ କୌଣସି ସନ୍ଦେହ ନାହିଁ । ଯିଏ ଋଷିଆର ସବୁକଥା ଜାଣିବ, ସେ କହିବ, ‘‘ପ୍ରକୃତରେ ଋଷିଆ ହେଉଛି ମର୍ତ୍ତ୍ୟର ସ୍ୱର୍ଗ ।’

 

ଦ୍ୱିତୀୟ ମହାଯୁଦ୍ଧ ପୁରୁଣା ହୋଇ ତୃତୀୟ ମହାଯୁଦ୍ଧ ଲାଗି ପୃଥିବୀସାରା ସଜଡ଼ାସଜଡ଼ି ଲାଗିଲାଣି । ଏହା ମଧ୍ୟରେ ଋଷର ଗତିବିଧି ସମ୍ବନ୍ଧରେ ନାନାପ୍ରକାର ସନ୍ଦେହ ଅନେକ କରିଛନ୍ତି । ଅନେକ ବଡ଼ ବଡ଼ ମନୀଷୀ ଯେଉଁମାନେ କି ଦିନେ ଋଷିଆର ଖୁବ୍‌ ପ୍ରଶଂସା କରୁଥିଲେ, ସେମାନେ ମଧ୍ୟ ଋଷଶାସନ ବିଷୟରେ ଟିକିଏ ସନ୍ଦିହାନ ହୋଇ ପଡ଼ିଛନ୍ତି । କିନ୍ତୁ ସେ ସବୁ ନୀତିଗତ ବଡ଼ ବଡ଼ କଥା ଦୂରରେ ରଖି ଜୀବନ ବଞ୍ଚିବାର ପ୍ରଥମ କଥା ଅନ୍ୟର କଥା ଦୃଷ୍ଟିରୁ ବିଚାର କଲେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଋଷିଆ ଏହି ସୋପାନର ସମସ୍ତ ସମସ୍ୟା ସମାଧାନ କରିଛି-। ଯୁଦ୍ଧ ପରେ ପୁଣି ସେ ଦେଶର କୃଷକ ଓ ମୂଲିଆ ଆପଣାର ପୁନର୍ସଗଠନ କରିବାରେ ଲାଗିପଡ଼ିଲେଣି । ଭାତ ବା ପେଟର ପ୍ରଶ୍ନ ଜୀବନର ଏକମାତ୍ର ପ୍ରଶ୍ନ ନ ହେଲେ ମଧ୍ୟ ଏହା ସବୁ ସଂସ୍କାର, ସବୁ ବିପ୍ଳବର ପ୍ରଥମ ପ୍ରଶ୍ନ, ଏଥିରେ କେହି ଦ୍ୱନ୍ଦ୍ୱ ଉଠାଇବେ ନାହିଁ । ଆଖି ଯେତେ ଉପରକୁ ଥାଉ ପଛକେ, ପହିଲେ ସମାଜର ପେଟ ସମସ୍ୟାଟିର ସମାଧାନ କରିବାକୁ ହିଁ ହେବ । ଋଷିଆ ତାହା କରିପାରିଛି; ଋଷିଆ ତା’ର କିସାନ୍‌ ଓ ମଜଦୁରମାନଙ୍କ ହାତ ଓ ହାତୁଡ଼ିର ବଳ ଫେରାଇ ଆଣିଛି । ସେ ଦେଶରେ ବଳୁଆ ମଣିଷ କାମ ନାହିଁ ବୋଲି ଉପାସ ବୁଲୁ ନାହିଁ । ଜୀବନ କୁସୁମର ପ୍ରଥମ ପାଖୁଡ଼ା ସେହି ଋଷିଆରେ ଫୁଟି ଉଠିଛି । ତା’ ପରେ ହୁଏତ ଆମର ଫୁଲ ଫୁଟା ନୀତି ଅଲଗା ହୋଇ ପରେ, ତା’ରି ବାଟ ହୁଏତ ଆମକୁ ସୁହାଇ ନ ପାରେ, କିନ୍ତୁ ଏହି ପ୍ରଥମ ସୋପାନରେ ଋଷିଆ ଯେତେ ସାହସ ଓ ନିପୁଣତା ସଙ୍ଗେ ସଙ୍ଗେ ଏଡ଼େ ବଡ଼ ଦେଶର ଅନ୍ନ ଓ ଶିକ୍ଷା ଯୋଗାଡ଼ କରିପାରିଛି, ତାହା ଖାଲି ଭାରତ କାହିଁକି, ସବୁଦେଶର ଅନୁକରଣୀୟ । ଋଷିଆ ଠିକ୍‌ ବାଟରେ ଯାଉ ନାହିଁ କହି ସେହି ସର୍ବାବଶ୍ୟକ ପ୍ରଥମ ପାହାଚଟିକୁ ଆଖି ବୁଜି ଦେଲେ ଦେଶକୁ ଠକିବା ଛଡ଼ା ଆଉ କିଛି ସାର ହେବ ନାହିଁ । ପ୍ରତ୍ୟେକ ସଂସ୍କୃତିର ମୂଳଦୁଆ ଏଇ ପେଟର ପ୍ରଶ୍ନରୁ । ସେଥିର ସମାଧାନ ଲାଗି ଋଷିଆ ବୋଧହୁଏ ଇତିହାସରେ ସବୁଠାରୁ ହିମ୍ମତଦାର ବାଟ ଅବଲମ୍ବନ କରିଛି ।

 

(ଖ) ଚୀନଦେଶ–ଏସିଆର ଆଲୋକ

 

ଚୀନ ଦେଶ ଆଜି ସମସ୍ତ ଏସିଆକୁ ଆଦର୍ଶ ଦେଖାଇଚି । ୧୯୩୭ ମସିହାରେ ଚୀନ ଆଉ ଜାପାନ ଭିତରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଜାପାନ ଚୀନଦେଶର ଅନେକ ଅଂଶ ମଧ୍ୟ ଅଧିକାର କରି ନେଇଥିଲା । ଯେତେବେଳେ ଜାପାନ ପ୍ରଥମେ ଚୀନଦେଶ ଉପରେ ଆକ୍ରମଣ କଲା, ସେତେବେଳେ ଚୀନ ପ୍ରସ୍ତୁତ ନ ଥିଲା, ତା’ର ଆଧୁନିକ ଅସ୍ତ୍ର ଶସ୍ତ୍ର ମୋଟେ ନ ଥିଲା, ସେଥିପାଇଁ ଚୀନର ପ୍ରଥମେ ଅନେକ କ୍ଷତି ହେଲା, ଅନେକ ଚୀନାଲୋକ ମଲେ । ଜାପାନର ନିଷ୍ଠରୁତା ପୁଣି କହିଲେ ନ ସରେ, ଯେଉଁ ସହର ସେ ଅଧିକାର କଲା ସେଠିକାର ସବୁ ଚୀନାକୁ ନିଜ କାମରେ ଲଗାଇଲା, ଯିଏ ନ ମାନିଲା, ତାକୁ ସେ ଜୀବନରୁ ମାରି ପକାଇଲା । ଏଣେ ଅନ୍ୟାନ୍ୟ ଦେଶରୁ ଚୀନ ବେଶୀ ସାହାଯ୍ୟ ପାଇପାରୁ ନ ଥିଲା । ଖାଇବା ଜିନିଷ ମଧ୍ୟ ଚୀନରେ ଅଭାବ, ଅନେକ, ଜାଗାରେ ଦୁର୍ଭିକ୍ଷ ପଡ଼ିଲା, ଲୋକେ ଗଛର ବକଳ ଖାଇ ବଞ୍ଚିଲେ । ତଥାପି ଚୀନର ଦମ୍ଭ ତୁଟିଲା ନାହିଁ । ଶେଷରେ ଚୀନର ଜିତାପଟ ହେଲା । ଚୀନ ମଧ୍ୟ ତାର ସ୍ୱାଧୀନତା ରକ୍ଷାକରି ଶିଖିଚି ।

 

କନ୍‌ଫୁସିଅସ, ସନ-ୟାତ୍-ସେନ୍, ଏ ଦୁଇଜଣଙ୍କର ଚେଷ୍ଟା ଓ ଚିନ୍ତାଧାରାରେ ବର୍ତ୍ତମାନର ଚୀନ ଗଢ଼ିଉଠିଛି । ଜଣେ ଶିଷ୍ୟ ଥରେ କନ୍‌ଫୁସିଅସ୍‌ଙ୍କୁ ପଚାରିଲା ‘‘ଯଦି ଆପଣଙ୍କୁ ଗୋଟାଏ ଦେଶ ଶାସନ କରିବାକୁ ପଡ଼େ, ତେବେ ଆପଣ ପ୍ରଥମେ କଣ କରିବେ ।’’ କନ୍‌ଫୁସିଅସ୍ ଉତ୍ତର ଦେଲେ ‘‘ଲୋକମାନଙ୍କ ଖାଇବାପାଇଁ ଯଥେଷ୍ଟ ଖାଦ୍ୟ ଯୋଗାଇବି, ଲୋକମାନଙ୍କୁ ରକ୍ଷାକରିବା ପାଇଁ ଯଥେଷ୍ଟ ଅସ୍ତ୍ର ଶସ୍ତ୍ର ରଖିବି ଏବଂ ଲୋକଙ୍କ ଭିତରେ ଯେମିତି ପରସ୍ପର ପ୍ରତି ବିଶ୍ୱାସ ରହିବ, ତା’ର ଚେଷ୍ଟା କରିବି ।’’ ଶିଷ୍ୟ ପଚାରିଲା ‘‘ଯଦି ଏ ତିନୋଟି ଭିତରୁ କୌଣସି ଗୋଟାଏ କଥା ବାଦ ଦେବାକୁ ବାଧ୍ୟ ହୁଅନ୍ତି ତେବେ ଆପଣ କାହାକୁ ବାଦ ଦେବେ ?’’ କନ୍‌ଫୁସିଅସ୍ ଉତ୍ତରଦେଲେ ‘‘ଖାଦ୍ୟ । କାରଣ ବିଶ୍ୱାସକୁ ବାଦ ଦେଇ କୌଣସି ଜାତି ବଞ୍ଚିପାରିବ ନାହିଁ ।’’ ଏଇ ବିଶ୍ୱାସ ଗୁଣ ହେଉଚି ଚୀନାମାନଙ୍କର ବିଶେଷତ୍ୱ । ସେମାନେ ବିଶ୍ୱାସ କରନ୍ତି ଯେ ଚୀନ ନ୍ୟାୟ ପାଇଁ ଲଢ଼େଇ କରୁଚି, ତେଣୁ ସେମାନେ ଶେଷପର୍ଯ୍ୟନ୍ତ ଯିବାକୁ ତିଆର ।

 

ଡାକ୍ତର ସୂନ୍ ଚୀନରେ ରାଜନୈତିକ ଜାଗରଣ ଆଣିଚନ୍ତି । ଯେ ଯେଉଁ ବିରାଟ ଆନ୍ଦୋଳନ କରିଥିଲେ, ତା ଫଳରେ ଚୀନର ସମାଜ ବଦଳିଗଲା । ପୁରୁଣା ଅମଳର ଯେଉଁ ପୋଥି ବାଇଗଣମାନ ଚୀନର ଅଗ୍ରଗତିରେ ବାଧା ଦେଉଥିଲା, ଯୁବକମାନେ ତା ବିରୁଦ୍ଧରେ ତେଜି ଉଠିଲେ । ଚୀନର ଛାତ୍ରମାନେ ସବୁଠାରୁ ଚମତ୍କାର କାମ ଦେଖାଇଚନ୍ତି । ସେମାନେ ପାଶ୍ଚାତ୍ୟ ଦେଶରେ ଶିକ୍ଷାପାଇ ସେମାନଙ୍କ ଉପରେ ଟଲଷ୍ଟୟ, କାଲମାର୍କସ୍ ଓ ନେଟ୍ରାଣ୍ଡ ରସେଲଙ୍କର ପ୍ରଭାବ ପଡ଼ିଚି । ପୁରୁଣା ପ୍ରଥା ଛାଡ଼ି ସମସ୍ତେ ଆଧୁନିକ ଶିକ୍ଷା, ରୀତିନୀତି, ଆଚାର ବ୍ୟବହାର, ପୋଷାକକୁ ପସନ୍ଦ କରୁଚନ୍ତି । ତଥାପି ପୁରୁଣାରେ ଯେତେକ ଭଲ ଅଛି ଯେ ସବୁ ଏମାନେ ଛାଡ଼ୁନାହାନ୍ତି । ନୂଆ ପୁରୁଣା ସବୁଥିରୁ ସାର ନେଇ ଏମାନେ ଦେଶକୁ ଆଗକୁ ଚଳାଉଚନ୍ତି । ମାର୍ଶାଲଚ୍ୟାଙ୍ଗଙ୍କର ସ୍ତ୍ରୀ ମାଡ଼ାମ ଚ୍ୟାଙ୍ଗ କାଇଶେକ ଏକ ‘ନବ ଜୀବନ ଆନ୍ଦୋଳନ’ (New life movement) ଚଳାଇଚନ୍ତି-ତା ଫଳରେ ଚୀନର ପୁରାତନ ପ୍ରଥାରୁ ଭଲ ଜିନିଷତକ ସଂଗ୍ରହ କରି ତାକୁ ପାଶ୍ଚାତ୍ୟର ବିଜ୍ଞାନ ଓ ସଂସ୍କୃତି ସହିତ ମିଳାଇ ଦିଆ ଯାଉଚି । କୁସଂସ୍କାର, ଅନ୍ଧବିଶ୍ୱାସ ଏ ସବୁ କଥା ସମସ୍ତେ ଭୁଲି ଯାଉଚନ୍ତି । ନୂଆ ସ୍କୁଲ, ବିଶ୍ୱବିଦ୍ୟାଳୟମାନ ବସିଚି, ନୂତନ ଉପାୟରେ ଚାଷ ହେଉଚି, ଗାଈଗୋରୁ, ଘୁଷୁରୀମାନଙ୍କ ପ୍ରତି ବେଶୀ ଯତ୍ନ ନିଆଯାଉଚି, ଦେଶର ନିରକ୍ଷର ଲୋକମାନଙ୍କୁ ପାଠ ପଢ଼ାଯାଉଚି, ଲୋକମାନଙ୍କ ଭିତରେ ସ୍ୱାସ୍ଥ୍ୟରକ୍ଷାର ନିୟମମାନ ପ୍ରଚାର କରାଯାଉଚି । କଲେଜମାନଙ୍କରେ ବାଳକବାଳିକା ଏକାଠି ବସି ପାଠ ପଢ଼ୁଚନ୍ତି । ଚୀନରେ କିପରି ଗୋଟାଏ ନୂଆ ଅର୍ଥନୈତିକ ବ୍ୟବସ୍ଥା କାୟମ କରାହେବ, ଏଥିପାଇଁ ଛାତ୍ରମାନେ ବଡ଼ ବ୍ୟାକୁଳ । ଚୀନର ଶ୍ରମିକମାନଙ୍କୁ ଭଲ କରି ମଜୁରୀ ଦେବାପାଇଁ ଏମାନେ ପ୍ରାଣପଣ ଚେଷ୍ଟା କରୁଚନ୍ତି । ଯୁଦ୍ଧ ବେଳେ ସ୍କୁଲ କଲେଜର ଛାତ୍ରମାନେ ନିଜର ସବୁକାମ କରୁଥିଲେ, ଏପରିକି ସେମାନଙ୍କର ପାଇଖାନା ସଫା କରିବାକୁ ମେହେନ୍ତର ଦରକାର ହେଉ ନ ଥିଲେ । ସେମାନେ ଲୋକମାନଙ୍କ ଭିତରେ ଜାତୀୟ ଭାବର ପ୍ରଚାର କରୁଥିଲେ ଓ ଲୋକମାନଙ୍କ ଭିତରେ ସବୁବେଳେ ଉତ୍ସାହ ଭରି ରଖିଥିଲେ ।

 

ମାଡ଼ାମ ଚ୍ୟାଙ୍ଗ କାଇଶେକ କହିଚନ୍ତି– ‘‘ଚୀନର ପୁନର୍ଗଠନର ପ୍ରତ୍ୟେକ କାର୍ଯ୍ୟରେ ଚୀନର ସ୍ତ୍ରୀଲୋକମାନେ ଖୁବ୍ ଭଲ କାମ ଦେଖାଇଚନ୍ତି । ଜାପାନୀ ଆକ୍ରମଣରୁ ଦେଶକୁ ରକ୍ଷା କରିବା ପାଇଁ ସେମାନେ ଅବିରତ କାମ କରିଚନ୍ତି । କାରଣ ଚୀନରେ ଗୋଟାଏ ନୂତନ ଶକ୍ତି ଜନ୍ମଲାଭ କରିଚି ଏବଂ ଏଇ ଶକ୍ତି ଦ୍ୱାରା ଚୀନ ଅନେକ ସୁଫଳ ପାଉଚି, ବିଭିନ୍ନ ସମୟରେ ବଦଳୁଥିବା ଭିନ୍ନ ଭିନ୍ନ ପରିସ୍ଥିତି ଅନୁସାରେ ଚୀନର ସ୍ତ୍ରୀଲୋକ ନିଜର ବୃଦ୍ଧି ଖର୍ଚ୍ଚ କରି ପାରୁଚି ।’’ ପ୍ରକୃତରେ ଚୀନର ନରୀଜାତି ଆଜି ଅଭୁତ କାମ ଦେଖାଉଚନ୍ତି । ଯୁଦ୍ଧବେଳେ ସେମାନଙ୍କର କାର୍ଯ୍ୟ ବଡ଼ ଚମତ୍କାର । ବର୍ତ୍ତମାନ ଦେଶର ସବୁ ନାରୀ ଅନୁଷ୍ଠାନମାନ ମିଶି ଗୋଟାଏ ବଡ଼ ଅନୁଷ୍ଠାନ (Chineese women’s national war relief association) ଗଢ଼ିଚନ୍ତି । ଗାଁ ଗହଳରେ, କଳ କାରଖାନାରେ, ଡାକ୍ତରଖାନାରେ, ଅନାଥ ଆଶ୍ରମରେ କାମ କରିବାକୁ ୯୪୧ ଜଣ ସ୍ତ୍ରୀ ଉଚ୍ଚଶିକ୍ଷା ପାଇଚନ୍ତି । ସେଚୁଆନ ପ୍ରଦେଶର ରେଶମ ଶିଳ୍ପରେ ସ୍ତ୍ରୀମାନେ ଖୁବ୍‌ କାମ କରୁଚନ୍ତି । ୧୨୦୦୦ରୁ ବେଶୀ ପରିବାରଙ୍କୁ ନେଇ ସେଠାରେ ରେଶମ ସହଯୋଗ ସମିତିମାନ ତିଆରି ହୋଇଚି । ସେ ଦେଶରେ ୫୪ଟି ଅନାଥଆଶ୍ରମ ଅଛି-ଯୁଦ୍ଧରେ ବାପ ମା’ ମରି ଯାଇଥିବା ୨୪୯୯୭ ଜଣ ଅନାଥ ବାଳକବାଳିକାମାନଙ୍କର ଯତ୍ନ ନିଆଯାଉଚି । ଲଢ଼େଇ ପାଇଁ ଆବଶ୍ୟକ ଜିନିଷ ସଂଗ୍ରହ କରିବାକୁ ସ୍ତ୍ରୀଲୋକମାନେ ମଫସଲକୁ ଦଳ ଦଳ ହୋଇ ଯାଉଚନ୍ତି । ସେମାନେ ନଗଦ ୫୦,୦୦୦,୦୦୦ ଡଲାର, ୫୦୦ ଆଉନ୍‌ସରୁ ବେଶୀ ସୁନା, ରୂପା ଅଳଙ୍କାର, ୩୦,୦୦୦ ହଳ କାନଭାସ ଜୋତା, ହଜାର ହଜାର ଶୀତ ଦିନିଆ ଓ ଖରାଦିନିଆ ପୋଷାକ, କୋଡ଼ିଏ ପ୍ରକାରର ଔଷଧ ସଂଗ୍ରହ କରିଚନ୍ତି । ପୂର୍ବ ପ୍ରଦେଶରୁ ପ୍ରାୟ ୩୦୦୦୦ ସ୍ତ୍ରୀଙ୍କୁ ଦେଶ ଭିତରକୁ ଯୁଦ୍ଧ ଜିନିଷ ତିଆରି କରିବାପାଇଁ ସ୍ଥାନାନ୍ତରିତ କରାଯାଇଚି, ଗାଁ ଗହଳର ସ୍ତ୍ରୀଲୋକମାନେ ଗାଉଁଲୀକାମ ସବୁ କରୁଚନ୍ତି-ସ୍ତ୍ରୀମାନଙ୍କ ସାହାଯ୍ୟରେ ପୃଥିବୀର ବିଭିନ୍ନ ଦେଶମାନଙ୍କ ସହିତ ସମ୍ୱନ୍ଧ ରଖା ଯାଉଚି । ଗାଁରେ ଶିକ୍ଷା ପ୍ରଚାର କରିବାରେ ଲୋକଙ୍କୁ ନାନା କଥା କହିବାରେ ସ୍ତ୍ରୀଲୋକମାନେ ଅନେକ କାମ କରୁଚନ୍ତି । ସେ ଦେଶର ରାଜନୈତିକ ଆସେମ୍ୱ୍ଲିରେ ୧୬ ଜଣ ନାରୀ ସଭ୍ୟ ଅଛନ୍ତି ।

 

ଚୀନ ସୈନ୍ୟବାହିନୀ ସବୁଠାରୁ ବେଶୀ ପ୍ରଶଂସା ପାଇବା କଥା । ୧୯୩୮ ବେଳକୁ ଜାପାନ ଚୀନ ଦେଶର ଶିଳ୍ପର ୮୦% ନଷ୍ଟ କରି ଦେଇଥିଲା- ତଥାପି ସେ ଦେଶର ଶିଳ୍ପ ବଢ଼ି ଚାଲିଚି । ଜାପାନ ଯେଉଁ ଅଞ୍ଚଳ ଦଖଲ କରି ନେଉଥିଲା ସେଠୁ କଳ କାରଖାନା ଦୂରକୁ ଘୁଞ୍ଚାଇ ନିଆ ଯାଉଥିଲା । ଚୀନ ଗରିଲା ଯୁଦ୍ଧ ସକାଶେ ଏତେ ଦିନ ତିଷ୍ଠି ରହି ପାରିଲା । ଜାପାନ ଗୋଟାଏ ଯାଗା ଦଖଲ କରି ଯିବାପରେ ଚୀନର ଗରିଲାମାନେ ଲୁଚିକରି ଯାଇ ଜାପାନର ଛାଉଣୀ ଭିତରେ ପଶି ସବୁ ଧ୍ୱଂସ କରି ଦିଅନ୍ତି ଓ ସେ ଯାଗା ଦଖଲ କରନ୍ତି । ଚୀନର ଏ ଅଷ୍ଟମ ସେନାବାହିନୀ (Eight Root Army) ଗରିଲା ଯୁଦ୍ଧ ପାଇଁ ପୃଥିବୀ ବିଖ୍ୟାତ । ସୈନ୍ୟମାନେ ନାନା ଅଭାବ ଅସୁବିଧାରେ ଯୁଦ୍ଧ କରୁଥିଲେ । ଚୀନର ୩୦୦ ଡିଭିଜନ ସୈନ୍ୟ ଅଛନ୍ତି । ଚୀନ ସୈନ୍ୟ ପାଖରେ ଭଲ ଅସ୍ତ୍ର ନାହିଁ-ପୋଷାକପତ୍ର ମଧ୍ୟ ସେ ଅନ୍ୟ ଦେଶରୁ କିଣି କରି ଆଣୁଚି । ଚୀନା ସୈନ୍ୟମାନେ ଖଣ୍ଡେ ସାବୁନ ବା ଦାନ୍ତ ଘସିବା ପାଇଁ ବ୍ରଶ୍ ଖଣ୍ଡେ ପାଆନ୍ତି ନାହିଁ । ଏମାନେ ପଶମ ପୋଷାକ ପା’ନ୍ତି ନାହିଁ-କାଠ ବୋତାମ ଲଗା ମୋଟା ତୁଳାସୂତାର ପୋଷାକ ଏମାନେ ପିନ୍ଧନ୍ତି । ସେ ଦେଶର ପ୍ରତି ଦଶ ଜଣ ସୈନ୍ୟରେ ଖଣ୍ଡେ ଲେଖାଏଁ ବନ୍ଧୁକ ଅଛି । ପ୍ରତ୍ୟେକ ସୈନ୍ୟ ମାସକୁ ମୋଟେ ଟ୧.୨୫/-ଦରମା ପାଏ-ତା’ରି ଭିତରୁ ତାକୁ ଖାଇବା ଖର୍ଚ୍ଚ ଚଳାଇବାକୁ ହୁଏ । ଦି’ ତାଟିଆ ବଗଡ଼ା ଭାତ ତାର ଦୈନିକ ଖାଦ୍ୟ–ସବୁଦିନେ ସେ ତରକାରୀ ଟିକିଏ ପାଏ ନାହିଁ । ବଜାରରେ ଯାଉଥିବା ବେଳେ ମାଂସ, ଫଳ, ମାଛ, ଡିମ୍ୱ ଓ ଲୁଣ ତା ଆଖିର ପଡ଼େ, ମାତ୍ର ସେ ସବୁ ଜିନିଷ ସେ ମୋଟେ ଚାଖିବାକୁ ପାଏ ନାହିଁ । ଘାଉଲା ସୈନ୍ୟମାନଙ୍କୁ ଚିକିତ୍ସା କରିବା ପାଇଁ ସେଠି ନିକଟରେ ଡାକ୍ତରଖାନା ନ ଥାଏ । ମନ୍ଦିର ବା କୌଣସି ଧନୀଲୋକର ଘରେ ଏମାନଙ୍କର ଶୁଶ୍ରୁଷା କରାହୁଏ । ଅନେକ ସମୟରେ ଯୁଦ୍ଧକ୍ଷେତ୍ରରୁ ୧୬/୧୭ ମାଇଲ ଦୂରକୁ ସେମାନଙ୍କୁ ବୋହି ନିଆ ହୁଏ । ରୋଗୀମାନଙ୍କ ପାଇଁ ଖଟିଆ ନ ଥାଏ, ସେମାନେ କୁଟା ଗଦି ବା ମାଟିପିଣ୍ଡି ଉପରେ ଶୁଅନ୍ତି । ସୈନ୍ୟମାନଙ୍କୁ ଚିକିତ୍ସା କରିବା ପାଇଁ ଔଷଧର ଅଭାବ ପଡ଼େ । ଯୁଦ୍ଧ ହେତୁ ବିଦେଶରୁ ଦେଶୀ ଔଷଧ ଆସିପାରେ ନାହିଁ । ସେଥିପାଇଁ ଅନେକ ସୈନ୍ୟ ଔଷଧ ନ ପାଇ ମରନ୍ତି । କୁଇନାଇନ ଅଭାବରେ ମେଲେରିଆରେ ଅନେକ ସୈନ୍ୟ ମରିଯାନ୍ତି । ବର୍ତ୍ତମାନ ଚୀନର ଚେରମୂଳି ସଂଗ୍ରହ କରାଯାଇ ସେଇଥିରୁ ଦେଶୀ ଔଷଧ ତିଆରି ହେଉଚି ଓ ତାହା ସୈନ୍ୟମାନଙ୍କୁ ଦିଆଯାଉଚି ।

 

ଏତେ ବଡ଼ ବିପଦରେ ମଧ୍ୟ ଚୀନ ତାର ପାଠପଢ଼ାକୁ ଭୂଲି ନାହିଁ । ଏଣେ ପୂର୍ବପଟେ ଯୁଦ୍ଧ ଚାଲିଥାଏ । ତେଣେ ଦେଶର ପଶ୍ଚିମପଟେ ସ୍କୁଲ ଚାଲିଥାଏ । ଗାଁର ଦେବମନ୍ଦିର, ପୁରୁଣା ଦୁର୍ଗ ବା ସାଧାରଣ ଘରେ ସ୍କୁଲ ବସିଚି । ଅନେକ ଜାଗାରେ ପର୍ବତ ଗୁମ୍ଫାରେ ମଧ୍ୟ ଶିକ୍ଷା ଦିଆଯାଉଚି । ଛାତ୍ର ଓ ଶିକ୍ଷକମାନେ ଅନେକ କଷ୍ଟ ସହି ପାଠପଢ଼ନ୍ତି । ଗୋଟିଏ ଗୋଟିଏ ଛୋଟ ଘରେ ସେମାନଙ୍କୁ ଆଠ ଆଠଜଣ କରି ରହିବାକୁ ପଡ଼େ । ସେମାନେ ଚଟେଇରେ ଶୁଅନ୍ତି, ହାତବୁଣା ମୋଟା ଖଦି ପନ୍ଧନ୍ତି । ବର୍ଷକୁ ଚୀନ ଛାତ୍ରର ମୋଟେ ଦେଢ଼ଶହ ଟଙ୍କା ଖର୍ଚ୍ଚ ହୁଏ–ବାପ ମା’ ଘରଠାରୁ ହଜାର ହଜାର ମାଇଲ ଦୂରରେ ରହି ଛାତ୍ରମାନେ ପାଠ ପଢ଼ୁଛନ୍ତି । ସ୍କୁଲ ସବୁ ପରସ୍ପରକୁ ସାହାଯ୍ୟ କରି ଚଳନ୍ତି । ବୋମାମାଡ଼ରେ ଯଦି ଗୋଟାଏ ସ୍କୁଲ ନଷ୍ଟ ହୋଇଗଲା, ତେବେ ଅନ୍ୟ ସ୍କୁଲ ପିଲାମାନେ ନଷ୍ଟ ହୋଇଥିବା ସ୍କୁଲର ପିଲାମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରୁଚନ୍ତି । ଅର୍ଥନୀତି, କୃଷି ବିଷୟରେ ଗବେଷଣା ଚାଲିଚି । ପୂର୍ବଅଞ୍ଚଳ ଯେତେବେଳେ ଜାପାନ ହାତରେ ପଡ଼ିଲା, ସେତେବେଳେ ବଡ଼ ବଡ଼ ଲାଇବ୍ରେରୀ, ବିଜ୍ଞାନଗାର (Laboratary) ପଶ୍ଚିମକୁ ଘୁଞ୍ଚାଇ ନିଆ ହେଉଚି । ତଥାପି ଜାପାନୀମାନେ ଜାଣିଶୁଣି ଏଇ ସ୍କୁଲ କଲେଜମାନଙ୍କ ଉପରେ ବୋମା ପକାଉଚନ୍ତି । ଚୀନର ସବୁ ଅଞ୍ଚଳରେ ଛୋଟ ପିଲାଙ୍କପାଇଁ ପ୍ରାଇମେରୀ ସ୍କୁଲ ଓ ବଡ଼ମାନଙ୍କ ପାଇଁ ମଧ୍ୟ ସ୍କୁଲମାନ ଅଛି । ଗତ ଦୁଇବର୍ଷ ଭିତରେ କେବଳ ଚୁଂକିଂରେ ଏଇ ସାକ୍ଷରତା ଅଭିଯାନ ଫଳରେ ୫୫୦୦୦ ଜଣ ଖବରକାଗଜ ପଢ଼ି ଓ ଚିଠି ଲେଖି ଜାଣିଛନ୍ତି । ଛାତ୍ରମାନଙ୍କର ଚରିତ୍ର ଉପରେ ସବୁ ସମୟରେ ଜୋର ଦିଆଯାଏ, ଛାତ୍ରମାନେ ସିଗାରେଟ ବା ଅନ୍ୟ ନିଶା ଖାଇପାରନ୍ତି ନାହିଁ ।

 

ଯୁଦ୍ଧର ଘଡ଼ିସନ୍ଧି ସମୟରେ ମଧ୍ୟ ଚୀନର ସଂସ୍କୃତି ବଢ଼ିବାରେ ଲାଗିଚି । ଚୀନର ସାଧାରଣ ଲୋକ ମଧ୍ୟ ଏଇ ସଂସ୍କୃତିଦ୍ୱାରା ପ୍ରଭାବାନ୍ୱିତ ହୋଇଚନ୍ତି । ଆଗେ ସହର ଭିତରେ ସବୁ ପାଠଶାଠ, ଜ୍ଞାନଚର୍ଚ୍ଚା ଆବଦ୍ଧ ହୋଇ ରହୁଥିଲା, ଏବେ ସେସବୁ ଦେଶର ଗାଁ ଗହଳରେ ଖେଳିଗଲାଣି । ଚୀନର ସଂସ୍କୃତିର ପୀଠମାନ-ଶିକ୍ଷାନୁଷ୍ଠାନ, ଲାଇବ୍ରେରୀ, ଯାଦୁଘର ଧ୍ୱଂସ କରିବା ଜାପାନର ଉଦ୍ଦେଶ୍ୟ ଥିଲା–ତଥାପି ସେଥିରେ ଚୀନମାନେ ଦବିଗଲେ ନାହିଁ । ଚୀନରେ ଅନେକ ଥିଏଟର ଦଳ ଅଛି । ସେଗୁଡ଼ିକ ଦେଶସାରା ବୁଲି ଲୋକମାନଙ୍କ ଭିତରେ ରାଜନୀତି ପ୍ରଚାର କରନ୍ତି ଓ ଉତ୍ସାହ ଭରିଦିଅନ୍ତି । ଗାଁ ଗାଁ ବୁଲି ଯୁଦ୍ଧ କଥା, ଆଉ ଅନେକ ଶିକ୍ଷାପ୍ରଦ କଥା, ଅଭିନୟ ଛଳରେ ଦେଖାଇବା ଏଇ ଥିଏଟର ଦଳମାନଙ୍କର କାମ । ଚୀନର ଲେଖକମାନେ ଦିନକୁ ଦିନ ନୂଆ ନୂଆ ବହି ଲେଖୁଚନ୍ତି–ଲୋକମାନଙ୍କର ସାଧାରଣ ଜୀବନ ବିଷୟରେ ଉପନ୍ୟାସ ସବୁ ବାହାରୁଚି–ଏଇଥିରୁ ଜଣାପଡ଼ୁଛି ଚୀନରେ ସାଧାରଣ ଲୋକଙ୍କର ଜୀବନ ସହିତ କଳାର କିପରି ଘନିଷ୍ଠ ସମ୍ପର୍କ ଅଛି ।

 

ଦେଶରେ ସଂସ୍କୃତିର ପ୍ରଚାର କରିବାକୁ ଛାତ୍ରମାନଙ୍କୁ ଶିକ୍ଷା ଦେବାକୁ ‘ଲୁଇଲୁ–ସୁନ’ ବୋଲି ଗୋଟିଏ ଅନୁଷ୍ଠାନ ୟେନେନ୍ ସହରରେ ଅଛି । ଏଇ ଅନୁଷ୍ଠାନର ଛାତ୍ରମାନେ ଖାଲି ପୋଥି ଘୋଷନ୍ତି ନାହିଁ, ଅନେକ ସମୟରେ ସେମାନେ ଗାଁ ଚାଷୀସହିତ କାମ କରନ୍ତି-ଦୁଇମାସ କାଳ ଚାଷୀମାନଙ୍କ ଘରେ ରହନ୍ତି, ସୈନ୍ୟମାନଙ୍କ ଭିତରେ ମଧ୍ୟ ସମୟ କଟାନ୍ତି । ତା ପରେ ଫେରିଆସି ବହିପତ୍ର ଲେଖନ୍ତି । ଲୋକେ ଯେମିତି ଲେଖାକୁ ଭଲ ପାଇବେ, ଆଦର କରିବେ, ସେଇଭଳି ବହି ଲେଖା ହୁଏ । ସବୁ ଡାକ୍ତରଖାନାକୁ ଲାଗି ଗୋଟିଏ ଲେଖାଏଁ ସଙ୍ଗୀତ ଓ ସଂସ୍କୃତି ସ୍କୁଲ ଅଛି । ସେଠାରେ ପିଲାମାନେ ଚିକିତ୍ସା ବିଷୟରେ, ଯୁଦ୍ଧ ବିଷୟରେ ଶିକ୍ଷା ପାଆନ୍ତି । ନିରକ୍ଷର ଲୋକମାନଙ୍କୁ ଅସଲ ଶିକ୍ଷା ଦିଆଯାଏ । ସଙ୍ଗୀତ ମାଷ୍ଟର ଜାତୀୟ ଗୀତସବୁ ଶିଖାନ୍ତି । ଗୀତ କେବଳ ଚୀନାଲୋକଙ୍କ ଭିତରେ ଯୁଦ୍ଧ କରିବାକୁ ଉତ୍ସାହ ଭରି ରଖିଥିଲା । ଯେଉଁଠି ଦେଖିବ ଚୀନର ଲୋକେ ଦଳ ଦଳ ହୋଇ ଜାତୀୟ ସଙ୍ଗୀତମାନ ଆନନ୍ଦରେ ଗାଉଥିବେ । ଗାଁରେ, ଧାନକିଆରୀରେ, ଯୁଦ୍ଧକ୍ଷେତ୍ରରେ, କାରଖାନାରେ ଏଇସବୁ ଗୀତ ଶୁଣିବାକୁ ମିଳେ । ଜାପାନୀ ବିରୁଦ୍ଧରେ ଶକ୍ତିସଂଗ୍ରହ କରିବାକୁ, ଦି’ଗୁଣ ଉତ୍ସାହରେ ଯୁଦ୍ଧ କ୍ଷେତ୍ରକୁ ଯିବାକୁ ଏଇ ଗୀତ ଚୀନ ଯୁବକକୁ ସାହାଯ୍ୟ କରିଥିଲା ।

 

ଚୀନଦେଶର ଶିକ୍ଷା ଓ ସଂସ୍କୃତି ବିଷୟରେ ପ୍ରଦର୍ଶନୀମାନ ହୁଏ । ସେଇ ପ୍ରଦର୍ଶନୀମାନଙ୍କରେ ଚୀନଦେଶର ସବୁ ଖବରକାଗଜ ଓ ପତ୍ରପତ୍ରିକା, ତିଦ୍ଦତ ଓ ପଶ୍ଚିମ ଚୀନର ଲୋକଙ୍କର ଜୀବନ ନିର୍ବାହ ବିଷୟକ ଫଟୋମାନ, ଚୀନର ଭଲ ଡ୍ରଇଂ ଆଉ ରଙ୍ଗିନ୍ ଚିତ୍ରମାନ, ଯୁଦ୍ଧକ୍ଷେତ୍ରରେ ଚୀନାମାନେ କେମିତି ଯୁଦ୍ଧ କରୁଥିଲେ ସେ ବିଷୟରେ ଭଲ ଭଲ ଫଟୋମାନ, ଖାଦ୍ୟ ବିଷୟରେ ହିସାବମାନ ଦେଖାହୁଏ । ଏଇସବୁଥିରୁ ଆମେ ଜାଣିପାରିବା ଚୀନର ଘରେ ଘରେ କେମିତି ନୂଆଭାବ ଖେଳୁଚି । ଚୀନର ଯୁବକମାନେ, ନାରୀମାନେ, ପିଲାମାନେ କିପରି ଦେଶରେ ଗୋଟାଏ ନୂଆଯୁଗ ଗଢ଼ିବେ, ସେଥିପାଇଁ ପ୍ରାଣପଣେ ଲାଗିଚନ୍ତି । ଯେଉଁ ଦେଶର ଲୋକ ଦେଶପାଇଁ ଏତେ କଥା କରୁଚନ୍ତି, ସେ ଦେଶକୁ ଆଗକୁ ମାଡ଼ି ଚାଲିବ ନାହିଁ ତ ଆଉ କେଉଁ ଦେଶ ଆଗକୁ ଚାଲିବ ?

 

ସୁନ-ୟାତ୍-ସେନ କହିଥିଲେ–‘‘ଦେଶରେ ଯାହା ଥିଲା ସେ ସବୁ ଧ୍ୱସଂ କରି ଆମେ ଆମର ଜାତୀୟ ବିପ୍ଳବର କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ–କିନ୍ତୁ ଆମେ ସେ ସବୁ ଧ୍ୱଂସ ଉପରେ ନୂଆ ନୂଆ କଥା ଗଢ଼ିବୁ ।’’ ନିଜର ଜାତି ଓ ଦେଶକୁ ଚୀନାମାନେ ଖୁବ୍ ଭଲ ପାଆନ୍ତି–ସେମାନେ ସେଥିପାଇଁ ଜୀବନ ଦେବାକୁ ତିଆର, ମାତ୍ର ଅନ୍ୟ ଦେଶ ଓ ଜାତିମାନଙ୍କୁ ସେମାନେ ଭାଇବନ୍ଧୁ ପରି ଦେଖନ୍ତି । ପରଦେଶ ଆକ୍ରମଣ କରିବା ଚୀନର ନୀତି ନୁହେଁ । ପୃଥିବୀର ସଂସ୍କୃତି ପ୍ରଧାନତଃ ଦୁଇପ୍ରକାର, ଗୋଟିଏ ଧର୍ମ ଓ ଅନ୍ଧବିଶ୍ୱାସ ଉପରେ ପ୍ରତିଷ୍ଠିତ-ତେଣୁ ତା’ଦ୍ୱାରା ଜାତି ଦୁର୍ବଳ ହୋଇ ପଡ଼େ । ଆଉ ଗୋଟିଏ ଜଡ଼ବାଦ ଉପରେ ପ୍ରତିଷ୍ଠିତ, ମନୁଷ୍ୟ ଜୀବନର ପ୍ରକୃତ ଉଦ୍ଦେଶ୍ୟ ସହିତ ଏହାର କୌଣସି ସମ୍ପର୍କ ନାହିଁ–ଏପରି ସଂସ୍କୃତି ମୂଳରେ ମଧ୍ୟ ଯୁଦ୍ଧ ଓ ଆକ୍ରମଣ ଲୁଚି ରହିଚି । ମାତ୍ର ଚୀନ ଦେଶର ସଂସ୍କୃତି ଏକ ତୃତୀୟ ପ୍ରକାରର-ଉପରର ଦୁଇଟି ପ୍ରକାର ସଂସ୍କୃତିରୁ ସାର ନେଇ ଏ ଗଢ଼ା । ବିଜ୍ଞାନର ସାହାଯ୍ୟ ନିଆଯାଇ ପୃଥିବୀରେ ଆଜି ଯେଉଁ ନୃଶଂସ ହତ୍ୟାକାଣ୍ଡ ଓ ରକ୍ତପାତ ହେଉଚି, ଏ ସଂସ୍କୃତି ତାର ବିରୁଦ୍ଧରେ । ସମସ୍ତ ମନୁଷ୍ୟ ସମାଜର ମଙ୍ଗଳ ଓ ସାର୍ବଜନୀନ ଭ୍ରାତୃପ୍ରେମ ହେଉଚି ଏ ସଂସ୍କୃତିର ମୂଳନୀତି । ଚୀନ ଏଇ ସଂସ୍କୃତିର ଆଦର୍ଶ ପୃଥିବୀକୁ ଦେଖାଉଚି-

 

ସାମ୍ୟବାଦର ପ୍ରଧାନ ମନୀଷୀ କାର୍ଲମାର୍କସ ଅନୁମାନ କରିଥିଲେ ଯେ ଜର୍ମାନୀରେ ପ୍ରଥମେ ସାମ୍ୟବାଦ ଆସିବ । କିନ୍ତୁ ମରହଟ୍ଟୀ ଦେଶ ୠଷିଆରେ ହିଁ ପ୍ରଥମେ ତା’ର ଆସ୍ଥାନ ମଡ଼ାହେଲା । ତା’ପରେ ଏ ସୁଅ କୁଆଡ଼କୁ ମୋହିଁବ ସେ ବିଷୟରେ ପଣ୍ଡିତ ମହଲରେ ଖୁବ୍ ଅନ୍ଦାଜ ଅନୁମାନ ଚାଲିଥିଲା । କିନ୍ତୁ ସବୁ ଅନୁମାନକୁ ଡେଇଁପଡ଼ି ଚୀନରେ ବର୍ତ୍ତମାନ ସେହି ସାମ୍ୟବାଦର ପ୍ରତିଷ୍ଠା ହେବାକୁ ଯାଉଚି । ବାରବର୍ଷ ହେଲା ଚୀନରେ ଦୁର୍ଭିକ୍ଷ ଲାଗିଛି, ଖାଇବା ଜିନିଷ ନ ପାଇ ଗାଁ ଗଣ୍ଡା ଲୋକେ ଗଛ ବଳକ ଖାଇ ଯାଉଛନ୍ତି । ଖଣ୍ଡେ ଚିଠି ପଠାଇବାକୁ ସେ ଦେଶରେ ହଜାର ହଜାର ଟଙ୍କା ଲାଗୁଛି । ଜାତୀୟତା ନାଁ’ରେ ଜାତିର ଶାସକ ଆମେରିକାର ଫୁଜି କବଳରେ ପଡ଼ି ଟଳମଳ ହେଉଚନ୍ତି । ଏ କଥା ଚୀନର ମଣିଷ ଅନେକ ଦିନରୁ ବୁଝିଥିଲା । କିନ୍ତୁ ଜାପାନ ସହିତ ସ୍ୱାଧୀନତା ଲାଗି ସେତେବେଳେ ଯୁଦ୍ଧ ଲାଗିଥିବାରୁ ଗଣନେତାମାନେ ନିଷ୍ଠାପର ଭାବରେ କୁମିନ୍‌ଟାଙ୍ଗ ବା ସରକାରୀ ଦଳସହିତ ମିଶି ପ୍ରାଣପଣେ ଲଢ଼େଇ କରିଥିଲେ । କିନ୍ତୁ ଜାପାନ ପରାସ୍ତ ହୋଇଗଲା ପରେ ସେ ଦେଶରେ ଗଣସଂଗ୍ରାମ ଜୋରସୋରରେ ଆରମ୍ଭ ହୋଇଯାଇଛି । ତୋଖଡ଼ କୃଷକନେତା ମାଓ-ସି-ତୁଇଙ୍କର ନେତୃତ୍ୱରେ ଚୀନର ଗଣବାହିନୀ ବର୍ତ୍ତମାନ ହୁ ହୁ ହୋଇ ଆପଣାର ଶାସନ କାଏମ୍ କରି ଚାଲିଛି । ଏହି ମୁକ୍ତିସେନା ଯେଉଁଠାରେ ପହଞ୍ଚୁଛନ୍ତି, ସେଠାକାର ଜନତା ସେମାନଙ୍କୁ ସମସ୍ତ ସାହାଯ୍ୟ ଦେଇ ବରଣ କରି ଆଣୁଛନ୍ତି । ମାଠ-ସି-ତୁଙ୍ଗ୍‍ଙ୍କୁ ଚୀନର ଚାଷୀମାନେ ମହାତ୍ମା ଗାନ୍ଧୀଙ୍କ ଭଳି ମାନନ୍ତି । ବାହାରେ ସେ ଚୀନର ଲେନିନ୍ ବୋଲି ପରିଚିତ । ଜାତୀୟତା ନାମରେ ନାନାଦେଶରେ ଏ ଯୁଗରେ ଯେଉଁ ଅତ୍ୟାଚାର ଶାସନର ବଡ଼ଲୋକୀ ଆଡ଼ମ୍ୱର ଚାଲିଛି, ଚୀନର ଦରିଦ୍ର ଉପାସୀ ଜନତା ତା’ର ପ୍ରଥମ ଜବାବ ଦେଇଛି । ଚୀନ ଲେଖକ ଲିନ୍-ୟୁ-ଟାଙ୍ଗ୍ ଗୋଟାଏ ଯାଗାରେ ଲେଖିଛନ୍ତି ଯେ ଗୁଡ଼ାଏ ଗିଳି ଗୁଡ଼ାଏ ହଗିବା ଓ ଗୁଡ଼ାଏ ପିଲା ଜନ୍ମ କରିବା ବଦଳାଇ ପାରେ, ସବୁପ୍ରକାର ଜାତୀୟତାର ଅଳସ ମୋହଜାଲ ଛିଡ଼ାଇ ସେ ଯେ ମଣିଷପରି ଲଢ଼େଇ କରି ପାରେ, ଏ ବିଷୟରେ ତା’ଠାରୁ ସୁଯୋଗ୍ୟ ପ୍ରମାଣ ଆଜି ମିଳିଛି । ଯଥାର୍ଥରେ ଚୀନ ଏସିଆର ଆଲୋକ । ଚୀନର ସ୍ୱାଧୀନତା ଆନ୍ଦୋଳନ ଭାରତର ନେତାମାନଙ୍କୁ ଦିନେ ଆପଣା ଦେଶର ସ୍ୱାଧୀନତା ଲାଗି ବ୍ୟାକୁଳ କରାଇ ପାରିଥିଲା । ସେହି ଚୀନ ପୁଣି ସମଗ୍ର ଏସିଆକୁ ଯୁଗ ବିକାଶର ଦ୍ୱିତୀୟ ସୋପାନଟି ଦେଖାଇ ଦେଇ ପାରିଛି ।

 

(ଗ) ଛୋଟିଆ ଦେଶ ଡେନମାର୍କ

 

ୟୁରୋପରେ ଜର୍ମାନୀ ଉପରକୁ ଟିକିଏ ବୋଲି ଦେଶ ଡେନମାର୍କ । କୋତୋଟି ଦ୍ୱୀପର ସମଷ୍ଟି ଛଡ଼ା ମାନଚିତ୍ରରେ ଆଉ ଅଧିକ କିଛି ଦେଖାଯାଏ ନାହିଁ । ଦୁଇ ଦୁଇଟା ମହାଯୁଦ୍ଧର ଝଡ଼ ଏହି ଛୋଟିଆ ଦେଶଟି ଉପରେ ବହିଯାଇଛି । ତଥାପି ନାମ ବା ଖ୍ୟାତିର ଡୁଙ୍ଗୁରା ନ ବଜାଇ ଅତି ନୀରବ ଭାବରେ ସେ ଦେଶରେ କିପରି ଯେ ରାମରାଜ୍ୟର ସ୍ୱପ୍ନ ସଫଳ ହୋଇ ଚାଲିଛି, ସେଇ କଥା ଜାଣିଲେ ପ୍ରକୃତରେ ବଡ଼ ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ଦେଢ଼ଶହ ବର୍ଷ ତଳେ ଡେନମାର୍କରେ ଅନ୍ଧାରୀ ରାଜତ୍ୱ ଚାଲୁଥିଲା । ରାଜା ଓ ସାଆନ୍ତମାନେ ଚାଷସର୍ତ୍ତର ନାନା ଜଞ୍ଜିରରେ ଦେଶର ମଣିଷକୁ ଛନ୍ଦି ରଖିଥିଲେ । ନା ଥିଲା ହାତରେ ଜୋର ନା ମନରେ ପାଠ । କେବଳ ସେତିକି ନୁହେଁ, ସମାଜର ନାନା ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଭିତରେ ବୁଡ଼ିରହି ଦେଶର ଲୋକେ ଆପଣାର ସବୁ ସମ୍ମାନ ହରାଇ ବସିଥିଲେ । ମଣିଷ ଇଚ୍ଛା କଲେ ଅଣ୍ଟା ଭିଡ଼ିଲେ ଯେ ତା’ର ଭାଗ୍ୟ ସେ ନିଜେ ବଦଳାଇ ପାରିବ, ଏକଥା ହୁଏ ତ ଡେନମାର୍କର ବାଉଳା ଚାଷୀ ସେଦିନ ସ୍ୱପ୍ନରେ ସୁଦ୍ଧା ଭାବିପାରୁ ନଥିଲା ।

 

ଦେଶର ଏଇ ଦୁର୍ଦ୍ଦିନ ବେଳେ ଯୁଗ ଉଦ୍ଧାର କରିବା ମହାପୁରୁଷଙ୍କ ପରି ଡେନମାର୍କରେ କବି ଗ୍ରନ୍ତ୍‍ଫିଗ୍ (Grundtvig)ଙ୍କର ଆବିର୍ଭାବ ହେଲା । ସେହି ହେଉଛନ୍ତି ନୂତନ ଡେନମାର୍କର ଜନ୍ମଦାତା । ସେ ପିଲାଦିନୁ ସାହିତ୍ୟ, ବିଶେଷତଃ କବିତା ପ୍ରତି ଅତି ଆକୃଷ୍ଟ ହୋଇ ପଡ଼ିଥିଲେ ଓ କବି ହିସାବରେ ମଧ୍ୟ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । କିନ୍ତୁ କବିର ଦୃଷ୍ଟି ସେତିକିରେ ବୋଧ ହୋଇ ପାରିଲା ନାହିଁ । ଜାତୀୟ ଜୀବନର ଆହୁରି ଗଭୀରକୁ ଯାଇ ସେ ଦେଖିଲେ ଯେ ଡେନମାର୍କର ମନରେ ଯୁଗଯୁଗର ବଦ୍ଧ ମଇଳା ଓ ଆବର୍ଜନାମାନ ବୋଳ ବାନ୍ଧି ରହିଛି, ସେହିସବୁ ଆବର୍ଜନା ଦେଶର ଅନୁଭୂତି ଉପରେ ଜହର ଭଳି କାମ କରିଛି । ଅବଶ ମୁଗ୍ଧଭାବରେ ପଡ଼ିରହି ଲୋକମାନେ କୌଣସି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ନୁହନ୍ତି । ଦେଶରେ ଯେ କୌଣସି ଭଲ ଜିନିଷର ବିତରଣ କରିବାକୁ ହେଲେ ସେଇ ତିମିର ତଳୁ ସେମାନଙ୍କୁ ଆଘାତ ଦେଇ ଉଦ୍ଧାର କରିବାକୁ ହେବ-। ତାହା ହୋଇ ନ ପାରିଲା ଯାଏ ତାଙ୍କର ଉଚ୍ଚ ଭବନର କବିତାମାନ କେହି ବୁଝିବେ ନାହିଁ, ଅମୁହାଁ ଦୁର୍ଗର ମୋଟା ପାଚେରୀର ଏ ପାଖରୁ ସବୁ ଲେଉଟି ଆସିବ ।

 

ଏହି ନୂଆ ବ୍ରତର ଶପଥ ନେଇ ଗ୍ରନ୍ତ୍‍ଫିଗ୍ ନୂଆ ସାଧନାପଥକୁ ଓହ୍ଲାଇ ଆସିଲେ । ସହର ଛାଡ଼ି ସେ ଗାଁକୁ ଗଲେ । ସାଧାରଣ ମଣିଷଙ୍କର ଯାବତୀୟ ଜୀବନଯାତ୍ରାରେ ମିଳିମିଶି ସେ ଦେଶସାରା ଘୂରି ବୁଲିଲେ । ଲୋକଙ୍କର ଜୀବନ ସହିତ ଘନିଷ୍ଠ ସମ୍ପର୍କ ରଖୁଥିବା ଭଳି କବିତାମାନ ରଚନା କଲେ, ସେଇ ଗାଁରେ ଲୋକେ ତାକୁ ଗାଇଲେ ଓ ସେଇଥିରୁ ପ୍ରେରଣା ପାଇଲେ । କେତେକ ବର୍ଷ ତଳେ ଗ୍ରନ୍ତ୍‍ଫିଗ୍‌ଙ୍କର ସଙ୍ଗୀତରେ ସମସ୍ତ ଡେନମାର୍କ ପ୍ରାଣବନ୍ତ ହୋଇ ଉଠିଲା । ପୂର୍ବପୁରୁଷଙ୍କର ଗୌରବ କଥା ଜାଣିବା ସଙ୍ଗେ ସଙ୍ଗେ ଆପଣା ଭିତରେ ଥିବା ସାରଶକ୍ତିର ସମ୍ଭାବନାରେ ଭରପୂର ହୋଇଥିବା ସଙ୍ଗୀତମାନ ଗାଉ ଗାଉ ଗାଁ ଗହଳର ଲୋକେ ଏକ ନୂତନ ବିପ୍ଳବ ଲାଗି ପ୍ରସ୍ତୁତ ହୋଇଗଲେ, ଏ ବିପ୍ଳବରେ କୌଣସି ରକ୍ତପାତ ହେଲା ନାହିଁ, ରାଜା ଯେମିତି ଥିଲେ ସେମିତି ରହିଲେ, କିନ୍ତୁ ସାମାଜିକ ସମସ୍ତ ସମ୍ପର୍କ ବଦଳିଗଲା, ମଣିଷର ସମ୍ମାନବୋଧ ଫେରିଆସିଲା, ଡେନମାର୍କର ଭାଗ୍ୟ ନୂଆ କରି ଗଢ଼ାଗଲା । ଶିକ୍ଷା, କୃଷି ଓ ସାମାଜିକ ଗଠନରେ ତୁମୂଳ ପରିବର୍ତ୍ତନ କରାଯାଇ ନୂଆ ଡେନମାର୍କର ମୂଳଦୁଆ ପଡ଼ିଲା ।

 

ଗ୍ରନ୍ତ୍‍ଫିଗ୍‌ଙ୍କର ଉଦ୍ୟମ ହୋଇ ଡେନମାର୍କର ଗୋଟାଏ ଗାଆଁରେ ପ୍ରଥମ ଗଣବିଦ୍ୟାଳୟ (Folk High School) ବସିଲା । ଆଗରୁ ଶିକ୍ଷାଠାରୁ ଜୀବନନିର୍ବାହ ଅଲଗା ହୋଇ ଯାଇଥିଲା, ତେଣୁ ଚାଷୀକୂଳ ପ୍ରତି ସାଧାରଣ ଶିକ୍ଷିତମାନଙ୍କର ଗୋଟାଏ ସ୍ୱାଭାବିକ ହେୟଜ୍ଞାନ ଆସି ଯାଇଥିଲା । କିନ୍ତୁ ଏହି ନୂତନ ବିଦ୍ୟାଳୟର ପ୍ରଥମ ନିୟମ ହେଲା ଯେ କୃଷି ଦେଶର ଶିକ୍ଷାରେ ପ୍ରଧାନ ଅଙ୍ଗ ହୋଇ ରହିବ । ଦେଶର ସବୁ ପିଲା ଚାଷକାମ କରି ଶିଖିବେ ଓ ପିଲାଟି ଦିନରୁ ଦେଶର ଉତ୍ପାଦନରେ ସହଯୋଗ କରିବେ । ଆମ ଦେଶରେ ବଡ଼ ବଡ଼ ଲୋକଙ୍କ ପିଲାମାନେ ସାଧାରଣ ସ୍କୁଲ କଲେଜରେ ପଢ଼ନ୍ତି ନାହିଁ । ଯାହାର ଅନେକ ବେଶୀ ପଇସା ଥାଏ, ସେ ପିଲାକୁ ଦିଲ୍ଲୀ ବା ବମ୍ବେ ପଠାଇ ସେଇଠୁ ଖଡ଼ୀଛୁଆଁ ଆରମ୍ଭ କରେ । ଆମ ଦେଶରେ ଅନେକ ସମ୍ପତ୍ତିବାଲାଙ୍କର ପୁଅଝିଅ ବିଲାତ ଯାଇ ମାଟ୍ରିକ୍‌ ପଢ଼ନ୍ତି । ଏହା ଫଳରେ ପିଲାଦିନରେ ଦେଶରେ କିଶୋର ଭିତରେ ନାନା ଦୂର ବ୍ୟବଧାନମାନ ସୃଷ୍ଟି କରାଯାଏ, ସେମାନଙ୍କର ମନୋଭାବକୁ ଭିନ୍ନ ଭିନ୍ନ କରି ଦିଆଯାଏ । ସେହି ହେତୁରୁ ଦେଶଲାଗି କୌଣସି ସମୂହ କାର୍ଯ୍ୟ କରିବାକୁ ଗଲାବେଳେ ଏଥିରେ ସମସ୍ତ ନିଷ୍ଠାପର ସହଯୋଗ ସମ୍ଭବ ହୋଇପାରେ ନାହିଁ । ପିଆଦାଠାରୁ ହାକିମଯାଏ ନାନା ପାହାଚ ପଡ଼ି ସବୁ କାମ, ସବୁ ନିର୍ମାଣରେ ଏ ଦେଶରେ ନାଲିଫିତାର ରାଜତ୍ୱ ଚଳେ । ଆମେରିକାରୁ ପାସ୍ କରି ଆସିଥିବା ବଡ଼ ବଡ଼ ପଢ଼ୁଆମାନେ ଏ ଦେଶରେ ମାଟି ସଜାଡ଼ିବା ଲାଗି ହାକିମର ଚୁମୁଟା ଧରି ଆସନ୍ତି । କିନ୍ତୁ ଡେନମାର୍କରେ ଏପରି ଅପ୍ରାକୃତିକ ବ୍ୟବଧାନ ରଖିବାର କୌଣସି ଅବକାଶ ନାହିଁ । ରାଜା, ସାଆନ୍ତ, ସାଧାରଣ ଚାଷୀ, ଜଣେ ପିଲାର ଯାହାର ପୁଅ ହୋଇଥାଉ ପଛକେ ତାକୁ ପହିଲେ ଏହି ଗଣ ବିଦ୍ୟାଳୟରେ ପାଠ ଶେଷ କରିବାକୁ ହେବ । ତା’ପରେ ତା’ଠାରେ ବିଶେଷ ଯୋଗ୍ୟତା ଥିଲେ ହୁଏତ ତାକୁ ଅନ୍ୟ ଆଡ଼କୁ ପଠାଯାଇ ପାରିବ । ଜାତୀୟ ଜୀବନର ମୂଳଟିକୁ ଏହିପରି ଭାବେ ସୁନିୟନ୍ତ୍ରଣରେ ରଖିଥିବା ହେତୁ ସେ ଦେଶରେ ଭଦ୍ରଲୋକ ଶିଖିମନାଇଙ୍କର ସ୍ଥାନ ନାହିଁ,- ସଂସାରର ଲୋଭ ମୋହ ଜାଣିବା ଆଗରୁ ସେ ଦେଶର ପିଲା ପ୍ରଥମେ ଆପଣାକୁ ସଭିଙ୍କର ସମାନ ବୋଲି ଜାଣିବାକୁ ଶିଖୁଛି ।

 

ରେଳଗାଡ଼ିରେ ମଧ୍ୟ ଠିକ ସେହି କଥା । ସେ ଦେଶରେ ପଇସା ଦେଇ ଉଚ୍ଚ ଶ୍ରେଣୀରେ ସଫର କରିବାର ଆରାମ ମିଳିପାରିବ ନାହିଁ । କେବଳ ସରକାରୀ କର୍ମଚାରୀମାନଙ୍କ ଲାଗି ନିର୍ଦ୍ଦିଷ୍ଟ ଥିବା କେତୋଟି ଡବା ଛଡ଼ା ସେ ଦେଶର ସମସ୍ତଙ୍କ ଲାଗି ରେଳଗାଡ଼ିରେ ଗୋଟିଏ ଶ୍ରେଣୀ ରହିଛି । ସେ ଶ୍ରେଣୀର ନାମ ହେଉଛି ସାଧାରଣ ଶ୍ରେଣୀ (Folke class) ।

 

ଇଉରୋପରେ ସବୁ ଦେଶରେ ବର୍ତ୍ତମାନ ବଡ଼ ବଡ଼ ଶିଳ୍ପ ଓ କାରଖାନାର ଆଡ଼ମ୍ୱର ଚାଲିଛି । ବଜାରରେ ନାନା ଯନ୍ତ୍ରପାତିର ପ୍ରତିଦ୍ୱନ୍ଦିତା ଇଉରୋପକୁ ସବୁବେଳେ ତତ୍ପର ଓ ଚଞ୍ଚଳ କରି ରଖିଛି । ଏଇ ଯନ୍ତ୍ରପାତି ଓ କାରଖାନାର ମୋହରେ ପଡ଼ି ସେଇ ଭୂଇଁରେ ଦୁଇଟା ମହାଯୁଦ୍ଧ ହୋଇ ଗଲାଣି, ତଥାପି ପୁଣି ଗୋଟାଏ ଅତିବଡ଼ ଯୁଦ୍ଧ ଲାଗି ସେ ଦେଶର ବୈଜ୍ଞାନିକମାନଙ୍କୁ ବର୍ତ୍ତମାନ ଗୋରୁଖଟା କରା ହେଉଛି । ଯନ୍ତ୍ର ପ୍ରଧାନ ଏହି ଇଉରୋପ ମହାଦେଶରେ କୃଷିପ୍ରଧାନ ଡେନମାର୍କ ଯେପରି ଏକ ବିସ୍ମୟର ବସ୍ତୁ ହୋଇ ରହିଛି । ଦୁଇ ଦୁଇଟା ମହାଯୁଦ୍ଧ ତା’ର କୃଷି ଓ ସମାଜ-ବ୍ୟବସ୍ଥାକୁ କୌଣସି ମତେ ଖୁଣ କରି ପାରି ନାହିଁ । ଅସ୍ତ୍ରମୁଖର ୟୁରୋପ ଓ ଯନ୍ତ୍ର ଜଞ୍ଜାଳର ଯୁଗରେ କୃଷିପ୍ରଧାନ ଡେନମାର୍କର ଶାନ୍ତିପୂର୍ଣ୍ଣ ସଭ୍ୟତା ଯେପରି ଏକ ଶକ୍ତିଶାଳୀ ଆହ୍ୱାନ ଭାବେ ବିଦ୍ୟମାନ ରହିଛି । ଡେନମାର୍କର କୃଷିକାର୍ଯ୍ୟ ସମବାୟ ସୂତ୍ରରେ ଚଳେ । ଋଷିଆର କୋଠଚାଷ ବ୍ୟବସ୍ଥା ସହିତ ଏହାର ତୁଳନା କରାଯାଇ ପାରେ । କିନ୍ତୁ ଋଷିଆର ଚାଷଆବାଦ ଉପରେ ଯେପରି କମ୍ୟୁନିଷ୍ଟ ସରକାରଙ୍କର କେତେ ରକମର କାଇଦା କଟକଣା ରହିଛି, ଡେନ୍‌ମାର୍କରେ ସେପରି କିଛି ନାହିଁ । କେତୋଟି ଗାଁ ମିଳି ଏକାଠି ଚାଷକରନ୍ତି ଓ ସେଇ ଚାଷରୁ ମଧ୍ୟ ନାନାପ୍ରକାର ଛୋଟିଆ ଶିଳ୍ପ ବ୍ୟବସାୟ ଭିଆଇ ଅନେକ ଧନ ଉପାର୍ଜନ କରନ୍ତି । ସେଇ ଧନରେ ଅଞ୍ଚଳର ଶିକ୍ଷା ଚଳେ, ଗାଁ ଗହଳରେ ଔଷଧ ଯୋଗାଇ ଦିଆହୁଏ ଓ ଆହୁରି ଅନେକପ୍ରକାର କଲ୍ୟାଣକର କାର୍ଯ୍ୟମାନ ହୁଏ ।

 

ଆଗରୁ କୁହାଯାଇଛି ଡେନମାର୍କରେ ବଡ଼ ବଡ଼ ଯନ୍ତ୍ରପାତି ବା କଳକାରଖାନା ନାହିଁ । ଗୋରୁ ହେଉଛି ଏ ଦେଶର ପ୍ରଧାନ ସମ୍ପଦ । ଗୋରୁର ଯତ୍ନନେବା ବିଷୟରେ ଡେନମାର୍କର ଚାଷୀ ସବୁଠାରୁ ଆଗୁଆ । ଡେନମାର୍କ ଚାଷୀ ସମବାୟ ସୂତ୍ରରେ ଯେଉଁ ଲହୁଣୀ, ଛେନା ପ୍ରଭୃତି ଜିନିଷ ଉପୁଜାଏ, ପୃଥିବୀର ବଜାରରେ ତା’ରି କାଟତି ସବୁଠାରୁ ବେଶୀ । କେବଳ ଗୋରୁ ଉପରେ ନିର୍ଭର କରି ଗୋଟାଏ ଦେଶ ଯେ ଚଳିପାରୁଛି, ବିଶେଷ କରି ୟୁରୋପର ହତିଆର ଫୋପଡ଼ା-ଫୋପାଡ଼ିରେ ନିଜକୁ ସ୍ୱାଧୀନ ରଖିପାରିଛି, ଏହାହିଁ ଡେନମାର୍କର ଜାତୀୟ ଜୀବନରେ ସବୁଠାରୁ ବିସ୍ମୟକର କଥା ।

 

ଡେନମାର୍କର ସାହିତ୍ୟ ମଧ୍ୟ ସେ ଦେଶ ଲୋକଙ୍କ ପରି ସରଳ ଓ ସୁନ୍ଦର । ଆଧୁନିକ ସାହିତ୍ୟର ଯେଉଁ ଧୂଆଁ ପୃଥିବୀର ପ୍ରାୟ ସବୁ ଦେଶରେ ବର୍ତ୍ତମାନ ଦେଖିବାକୁ ମିଳୁଛି, ତା’ର ସବୁଠାରୁ ବଡ଼ ଗୋଟାଏ ଅବିଗୁଣ ହେଉଛି ଯେ ଦେଶର ମଣିଷ ଓ ସାଧାରଣ ଜୀବନଠାରୁ ଏହା ଅଧିକରୁ ଅଧିକ ଦୂରଛଡ଼ା ହୋଇ ଚାଲିଯାଉଛି । ଆମ ସାମାଜିକ ଜୀବନରେ ପଶିଥିବା ନାନାପ୍ରକାର କୁଟିଳ ଓ ଅପ୍ରାକୃତିକ ଉପାଦାନ ହିଁ ଏହାର ଏକମାତ୍ର କାରଣ । ତେଣୁ ଭାଷାର ଆଡ଼ମ୍ୱରରେ ଯେତେ ନାଗରା ବଜେଇଲେ ମଧ୍ୟ ଆଧୁନିକ ସାହିତ୍ୟ କୋଠା ଉପରେ ଜହ୍ନପରି ଦୂରର ସାମଗ୍ରୀ ହୋଇ ରହିଛି । କିନ୍ତୁ ଡେନମାର୍କ ତାର ଜୀବନରୁ ସମସ୍ତ ଅପ୍ରାକୃତିକତା ଦୂର କରି ଦେଇଛି । ସମାଜର ସମସ୍ତ ପ୍ରକାରର ମୌଳିକ ବ୍ୟବଧାନ ଦୂର ହୋଇଛି, ମାଟିର ମଣିଷ ସେଠି ଦେଶ ମାଟିର ସାର ନେଇ ଫୁଲ ଫୁଟିଲା ପରି ସ୍ୱାଭାବିକ ଭାବରେ ତିଆରି ହେଉଛି । ତେଣୁ ସେ ଦେଶର ମଧ୍ୟ ସେହି ବିଶେଷତ୍ୱ ଯଥେଷ୍ଟ ପରିମାଣରେ ରହିଛି। ଯେପରି କବିର ଭାବନା ଭିତର ଦେଇ କେହି ଜଣେ ଅନନ୍ତ ଶିଶୁ ତା’ର ସରଳ ସିଧା କଥାଗୁଡ଼ାକ ଅତି ମଧୁର ଭାବରେ କହି ଚାଲିଛି । ଅନ୍ୟ ଦେଶର ଆଧୁନିକ ସାହିତ୍ୟ ପରି ମୁଣ୍ଡପଟୁ ହାତ ବୁଲେଇ ନାକକୁ ଦେଖାଇବାର ଅତିଭକ୍ତି ସେ ସାହିତ୍ୟରେ ନାହିଁ । ଦେଶର ପୁରାଣ କଥା, ଦେଶର ଗାଉଁଲୀ ଗୀତ ଓ ପ୍ରବାଦମାନଙ୍କୁ ନେଇ ସେ ଦେଶର କବି ଓ ଲେଖକମାନେ ନୂଆ ନୂଆ ସାହିତ୍ୟ ଲେଖୁଛନ୍ତି । ସାହିତ୍ୟ ସହିତ ଲୋକଜୀବନର ସମ୍ପର୍କ ସବୁବେଳେ ଅବିଚ୍ଛିନ୍ନ ରହିଛି ।

 

ପୃଥିବୀ ଆଜି ପୁଣି ମହାଯୁଦ୍ଧ ଲାଗି ସଜହୋଇ ବସିଲାଣି । ରାଜନୀତିର ପଶାଖେଳରେ ବଡ଼ ବଡ଼ ପଶାଖୋରମାନେ ପୁଣି ମଣିଷ ମାରିବାର ଦାନବ-ସ୍ୱପ୍ନ ଦେଖିଲେଣି । ନାନା ପ୍ରକାର ଭଲେଇ ଯୁକ୍ତି ଦେଖାହୋଇ ସମସ୍ତେ ଲଢ଼େଇ ଲାଗି ତିଆରି ହେଉଛନ୍ତି । ଯୁଦ୍ଧ ବନ୍ଦ କରିବାଲାଗି ଆମେରିକା କୋଟି କୋଟି ଟଙ୍କା କରଜ ଦେଇ ୟୁରୋପସାରା ଅସ୍ତ୍ରଛାଉଣୀ ବସେଇ ଦେଉଛି । ସୈନ୍ୟବଳ ବଢ଼ାଇବା ଲାଗି ଋଷିଆ ଏବର୍ଷ ଅଶୀହଜାର କୋଟି ଖରଚ କରୁଛି । କେତେ ମଥାର ବୁଦ୍ଧି କେତେ ଟଙ୍କା ସରା ହୋଇ କେତେ ପାଞ୍ଚ ପାଞ୍ଚୁଛି, କିପରି ଗୋଟାଏ ଦେଶ ଆଉ ଗୋଟାଏ ଦେଶକୁ ସହଜରେ ସମୂଳେ ମାରି ପାରିବ । ତଥାପି ଶାନ୍ତିସମ୍ମିଳନୀର ଅଭିନୟ ଚାଲିଛି । ସରକାରୀ ସାହାଯ୍ୟରେ ଦେଶର ନିରାମିଷ ଲୋକମାନେ ଗୋଟାଏ ଗୋଟାଏ ଶାନ୍ତିସଭା କରି ମାଳା ଜପିବାରେ ଲାଗିଛନ୍ତି ।

 

କିନ୍ତୁ ବୋମା ମାଡ଼ରେ ଶାନ୍ତି ଆସିବ ନାହିଁ, କି ସଭା ମଣ୍ଡାଇଲେ ଶାନ୍ତି ଆସିବ ନାହିଁ । ଦେଶର ପିଲାଙ୍କୁ ପିଲାଦିନରୁ ଉଚିତ ଶିକ୍ଷା ନ ଦେଲେ ତାଙ୍କର ମତି କୌଣସି ପ୍ରକାରେ ଯୁଦ୍ଧରୁ ଲେଉଟାଇ ହେବ ନାହିଁ । ଏଣେ ଟ୍ୟାଙ୍କ କାରଖାନାରେ କାମ ଶିଖି ବା ପରମାଣୁ ବୋମାରେ ଆୟୁଷ ଖରଚ କରି କେହି କଦାପି ଶାନ୍ତି ଲାଗି କାମ କରିପାରିବ ନାହିଁ । ଇଂଲଣ୍ଡ କହ, ଆମେରିକା କହ, ଋଷିଆ କହ ସବୁଦେଶ ଆଜି ବାହାରେ ଶାନ୍ତି ଓ ଶୃଙ୍ଖଳାର ଢୋଲ ପିଟୁଛି କିନ୍ତୁ ଆପଣା ଅନ୍ତ ଭିତରେ ଯୁଗଖିଆ ମୂଷାକୁ ନେଇ ଆଶ୍ରୟ ଦେଇ ରଖିଛି । ସେଦେଶର ପାଠ, ସେ ଦେଶର ଆଡ଼ମ୍ୱର ଆୟୋଜନସବୁ ସେ ଦେଶର ପିଲାଙ୍କୁ ଯୁଦ୍ଧାମୁହାଁ କରି ରଖିଛି ।

 

କିନ୍ତୁ ଛୋଟିଆ ଦେଶ ଡେନମାର୍କ ଏ ଦିଗରେ ଯାହା କରିଛି, ତାହାଦ୍ୱାରା ସେ ବଡ଼ ବଡ଼ ଦେଶଙ୍କର ମୁହଁରେ କାଳି ବୋଳି ଦେଇଛି । ଡେନମାର୍କ ବୁଝିଛି ଯେ ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ପ୍ରଥମେ ଆପଣା ଦେଶର ପିଲାଙ୍କୁ ଶାନ୍ତିଲାଗି ତାଲିମ୍ କରିବାକୁ ହେବ । ବିଦ୍ୟାଳୟରୁ ହିଁ ତା’ର ଶାନ୍ତିର ସାଧନା ସେ ଆରମ୍ଭ କରିଛି । ସେ ଦେଶର ପିଲାଙ୍କ ମନରେ ଜାତୀୟ ଅଭିମାନ ନାହିଁ । ନିଜ ଦେଶ ଓ ନିଜ ଜାତିକୁ ଅନ୍ୟମାନଙ୍କଠାରୁ ବଡ଼ ବୋଲି ଢମ ଦେଖାଇ ପିଲାଙ୍କ ମନ ଭିତରେ ବାଦ ଈର୍ଷାର ପୋକ ପୂରାଇବା ନୀତି ଡେନମାର୍କରେ ଦେଖିବାକୁ ମିଳିବ ନାହିଁ । ନିଜକୁ ଦିନହୀନ ଭାବେ ସଂକୀର୍ଣ୍ଣ କରି ତିଆରି କରିବା ଆଗରୁ ସେଠି ମଣିଷ ହିସାବରେ ତିଆରି ହେବାର ଶିକ୍ଷା ଦିଆଯାଉଛି । ଏ ଦେଶର ଓଡ଼ିଆ, ବଙ୍ଗାଳି ଓ ବିହାରୀ ମାର୍କା ସଂସ୍କୃତି ଧ୍ୱଜୀଙ୍କର ଡେନମାର୍କରୁ ଅନେକ ଶିଖିବାର ଅଛି । ଆଗରୁ ଯେଉଁ ଗଣବିଦ୍ୟାଳୟ କଥା କୁହାଯାଇଛି, ସେଇ ବିଦ୍ୟାଳୟ ଗୁଡ଼ିକରେ ପ୍ରତ୍ୟେକଟିର ସାମନାରେ ନୀତିବାକ୍ୟପରି ତଳ ଧାଡ଼ିଟି ଲେଖା ହୋଇ ରହିଛି,-‘‘ମୁଁ ମଣିଷ ଓ ମଣିଷର ଗୌରବ ବଢ଼ାଉଥିବା କୌଣସି ଜିନିଷକୁ ମୁଁ ହତାଦାର କରିବି ନାହିଁ ।’’ ଡେନମାର୍କରେ ଏହି ମଣିଷ ହେବାର ପବିତ୍ର ଓ ସରଳ ଶିକ୍ଷା ଦିଆଯାଉଛି । ଗାଁ ସ୍କୁଲଘରେ ଡେନମାର୍କର କଞ୍ଚା ପିଲା ମୂଳରୁ ମହାପୃଥିବୀର ଶୁଦ୍ଧ ନାଗରିକ ହିସାବରେ ତିଆରି ହେଉଛି । ପିଲାଦିନୁ ସାଧୁ ପରିଶ୍ରମ ଓ ଉଦାର ଜ୍ଞାନର ସୁନ୍ଦର ଶିକ୍ଷାପାଇ ସେ ଯଥାର୍ଥ ଶାନ୍ତିର ନୀରବ ସୈନିକ ହିସାବରେ ଆପଣାକୁ ପ୍ରସ୍ତୁତ କରୁଛି । ସେ ଦେଶର ପିଲା ଆଜି ସବୁ ଦେଶ ପିଲାଙ୍କର ଆଦର୍ଶ ହୋଇ ରହିଛି ।

 

ବିଗତ ମହାଯୁଦ୍ଧରେ ଡେନମାର୍କ ଜର୍ମାନୀର କବଳରେ ପଡ଼ିଥିଲା । ଇଂଲଣ୍ଡ ଜୟ କରିବାର ଦୁଇ ମସୁଧା ରଖି ହିଟଲର ୧୯୪୦ ମସିହାରେ ଯେତେବେଳେ ପଶ୍ଚିମ ଉପକୂଳର ଛୋଟିଆ ଦେଶଗୁଡ଼ିକୁ ଗିଳିବାକୁ ବାହାରିଲା, ସେତେବେଳେ ଡେନମାର୍କ ମଧ୍ୟ ତା’ର ଗ୍ରାସରୁ ବଞ୍ଚିପାରିଲା ନାହିଁ । ଡେନମାର୍କର ରାଜା ଦିନେ ଦୁଇଦିନରେ ଆତ୍ମସମର୍ପଣ କଲେ । କିନ୍ତୁ ଖବରକାଗଜରେ ଡେନମାର୍କ ପରାସ୍ତ ହେଲେ ମଧ୍ୟ ଅସଲ ଡେନମାର୍କକୁ ହଜମ କରି ପାରିବାର କ୍ଷମତା ହିଟଲରର ନଥିଲା । ଏ’ତ ଇଂଲଣ୍ଡ ଆମେରିକାର ସହରୀ କାରଖାନା ହୋଇନାହିଁ ଯେ ଗୋଟାଏ ବୋମାରେ ସବୁ ଛିନ୍‌ଛତ୍ର ହୋଇଯିବ । ଲୋକଙ୍କର ମନ ମଧ୍ୟରେ, ପ୍ରତ୍ୟେକ ଗାଁରେ ଯେଉଁ ରାମରାଜ୍ୟର ରାଜୁତି ଜୀବନ୍ତ ହୋଇ ଜଳୁଥିଲା, ତାକୁ ଦଖଲ ବା ଦମନ କରିବାକୁ କୋଉ ହିଟଲରର ସାଧ୍ୟ ଅଛି ? ପ୍ରଥମେ ସେ ଅନେକ ଚେଷ୍ଟା କରିଛି ଡେନମାର୍କକୁ ଆପଣାର ରକ୍ଷିତା ପରି କାମରେ ଲଗାଇବାକୁ । ଅସୁର ଜର୍ମାନୀଲାଗି ପ୍ରଚାର କରିବାକୁ ମନା କରିଦେଇ ଡେନମାର୍କର କେତେ କବି ନାଜୀ ସୈନ୍ୟଙ୍କ ହାତରେ ପ୍ରାଣ ଦେଇଛନ୍ତି, ଗାଁଗଣ୍ଡାରେ କେତେ ରକମର କେତେ ଲଙ୍କାକାଣ୍ଡ ହୋଇଛି, କିନ୍ତୁ ସହସ୍ରଶିରା ରାବଣକୁ ମାରିବ କିଏ ? ଦେଶର ଘାସେ ଘାସେ ଯେଉଁ ମୈତ୍ରୀଜୀବନର ନାଡ଼ି ପ୍ରସାରି ରହିଛି, ତାକୁ କୋଉ ରାଜଶକ୍ତି ଉଚ୍ଛନ୍ନ କରି ପାରିବ ? ଶେଷକୁ ନାଜୀଦଳକୁ ନିରସ୍ତ ହେବାକୁ ପଡ଼ିଲା । ଡେନମାର୍କର ଜୀବନ ଅଖୁଣ ଭାବରେ ସେହିପରି ଆନନ୍ଦରେ ଚାଲିଲା । ପ୍ରାନ୍ତର ବନ୍ଦରରେ ହଜାର ହଜାର ତୋପ ଫୁଟିଲା ବେଳେ ମଧ୍ୟ ଡେନମାର୍କ ଚାଷୀ ଲକ୍ଷ୍ମୀ ଫଳାଇ ମଉଚ୍ଛବ କରିବାକୁ ଲାଗିଲା । ଜୀବନର ଅସଲ ମୂଳକୁ ଯେ ଚିହ୍ନିଛି ତାକୁ ଦେଶଛଡ଼ା ନାଜୀର ମାଙ୍କଡ଼ ଖେଳ କଣ କରିପାରିବ ?

 

ଋଷିଆ, ଚୀନ ବା ଡେନମାର୍କକୁ ଆମେ ମାଙ୍କଡ଼ପରି ନକଲ କରିବା ନାହିଁ । କିନ୍ତୁ ସ୍ୱାଧୀନତା ପାଇଲାପରେ ଆମେ ଯେତେବେଳେ ଆମ ଦେଶରେ ରାମରାଜ୍ୟ ପ୍ରତିଷ୍ଠା କରିବାର ପଣ ନେଇଛୁ, ଦେଶର ଗ୍ରାମେ ଗ୍ରାମେ, ଅନ୍ତରେ ଗାନ୍ଧୀ ଓ ଗାନ୍ଧୀକଥାକୁ ବଞ୍ଚାଇ ରଖିବାର ମହାବ୍ରତ ଗ୍ରହଣ କରିଛୁ, ସେତେବେଳେ ଆମକୁ ପୃଥିବୀର ଚାରିଆଡ଼କୁ ଅନାଇ ସାର ଗ୍ରହଣ କରିବାକୁ ହେବ । ଯେଝା ବାଟରେ ଯିଏ ଚାଲିଚନ୍ତି, ଶହେ ଝୁଣ୍ଟାଝୁଣ୍ଟିରେ ମଧ୍ୟ ଆଦର୍ଶ ଅଭିମୁଖରେ ସଭିଙ୍କର ଘୋଷଯାତ୍ରା ଚାଲିଛି, ଆମେ ମଧ୍ୟ ଆମର ମନୋମତ ବାଟ ବାଛିବା । କିନ୍ତୁ ତା’ ପୂର୍ବରୁ ଆମର ଏଇ କେତୋଟି ସାଥୀ ପଥିକମାନଙ୍କ ଦୃଷ୍ଟାନ୍ତକୁ ଆମେ ଶ୍ରଦ୍ଧାସହିତ ପରୀକ୍ଷାକରି ଦେଖିବା-। ମନରେ କୌଣସି ଗ୍ଲାନି ନ ରଖି ଆମେ ସବୁଠାରୁ ସବୁ ଭଲତକ ଗ୍ରହଣ କରିବା ।

 

ଆମ ଦେଶର ନିଜର ଇତିହାସ ଅଛି; ଆମେ ମଧ୍ୟ ଆମର ଲଢ଼େଇରେ ନାନା ପାହାଚ ଅତିକ୍ରମ କରି ଆସିଛୁ । ବର୍ତ୍ତମାନ ସେହିପରି ଗୋଟାଏ ପାହାଚ ବଦଳାର ବେଳ ଆସି ପହଞ୍ଚିଛି । ଏତିକିବେଳେ ଅସ୍ତ୍ରପରୀକ୍ଷାର ସବୁଠାରୁ ବଡ଼ ସନ୍ଧି ସମୟ । ଆମର ସମସ୍ତ ଯୋଗ୍ୟତା ଏଇଠି ଧରାପଡ଼ିବ । ଝୁଣ୍ଟା ଗୋଡ଼ରେ ଆଉ ଆଗକୁ ଯିବାର ତାକତ ଅଛି କି ନାହିଁ, ତା’ର ପ୍ରମାଣ ଏଇଠି ମିଳିବ । ସବୁଦେଶ ଝୁଣ୍ଟିଛନ୍ତି, ନିତି ଝୁଣ୍ଟୁଛନ୍ତି । କିନ୍ତୁ ସେମିତି ଦଳେ ଅଣ୍ଟାଭିଡ଼ି ସବୁବେଳେ ଜଗତକୁ ଆଗେଇ ନେଇ ଚାଲିଚନ୍ତି । ଆମେ ମଧ୍ୟ ସେହି ଲଢ଼ୁଆ ସୈନ୍ୟଙ୍କର ଅଦମ୍ୟ ଦଳରେ ଅଣ୍ଟାଭିଡ଼ି-ବାହାରି ପଡ଼ିବା ?

Image

 

ଆମେ ଆମପାଇଁ କଅଣ କରିବା ?

 

ପ୍ରତ୍ୟେକ ଦେଶ ଆପଣା ଆପଣା ପାଇଁ ଲଢ଼ି ସୁଖଶାନ୍ତିରେ ଅଛନ୍ତି । ତାହାହେଲେ ଆମେ ଏଠି ବିଚାର କରିବା, ଆମ ଦେଶପାଇଁ ଆମେ କଣ କରିବା ? ଦୁଇଶହ ବରଷର ବିଦେଶୀ ଶାସନ ପରେ ଏବେ ଆମେ ସ୍ୱାଧୀନ ହୋଇଛୁ । ଦେଶକୁ ସୁନ୍ଦର ମନୋମତ କରି ଗଢ଼ିବାର ସୁଯୋଗ ଏତେ ଦିନକେ ଆମ ହାତରେ ଆସି ପହଞ୍ଚିଛି ।

 

ଯେଉଁ ଦେଶରେ ଲୋକେ ସେମାନଙ୍କ ଶାସନ ନିଜେ ଚଳାଇଚନ୍ତି, ତାଙ୍କର ମଙ୍ଗଳ ଆଶାରେ ସ୍କୁଲ କଲେଜ, ଆଇନକାନୁନ ଗଢ଼ୁଛନ୍ତି, ସେଇ ଦେଶ କେବଳ ଉନ୍ନତି କରୁଚନ୍ତି । ପର ଘରେ ମୁଣ୍ଡ ବିକି ପରଦେଶକୁ ସୁନା ରୂପା ଖଜଣା ଦେଇ କୌଣସି ଦେଶ କେବେ ସୁଖଶାନ୍ତିରେ ରହିପାରିବେ ନାହିଁ । ଋଷିଆ ଦେଶ ଏତେ ପଛରେ ପଡ଼ିଥିଲା, ମାତ୍ର ଦେଶର ଶାସନକ୍ଷମତା ଯେମିତି ଲୋକଙ୍କ ହାତକୁ ଆସିଲା, ପଚିଶବର୍ଷ ଭିତରେ ସେ ଦେଶଟା କୁହୁକପରି ବଦଳିଗଲା । କ୍ରିପ୍‌ସ୍‌ ସାହେବ ଏବେ କହିଚନ୍ତି, ‘‘ଆମେ ଯେତେ ନାପସନ୍ଦ କରୁ ନା କାହିଁକି, ଲୋକମାନେ ସେମାନଙ୍କର ଶାସନପାଇଁ ଯେଉଁଭଳି ଶାସନଖସଡ଼ା ବାଛିନେବେ, ସେଇ ହେଉଚି ତାଙ୍କପାଇଁ ସବୁଠାରୁ ଭଲ ଶାସନଖସଡ଼ା । ଯେଉଁ ଦେଶ ଥରେ ସ୍ୱାଧୀନ ହୋଇଚି, ସେ ଦେଶର ପିଲାଠାରୁ ବୁଢ଼ାପର୍ଯ୍ୟନ୍ତ ସମସ୍ତଙ୍କର ରୂପ, ଭେକ, ମନ ବଦଳି ଯାଇଚି–ସେମାନେ ଗୋଟାଏ ନୂଆ ସ୍ୱପ୍ନ ଦେଖିଲାଭଳି ଆଶ୍ଚର୍ଯ୍ୟ କଥାମାନ ଗଢ଼ି ଗଢ଼ି ଚାଲିଚନ୍ତି । ସ୍ୱାଧୀନ ଋଷିଆର ଲୋକମାନେ ଯାହା କରୁଚନ୍ତି, ସେସବୁ ଆମକୁ କିମିଆ ପରି ବୋଧ ହେଉଚି । ଯେଉଁ ଦେଶ ସ୍ୱାଧୀନ, ସେ ଦେଶର ସମସ୍ତେ ବୀର, ଶତ୍ରୁ ତାଙ୍କ ଦେଶ ଆକ୍ରମଣ କଲେ, ସେମାନେ ଜୀବନ ଦେଇ ଶତ୍ରୁସଙ୍ଗେ ଲଢ଼େଇକରି ଶତ୍ରୁକୁ ଦେଶରୁ ତଡ଼ୁଚନ୍ତି । ଆମ ଆଖି ଆଗରେ ଆମେ ଦେଖିଲୁ, ଫ୍ରାନ୍‌ସ ଭଳି ଏତେ ବଡ଼ ଗୋଟାଏ ଦେଶ; ଦଶଟାଦିନରେ ଜର୍ମାନୀ ଆଗରେ ନଇଁ ପଡ଼ିଲା । ମାତ୍ର ଋଷିଆ ଦେଶର ଲୋକେ ଅଦ୍ଭୁତ ତ୍ୟାଗ ଓ ବୀରତ୍ୱର ସହିତ ନିଜର ମାତୃଭୂମିକୁ ରକ୍ଷାକରି ପାରିଲେ; ଋଷିଆରେ ଚାଷୀମୂଲିଆଙ୍କର ଶାସନ ଚାଲୁଚି ବୋଲି କେବଳ ସେଠି ଏକଥା ସମ୍ଭବ ହୋଇ ପାରୁଚି । ସେଥିପାଇଁ ଆମର ମଧ୍ୟ ଏହି ସ୍ୱାଧୀନତା ଦରକାର ଥିଲା–ଦେଶର ମଙ୍ଗଳପାଇଁ ସବୁପ୍ରକାର ବ୍ୟବସ୍ଥା କରିପାରିଲା ଭଳି ଶାସନ କ୍ଷମତା ଆମ ହାତରେ ରହିବା ଦରକାର ଥିଲା ।

 

ଏହି ସ୍ୱାଧୀନତା ପାଇଁ ଆମେ ଗୋଟାଏ କଥା ବୁଝିଛୁ ଯେ ସ୍ୱାଧୀନତା ଖେଳନା ନୁହେଁ, ଏଥିଲାଗି ଯଥେଷ୍ଟ ଲଢ଼େଇ କରିବା ଦରକାର । ନିଜ ଘର ଦଖଲ ପାଇବା ଲାଗି ଯେମିତି ଆପଣାର ବଳ ଥିବା ଦରକାର, ନିଜ ଘରଟିକୁ ମନୋମତ କରି ତିଆରି କରିବାକୁ ମଧ୍ୟ ସେହିପରି ଆମରି ମନରେ ଦୃଢ଼ ସଂକଳ୍ପ ଓ ଶକ୍ତି ରହିବା ଅତ୍ୟାବଶ୍ୟକ ।

 

ଆମ ଘରେ ଆଣି କେହି ସ୍ୱାଧୀନତା ଦେଇ ଯାଇ ନାହିଁ । ଋଷିଆ ଦେଶର ଶାସନ ଭଲ ବୋଲି, ସେମାନେ ଆମପାଇଁ ଦେଶ ଗଢ଼ିଦେଇ ଯିବେ ନାହିଁ । ବିଲାତର ସାମ୍ୟବାଦୀମାନେ, ମହନ୍ତମାନେ, ମନ୍ତ୍ରୀମାନେ ଆମ ଦେଶରେ ସ୍ୱରାଜ୍ୟ ଅଜାଡ଼ି ଦେଇ ଯିବେ ନାହିଁ । ଆମ ପଥି ଆମେ ନ ସଜାଡ଼ିଲେ, ଆମପାଇଁ କେହି ପଥି ସଜାଡ଼ିବେ ନାହିଁ । ସମସ୍ତେ ପରା ରୋଗୀ–ଯେଝା ଘର ସମ୍ଭାଳିବାରେ ସମସ୍ତେ ବ୍ୟସ୍ତ, ଆମେ ମଧ୍ୟ ଆମ ଦେଶ ପାଇଁ ଜୀବନ ଦେବାକୁ ନିଜକୁ ତିଆର କରିବା । ସବୁଦେଶର ଲୋକେ କେମିତି ଉପାୟରେ ସ୍ୱରାଜ୍ୟ ପାଇଚନ୍ତି ଆମେ ସେସବୁ ଭଲକରି ବୁଝିବା, ସେଇ ଅନୁସାରେ ଆମେ ନିଜ ମୁଣ୍ଡ ପାଗ ନିଜେ ସଜାଡ଼ିବା । ଆମେ ଯଦି ହଟିଯିବା, ତାହାହେଲେ କେହି ଆସି ଆମକୁ ଦଉଡ଼ାଇ ନେବେ ନାହିଁ–ଆମେ ସମସ୍ତେ ଏକା ସାଙ୍ଗରେ ଦଉଡ଼ିବାକୁ ଶିଖିବା । ବାଟରେ କେହି ହୁଏତ ମରିଯିବେ, କେହି ଖଣ୍ଡିଆ ଖାବରା ହୋଇଯିବେ, ମାତ୍ର ଶେଷକୁ ନିଶ୍ଚୟ ଅନେକ ଲୋକ ଠିକଣା ଯାଗାରେ ହାବୁଡ଼ିବେ । ଅନ୍ୟ ଦେଶରେ ଦେଶ ପାଇଁ ଲୋକେ ଯେମିତି ହସି ହସି ପ୍ରାଣ ଦେଉଚନ୍ତି, ଆମ ଦେଶରେ ସେମିତି ଲକ୍ଷ ଲକ୍ଷ ବାଜି ରାଉତ, ଲକ୍ଷ ଲକ୍ଷ ଲକ୍ଷ୍ମଣ ନାଏକ ବାହାରିବା ଉଚିତ । ସାହସୀ ହେଲେ, ଦମ୍ଭ ଧରିଲେ ଆମେ ସେ କୂଳ ଧରିପାରିବା । ମାତ୍ର ଯଦି ଆମେ ଭୟରେ ଥରିବା, ବିପଦ ଆସିଲେ ଲଢ଼େଇ ଆସିଲେ ‘ମା’ ଲୋ ବୋପା ‘ଲୋ’ ହୋଇ ନାଚିବା ତେବେ ଡଙ୍ଗା ଟଳମଳ ହୋଇ ମଝିନଈରେ ବୁଡ଼ିଯିବ । ମାତ୍ର ଯଦି ଦମ୍ଭବାନ୍ଧି ଆମେ ଥିର ହୋଇ ବସି ଡଙ୍ଗାକୁ ସେ ପାରିକୁ ନେଇ ପାରିବା, ତେବେ ଆମ ଜାତି ବୀର ଜାତି ହୋଇଯିବ, ଋଷିଆର ନାଁ ଯେମିତି ଆଜିଯାଏ ଜକ୍‌ଜକ୍‌ ହୋଇ ଜଳୁଚି, ଆମ ଦେଶ ଆମ ଜାତିର ନାଁ ସେମିତି ଇତିହାସରେ ଅଲିଭା ଦୀପ ପରି ଜଳୁଥିବ ।

 

ହଁ–ଆମ ଦେଶରୁ ବିଦେଶୀ ଶାସନକୁ ଆମେ ତଡ଼ି ଦେଇଛେଁ-ସେଇଥିରେ କଣ ଆମେ ଚୁପ୍ ହୋଇ ବସିଯିବା, ସେଇଥିରେ କଣ ଆମ କାମ ସରିଯିବ ! ତା ଯଦି ହୁଏ, ତେବେ ବିଦେଶୀ ଭଗାରିଙ୍କ ଯାଗାରେ ଦେଶୀ ଭଗାରି–ଆମ ଧନୀ ଜମିଦାର ଆମର ତଣ୍ଟି ଚିପିବେ । ଦିଲ୍ଲୀର ବଡ଼ ବଡ଼ କୋଠା ଭିତରେ ରୋଷନୀ ଜଳୁଥିବ-ଆଉ ଗରିବର କୁଡ଼ିଆଘରର ଦୀପ ଲିଭି ଯାଉଥିବ । ସବୁ ଦେଶରେ ଏକଥା ହୋଇଚି । ବିଦେଶୀ-ଶାସନକୁ ତଡ଼ିଲା ପରେ ଦେଶର ବଡ଼ ଲୋକମାନେ ସବୁ ଦେଶରେ ଗାଦିମାଡ଼ି ବସିଚନ୍ତି । ଋଷିଆରେ ମଧ୍ୟ ସେଇ କଥା ହେଲା । ମାର୍ଚ୍ଚ ମାସରେ ଜାରସରକାର ଗାଦି ଛାଡ଼ିଲେ-ଆଠମାସ କାଳ ସେ ଦେଶରେ ପୁଞ୍ଜିପତି କରେନ୍‌ସକୀଙ୍କ ଶାସନ ଚାଲିଲା । ଆମ ଦେଶରେ ମଧ୍ୟ ସେଇକଥା ହେବ–ଏଇଟା ହେଉଚି ବିପ୍ଳବର ନିୟମ । ମାତ୍ର ଆମେ ସେଥିରେ ସନ୍ତୁଷ୍ଟ ହୋଇ ରହିବା ନାହିଁ । ନଭେମ୍ୱର ମାସରେ ଋଷିଆରେ ଯେଉଁ ବିପ୍ଳବ ହେଲା, ତା ଫଳରେ କେରେନସ୍‌କୀ ସରକାର ଭାଙ୍ଗିଗଲା ଓ ସେ ଦେଶରେ ଲୋକଙ୍କର ସରକାର ବସିଲା । ଆମେ ମଧ୍ୟ ଏ ବଡ଼ଲୋକିଆ ସରକାର ଭାଙ୍ଗି ଖଟି ଖାଇଲା ଲୋକଙ୍କର ସରକାର ବସାଇବା । ଏ ଦେଶରେ କୌଣସି ଛୋଟ ବଡ଼ ଶ୍ରେଣୀ ରହିବ ନାହିଁ–ସମସ୍ତେ ସମସ୍ତଙ୍କ ମଙ୍ଗଳପାଇଁ କାମ କରିବେ । ଆମ ଦେଶ ଅନ୍ୟ ଦେଶକୁ ଆକ୍ରମଣ କରିବ ନାହିଁ, କିଏ ଯଦି ଆମ ଦେଶ ଆକ୍ରମଣ କରେ, ତେବେ ଆମେ ତା’କୁ ଆମ ଦେଶରୁ ହଟାଇଦେବା । ସମସ୍ତଙ୍କର ପରିଶ୍ରମ ଫଳରେ ଦେଶରେ ଯାହା ଆମଦାନୀ ହେବ, ତାକୁ ଆମେ ଆମର ଦରକାର ଅନୁସାରେ ବାଣ୍ଟି ନେବା । କିଏ ପାଞ୍ଚଭରଣ ନେଇଗଲା ତ, ଆଉ ଜଣେ ପାଞ୍ଚଗଉଣୀ ନେଇଯିବ–ଏପରି କଥା ଆମ ଦେଶରେ ରହିବ ନାହିଁ । ଧନୀ-ଗରିବ, ଏମିତି ଶ୍ରେଣୀ ବିଭାଗ ଆମ ଦେଶରେ ରହିବ ନାହିଁ । ଏ ଦେଶର ପିଲାଏ ବିନାପଇସାରେ ପାଠ ପଢ଼ିବେ, ଯାହାର ଯେଉଁଆଡ଼େ ମନ ବେଶୀ ଢଳିବ, ସେଆଡ଼କୁ ଯିବାପାଇଁ ତାକୁ ସବୁ ସୁବିଧା ଦିଆଯିବ । ଏଦେଶରେ କେହି ଉପାସ ରହିବେ ନାହିଁ । ସମସ୍ତେ ସମାନଭାବରେ ଦେଶର ସମ୍ପତ୍ତି ଭୋଗକରିବେ । ସବୁଜାତିର ପୁରୁଷ ସ୍ତ୍ରୀ ସମସ୍ତଙ୍କର ସମାନ ନାଗରିକ ଅଧିକାର ରହିବ । ସମାଜରେ ଯାହା ସବୁ ଜିନିଷ ତିଆରି ହେବ, ସେସବୁ ଲୋକଙ୍କ ପ୍ରତିନିଧି ନେଇ ଗଢ଼ାହୋଇଥିବା ସରକାରଙ୍କ ତତ୍ତ୍ୱାବଧାନରେ ହେବ । ସମସ୍ତେ ମିଶି ସମସ୍ତଙ୍କର ମଙ୍ଗଳପାଇଁ ଜମିଚାଷ କରିବେ, ଫସଲ ଆବାଦ କରିବେ । ଘର, ଦୁଆର, ଫୁଲ ବଗିଚା, କୂଅ ଏମିତି ଅତି ଆବଶ୍ୟକ ଜିନିଷ ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହିବ । ତା’ ଛଡ଼ା ଅନ୍ୟ ସମ୍ପତ୍ତି କୋଠ ସମ୍ପତ୍ତି ଭାବରେ ରହିବ । ହୁଏତ ଅନେକ ଲୋକ ଲୁଚାଇ ଚୋରାଇ ସମ୍ପତ୍ତି ରଖିବେ-। କିନ୍ତୁ ଦେଶର ନିୟମ ଏମିତି ହେବ ଯେ ସରକାର ଛଡ଼ା କୌଣସି ଲୋକ ବ୍ୟକ୍ତିଗତ ଭାବରେ ନିଜର ଟଙ୍କାକୁ ବ୍ୟବସାୟରେ ଲଗାଇପାରିବେ ନାହିଁ–ନିଜର ଇଚ୍ଛାନୁସାରେ ସେ ଟଙ୍କାକର ଜିନିଷ କିଣି ତାକୁ ଦୁଇଟଙ୍କା ଲାଭକରି ବିକିପାରିବ ନାହିଁ । ଏପରି ହେଲେ, କେହି ପାଖରେ ବେଶୀ ପଇସା ରଖିବେ ନାହିଁ । ଜିନିଷ ଉତ୍ପନ୍ନ କରିବାପାଇଁ ଓ ତାକୁ ଦେଶର ବିଭିନ୍ନ ପ୍ରଦେଶରେ ବାଣ୍ଟିବା ପାଇଁ ଗୋଟିଏ କେନ୍ଦ୍ର ଯୋଜନା କମିଟି ରହିବ । କେଉଁ ଫସଲ କେଉଁ ଜମିରେ ହେବ, କେଉଁ ପରିମାଣରେ କେଉଁ ଫସଲର ଚାଷ ହେବ, କେଉଁ ପ୍ରଦେଶର କେଉଁ ଫସଲ ବା ଜିନିଷ କେତେ ଦରକାର, ଏସବୁ ଏଇ କମିଟି ଠିକ୍ କରିବ । ମଜୁରିଆ ଯେଉଁ ଜିନିଷ ତିଆରି କରିବ, ତାର ପରିମାଣ ଓ ଗୁଣ ଉଭୟ କଥା ଉପରେ ତାର ମଜୁରୀ ନିର୍ଭର କରିବ । ମଜୁରି ଦିଆଯିବାର ତିନିପ୍ରକାର ବ୍ୟବସ୍ଥା ରହିବ, (୧) ଦୈନନ୍ଦିନ ଜୀବନର ଆବଶ୍ୟକ ଜିନିଷମାନ କିଣିବାକୁ ସେମାନଙ୍କୁ ମଜୁରୀ ମିଳିବ, (୨) ତାଙ୍କ ମଜୁରୀ ପଇସାରେ ଭିନ୍ନ ଭିନ୍ନ ଅଞ୍ଚଳରେ ସ୍କୁଲ, ଡାକ୍ତରଖାନା, ଶିଶୁସଦନ, ପ୍ରସୂତୀ ଘରମାନ କରାଇ ଦିଆଯିବ, (୩) ବୁଢ଼ାହେଲେ ବା ଅକର୍ମା ହୋଇ ପଡ଼ିଲେ ମଜୁରିଆରେ ମଜୁରୀରୁ ତାକୁ ଭତ୍ତା ଦିଆଯିବ । କଳ କାରଖାନାର ଉନ୍ନତି ଓ ଯନ୍ତ୍ରପାତି କିଣିବା ପାଇଁ ମଜୁରୀର ଏକ ଅଂଶ ମହଜୁଦ ରହିବ ।

 

ପ୍ରତ୍ୟେକ ଲୋକ ନିଜର ଝାଳବୁହା ପରିଶ୍ରମରେ ନିଜେ ଚଳିବ, ସେ ବିଷୟରେ ଗାନ୍ଧିଜୀ କହଚନ୍ତି–‘‘ଦୁର୍ଭିକ୍ଷ ପ୍ରପୀଡ଼ିତ ଗୋଟାଏ ଅଳସୁଆଜାତି ଆଗରେ ଭଗବାନ କେବଳ କାମରୂପରେ ଦେଖାଦେଇ ପାରିବେ–ତାଙ୍କ ନିଜର ମଜୁରି ଉପରେ ତାଙ୍କର ଖାଇବା ନିର୍ଭର କରିବ-। ନିଜର ଖାଇବା ଯୋଗାଡ଼ କରିବାପାଇଁ ପରିଶ୍ରମ କରିବାକୁ ଭଗବାନ୍‌ ମଣିଷକୁ ସୃଷ୍ଟି କରିଥିଲେ ଏବଂ କହିଥିଲେ ଯେ ଯେଉଁମାନେ କାମ ନ କରି ଖାଆନ୍ତି, ସେମାନେ ହେଉଚନ୍ତି ଚୋର-। ଭାରତର ଶତକଡ଼ା ୮୦ ଲୋକ ବର୍ଷର ଅଧେ ସମୟ ବାଧ୍ୟ ହୋଇ ଏମିତି ଚୋରି କରି ଖାଆନ୍ତି-। ତେବେ ଭାରତକୁ ଗୋଟାଏ ବଡ଼ ଜେଲଖାନା କୁହାଯାଏ, ସେଥିରେ ଆଶ୍ଚର୍ଯ୍ୟର କଥା କଣ ଅଛି ? ମୋର ତ ଖାଇବା ଅଭାବ ନାହିଁ, ମୁଁ ପରିଶ୍ରମ କରିବି ବା ସୂତା କାଟିବି, କାହିଁକି ? ଏ ପ୍ରଶ୍ନ ଜଣେ ପଚାରି ପାରେ । ଏହାର ଜବାବ ହେଉଚି ମୋର ସମ୍ପତ୍ତି ଯେ ନୁହେଁ, ମୁଁ ତାକୁ ଖାଉଚି; ମୁଁ ମୋର ଦେଶବାସୀଙ୍କର ସମ୍ପତ୍ତି ଲୁଟକରି ବଞ୍ଚିଚି । ତୁମ ପକେଟକୁ ଯେଉଁ ପଇସାଟି ସୁରୁଖୁରୁରେ ଚାଲିଆସୁଚି, ସେ କେଉଁଠୁ ଆସିଲା, ସେ କଥା ଭାବ । ତେବେ ମୁଁ ଯାହାକହୁଚି, ତୁମେ ତାହା ସତକଥା ବୋଲି ବୁଝିପାରିବ ।’’

 

ଗାନ୍ଧିଜୀଙ୍କର ଇଚ୍ଛା ଥିଲା ସ୍ୱାଧୀନ ଭାରତରେ ସମସ୍ତେ ପେଟପୂରାକରି ଖାଇବାକୁ ପାଆନ୍ତୁ । ଭବିଷ୍ୟତ ଭାରତରେ ସେ କାହାକୁ ଉପାସୀ ଭୋକୀ ଭାବରେ ଦେଖିବାକୁ ଚାହିଁ ନ ଥିଲେ । ଭୋକିଲା ଲୋକ କଥା କହିବାକୁ ଯାଇ ଥରେ ଗୋଟାଏ ସଭାରେ ସେ କହିଚନ୍ତି–‘‘ସେମାନଙ୍କ (ଭୋକିଲା ଲୋକଙ୍କ) ପାଖକୁ ମୁଁ ଭଗବାନଙ୍କର ବାଣୀ ନେଇ ଯିବାକୁ ସାହସ କରେ ନାହିଁ । ଭଗବାନଙ୍କର ବାଣୀକୁ ରାସ୍ତାରେ ବୁଲୁଥିବା ଗୋଟାଏ କୁକୁରକୁ ଶୁଣାଇବା ଯାହା, ଏମାନଙ୍କୁ ଶୁଣେଇବା ମଧ୍ୟ ଠିକ୍ ସେଇଆ-ଏମାନଙ୍କର ଆଖିରେ ଟିକିଏ ହେଲେ ଜ୍ୟୋତି ନାହିଁ । ଭାତ ହେଉଚି ଏମାନଙ୍କର ଏକମାତ୍ର ଭଗବାନ୍ । ତାଙ୍କୁ କିଛି କାମକରିବାକୁ ଦେଇ ମୁଁ ସେମାନଙ୍କୁ ଭଗବାନଙ୍କର ବାଣୀ ଶୁଣାଇପାରେ ଆମେ ସକାଳୁ ସୁନ୍ଦର ଜଳଖିଆ ଖାଇ ଏଠାରେ ବସିଚୁ, ଏଠୁ ଗଲେ ମଧ୍ୟ ଘରେ ଆମପାଇଁ ସୁନ୍ଦର ଭୋଜନ ରଖା ହୋଇଥିବ, ସେଥିପାଇଁ ଆମେ ଭଗବାନଙ୍କ କଥା ଆଲୋଚନା କରି ପାରୁଚୁ । ମାତ୍ର ଯେଉଁ ଲକ୍ଷ ଲକ୍ଷ ଲୋକ ଦୁଇଓଳି ଦୁଇଥର ଖାଇବାକୁ ପାଆନ୍ତି ନାହିଁ, ତାଙ୍କୁ ମୁଁ ଭଗବାନଙ୍କ କଥା କିପରି କହିବି ? କେବଳ ଭାତ ଆଉ ଲୁଣର ଅବତାର ଧରି ଭଗବାନ ସେମାନଙ୍କ ପାଖକୁ ଆସିପାରିବେ ।’’ ସ୍ୱାଧୀନ ଭାରତରେ ଯଦି ଲୋକଙ୍କର ପେଟ ନ ପୂରେ, ତେବେ ଆମର ଆଶା ଦୂରାଶା ହେବ ଏବଂ ଆମ ସରକାର ବେଶୀ ଦିନ ଚଳିପାରିବ ନାହିଁ । ତେଣୁ ଆମର ପ୍ରଥମ କାମ ହେବ ପ୍ରତ୍ୟେକ ଲୋକଙ୍କୁ କାମ ଯୋଗାଇବା-ଯାହା ଫଳରେ କି ସେମାନେ ନିଜର ଖାଇବା ଯୋଗାଡ଼ କରିପାରିବେ । ଏଠି ଅଳସୁଆ ବସି ଅନ୍ନଧ୍ୱଂସ କରିବାକୁ କାହାକୁ ସୁବିଧା ଦିଆଯିବ ନାହିଁ । ଯିଏ ଝାଳ, ବୁହାଇବ, ସେଇ ସବୁ ଭୋଗ କରିବ ।

 

‘‘ସମସ୍ତେ ସମସ୍ତଙ୍କ ପାଇଁ କାର୍ଯ୍ୟ କରିବେ । ଯଦି କୌଣସି ଲୋକ କାମ ନ କରିବ, ତେବେ ସେ ଉପାସ ରହିବ । ଯଦି ସେ ସମାଜର ସେବା ନ କରିବ, ତେବେ ସେ ସମାଜ ଆଗରେ ଦୋଷୀହେବ । କାରଣ ଜଣେ ଅଳସୁଆ ଲୋକ ଆଉ ଜଣେ ଲୋକର ପରିଶ୍ରମକୁ ଡକେଇତି କରି ଖାଏ । ଯେଉଁ ଜଣକ ଆଜି ନିଜର ଧନସମ୍ପତ୍ତି ନେଇ ଗର୍ବ କରୁଚି, ସେ ତାର ଭାଇମାନଙ୍କର ମାଂସ ଖାଉଚି । ଅନ୍ୟମାନେ ଉପାସରେ କଷ୍ଟ ପାଉଥିଲା ବେଳେ ଯେ ବିଳାସବ୍ୟସନରେ ରହିଚି, ସେ ଖୁଣୀଦୋଷରେ ଦୋଷୀ । ଯେ ନିଜର ଜାତିଭାଇକୁ ଘୃଣାକରେ, ତାର ଅର୍ଜିଲା ଦୋଷର ଆଉ କ୍ଷମା ନାହିଁ । ନିଜର ଧନସମ୍ପତ୍ତି ନେଇ ଯେ ଗର୍ବକରେ, ସେ ଗୋଟାଏ ହେଟା-ଲୋକଙ୍କର ପ୍ରତିହିଂସା ତାକୁ ଦିନେ ତା’ର ଜୀବନ ନେବ । ମାତ୍ର ଯେ ନ୍ୟାୟ ଓ ଦୟାକୁ ଭଲପାଏ, ଭଗବାନ ତାକୁ ନିଜ କୋଳରେ ନିଶ୍ଚୟ ସ୍ଥାନ ଦେବେ ।

 

ଏ ବିପ୍ଳବ କେମିତି ହେବ ? ଆମହାତକୁ କିମିତି କ୍ଷମତା ଆସିବ ? ‘‘ଜଣେ ଲୋକ ଥିଲା, ଯାହାର ଅନେକ ଜମି ଥିଲା, ତା’ଜମିରେ ସେ ବଡ଼ ବଡ଼ କାରଖାନା ବସାଇଥିଲା, ହଜାର ହଜାର ଲୋକ ତା’ପାଇଁ ମୂଲ ଖଟୁଥିଲେ । ସେମାନଙ୍କର ଝାଳବୁହା ପରିଶ୍ରମ ଫଳରେ ଧନୀର ଚର୍ବି ବଢ଼ିଗଲା ଓ ସେ ନିଜର ବଡ଼ିମା ଦେଖାଇହେଲା । ଦିନେ ତା’ କାରଖାନାରେ ମୂଲିଆମାନେ ବିଦ୍ରୋହ କରି ଉଠିଲେ, ଧନୀ ଅନ୍ୟ ଲୋକଙ୍କୁ ଆଣି ଲଗାଇଲା; ଯେଉଁମାନେ ଆସି ମଜୁରିଆଙ୍କ ଉପରେ ଗୁଳି ଚଳାଇଲେ, ଗୁଳିରୁ ଯେତେକ ବଞ୍ଚିଲେ, ସେମାନେ ଡରିହରି ପୁଣି କାମକୁ ଆସିଲେ-। କଳମାଲିକ କହିଲା–‘ସାରା ପୃଥିବୀଟା ମୋର–ମୋ କଥାରେ ନାହିଁ କରିବାକୁ ଆଉ କେହି ନାହିଁ-।’ କିନ୍ତୁ ପୁଣି ଦିନେ ସେଇ ମଜୁରିଆଙ୍କ ଭିତରୁ ଜଣେ ଲୋକ ଏ କଥା ଶୁଣି ହସିଉଠିଲା-। ତା’ର ହସ ଚାରିଆଡ଼େ ବ୍ୟାପିଗଲା–ହଜାର ହଜାର ଲୋକ ଏକାଠି ହସିଉଠିଲେ । ସେମାନେ କହିଲେ, ‘ଆମେ କାମ କରିବୁ, ଆଉ ତୁମେ ଆମ କାମର ଫଳ ଚୋରିକରି ନେଇଯିବ, ଏଇ କଥା ଭାବି ଆମକୁ ହସ ମାଡ଼ୁଚି ।’ ମାଲିକ ତା’ର ଫୌଜକୁ ଆଣି ଗୁଳିମାରିବାକୁ ଆଦେଶ ଦେଲା, କିନ୍ତୁ ତା’ର ଫୌଜର ସମସ୍ତ ଲୋକ ମଧ୍ୟ ହସିଲେ-ମାଲିକ ଏତେ ଲୋକଙ୍କର ହସ ଆଗରେ ଆଉ ସମ୍ଭାଳି ରହିପାରିଲା ନାହିଁ । ସେ ମଧ୍ୟ ଶେଷକୁ ହସିବାକୁ ବାଧ୍ୟହେଲା, ସେ ମଧ୍ୟ କହିଲା, ‘ଚାଲ, ଏସବୁ ଖରାପ କଥାକୁ ଲୋପ କରିଦେବା ।’ ତୁମ ଭିତରେ ଏପରି କେହି ଲୋକ ଅଛି ଯେ କହିପାରିବ ‘‘ମୁଁ ସ୍ୱାଧୀନତା ପାଇବାର ଉପଯୁକ୍ତ ।’’ ସେଇ ଲୋକ ସାରା ପୃଥିବୀକୁ ବଞ୍ଚାଇପାରିବ-। ମାଲିକାନି ପ୍ରଥା ଫଳରେ ଯେଉଁସବୁ ହେୟ ଜିନିଷକୁ ମଣିଷ ପୂଜା କରୁଚି, ସେସବୁ ଅନ୍ତର ଭିତରୁ ସଫା କରିଦିଅ । ଅନ୍ୟମାନେ ଉପାସରେ ଥିଲାବେଳେ ଜଣେ ଖାଦ୍ୟ ଜମାଇ ରଖିବ, ଏ କଣ ପାପ ନୁହେଁ ? ଜଣେ ସ୍ତ୍ରୀକୁ ଯେତେ ଅଡ଼ୁଆ ଲାଗିଲେ ସୁଦ୍ଧା ସେ ଯଦି ଦେହସାରା ଗହଣାଗାଣ୍ଠି ଲଗାଇବ, ଏଇଟା କଣ ବୋକାମି ନୁହେଁ ? ଯଦି ଏହା ବୋକାମି ଆଉ ପାପ ହୁଏ, ତୁମେମାନେ ଏହାକୁ କିପରି ପ୍ରଶଂସା କରୁଚ ?’’ ଆମେ ଯଦି ଆମ ନେତାସାଙ୍ଗରେ ଦିନେ ଏକାବେଳେକେ ହସି ଉଠିବା, ତେବେ ଆମର ଶତ୍ରୁ ତିଷ୍ଠିପାରିବ ନାହିଁ । ସେ ହୁଏତ ଆମ ଭିତରେ ମିଶିଯିବ, ନ ହେଲେ ତା’ର ଅସ୍ତିତ୍ୱ ଏ ଦେଶରୁ ଲିଭିଯିବ ।

 

‘‘ମାଲିକମାନଙ୍କର ଖବର କାଗଜ ଅଛି, ମଠବାଡ଼ୀ ଅଛି, ପୁଲିସ ଫଉଜ ଅଛି-ଏସବୁ ସାହାଯ୍ୟରେ ସେମାନେ ଆମଉପରେ ଅତ୍ୟାଚାର କରୁଚନ୍ତି ତୁମେମାନେ ଏସବୁ ଦେଖୁଚ, ଶୁଣୁଚ, କହୁଚ-‘ହଁ, ସେସବୁ ସତକଥା–ମାତ୍ର ସବୁଦିନେ ତ ଏମିତି ହୋଇଆସିଚି ।’ ସେଇଥିପାଇଁ ତୁମେମାନେ ନିଜ ନିଜ ପୁରୁଣା କାମରେ ପୁଣି ଘୋଷାରି ହେଉଚ । ଯେଉଁମାନଙ୍କ ହାତରେ ଟଙ୍କା ଅଛି ସେମାନଙ୍କର କଳକାରଖାନା ଦ୍ୱାରା ଦିନରାତି ପେଷି ହେଉଚ । ଅନ୍ୟ ଜଣକର ସୁବିଧାପାଇଁ ଘଣ୍ଟା ଘଣ୍ଟା ଧରି କାମ କରିବା, ମଇଳା ଦୁର୍ଗନ୍ଧପୂର୍ଣ୍ଣ ଘରେ ରହିବା, ବିପଜ୍ଜନକ ଓ ଅସ୍ୱାସ୍ଥ୍ୟକର ଯାଗାରେ କାମ କରିବା, ଭୋକଉପାସ ସାଙ୍ଗରେ ଲଢ଼ିବା, ରୋଗରେ ସଢ଼ି ସଢ଼ି ମରିବା-ଏଇସବୁ ଆମର ଦେହ ସହିବା ହୋଇଗଲାଣି । ଦିନକୁ ଦିନ ଏ କଥା ବେଶୀ ବେଶୀ ଭୟଙ୍କର ହୋଇଯାଉଚି । ଦିନକୁଦିନ ତୁମକୁ ବେଶୀ କାମ କରିବାକୁ ପଡ଼ୁଚି, ମାତ୍ର ଦିନକୁ ଦିନ ଦୁଃଖଦାରିଦ୍ର୍ୟର ଜଞ୍ଜିର ତୁମମାନଙ୍କୁ ବେଶୀ ଜୋରରେ ଭିଡ଼ୁଚି । ମାସ ବର୍ଷ ବିତିଯାଉଚି-ପୁଣି ତୁମେ ଏଠାକୁ ଆସୁଛ, ମୁଁ ପୁଣି ଏଠି ତୁମକୁ ସତକଥା କହୁଚି । ଅଭାବ ଆଉ ଦୁଃଖ ତୁମ ଉପରେ କିଛି ପ୍ରଭାବ ପକାଇଚି କି ନାହିଁ, ଅନ୍ୟାୟ ଓ ଅତ୍ୟାଚାର ତମର ଆଖି ଖୋଲି ଦେଇଚି କି ନାହିଁ, ସେ କଥା ଜାଣିବାକୁ ମୁଁ ପୁଣି ଏଠାକୁ ଆସୁଚି । ମୁଁ ଦେଖୁଚି, ମଣିଷ ଜାତିର ଭଲ ଭଲ ଚିନ୍ତାଧାରା, କବିମାନଙ୍କର ସ୍ୱପ୍ନ ଆଉ ଶହିଦମାନଙ୍କର ମନର ଯନ୍ତ୍ରଣା ସବୁ ଆଜି ଜାଲରେ ଛନ୍ଦି ହୋଇଚି, ଆଉ ଧ୍ୱଂସମୂଳକ ଲୋଭର ସେବା କରିବାରେ ଲାଗିଚି । ମୁଁ ଆଉ ବଞ୍ଚି ରହି ପାରୁନାହିଁ, ମୁଁ ଚୁପ୍ ହୋଇ ପାରୁନାହିଁ, ସେଥିପାଇଁ ମୁଁ ମୋର ସବୁ ସୁଖ ସୁବିଧା ଛାଡ଼ିଦେଇଚି-ପୃଥିବୀର ଚାରିଆଡ଼େ ବୁଲି ମୋର ମନର ଭାବ ପ୍ରଚାର କରୁଚି । ଦାରିଦ୍ର୍ୟ ବା ରୋଗ, ଘୃଣା, ଭୟ, ଉପହାସ, ଜେଲ ବା ଯନ୍ତ୍ରଣା ମୋର ପାଟି ବନ୍ଦକରି ପାରିବ ନାହିଁ । ଆଜି ଯଦି ମୁଁ ନ ପାରେ, ତେବେ କାଲି ମୁଁ ପୁଣି ଚେଷ୍ଟା କରିବି-କାରଣ ମୁଁ ଜାଣେ ମୋର କହିବାରେ ଭୁଲ୍ ରହିଯାଉଚି । ମୋର ଅନ୍ତରାତ୍ମାର କଥା ଯଦି ମୁଁ ଠିକ୍ ଠିକ୍ କହିପାରିବି, ତେବେ ଏହା ସବୁ ବାଧାର ବନ୍ଧ ଭାଙ୍ଗିଦେବ; ଅଳସୁଆ, ନିକିମା ଲୋକଙ୍କ ଭିତରେ ମଧ୍ୟ ନିଆଁ ଜଳିଉଠିବ । କାରଣ ଯେଉଁମାନଙ୍କର କଥା କହିବାର ଶକ୍ତି ନାହିଁ, ତାଙ୍କରି ପରି ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣର କଥା ମୁଁ କହୁଚି, ଯେଉଁମାନେ ଦିନରାତି କଷ୍ଟ ଭୋଗିଲେ ମଧ୍ୟ ସେମାନଙ୍କୁ ସାନ୍ତ୍ୱନା ଦେବାକୁ କେହି ନାହିଁ, ତାଙ୍କରି କଥା ମୁଁ କହିବୁଲୁଚି । ଯେଉଁମାନେ ଆଖିରେ ସାରା ଦୁନିଆଟା ଗୋଟାଏ ଜେଲଖାନା, ଗୋଟାଏ ଯନ୍ତ୍ରଣାର ନରକ, –ଗୋଟାଏ ମଶାଣି, ସେଇମାନଙ୍କ ପାଇଁ ମୁଁ ପ୍ରଚାର କରି ବୁଲୁଚି । ଯେଉଁ ପିଲାମାନେ ତୁଳାକାରଖାନାରେ ରାତି ରାତି କାମ କରୁଚନ୍ତି, ସେଇମାନଙ୍କ ପ୍ରାଣର ଭାଷା ମୋ’ ପାଟିରୁ ବାହାରୁଚି । କାମ କରି କରି ସେମାନେ ଥକିଯାଉଚନ୍ତି, ଯନ୍ତ୍ରଣାରେ ସେମାନଙ୍କର ହାତଗୋଡ଼ ଚଳୁନାହିଁ, ମଶାଣିକୁ ଯିବା ଛଡ଼ା ଆଉ କୌଣସି ଆଶା ସେମାନଙ୍କ ଭିତରେ ନାହିଁ । ଯେଉଁ ମା କାନ୍ଦି କାନ୍ଦି, ଭୋକିଲା ପିଲାଙ୍କ ଜଞ୍ଜାଳରେ ଦହଗଞ୍ଜ ହୋଇ, ନିଜ ସାତ ଫଟା ଲୁଗାରେ ତାଳି ପକାଉଚି, ଯେଉଁ ମଣିଷ ଅଖା ଉପରେ ଶୋଇ ରୋଗ, ମୃତ୍ୟୁ ସାଙ୍ଗରେ ଲଢ଼ୁଚି, ଯାହାର ପିଲାମାଇପେ ତା’ ଆଗରେ ମୁର୍ଦ୍ଦାର ହୋଇ ପଡ଼ୁଚନ୍ତି, ରାସ୍ତାରେ ଉପାସପେଟରେ ଯେଉଁ ଯୁବତୀ ବାଳିକା ଛିଣ୍ଡାକନା ପିନ୍ଧି ବୁଲୁଚି, ଶେଷକୁ ନଈକୁ ବୁଡ଼ିମରିବାକୁ ଯାଉଚି ବା ବେଶ୍ୟା ହେବାକୁ ଯାଉଚି, ସେଇମାନଙ୍କ ପ୍ରାଣର କଥା ମୁଁ ତୁମମାନଙ୍କୁ କହୁଚି । ସବୁ ମଣିଷଙ୍କ ଭାଷାରେ ମୁଁ ଆଜି ମୁକ୍ତିପାଇଁ ଚିତ୍କାର କରୁଚି, ଅନ୍ଧାର ଭିତରେ ଆଲୁଅ ପାଇବାକୁ ମୁଁ ଚିତ୍କାର କରୁଚି ।’’

 

ଆମେରିକା ପ୍ରସିଦ୍ଧ ଲେଖକ ଅପ୍‌ଟନ୍‌ ସିନ୍‌କ୍ଲେୟାର୍ ଉପର କଥାମାନ କହିଚନ୍ତି । ଏ କଥା ସବୁ ମଣିଷର ବୁଝିବା ଉଚିତ । ଏ କଥା ସବୁ ଦେଶରେ ହେଉଚି । ଋଷିଆ ଲୋକେ ଏ କଥା ବୁଝିଚନ୍ତି । ସେଥିପାଇଁ ସେମାନେ ସୁଖଶାନ୍ତିରେ ଅଛନ୍ତି । ଆମେ ଯେଉଁଦିନ ଏ କଥା ବୁଝିବା, ସେଦିନ ଆମ ଦେଶରେ ମଧ୍ୟ ଆମେ ଇନ୍ଦ୍ରଭୁବନ ତୋଳି ପାରିବା । ଏ କଥା ସବୁ ଦେଶରେ ହେବ-ସବୁଦେଶର ଲୋକ ଦିନେ ଏ କଥା ବୁଝିବେ ଓ ନିଜର ଭାଗ୍ୟ ନିଜେ ଗଢ଼ିବେ । ସେ ପୁଣି କହିଚନ୍ତି– ‘‘ଆମେ ଏମିତି ଏକ ଅବସ୍ଥା ସୃଷ୍ଟି କରିବାକୁ ଚାହୁଁ, ଯେଉଁ ଅବସ୍ଥାରେ କି ଧନୀ ଗରିବ ହୋଇ କେହି ରହିବେ ନାହିଁ । ଯେଉଁମାନେ ଅନ୍ୟର ତିଆରି ଜିନିଷ ଆତ୍ମସାତ୍ ନ କରି ନିଜର ପରିଶ୍ରମରେ ଚଳିବେ, ସେଇମାନେ କେବଳ ଆମର ଭବିଷ୍ୟତ ପୃଥିବୀରେ ରହିବେ । ଆମେ ସେଇପରି ଗୋଟାଏ ଦୁନିଆ ବସାଇବାକୁ ଚାହୁଁ, ଆମକୁ ସାହାଯ୍ୟ କରିବାକୁ ଆମେ ପୁରୁଷ ସ୍ତ୍ରୀ ମାନଙ୍କୁ ଆହ୍ୱାନ କରୁଚୁ । ଆମେ ଭଲକରି ଆମ କଥା ପଢ଼ିବା, ସବୁ ଖବର ଜାଣିବା, ଆମର ଶତ୍ରୁମାନଙ୍କର ବିଷବୋଳା ବହି ଆମେ ଆଉ ଘୋଷିବା ନାହିଁ । ଆମର ମାନସିକ ଓ ନୈତିକ ଜୀବନକୁ ଆମେ ବଦଳାଇବାକୁ ଚାହୁଁ, ତାହାହେଲେ ଆମର ଶୋଷକମାନେ ବର୍ତ୍ତମାନ ଆମର ପୃଥିବୀକୁ ଯେପରି ନଷ୍ଟ କରୁଚନ୍ତି, ଧ୍ୱସଂ କରିବାର କ୍ଷମତା ହାସଲକରି ଯେପରି ସବୁ ଧ୍ୱଂସ କରିବାରେ ଲାଗିଚନ୍ତି, ସେସବୁକୁ ଆମେ ଆଉ ପ୍ରଶଂସା କରିବା ନାହିଁ । ସଚ୍ଚା ପରିଶ୍ରମ, ସାମାଜିକ ଦୃଷ୍ଟି, କାମକଲା ଲୋକମାନଙ୍କର ସ୍ୱାର୍ଥକୁ ସମ୍ମାନ ଦେଖାଇବା, ଏ ସବୁ ପ୍ରଶଂସା କରିବାକୁ ଆମେ ନିଜକୁ ଓ ନିଜର ପୁଅନାତିମାନଙ୍କୁ ଶିଖାଇବା । ଆମେ ଯେଉଁମାନେ ଏ କାମରେ ଜୀବନ ଦେବାକୁ ତିଆର ଅଛୁ, ସେହି ଆମେ ପରସ୍ପରକୁ ‘ସାଥୀ’ ‘ଭାଇ’ ବା ‘ସହକର୍ମୀ’ ବୋଲି ଡାକୁ । ତୁମମାନଙ୍କୁ ମଧ୍ୟ ଆମସଙ୍ଗରେ ଯୋଗଦେବାକୁ ଆମେ ନିମନ୍ତ୍ରଣ କରୁଚୁ ।’’ ଆମ ଦେଶରେ ମଧ୍ୟ ଆମେ ଏମିତି କାମ କରିବା–ସମସ୍ତେ ମିଶି ସବୁକଥା ବୁଝି ଆଗକୁ ଚାଲିବା ।

 

ଏଇ ମାଟିରେ ଆମେ ଜନ୍ମ ହୋଇଚୁ, ଏଇ ମାଟିର ଫସଲ ଖାଇ ଆମେ ବଢ଼ିଚୁ, ଶେଷରେ ଏଇ ମାଟିଭିତରେ ଆମେ ମିଶିଯିବା । ଏଇ ମାଟିକୁ ସାରଦେଇ ଉର୍ବର କରିବା ଆମର କର୍ତ୍ତବ୍ୟ । ଆମେ ଯଦି ଏ ମାଟିକୁ ସରସ କରିପାରିବା, ତାହାହେଲେ ବାରମାସ ଆମ ଦେଶରେ ନୂଆପତ୍ର କଅଁଳିବ, ଦେଶର ଚାରିଆଡ଼େ ନୂଆ ନୂଆ ଫୁଲ ପୁଣି ହସି ଉଠିବ । ଆମେ ଯଦି ଅଳସୁଆ ହେବା, ତେବେ ଏ ଦେଶର ମାଟିରୁ ସାର ଚାଲିଯିବ, ଏ ଦେଶର ଲୋକେ କଳଙ୍କି ହୋଇଯିବେ । ବର୍ତ୍ତମାନର ଦୁଃଖକଷ୍ଟ ଶହେଗୁଣ ହୋଇ ବଢ଼ି ଉଠିବ । ଅଳସୁଆମାନେ କେବେ ହେଲେ ସୁଖରେ ରହି ପାରିବେ ନାହିଁ, ଡରୁଆ ମିଛୁଆ ଲୋକମାନେ କେବେ ସ୍ୱାଧୀନ ହୋଇ ପାରିବେ ନାହିଁ । ତେଣୁ ସ୍ୱରାଜ ହାସଲ କରିବାକୁ ହେଲେ ଆମକୁ କାମିକା, ନିଡ଼ରୁଆ, ଆଉ ସଚ୍ଚା ହେବାକୁ ପଡ଼ିବ । ଆମେ ସ୍ୱାଧୀନ ହେବା, ଆମେ ଏ ଦେଶର ଲୋକଙ୍କର ସରକାର ବସାଇବା, ଏ ଦେଶର ଗାଁ ଗଣ୍ଡା ସହରମାନଙ୍କୁ ଆମେ ହସାଇବା-ଆମେ ସମସ୍ତେ ଏକହୋଇ ହାତମୁଠା କରି, ମନଭିତରେ ପୂରା ଆଣ୍ଟଧରି ଆଗକୁ ଚାଲିଲେ ସବୁ ସମ୍ଭବ ହୋଇପାରିବ । ନେପୋଲିୟନ ପରା କହିଥିଲେ, ‘ଅସମ୍ଭବ’ ଶବ୍ଦଟା ଖାଲି ବୋକାମାନଙ୍କର ଅଭିଧାନରେ ଦେଖିବାକୁ ମିଳେ ।

Image